YouVersion Logo
Search Icon

ମାର୍କାସ୍ 13

13
ଅନ୍ତିମକାଳର ଚିହ୍ନସମୂହ
1ଯୀଶୁ ମନ୍ଦିରରୁ ବାହାରି ଯାଉଥିବା ସମୟରେ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, “ଗୁରୁ, ଦେଖନ୍ତୁ, ଏହି ପ୍ରସ୍ତରସବୁ କି ବୃହତ୍ ଓ ଅଟ୍ଟାଳିକାଗୁଡ଼ିକ କି ଚମତ୍କାର!”
2ଯୀଶୁ ଉତ୍ତର ଦେଲେ, “ଏହି ବୃହତ୍ ଅଟ୍ଟାଳିକା-ଗୁଡ଼ିକ ଦେଖୁଛ କଣ? ଏହାର ଗୋଟିଏ ପଥର ସୁଦ୍ଧା ଅନ୍ୟ ପଥର ଉପରେ ରହିବ ନାହିଁ, ପ୍ରତ୍ୟେକଟି ଭୂମିସାତ୍ ହେବ।”
3ଯୀଶୁ ଯାଇ ଜୀତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସିଲା ପରେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାଙ୍କୁ ନିଭୃତରେ ପଚାରିଲେ, 4“ଏହିସବୁ କେବେ ଘଟିବ ଏବଂ ଏହିସବୁ ସଫଳ ହେବାର ସମୟ ଆସିଲେ, କି ଚିହ୍ନ ଦେଖାଯିବ, ଆମକୁ କହନ୍ତୁ।”
5ଯୀଶୁ ସେମାନଙ୍କୁ କହିଲେ, ସାବଧାନ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ। 6କାରଣ ଅନେକେ ମୋ ନାମରେ ଆସି କହିବେ, ମୁଁ ସେହି ମସୀହ ଓ ଅନେକଙ୍କୁ ଭ୍ରାନ୍ତ କରିବେ। 7ତୁମ୍ଭେମାନେ ଯୁଦ୍ଧର ସମ୍ବାଦ ଓ ଯୁଦ୍ଧ ବିଗ୍ରହର ଜନରବ ଶୁଣିବ, ମାତ୍ର ଶଙ୍କିତ ହେବ ନାହିଁ ଏସମସ୍ତ ଅବଶ୍ୟ ଘଟିବ, ତଥାପି ତାହା ଅନ୍ତିମକାଳ ନୁହେଁ। 8ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବେ। ପୁଣି, ନାନା ସ୍ଥାନରେ ଭୂମିକମ୍ପ ଓ ଦୁର୍ଭିକ୍ଷ ହେବ। ଏସମସ୍ତ ପ୍ରସବବେଦନାର ଆରମ୍ଭ ମାତ୍ର।
9“କିନ୍ତୁ ତୁମ୍ଭେମାନେ ସତର୍କ ଥାଅ! ତୁମ୍ଭେମାନେ ବିଚାରାଳୟକୁ ନିଆଯିବ ଓ ଉପାସନାଗୃହମାନଙ୍କରେ ପ୍ରହାରିତ ହେବ, ପୁଣି ମୋ ସକାଶେ ତୁମ୍ଭେମାନେ ରାଜ୍ୟପାଳ ଓ ରାଜାମାନଙ୍କ ସାମନାରେ ଠିଆ ହେବ, ଯଦ୍ଦ୍ୱାରା ତୁମ୍ଭେମାନେ ସେମାନଙ୍କ ନିକଟରେ ସାକ୍ଷ୍ୟ-ସ୍ଵରୂପ ହେବ। 10ସବୁ ଜାତି ନିକଟରେ ପ୍ରଥମେ ସୁସମାଚାର ଅବଶ୍ୟ ପ୍ରଚାର କରାଯିବ। 11ତୁମ୍ଭେମାନେ ଗିରଫ ହୋଇ ବିଚାରର ସାମନା କଲାବେଳେ କଅଣ କହିବ, ସେବିଷୟରେ ପୂର୍ବରୁ ଚିନ୍ତା କର ନାହିଁ। ସେହି ସମୟରେ ତୁମେ କଅଣ କହିବ, ତାହା ତୁମକୁ ଜଣାଇ ଦିଆଯିବ। କାରଣ ତୁମେ ଯେ କଥା କହିବ, ତାହା ନୁହେଁ, ମାତ୍ର ପବିତ୍ରଆତ୍ମା କହିବେ।
