YouVersion Logo
Search Icon

ମାର୍କାସ୍ 3

3
1ଆଉ ଥରେ ଯୀଶୁ ଉପାସନାଗୃହକୁ ଗଲେ ସେଠାରେ ଜଣେ ଲୋକ ଥିଲା, ଯାହାର ଗୋଟିଏ ହାତ ଶୁଖି ଅଚଳ ହୋଇ ଯାଇଥିଲା। 2ଯୀଶୁଙ୍କୁ ଅଭିଯୁକ୍ତ କରିବା ପାଇଁ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରମାଣ ଖୋଜୁଥିଲେ, ତେଣୁ ସେ ସେହି ଲୋକକୁ ଶାବତବାରରେ ସୁସ୍ଥ କରିବେ କି ନାହିଁ, ତାହା ଦେଖିବା ପାଇଁ ତାଙ୍କୁ ଲକ୍ଷ୍ୟ କରୁଥିଲେ, 3ଯାହାର ହାତ ଶୁଖି ଯାଇଥିଲା ତାକୁ ଯୀଶୁ କହିଲେ, “ସମସ୍ତଙ୍କ ଆଗରେ ଠିଆ ହୁଅ।”
4ତତ୍ପରେ ଯୀଶୁ ସେମାନଙ୍କୁ ପଚାରିଲେ, “ଶାବତବାରରେ କଅଣ କରିବା ବିଧିସଙ୍ଗତ: କାହାରି ମଙ୍ଗଳ କରିବା, ନା ଅମଙ୍ଗଳ କରିବା, କାହାରି ଜୀବନ ରକ୍ଷା କରିବା ନା ଜୀବନ ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ରହିଲେ।
5ଯୀଶୁ ବିରକ୍ତ ହୋଇ ଚାରିଆଡ଼େ ସେମାନଙ୍କୁ ଚାହିଁଲେ ଏବଂ ସେମାନଙ୍କ କଠିନ ହୃଦୟ ସକାଶେ ମର୍ମାହତ ହୋଇ ଲୋକଟିକୁ କହିଲେ, “ତୁମର ହାତ ବଢ଼ାଅ।” ସେ ହାତ ବଢ଼ାଇଲା ଓ ତାହାର ହାତ ସଂପୂର୍ଣ୍ଣ ସୁସ୍ଥ ହେଲା! 6ଏହାପରେ ଫାରୂଶୀମାନେ ବାହାରିଗଲେ ଓ ଯୀଶୁଙ୍କୁ କିପରି ବଧ କରିବେ, ସେହି ବିଷୟରେ ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
7ଇତିମଧ୍ୟରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ହ୍ରଦକୂଳକୁ ଚାଲିଗଲେ ଏବଂ ଗାଲିଲୀରୁ ଏକ ବିରାଟ ଜନତା ତାହାଙ୍କର ଅନୁସରଣ କଲେ। 8ଲୋକେ ତାହାଙ୍କର ଅଲୌକିକ କାର୍ଯ୍ୟର ସମ୍ବାଦ ଶୁଣି ଯିହୁଦା ପ୍ରଦେଶ, ଯିରୂଶାଲମ, ଇଦୁମୀଆ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ, ପୁଣି ସୋର ଓ ସୀଦୋନ ଅଞ୍ଚଳର ଆଖପାଖରୁ ବହୁସଂଖ୍ୟାରେ ତାହାଙ୍କ ନିଟକରେ ଆସିଲେ। 9ଜନଗହଳି ଯୋଗୁଁ କାଳେ ଲୋକେ ତାଙ୍କ ଉପରେ ମାଡ଼ି ପଡ଼ିବେ, ଏଥିପାଇଁ ତାଙ୍କ ନିମନ୍ତେ ପାଖରେ ଏକ ନୌକା ପ୍ରସ୍ତୁତ ରଖିବାକୁ ସେ ଶିଷ୍ୟମାନଙ୍କୁ କହିଲେ। 10କାରଣ ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଥିବାରୁ ରୋଗୀମାନେ ଆଗକୁ ଆସି ତାଙ୍କୁ ସ୍ପର୍ଶ କରିବାକୁ ଠେଲାପେଲା କରୁଥିଲେ। 11ଭୂତାତ୍ମା-ମାନେ ତାହାଙ୍କୁ ଦେଖିଲାମାତ୍ରେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, “ତୁମ୍ଭେ ଈଶ୍ୱରଙ୍କ ପୁତ୍ର।” 12ମାତ୍ର ସେ କିଏ, ତାହା ନ କହିବାକୁ ସେ ସେମାନଙ୍କୁ ଦୃଢ଼ ଆଦେଶ ଦେଉଥିଲେ।
ଯୀଶୁଙ୍କ ମନୋନୀତ ବାର ପ୍ରେରିତଶିଷ୍ୟ
13ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ତାଙ୍କ ପାଖକୁ ଡାକିଲେ। 14-15ସେ ବାରଜଣଙ୍କୁ ନିଯୁକ୍ତ କଲେ ଏବଂ ସେମାନଙ୍କୁ ପ୍ରେରିତଶିଷ୍ୟ ଆଖ୍ୟା ଦେଲେ, ଯେପରି ସେମାନେ ତାହାଙ୍କ ସହିତ ରହିବେ, ସେ ସେମାନଙ୍କୁ ପ୍ରଚାର କରିବାକୁ ପଠାଇବେ ଏବଂ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
