YouVersion Logo
Search Icon

ମାର୍କାସ୍ 10

10
ଛାଡ଼ପତ୍ର ଦେବା ସମ୍ବନ୍ଧରେ
1ଏହାପରେ ଯୀଶୁ ସେହି ସ୍ଥାନ ଛାଡ଼ି ଯିହୁଦା ଅଞ୍ଚଳ ଓ ଯର୍ଦ୍ଦନର ଅପରପାରିକୁ ଗଲେ। ତାହାଙ୍କ ନିକଟରେ ପୁଣି ବହୁଲୋକଙ୍କର ସମାଗମ ହେଲା ଏବଂ ତାଙ୍କର ରୀତି ଅନୁସାରେ ସେ ସେମାନଙ୍କୁ ଶିକ୍ଷା ଦେଲେ।
2କେତେକ ଫାରୂଶୀ ଆସି ତାହାଙ୍କୁ ପରୀକ୍ଷା କରିବା ଛଳରେ ପ୍ରଶ୍ନ କଲେ। “ପୁରୁଷ ଆପଣା ସ୍ତ୍ରୀକୁ ଛାଡ଼ପତ୍ର ଦେବା ନ୍ୟାୟସଙ୍ଗତ କି?”
3ଯୀଶୁ ଉତ୍ତର ଦେଲେ, “ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଛନ୍ତି?”
4ସେମାନେ କହିଲେ, “ପୁରୁଷ ଏକ ଛାଡ଼ପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବାକୁ ମୋଶା ଅନୁମତି ଦେଇଛନ୍ତି।”
5ଯୀଶୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଯୋଗୁଁ ମୋଶା ଏହା ବ୍ୟବସ୍ଥାରେ ଲିପିବଦ୍ଧ କରିଛନ୍ତି। 6କିନ୍ତୁ ସୃଷ୍ଟିର ଆରମ୍ଭରେ ଈଶ୍ୱର ସେମାନଙ୍କୁ ନର ଓ ନାରୀ ରୂପେ ସୃଷ୍ଟି କଲେ 7ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ଛାଡ଼ି ସ୍ତ୍ରୀ ସହିତ ମିଳିତ ହେବ, 8ପୁଣି ସେ ଦୁହେଁ ଏକ ହେବେ। ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି। 9ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ପୃଥକ୍ ନ କରୁ।”
10ସେମାନେ ପୁଣି ଥରେ ଘରେ ଥିଲାବେଳେ ଶିଷ୍ୟମାନେ ଯୀଶୁଙ୍କୁ ଏହି ବିଷୟ ପଚାରିଲେ 11ସେ ସେମାନଙ୍କୁ କହିଲେ, “ଯେକେହି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ତା ବିରୁଦ୍ଧରେ ବ୍ୟଭିଚାର କରେ। 12ପୁଣି, ସ୍ତ୍ରୀ ଯଦି ଆପଣା ସ୍ୱାମୀକୁ ଛାଡ଼ପତ୍ର ଦେଇ ଅନ୍ୟ ପୁରୁଷକୁ ବିବାହ କରେ, ତେବେ ସେହି ସ୍ତ୍ରୀ ବ୍ୟଭିଚାର କରେ।”
ଯୀଶୁଙ୍କ ସହିତ ଶିଶୁମାନେ
13ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରିବେ, ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ କିନ୍ତୁ ଶିଷ୍ୟମାନେ ସେହି ଲୋକମାନଙ୍କୁ ଭତ୍ସନା କଲେ 14ତାହା ଦେଖି ଯୀଶୁ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ଶିଷ୍ୟମାନଙ୍କୁ କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଯେଉଁମାନେ ଏହିମାନଙ୍କ ପରି, ଈଶ୍ୱରଙ୍କ ରାଜ୍ୟ ସେହିମାନଙ୍କର। 15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଶିଶୁ ପରି ଯିଏ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କଦାପି ତହିଁରେ ପ୍ରବେଶ କରିବ ନାହିଁ।” 16ତା ପରେ ସେ ଶିଶୁମାନଙ୍କୁ କୋଳକୁ ନେଲେ ଓ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ। ଧନୀ ଯୁବକ ଓ ଈଶ୍ୱରଙ୍କ ରାଜ୍ୟ।
17ଯୀଶୁ ପୁନର୍ବାର ଯାତ୍ରା ଆରମ୍ଭ କଲା ବେଳକୁ ଜଣେବ୍ୟକ୍ତି ତାଙ୍କ ନିକଟକୁ ଦୈଡ଼ି ଆସିଲେ ଓ ଆଣ୍ଠୋଇ ପଡ଼ି ପଚାରିଲେ, “ସଦ୍‌ଗୁରୁ, ଅନନ୍ତଜୀବନର ଅଧିକାରୀ ହେବାକୁ ମୋତେ କଅଣ କରିବାକୁ ହେବ?”