12“ନିହତ ହେବା ପାଇଁ ଭାଇ ଆପଣା ଭାଇକୁ ଓ ପିତା ଆପଣା ସନ୍ତାନମାନଙ୍କୁ ଧରାଇ ଦେବେ। ସନ୍ତାନମାନେ ଆପଣା ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ମୃତ୍ୟୁଭୋଗ କରାଇବେ। 13ମୋ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ଲାଭ କରିବ।
ବିଧ୍ୱଂସକାରୀ ଘୃଣ୍ୟ ବସ୍ତୁ
14“ତୁମ୍ଭେମାନେ ଯେତେବେଳେ ସେହି ବିଧ୍ୱଂସ-କାରୀ ଘୃଣ୍ୟ ବସ୍ତୁକୁ, ତାହାର ଯେଉଁଠାରେ ରହିବା ଉଚିତ ନୁହେଁ, ସେଠାରେ ଅଧିଷ୍ଠିତ ହୋଇଥିବା ଦେଖିବ-ଏହାର ଅର୍ଥ ପାଠକେ ବୁଝନ୍ତୁ-ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥିବେ, ସେମାନେ ପର୍ବତମାଳାକୁ ପଳାନ୍ତୁ। 15ଯିଏ ନିଜ ଘର ଛାତ ଉପରେ ଥିବ, ସେ ତଳକୁ ଓହ୍ଲାଇ ନ ଆସୁ, କିମ୍ବା କୌଣସି ଜିନିଷ ବାହାର କରିବାକୁ ଘର ଭିତରକୁ ନ ଯାଉ। 16ଯେ କ୍ଷେତରେ ଥିବ, ସେ ପୋଷାକ ଆଣିବା ପାଇଁ ଫେରି ନ ଯାଉ। 17ସେହି ସମୟରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଦଶା କି ଭୟାନକ ନ ହେବ! 18ଏହା ଯେପରି ଶୀତକାଳରେ ନ ହୁଏ, ଏଥିପାଇଁ ପ୍ରାର୍ଥନା କର। 19କାରଣ ସେହି ସମୟରେ ଏପରି କ୍ଳେଶ ଆସିବ ଯେ, ଈଶ୍ୱର ଜଗତ ସୃଷ୍ଟି କରିବା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେପରି କେବେ ହୋଇ ନ ଥିଲା, କିମ୍ବା ଆଉ କେବେ ହେବ ନାହିଁ।
20“ପ୍ରଭୁ ଯେବେ ସେହି ଦିନଗୁଡ଼ିକ ଊଣା କରି ନ ଥାଆନ୍ତେ, ତେବେ କେହି ରକ୍ଷା ପାଆନ୍ତା ନାହିଁ କିନ୍ତୁ ସେ ଯେଉଁମାନଙ୍କୁ ମନୋନୟନ କରିଛନ୍ତି, ସେହି ମନୋନୀତ ଲୋକଙ୍କ ସକାଶେ ସେହି ଦିନଗୁଡ଼ିକ ଊଣା କରିଛନ୍ତି। 21ସେତେବେଳେ କେହି ଯଦି ତୁମକୁ କହେ, ‘ଦେଖ, ଖ୍ରୀଷ୍ଟ ଏହି ସ୍ଥାନରେ ଅଛନ୍ତି,’ କିମ୍ବା ଦେଖ, ସେ ସେଠାରେ ଅଛନ୍ତି, ତେବେ ତାହା ବିଶ୍ୱାସ କର ନାହିଁ। 22ଯେହେତୁ ବହୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀ ବାହାରିବେ ଏବଂ ଏପରି ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖାଇବେ ଯେ, ଯଦି ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବା ସମ୍ଭବପର ହୁଅନ୍ତା, ତେବେ ସେମାନେ ତାହା କରନ୍ତେ! 23ତେଣୁ ସତର୍କ ଥାଅ; ମୁଁ ତୁମ୍ଭମାନଙ୍କୁ ସବୁ ବିଷୟ ଆଗରୁ ଜଣାଇ ଦେଲି।
