YouVersion Logo
Search Icon

ମାର୍କାସ୍ 12

12
ଭାଗ ଚାଷୀଙ୍କ ଦୃଷ୍ଟାନ୍ତ-ଗଳ୍ପ
1ଏହାପରେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ-ଗଳ୍ପ ମାଧ୍ୟମରେ କହିବାକୁ ଲାଗିଲେ: “ଜଣେବ୍ୟକ୍ତି ଗୋଟିଏ କ୍ଷେତରେ ଅଙ୍ଗୁରଲତା ରୋପଣ କଲେ, ସେ ତାହାର ଚାରିପାଖେ ବାଡ଼ ଦେଲେ, ଅଙ୍ଗୁର-ପେଷଣ କୁମ୍ପା ପାଇଁ ଏକ ଗାତ ଖୋଳିଲେ ଏବଂ ଏକ ଜଗୁଆଳି ଘର ନିର୍ମାଣ କଲେ ତା ପରେ ସେ ଅଙ୍ଗୁରକ୍ଷେତକୁ ଚାଷୀମାନଙ୍କୁ ଭାଗରେ ଦେଇ ବିଦେଶ ଯାତ୍ରା କଲେ 2ଅଙ୍ଗୁର ଫଳ ତୋଳା ସମୟରେ ଅଙ୍ଗୁରକ୍ଷେତରୁ ଫଳ ଆଦାୟ କରିବାକୁ ସେ ତାଙ୍କର ଜଣେ ଦାସକୁ ପଠାଇଲେ 3କିନ୍ତୁ ଚାଷୀମାନେ ସେହି ଦାସକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ବିଦାୟ କରି-ଦେଲେ 4ଏହାପରେ ସେ ଅନ୍ୟ ଜଣେ ଦାସକୁ ପଠାଇଲେ ସେମାନେ ତାହାର ମୁଣ୍ଡ ଫଟାଇ ତାକୁ ଅପମାନିତ କଲେ 5ଏହାପରେ ସେ ପୁଣି ଆଉ ଜଣକୁ ପଠାଇଲେ ଓ ତାକୁ ସେମାନେ ହତ୍ୟା କଲେ ସେ ଏହିପରି ଅନେକଙ୍କୁ ପଠାଇଲେ କେତେକଙ୍କୁ ସେମାନେ ମାଡ ମାରିଲେ ଓ କେତେକଙ୍କୁ ହତ୍ୟା କଲେ।
6“ପଠାଇବାକୁ ଆଉ ଜଣେମାତ୍ର ତାଙ୍କ ପାଖରେ ବାକି ରହିଲେ, ସେ ତାହାଙ୍କର ପ୍ରିୟ ପୁତ୍ର। ସେମାନେ ମୋର ପୁତ୍ରଙ୍କୁ ମାନ୍ୟ କରିବେ, ଏହା କହି ଅବଶେଷରେ ସେ ତାଙ୍କୁ ପଠାଇଲେ।
7“ମାତ୍ର ଭାଗଚାଷୀମାନେ ପରସ୍ପରକୁ କହିଲେ, ଏ ହେଉଛି ଉତ୍ତରାଧିକାରୀ। ଚାଲ, ତାକୁ ମାରିଦେବା, ତା ହେଲେ ଉତ୍ତରାଧିକାର ଆମର ହେବ। 8ତେଣୁ ସେମାନେ ତାଙ୍କୁ ଧରିଲେ ଓ ହତ୍ୟା କରି ଅଙ୍ଗୁରକ୍ଷେତ ବାହାରେ ପକାଇଦେଲେ।
9“ଏବେ ଅଙ୍ଗୁର କ୍ଷେତର ମାଲିକ କଣ କରିବେ? ସେ ଆସିବେ ଓ ସେହି ଭାଗଚାଷୀମାନଙ୍କୁ ସଂହାର କରି ଅଙ୍ଗୁରକ୍ଷେତ ଅନ୍ୟମାନଙ୍କୁ ଦେଇ ଦେବେ। 10ଧର୍ମଶାସ୍ତ୍ରର ଏହି ବାକ୍ୟ କଣ ତୁମ୍ଭେମାନେ ପଢ଼ି ନାହଁ:
“ ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ,
ତାହା ପ୍ରଧାନ କୋଣପ୍ରସ୍ତର ହେଲା;
11ଏହା ପ୍ରଭୁ ସାଧନ କରିଛନ୍ତି,
ଓ ଆମ ଦୃଷ୍ଟିରେ ଏହା ଅତି ଆଶ୍ଚର୍ଯ୍ୟଜନକ ବିଷୟ’?”
