YouVersion Logo
Search Icon

ମାର୍କାସ୍ 2

2
ପକ୍ଷାଘାତଗ୍ରସ୍ତ ଲୋକ ସୁସ୍ଥ ହେଲା
1କିଛିଦିନ ଉତ୍ତାରେ ଯୀଶୁ ଯେତେବେଳେ ପୁନର୍ବାର କଫର୍ନାହୁମକୁ ଗଲେ, ସେ ଘରକୁ ଆସିଛନ୍ତି ବୋଲି ଲୋକେ ଶୁଣିବାକୁ ପାଇଲେ। 2ସେମାନେ ଏତେ ବେଶି ସଂଖ୍ୟାରେ ଏକତ୍ର ହେଲେ ଯେ, ଦ୍ୱାର ତଥା ତାହା ପାଖରେ ଟିକିଏ ବି ଜାଗା ରହିଲା ନାହିଁ। ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କଲେ 3ସେତେବେଳେ କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ଵାରା ବହନ କରାଇ ଯୀଶୁଙ୍କ ନିକଟକୁ ଆଣିଲେ 4କିନ୍ତୁ ଲୋକଗହଳି ହେତୁ ସେମାନେ ତାକୁ ଯୀଶୁଙ୍କ ନିକଟକୁ ନେଇପାରିଲେ ନାହିଁ, ତେଣୁ ସେମାନେ ଯୀଶୁଙ୍କ ମୁଣ୍ଡ ଉପର ଛାତରେ ଗୋଟିଏ କଣା କରି ପକ୍ଷାଘାତ ରୋଗୀ ଶୋଇଥିବା ବିଛଣାସହ ତଳକୁ ଖସାଇ ଦେଲେ। 5ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ପୁଅ, ତୁମର ପାପସବୁ କ୍ଷମା ହେଲା।”
6ସେଠାରେ କେତେଜଣ ଶାସ୍ତ୍ରଜ୍ଞ ବସିଥିଲେ, ସେମାନେ ମନେ ମନେ କହିଲେ, 7“ଏ ଲୋକ କାହିଁକି ଏପରି କହୁଛି? ଏ ଲୋକ ଈଶ୍ୱରନିନ୍ଦା କରୁଛି! କେବଳ ଈଶ୍ୱରଙ୍କ ଛଡ଼ା ଆଉ କିଏ ପାପକ୍ଷମା କରିପାରେ?”
8ଯୀଶୁ ସେହିକ୍ଷଣି ସେମାନଙ୍କ ମନର ଭାବନା ନିଜ ଆତ୍ମାରେ ଜାଣିପାରି ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏ ବିଷୟରେ ମନେ ମନେ ଯୁକ୍ତି କରୁଛ? 9କଣ ସହଜ, ‘ପକ୍ଷାଘାତ ରୋଗୀକୁ ତୋର ପାପସବୁ କ୍ଷମା ହେଲା’ ବୋଲି କହିବା, ନା ‘ତୋର ବିଛଣା ଧରି ଚାଲ’ ବୋଲି କହିବା? 10ତୁମ୍ଭେମାନେ ଜାଣିବ ଯେ, ଏହି ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି,” ଏହାପରେ ସେ ପକ୍ଷାଘାତ ରୋଗୀକୁ କହିଲେ, 11“ମୁଁ ତୁମକୁ କହୁଛି ଉଠ, ତୁମର ବିଛଣା ନେଇ ଘରକୁ ଯାଅ।” 12ଏଥିରେ ସେହି ଲୋକ ଉଠିଲା ଓ ତାହାର ବିଛଣା ଧରି ସମସ୍ତଙ୍କ ଦୃଷ୍ଟିଗୋଚରରେ ଚାଲିଗଲା! ସମସ୍ତେ ଚମତ୍କୃତ ହେଲେ ଏବଂ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ଆମେ କେବେ ଏପରି ଦେଖି ନ ଥିଲୁ।”
13ଯୀଶୁ ପୁନର୍ବାର ହ୍ରଦକୂଳକୁ ଗଲେ ଲୋକ-ମାନେ ବହୁସଂଖ୍ୟାରେ ତାହାଙ୍କ ନିକଟକୁ ଆସିବାରୁ ସେ ସେମାନଙ୍କୁ ଶିକ୍ଷାଦେବାକୁ ଲାଗିଲେ। 14ସେ ଯାଉଁ ଯାଉଁ ଆଲ୍‌ଫିୟସ୍‌ଙ୍କ ପୁତ୍ର ଲେବୀଙ୍କୁ କରଆଦାୟ ସ୍ଥାନରେ ବସିଥିବାର ଦେଖିଲେ ଯୀଶୁ ତାଙ୍କୁ କହିଲେ, “ମୋର ଅନୁଗମନ କର।” ଲେବୀ ଉଠି ତାଙ୍କର ଅନୁଗମନ କଲେ।
15ଯୀଶୁ ଲେବୀଙ୍କ ଗୃହରେ ଭୋଜନରେ ବସି-ଥିଲାବେଳେ ଅନେକ କରଆଦାୟକାରୀ ଓ ପାପୀଷ୍ଠ ଲୋକ ମଧ୍ୟ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହିତ ଭୋଜନ କରୁଥିଲେ, କାରଣ ଅନେକେ ତାଙ୍କର ଅନୁଗାମୀ ଥିଲେ। 16କିନ୍ତୁ ଫାରୂଶୀ ଦଳର କେତେକ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପାପୀଷ୍ଠ ଲୋକ ଓ କର ଆଦାୟକାରୀମାନଙ୍କ ସହିତ ଭୋଜନ କରୁଥିବା ଦେଖି ତାଙ୍କ ଶିଷ୍ୟମାନଙ୍କୁ ପଚା-ରିଲେ, “ସେ କାହିଁକି କରଆଦାୟକାରୀ ଓ ପାପୀଷ୍ଠ ଲୋକଙ୍କ ସହିତ ଭୋଜନ କରନ୍ତି?”
