YouVersion Logo
Search Icon

ମାର୍କାସ୍ 11

11
ଯୀଶୁଙ୍କର ବିଜୟ ଯାତ୍ରା
1ସେମାନେ ଯେତେବେଳେ ଯିରୁଶାଲମର ନିକଟବର୍ତ୍ତୀ ହୋଇ ଜୀତ ପର୍ବତ ପାର୍ଶ୍ୱରେ ଥିବା ବେଥ୍‌ଫାଗୀ ଓ ବେଥାନୀକୁ ଆସିଲେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହା କହି ପଠାଇଲେ, 2“ତୁମେମାନେ ଆଗରେ ଥିବା ଗ୍ରାମକୁ ଯାଅ, ସେଠାରେ ପଶିଲା ବେଳକୁ ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ, ଯାହା ଉପରେ କେହି କେବେ ଚଢ଼ି ନାହିଁ। ତାକୁ ଫିଟାଇ ଏଠାକୁ ନେଇଆସ। 3‘କାହିଁକି ଏପରି କରୁଛ’ ବୋଲି କେହି ଯେବେ ତୁମ୍ଭମାନଙ୍କୁ ପ୍ରଶ୍ନ କରେ, ତେବେ ତାକୁ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି ଏବଂ ସେ ତାକୁ ସଙ୍ଗେସଙ୍ଗେ ଏଠାକୁ ପଠାଇଦେବ।”
4ସେମାନେ ଚାଲିଯାଇ ବାହାର ଦାଣ୍ଡ ଆଡ଼େ ଏକ ଦ୍ଵାର ମୁହଁରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିଲେ ଓ ତାକୁ ଫିଟାଇବାକୁ ଲାଗିଲେ। 5ସେତେବେଳେ ସେଠାରେ ଠିଆ ହୋଇଥିବା କେତେକ ଲୋକ ପଚାରିଲେ, “ତୁମେମାନେ କଣ କରୁଛ, ଗଧଛୁଆକୁ କାହିଁକି ଫିଟାଉଛ?” 6ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେମାନେ ସେହିପରି ଉତ୍ତର ଦେଲେ ଓ ଲୋକମାନେ ସେମାନଙ୍କୁ ଅନୁମତି ଦେଲେ 7ସେମାନେ ଗଧଛୁଆକୁ ଯୀଶୁଙ୍କ ନିକଟକୁ ଆଣିଲା ପରେ ନିଜ ନିଜର ପୋଷାକ ତା ଉପରେ ପାରିଦେଲେ ଏବଂ ଯୀଶୁ ତା ଉପରେ ବସିଲେ 8ଲୋକମାନଙ୍କ ମଧ୍ୟରୁ ଅନେକେ ନିଜର ପୋଷାକ ରାସ୍ତାରେ ବିଛାଇ ଦେଲେ, ଅନ୍ୟମାନେ ପଡ଼ିଆରୁ ଡାଳ କାଟି ଆଣି ରାସ୍ତାରେ ପକାଇଲେ 9ତାହାଙ୍କ ଆଗରେ ଓ ପଛରେ ଚାଲୁଥିବା ଲୋକମାନେ ଉଚ୍ଚଧ୍ୱନି କରି କହୁଥିଲେ,
“ହୋଶାନ୍ନା!”
“ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ।”
10“ଆମ ପିତୃପୁରୁଷ ଦାଉଦଙ୍କର ଆଗାମୀ ରାଜ୍ୟ ଉପରେ ଆଶୀର୍ବାଦ ବର୍ତ୍ତୁ।”
“ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।”
11ଯୀଶୁ ଯିରୂଶାଲମ ନଗରରେ ପ୍ରବେଶ କରି ମନ୍ଦିରକୁ ଗଲେ ସେଠାରେ ସେ ଚାରିଆଡ଼େ ସମସ୍ତ ବିଷୟ ଭଲ ରୂପେ ନିରୀକ୍ଷଣ କଲେ, କିନ୍ତୁ ସନ୍ଧ୍ୟା ହୋଇ ଆସୁଥିବାରୁ ସେ ଦ୍ଵାଦଶ-ଶିଷ୍ୟଙ୍କ ସହିତ ବେଥାନୀ ଗ୍ରାମକୁ ଚାଲିଗଲେ।
ଡିମ୍ବିରି ଗଛ ଶୁଖିଗଲା
12ପରବର୍ତ୍ତୀ ଦିନ ସେମାନେ ବେଥାନୀ ଗ୍ରାମରୁ ବାହାରିବା ବେଳକୁ ଯୀଶୁ କ୍ଷୁଧିତ ହେଲେ 13ସେ ଦୂରରୁ ପତ୍ରଭରା ଏକ ଡିମ୍ବିରି ବୃକ୍ଷ ଦେଖି ଫଳ ଆଶାରେ ତା ନିକଟକୁ ଗଲେ କିନ୍ତୁ ପାଖକୁ ଯାଇ ସେ ପତ୍ର ଛଡ଼ା ଆଉ କିଛି ପାଇଲେ ନାହିଁ କାରଣ ସେତେବେଳେ ଡିମ୍ବିରି ଫଳିବା ସମୟ ନ ଥିଲା। 14ତା ପରେ ଯୀଶୁ ସେହି ବୃକ୍ଷକୁ କହିଲେ, “ତୋ ଠାରୁ ଆଉ କେହି କେବେ ଖାଇବାକୁ ଫଳ ନ ପାଉ।” ସେ ଏ କଥା କହିବାର ତାଙ୍କ ଶିଷ୍ୟମାନେ ଶୁଣିଲେ।
ଯୀଶୁ ମନ୍ଦିରରୁ ବ୍ୟବସାୟୀଙ୍କୁ ବହିଷ୍କାର କଲେ
15ଯିରୂଶାଲମରେ ପହଞ୍ଚି ଯୀଶୁ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ତଡ଼ିବାକୁ ଲାଗିଲେ ସେ ମୁଦ୍ରା ବିନିମୟକାରୀମାନଙ୍କ ମେଜ ଓ କାପ୍ତା ବ୍ୟବସାୟୀମାନଙ୍କ ଆସନ ସବୁ ଓଲଟାଇ ଦେଲେ 16ପୁଣି, ମନ୍ଦିର ପ୍ରାଙ୍ଗଣ ଦେଇ ପଣ୍ୟଦ୍ରବ୍ୟାଦି ବୋହି ନେବାକୁ କାହାରିକୁ ଛାଡ଼ିଲେ ନାହିଁ। 17ସେ ସେମାନଙ୍କୁ ଶିକ୍ଷା ଦେଲା ବେଳେ କହିଲେ, “ଏହା କଅଣ ଲେଖା ନାହିଁ ମୋର ଗୃହ ସର୍ବଜାତୀୟ ଲୋକମାନଙ୍କ ପାଇଁ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ। ମାତ୍ର ତୁମ୍ଭେମାନେ ତାକୁ ଦସ୍ୟୁମାନଙ୍କ ଗହ୍ଵର କରିଅଛ।”
18ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ଏ କଥା ଶୁଣି କି ପ୍ରକାରେ ତାଙ୍କର ବିନାଶ ସାଧନ କରିପାରିବେ, ତାହାର ଉପାୟ ଖୋଜିବାକୁ ଲାଗିଲେ କାରଣ ଲୋକମାନେ ଯୀଶୁଙ୍କ ଶିକ୍ଷାରେ ଆଚମ୍ବିତ ହୋଇଥିବାରୁ ସେମାନେ ତାଙ୍କୁ ଭୟ କରୁଥିଲେ।
19ସନ୍ଧ୍ୟା ହେବାରୁ ଯୀଶୁ ଓ ଶିଷ୍ୟମାନେ ନଗର ଛାଡ଼ି ଚାଲିଗଲେ।
20ସକାଳ ହୁଅନ୍ତେ ସେମାନେ ବାଟରେ ଗଲାବେଳେ ଡିମ୍ବିରି ବୃକ୍ଷଟୀ ମୂଳରୁ ଶୁଖି ଯାଇଥିବା ଦେଖିଲେ 21ପିତର ମନେ ପକାଇ ଯୀଶୁଙ୍କୁ କହିଲେ, “ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଅଭୀଶାପ ଦେଇଥିଲେ, ତାହା ଶୁଖିଯାଇଛି!”
22ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କଠାରେ ବିଶ୍ୱାସ ରଖ। 23ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କେହି ଯଦି ଏହି ପର୍ବତକୁ କହେ, ‘ଉଠି ଯାଇ ସମୁଦ୍ରରେ ପଡ଼’ ଏବଂ ମନରେ କୌଣସି ସନ୍ଦେହ ନ ରଖି ସେ ଯାହା କହୁଛି, ତାହା ଘଟିବ ବୋଲି ବିଶ୍ୱାସ କରେ, ତେବେ ତା ପାଇଁ ତାହା ସଫଳ କରାଯିବ। 24ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କହୁଛି, ପ୍ରାର୍ଥନା କରି ଯାହାକିଛି ମାଗୁଛ, ତାହା ପାଇସାରିଛ ବୋଲି ବିଶ୍ୱାସ କର, ତା ହେଲେ ତାହା ପାଇବ! 25ପ୍ରାର୍ଥନା କରିବାକୁ ଠିଆ ହେଲାବେଳେ ତୁମ୍ଭମାନଙ୍କର ମନରେ ଯଦି କାହାରି ବିରୁଦ୍ଧରେ କିଛି ଥାଏ, ତେବେ ତାକୁ କ୍ଷମା କର। ତା ହେଲେ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପସବୁ କ୍ଷମା କରିବେ। 26କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପସବୁ କ୍ଷମା କରିବେ ନାହିଁ।”
27ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ ଏବଂ ଯୀଶୁ ମନ୍ଦିରପ୍ରାଙ୍ଗଣରେ ବୁଲୁଥିବା ସମୟରେ ପ୍ରଧାନଯାଜକ, ଶାସ୍ତ୍ରଜ୍ଞ ଓ କୁଳବୃଦ୍ଧମାନେ ତାଙ୍କ ନିକଟକୁ ଆସିଲେ 28ସେମାନେ ପଚାରିଲେ, “କେଉଁ ଅଧିକାର ବଳରେ ତୁମେ ଏସବୁ କରୁଅଛ? କିଏ ତୁମକୁ ଏହି ଅଧିକାର ଦେଲା?”
29ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମୋତେ ଉତ୍ତର ଦିଅ, ତା ହେଲେ ମୁଁ କେଉଁ ଅଧିକାରରେ ଏସବୁ କରୁଛି, ତାହା ତୁମ୍ଭମାନଙ୍କୁ କହିବି। 30ଯୋହନଙ୍କ ଡୁବନ ଦେବା ଅଧିକାର ସ୍ଵର୍ଗରୁ ନା ମନୁଷ୍ୟମାନଙ୍କଠାରୁ? ମୋତେ କୁହ।”
31ସେମାନେ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, “ଆମେ ଯେବେ କହୁଁ, ‘ସ୍ଵର୍ଗରୁ,’ ତେବେ ସେ ପଚାରିବେ, ‘ତୁମ୍ଭେମାନେ ତା ହେଲେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ?’ 32କିନ୍ତୁ ଆମେ ଯଦି କହୁଁ, ‘ମନୁଷ୍ୟମାନଙ୍କଠାରୁ’ ” (ସେମାନେ ଲୋକଙ୍କୁ ଭୟ କରୁଥିଲେ, କାରଣ ଯୋହନ ଜଣେ ଭାବବାଦୀ ଥିଲେ ବୋଲି ସମସ୍ତେ ମାନୁଥିଲେ)।
33ଅତଏବ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।”
ଯୀଶୁ କହିଲେ, “ତାହାହେଲେ, କେଉଁ ଅଧିକାର ବଳରେ ମୁଁ ଏସବୁ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି ନାହିଁ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in