12ଏହାପରେ ମହାଯାଜକ, ଯିହୁଦୀ ନେତାମାନେ ଓ ପ୍ରାଚୀନଗଣ ତାଙ୍କୁ ଧରିବା ପାଇଁ ଉପାୟ ଖୋଜିଲେ, କାରଣ ସେମାନଙ୍କୁ ଲକ୍ଷ୍ୟ କରି ସେ ସେହି ଦୃଷ୍ଟାନ୍ତ-ଗଳ୍ପ କହିଥିଲେ ବୋଲି ସେମାନେ ଜାଣିଲେ ମାତ୍ର ସେମାନେ ଜନସାଧାରଣଙ୍କୁ ଭୟ କରୁଥିବାରୁ ତାଙ୍କୁ ଛାଡ଼ି ଚାଲିଗଲେ।
ସମ୍ରାଟଙ୍କୁ କର ଦେବା ସମ୍ବନ୍ଧରେ
13ପରେ ତାଙ୍କ କଥାରୁ ଛିଦ୍ର ଧରିବା ଉଦ୍ଦେଶ୍ୟରେ ସେମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। 14ସେମାନେ ତାଙ୍କ ନିକଟକୁ ଆସି କହିଲେ, “ଗୁରୁ, ଆମେ ଜାଣୁ ଆପଣ ଜଣେ ସତ୍ୟପରାୟଣ ବ୍ୟକ୍ତି। ଆପଣ ମନୁଷ୍ୟକୁ ଭୟ କରନ୍ତି ନାହିଁ, କାରଣ ଆପଣ ଲୋକଙ୍କର ପଦମର୍ଯ୍ୟାଦାକୁ ଖାତିରି କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। ତେଣୁ କାଇସର୍‌ଙ୍କୁ କର ଦେବା ଉଚିତ୍ କି ନୁହେଁ? 15କର ଦେବା ଆମର ଉଚିତ୍ ହେବ କି ନାହିଁ?”
କିନ୍ତୁ ଯୀଶୁ ସେମାନଙ୍କ ଛନ୍ଦକପଟ ବୁଝିପାରି କହିଲେ, “କାହିଁକି ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ଗୋଟିଏ ଦୀନାର ଆଣି ମୋତେ ଦେଖାଅ।” 16ସେମାନେ ମୁଦ୍ରାଟିଏ ଆଣିବା ପରେ ସେ ପଚାରିଲେ, “ଏଥିରେ କାହାର ପ୍ରତିକୃତି ଓ କାହାର ନାମ ରହିଛି?”
ସେମାନେ ଉତ୍ତର ଦେଲେ, “କାଇସରଙ୍କର।”
17ତା ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ!”
ସେମାନେ ତାଙ୍କ ଉତ୍ତର ଶୁଣି ଆଚମ୍ବିତ ହେଲେ!
ପୁନରୁତ୍ଥାନ ସମ୍ବନ୍ଧରେ ସନ୍ଦେହମୋଚନ
18ପୁନରୁତ୍ଥାନ ନାହିଁ ବୋଲି ଯେଉଁମାନେ କହନ୍ତି, ଏପରି ସାଦ୍ଦୂକୀଦଳର ଲୋକେ ଏକ ପ୍ରଶ୍ନ ନେଇ ତାଙ୍କ ନିକଟକୁ ଆସିଲେ 19ସେମାନେ କହିଲେ, “ଗୁରୁ, ମୋଶା ଆମ ପାଇଁ ଲେଖି ଯାଇଛନ୍ତି ଯେ, କୌଣସି ଲୋକର ଭାଇ ଯଦି ନିଃସନ୍ତାନ ହୋଇ ମରେ, କିନ୍ତୁ ସ୍ତ୍ରୀ ନ ଥାଏ, ତେବେ ଉକ୍ତ ଲୋକ ସେହି ବିଧବାକୁ ବିବାହ କରିବ ଓ ଭାଇର ବଂଶ ରକ୍ଷା କରିବ। 20ଦେଖନ୍ତୁ, ସାତ ଭାଇ ଥିଲେ ପ୍ରଥମ ଜଣକ ବିବାହ କରି ନିଃସନ୍ତାନ ହୋଇ ମଲା। 21ଦ୍ୱିତୀୟ ଜଣକ ସେହି ବିଧବାକୁ ବିବାହ କଲା। କିନ୍ତୁ ସେ ମଧ୍ୟ ନିଃସନ୍ତାନ ହୋଇ ମରିଗଲା। ତୃତୀୟ ଜଣକର ମଧ୍ୟ ତଦ୍ରୁପ ହେଲା। 22ପ୍ରକୃତ ପକ୍ଷରେ, ସାତ ଜଣଯାକ ନିଃସନ୍ତାନ ହୋଇ ମଲେ ଅବଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା। 23ତା ହେଲେ ପୁନରୁତ୍ଥାନ ସମୟରେ ସେ କାହାର ସ୍ତ୍ରୀ ହେବ, କାରଣ ସାତ ଜଣଯାକ ତ ତାକୁ ବିବାହ କରିଥିଲେ?”
24ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ର କିମ୍ବା ଈଶ୍ୱରଙ୍କ ଶକ୍ତି ବିଷୟରେ ଅଜ୍ଞ ହୋଇଥିବାରୁ ଭ୍ରମରେ ପଡ଼ୁନାହଁ କି? 25ମୃତ୍ୟୁ ଲୋକେ ପୁନରୁତଥିତ ହେଲେ ବିବାହ କରିବେ ନାହିଁ, କି ସେମାନଙ୍କୁ ବିବାହ ଦିଆଯିବ ନାହିଁ, ସେମାନେ ସ୍ଵର୍ଗରେ ଦୂତମାନଙ୍କ ପରି ହେବେ। 26‘ବର୍ତ୍ତମାନ ମୃତଲୋକଙ୍କର ପୁନରୁତ୍ଥାନ ବିଷୟ, ତୁମେ କ’ ଣ ମୋଶାଙ୍କ ପୁସ୍ତକରେ ଜ୍ୱଳନ୍ତ ବୁଦାଗଛର ବୃତ୍ତାନ୍ତରେ ପଢ଼ି ନାହଁ, କିପରି ଈଶ୍ୱର ମୋଶାଙ୍କୁ କହିଥିଲେ, ‘ମୁଁ ଅବ୍ରହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ଅଟେ’? 27ସେ ମୃତମାନଙ୍କ ଈଶ୍ୱର ନୁହନ୍ତି, ସେ ଜୀବିତମାନଙ୍କ ଈଶ୍ୱର। ଏ ବିଷୟରେ ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
କେଉଁଟି ଶ୍ରେଷ୍ଠ ଆଜ୍ଞା
28ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ଆସି ସେମାନଙ୍କ ତର୍କବିତର୍କ ଶୁଣିଲେ ଯୀଶୁ ଯେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି, ଏହା ଲକ୍ଷ୍ୟ କରି ସେ ତାହାଙ୍କୁ ପଚାରିଲେ, “ସବୁ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞାଟି ଶ୍ରେଷ୍ଠ?”
29ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞାଟି ହେଉଛି ‘ହେ ଇସ୍ରାଏଲ ଶୁଣ, ଆମର ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। 30ତୁମେ ନିଜର ପୂର୍ଣ୍ଣ ହୃଦୟରେ, ପୂର୍ଣ୍ଣ ପ୍ରାଣରେ, ପୂର୍ଣ୍ଣ ମନରେ ଓ ସମସ୍ତ ଶକ୍ତି ଦେଇ ତୁମର ପ୍ରଭୁ ଈଶ୍ୱରଙ୍କୁ ପ୍ରେମ-ଭକ୍ତି କର’ 31ଦ୍ୱିତୀୟ ଆଜ୍ଞାଟି ହେଉଛି ‘ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାମାନଙ୍କ ଅପେକ୍ଷା ଅନ୍ୟ କୌଣସି ଆଜ୍ଞା ଶ୍ରେଷ୍ଠ ନୁହେଁ।”
32ସେହି ବ୍ୟକ୍ତି କହିଲେ, “ଗୁରୁ, ଆପଣ ଠିକ କହିଛନ୍ତି। ଈଶ୍ୱର ଯେ ଏକ ଓ ତାହାଙ୍କ ବ୍ୟତୀତ ଆଉ କେହି ଈଶ୍ୱର ନାହାନ୍ତି, ଏ ବିଷୟରେ ଆପଣ ଯଥାର୍ଥ କଥା କହିଛନ୍ତି। 33ନିଜର ପୂର୍ଣ୍ଣ ହୃଦୟରେ, ନିଜର ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମଭକ୍ତି କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଶ୍ରେୟସ୍କର।”