17ଏ କଥା ଶୁଣି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ। ମୁଁ ଧାର୍ମିକ ଲୋକଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ମାତ୍ର ପାପୀ ଲୋକଙ୍କୁ ଆହ୍ଵାନ କରିବାକୁ ଆସିଅଛି।”
ଉପବାସ ସମ୍ବନ୍ଧରେ
18ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ କେତେକ ଲୋକ ଆସି ଯୀଶୁଙ୍କୁ ପଚାରିଲେ, “ଯୋହନଙ୍କର ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି କରୁନାହାନ୍ତି?”
19ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କଅଣ ଉପବାସ କରି-ପାରନ୍ତି? ବର ସେମାନଙ୍କ ସଙ୍ଗେ ଥିବାଯାଏ ସେମାନେ ଉପବାସ କରିପାରନ୍ତି ନାହିଁ। 20ମାତ୍ର ସମୟ ଆସିବ, ଯେତେବେଳେ ବର ସେମାନଙ୍କ ନିକଟରୁ ନିଆଯିବେ, ସେହିଦିନ ସେମାନେ ଉପବାସ କରିବେ।
21“ପୁରୁଣା ଲୁଗାରେ କେହି ନୂଆ ଲୁଗାର ତାଳି ପକାଏ ନାହିଁ। ସେ ତାହା କଲେ ନୂଆ ଲୁଗାର ତାଳି ପୁରୁଣା ଲୁଗାକୁ ଟାଣି ଛିଣ୍ଡାଇ ଦିଏ ଓ କଣାକୁ ବଡ଼ କରିଦିଏ। 22ଆହୁରି ମଧ୍ୟ, ପୁରୁଣା ଦ୍ରାକ୍ଷାରସ କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ରଖେ ନାହିଁ। ସେ ତାହା କଲେ, କୁମ୍ପାକୁ ମଦ ଫଟାଇଦିଏ, ମଦ ଓ କୁମ୍ପା, ଉଭୟେ ନଷ୍ଟ ହୋଇଯାଏ। ତେଣୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖାଯାଏ।”
ଖ୍ରୀଷ୍ଟ ବିଶ୍ରାମବାରର କର୍ତ୍ତା
23ଏକଦା ଶାବତବାରରେ ଯୀଶୁ ଶସ୍ୟକ୍ଷେତ୍ର ମଧ୍ୟରେ ଯାଉଥିଲେ ଓ ଶିଷ୍ୟମାନେ ଯାଉଁ ଯାଉଁ ଶସ୍ୟର ଶିଂଷା ଛିଣ୍ଡାଇବାକୁ ଲାଗିଲେ 24ଏଥିରେ ଫାରୂଶୀ-ମାନେ ଯୀଶୁଙ୍କୁ କହିଲେ, “ଦେଖନ୍ତୁ, ଶାବତବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ସେମାନେ କାହିଁକି ତାହା କରୁଛନ୍ତି?”
25ସେ ଉତ୍ତର ଦେଲେ, “ଦାଉଦ ଓ ତାଙ୍କ ସହଚରମାନେ ଅଭାବରେ ଥିଲାବେଳେ କ୍ଷୁଧିତ ହୋଇ କଅଣ କରିଥିଲେ, ତାହା କଅଣ ତୁମ୍ଭେମାନେ କେବେ ପଢ଼ି ନାହଁ? 26ମହାଯାଜକ ଅବିୟାଥରଙ୍କ ଅମଳରେ ଦାଉଦ ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଯେଉଁ ଦର୍ଶନୀୟ ରୋଟୀ କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ, ତାହା ଭୋଜନ କରିଥିଲେ ପୁଣି, ସେ ତାଙ୍କର ସହଚରମାନଙ୍କୁ ମଧ୍ୟ ଦେଇଥିଲେ।”
27ତା ପରେ ସେ ସେମାନଙ୍କୁ କହିଲେ, “ଶାବତବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ଶାବତବାର ନିମନ୍ତେ ନୁହେଁ। 28ଅତଏବ ମନୁଷ୍ୟପୁତ୍ର ଶାବତବାରର ମଧ୍ୟ ପ୍ରଭୁ ଅଟନ୍ତି।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in