24“କିନ୍ତୁ ସେହି ସମୟରେ, ସେହି କ୍ଳେଶ ଉତ୍ତାରେ,
“ ‘ସୂର୍ଯ୍ୟ ଅନ୍ଧକାରାଚ୍ଛନ୍ନ ହେବ,
ଓ ଚନ୍ଦ୍ର ଆଲୋକ ଦେବ ନାହିଁ;
25ତାରାଗଣ ଆକାଶରୁ ଖସି ପଡ଼ିବେ।
ଓ ମହାକାଶର ଜ୍ୟୋତିଷ୍କସମୂହ ଟଳମଳ ହେବ।’
26“ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ଗୌରବରେ ମେଘମାଳାରେ ଆସିବାର ଦେଖିବେ। 27ପୁଣି, ସେ ତାହାଙ୍କ ଦୂତମାନଙ୍କୁ ପଠାଇ ପୃଥିବୀର ସୀମାନ୍ତରୁ ଆକାଶର ସୀମାନ୍ତ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କ ମନୋନୀତ ଲୋକଙ୍କୁ ସଂଗ୍ରହ କରିବେ।
28“ଡିମ୍ବିରି ଗଛରୁ ଏହି ଶିକ୍ଷା ଗ୍ରହଣ କର: ଯେତେବେଳେ ତାହାର ସରସ ଡାଳରୁ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ଗ୍ରୀଷ୍ମକାଳ ଆସିଲାଣି ବୋଲି ତୁମେ ଜାଣିପାର। 29ଠିକ ସେହିପରି, ଏହିସବୁ ଘଟିବାର ଦେଖିଲେ, ତୁମେ ଜାଣିବ ଯେ, ସେ ନିକଟବର୍ତ୍ତୀ, ଏପରିକି ଦ୍ଵାର ନିକଟରେ ଉପସ୍ଥିତ। 30ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଜାତି କୌଣସିମତେ ଲୋପ ପାଇବ ନାହିଁ। 31ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋର କଥାସବୁ କେବେ ଲୋପ ପାଇବ ନାହିଁ।
ଖ୍ରୀଷ୍ଟଙ୍କ ପୁନରାଗମନ କେବେ
32“ସେହିଦିନ, କି ସେହି ସମୟ କେହି ଜାଣେ ନାହିଁ, ଏପରିକି ସ୍ଵର୍ଗର ଦୂତମାନେ, କିମ୍ବା ପୁତ୍ର ମଧ୍ୟ ଜାଣନ୍ତି ନାହିଁ କେବଳ ପିତା ଜାଣନ୍ତି। 33ସାବଧାନ ଥାଅ! ସତର୍କ ରୁହ! ସେହି ସମୟ କେବେ ଆସିବ, ତାହା ତୁମ୍ଭେମାନେ ଜାଣି ନାହଁ। 34ତାହା ବିଦେଶଯାତ୍ର। କରୁଥିବା ଜଣେ ବ୍ୟକ୍ତିଙ୍କ ପରି, ଯେ କି ଘରର ଦାୟିତ୍ଵ ନିଜ ଦାସମାନଙ୍କୁ ଦେଲେ, ପ୍ରତ୍ୟେକଙ୍କୁ ନିରୂପିତ କାର୍ଯ୍ୟରେ ନିଯୁକ୍ତ କଲେ ଓ ଦ୍ଵାରୀକୁ ଜଗି ରହିବାକୁ ଆଦେଶ ଦେଲେ।
35“ତେଣୁ ସତର୍କ ଥାଅ! କାରଣ ଗୃହକର୍ତ୍ତା କେତେବେଳେ ଆସିବେ ସନ୍ଧ୍ୟା ବେଳେ କି ମଧ୍ୟରାତ୍ରିରେ କି କୁକୁଡ଼ା ଡାକିବା ବେଳେ କି ସକାଳେ ତାହା ତୁମେ ଜାଣି ନାହଁ। 36ସେ ଯଦି ହଠାତ୍ ଆସନ୍ତି, ତୁମ୍ଭମାନଙ୍କୁ ନିଦ୍ରିତ ନ ଦେଖନ୍ତୁ। 37ତେଣୁ ତୁମ୍ଭମାନଙ୍କୁ ଯାହା କହୁଅଛି, ସମସ୍ତଙ୍କୁ ତାହା କହୁଅଛି, ସଜାଗ ଥାଅ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in