16ସେ ଯେଉଁ ବାରଜଣଙ୍କୁ ନିଯୁକ୍ତ କଲେ, ସେମାନେ ହେଲେ ଏହିସବୁ:
ଶିମୋନ ଯାହାଙ୍କୁ ସେ ପିତର ନାମ ଦେଇଥିଲେ,
17ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ, ଯୀଶୁ ଏମାନଙ୍କୁ “ବିନେରିଗୋଷ,” ଅର୍ଥାତ୍, ବଜ୍ରନାଦ ପୁତ୍ରର ଆଖ୍ୟା ଦେଇଥିଲେ,
18ଆନ୍ଦ୍ରିୟ,
ଫିଲିପ,
ବାର୍ଥଲୋମୀ,
ମାଥିଉ,
ଥୋମା,
ଆଲଫିୟସ୍‌ଙ୍କ ପୁତ୍ର ଯାକୁବ,
ଥଦ୍ଦିୟସ୍,
ସ୍ଵଦେଶ-ପ୍ରେମୀ ଶିମୋନ
19ଓ ଇଷ୍କାରିୟୋଥ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ଧରାଇ ଦେଇଥିଲେ।
20ତତ୍ପରେ ଯୀଶୁ ଏକ ଗୃହରେ ପ୍ରବେଶ କଲେ ଏବଂ ଲୋକମାନେ ପୁଣି ସେଠାରେ ଭିଡ଼ ଜମାଇଲେ ଏପରି ହେଲା ଯେ, ସେ ଓ ତାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ। 21ତାହା ଶୁଣି ତାଙ୍କର ଆତ୍ମୀୟମାନେ ତାଙ୍କୁ ଜୋର କରି ନେଇ ଆସିବାକୁ ବାହାରିଲେ, କାରଣ ସେମାନେ କହିଲେ, “ତାଙ୍କର ମତିଭ୍ରମ ହେଲାଣି।”
22ପୁଣି, ଯିରୂଶାଲମରୁ ଆସିଥିବା ଶାସ୍ତ୍ରଜ୍ଞମାନେ କହିଲେ, “ତାକୁ ବାଲ୍‌ଜିବୁବ୍ ଧରିଛି। ସେ ଭୂତପତିର ସାହାଯ୍ୟରେ ଭୂତ ଛଡ଼ାଉଛି।”
23ତେଣୁ ଯୀଶୁ ସେମାନଙ୍କୁ ଡାକି ଦୃଷ୍ଟାନ୍ତ-ଗଳ୍ପ ଦ୍ଵାରା କହିଲେ, “ଶୟତାନ କିପରି ଶୟତାନକୁ ଛଡ଼ାଇପାରେ? 24କୌଣସି ରାଜ୍ୟ ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହା ତିଷ୍ଠିପାରେ ନାହିଁ। 25କୌଣସି ପରିବାର ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ସେହି ପରିବାର ତିଷ୍ଠିପାରେ ନାହିଁ। 26ସେହିପରି ଶୟତାନ ଯଦି ନିଜ ବିରୁଦ୍ଧରେ ଉଠି ବିଭାଜିତ ହେଲାଣି, ସେ ତିଷ୍ଠି ପାରିବ ନାହିଁ ତାହାର ଶେଷଦଶା ଆସିଲାଣି। 27କୌଣସି ବଳବାନ୍ ଲୋକକୁ ପ୍ରଥମେ ନ ବାନ୍ଧିଲେ, ଘରେ ପଶି କେହି ତାହାର ଧନଦ୍ରବ୍ୟ ହରଣ କରିପାରେ ନାହିଁ, ବାନ୍ଧିଲା ପରେ ସେ ହରଣ କରିପାରେ। 28ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ଈଶ୍ୱରନିନ୍ଦା କ୍ଷମା ଦିଆଯିବ। 29କିନ୍ତୁ ଯେ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ, ତାକୁ କେବେହେଲେ କ୍ଷମା ଦିଆଯିବ ନାହିଁ ସେ ଏକ ଅନନ୍ତକାଳୀନ ପାପରେ ଦୋଷୀ ହେବ।”
30ସେ ଏହା କହିବାର କାରଣ ହେଉଛି, ସେମାନେ କହୁଥିଲେ, “ତା ଠାରେ ଏକ ଭୂତାତ୍ମା ଅଛି।”
31ସେତେବେଳେ ଯୀଶୁଙ୍କର ମାଆ ଓ ଭାଇମାନେ ଆସି ପହଞ୍ଚିଲେ ଓ ବାହାରେ ଠିଆ ହୋଇ ତାଙ୍କୁ ଡକାଇ ପଠାଇଲେ। 32ଯୀଶୁଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକେ ତାଙ୍କୁ କହିଲେ, “ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଆପଣଙ୍କ ପାଇଁ ଅପେକ୍ଷା କରୁଅଛନ୍ତି?”
33ସେ ଉତ୍ତର ଦେଲେ, “କିଏ ମୋର ମାଆ ଓ ମୋର ଭାଇ?”
34ତାଙ୍କୁ ଘେରି ବସିଥିବା ଲୋକମାନଙ୍କୁ ଅନାଇ ସେ କହିଲେ, “ଏଠାରେ ଅଛନ୍ତି, ମୋର ମା ଓ ମୋର ଭାଇମାନେ! 35ଯେକେହି ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in