34ସେ ବୁଦ୍ଧି ସହକାରେ ଉତ୍ତର ଦେବାର ଦେଖି ଯୀଶୁ ତାଙ୍କୁ କହିଲେ, “ତୁମେ ଈଶ୍ୱରଙ୍କ ରାଜ୍ୟରୁ ଦୂରରେ ନାହଁ।” ଏହା ପରଠାରୁ କେହି ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
ମସୀହ କାହାର ସନ୍ତାନ
35ପରେ, ମନ୍ଦିରପ୍ରାଙ୍ଗଣରେ ଯୀଶୁ ଶିକ୍ଷା ଦେଉଥିବା ବେଳେ ପଚାରିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ ଏ କଥା ଶାସ୍ତ୍ରଜ୍ଞମାନେ କିପରି କହନ୍ତି? 36ଦାଉଦ ନିଜେ ପବିତ୍ରଆତ୍ମାଙ୍କ ପ୍ରେରଣାରେ ଏହା କହିଛନ୍ତି:
“ ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
“ମୁଁ ତୁମ୍ଭର ଶତ୍ରୁମାନଙ୍କୁ
ତୁମ୍ଭର ପଦାନତ ନ କରିବା ପର୍ଯ୍ୟନ୍ତ
ତୁମ୍ଭେ ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ।” ’
37ଦାଉଦ ଯଦି ତାଙ୍କୁ ‘ପ୍ରଭୁ’ ବୋଲି ସମ୍ବୋଧନ କରନ୍ତି, ତେବେ ସେ କିପରି ତାଙ୍କର ସନ୍ତାନ ହୋଇପାରନ୍ତି?”
ଲୋକସମୂହ ତାଙ୍କର କଥା ଆନନ୍ଦରେ ଶୁଣୁଥିଲେ।
38ଯୀଶୁ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, “ଶାସ୍ତ୍ରଜ୍ଞମାନଙ୍କ ରୁ ସାବଧାନ! ସେମାନେ ଲମ୍ୱା ପୋଷାକ ପିନ୍ଧି ବୁଲିବାକୁ ଓ ହାଟବଜାରରେ ସମସ୍ତଙ୍କ ନିକଟରୁ ନମସ୍କାର ପାଇବାକୁ ଭଲ ପାଆନ୍ତି। 39ପୁଣି, ଉପାସନାଗୃହମାନଙ୍କରେ ପ୍ରଧାନ ଆସନ ଓ ଭୋଜି ଉତ୍ସବରେ ସମ୍ମାନର ସ୍ଥାନ ଗ୍ରହଣ କରନ୍ତି। 40ସେମାନେ ବିଧବାମାନଙ୍କ ଗୃହ ଆତ୍ମସାତ୍ କରନ୍ତି ଓ ଲୋକଦେଖାଣିଆ ଭାବରେ ଦୀର୍ଘ ପ୍ରାର୍ଥନା କରନ୍ତି। ଏହି ଲୋକମାନେ ଗୁରୁତର ଦଣ୍ଡ ପାଇବେ।”
ଦରିଦ୍ର ବିଧବାର ଦାନ
41ତତ୍ପରେ ଯୀଶୁ ମନ୍ଦିରର କୋଷାଗାର ପାଖରେ ବସି ତହିଁରେ ଲୋକେ ଟଙ୍କାପଇସା ପକାଉଥିବା ଦେଖୁଥିଲେ ଅନେକ ଧନୀଲୋକ ତହିଁରେ ବହୁ ପରିମାଣରେ ଟଙ୍କା ପକାଇଲେ 42କିନ୍ତୁ ଜଣେ ଦରିଦ୍ର ବିଧବା ଆସି ତହିଁରେ ଗୋଟିଏ ପଇସା ମୂଲ୍ୟର ଦୁଇଟି ଛୋଟ ତମ୍ୱା ମୁଦ୍ରା ପକାଇଲା।
43ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା କୋଷାଗାରରେ ଅଧିକ ପକାଇଅଛି। 44କାରଣ ଏମାନେ ସମସ୍ତେ ନିଜ ପ୍ରାଚୁର୍ଯ୍ୟରୁ କିଛି କିଛି ଦେଲେ, ମାତ୍ର ଏହି ବିଧବା ଅଭାବରେ ଥାଇ ତାହାର ପେଟ ପୋଷିବାକୁ ଯାହାକିଛି ରଖିଥିଲା, ସର୍ବସ୍ଵ ଦେଇଦେଲା।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in