18ଯୀଶୁ ଉତ୍ତର ଦେଲେ, “ମୋତେ କାହିଁକି ସତ୍ ବୋଲି କହୁଅଛ? ଈଶ୍ୱରଙ୍କ ବ୍ୟତୀତ ଆଉ କେହି ସତ୍ ନୁହେଁ। 19ତୁମେ ତ ଆଜ୍ଞାସବୁ ଜାଣ-ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ପ୍ରତାରଣା କର ନାହିଁ, ତୁମର ପିତାମାତାଙ୍କୁ ମାନ୍ୟ କର।”
20ସେ କହିଲେ, “ଗୁରୁ, ମୁଁ ବାଲ୍ୟକାଳରୁ ଏସମସ୍ତ ପାଳନ କରୁଅଛି।”
21ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ ତାଙ୍କ ପ୍ରତି ସ୍ନେହରେ ପୂର୍ଣ୍ଣ ହୋଇ କହିଲେ, “ତୁମର ଗୋଟିଏ ବିଷୟ ଊଣା ଅଛି। ଯାଅ, ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର। ତା ହେଲେ, ସ୍ଵର୍ଗରେ ତୁମେ ଧନଲାଭ କରିବ। ତା ପରେ ଆସ, ମୋର ଅନୁଗମନ କର।”
22ଏହି କଥାରେ ସେହି ବ୍ୟକ୍ତିଙ୍କର ମୁଖ ବିଷଣ୍ଣ ହୋଇଗଲା ଓ ସେ ଦୁଃଖରେ ଚାଲିଗଲେ କାରଣ ତାଙ୍କର ବିପୁଳ ଧନସମ୍ପତ୍ତି ଥିଲା।
23ଯୀଶୁ ଚାରିଆଡ଼କୁ ଚାହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀଲୋକଙ୍କ ପକ୍ଷରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର!”
24ତାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ, କିନ୍ତୁ ଯୀଶୁ ପୁନର୍ବାର କହିଲେ, “ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର! 25ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକର ପ୍ରବେଶ ଅପେକ୍ଷା ସୂଚୀରନ୍ଧ୍ର ବାଟେ ଓଟର ପ୍ରବେଶ ବରଂ ସହଜ।”
26ଶିଷ୍ୟମାନେ ଆହୁରି ବିସ୍ମିତ ହୋଇ ପରସ୍ପରକୁ କହିଲେ, “ତା ହେଲେ, କିଏ ପରିତ୍ରାଣ ପାଇପାରେ?”
27ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ଅସାଧ୍ୟ ନୁହେଁ। ସବୁକିଛି ଈଶ୍ୱରଙ୍କର ସାଧ୍ୟ।”
28ପିତର ତାହାଙ୍କୁ କହିଲେ, “ଦେଖନ୍ତୁ, ଆମେ ଆପଣଙ୍କ ଅନୁଗାମୀ ହେବାକୁ ସର୍ବସ୍ଵ ତ୍ୟାଗ କରିଛୁ!”
29-30ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଛି, ଯେକେହି ମୋ ପାଇଁ ଓ ସୁସମାଚାର ପାଇଁ ଗୃହ, ଭ୍ରାତା, ଭଗିନୀ, ମାତା, ପିତା, ସନ୍ତାନସନ୍ତତି ବା ଭୂସମ୍ପତ୍ତି ତ୍ୟାଗ କରିଛି, ସେ ଇହକାଳରେ ନିର୍ଯ୍ୟାତନା ଭୋଗ କରିବା ସହିତ ଶତ ଗୁଣରେ ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି ଓ ଭୂସମ୍ପତ୍ତି, ପୁଣି ପରକାଳରେ ଅନନ୍ତଜୀବନ ଲାଭ ନ କରିବ, ଏପରି କେହି ନାହିଁ। 31କିନ୍ତୁ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିବେ ଏବଂ ଶେଷରେ ଥିବା ଅନେକେ ପ୍ରଥମରେ ରହିବେ।”
ନିଜର ମୃତ୍ୟୁ ବିଷୟରେ ସୂଚନା
32ସେମାନେ ଯିରୂଶାଲମକୁ ଯାତ୍ରା କରୁଥିଲେ ଏବଂ ଯୀଶୁ ସେମାନଙ୍କ ଆଗେ ଆଗେ ଚାଲୁଥିଲେ ଶିଷ୍ୟମାନେ ବିସ୍ମୟାଭିଭୂତ ହୋଇଥିଲା ବେଳେ ପଛରେ ଚାଲୁଥିବା ଲୋକେ ଭୀତ ହୋଇ ପଡ଼ିଥିଲେ ଯୀଶୁ ପୁନର୍ବାର ତାଙ୍କର ଦ୍ଵାଦଶ ଶିଷ୍ୟଙ୍କୁ ଅଲଗା ଡାକି ତାଙ୍କ ପ୍ରତି ଯାହାସବୁ ଘଟିବାକୁ ଯାଉଛି, ସେହିସବୁ ସେମାନଙ୍କୁ କହିବାକୁ ଲାଗିଲେ 33ସେ କହିଲେ, “ଆମେ ଯିରୂଶାଲମକୁ ଯାଉଛୁ, ସେଠାରେ ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କ ହାତରେ ଧରାଇ ଦିଆଯିବ। ସେମାନେ ତାଙ୍କୁ ମୃତ୍ୟୁଦଣ୍ଡାଜ୍ଞା ଦେଇ ଅଣଯିହୁଦୀମାନଙ୍କ ହାତରେ ସମର୍ପି ଦେବେ; 34ଏମାନେ ତାଙ୍କୁ ବିଦ୍ରୂପ କରିବେ, ତାଙ୍କ ଉପରେ ଛେପ ପକାଇବେ, ତାଙ୍କୁ ବେତ୍ରାଘାତ କରି ବଧ କରିବେ। କିନ୍ତୁ ତିନିଦିନ ପରେ ସେ ମୃତ୍ୟୁଞ୍ଜୟୀ ହୋଇ ଉଠିବେ।”
ଯାକୁବ ଓ ଯୋହନଙ୍କ ଅନୁରୋଧ
35ଏହାପରେ ଜେବଦୀଙ୍କ ଦୁଇ ପୁତ୍ର, ଯାକୁବ ଓ ଯୋହନ, ତାହାଙ୍କ ନିକଟକୁ ଆସି କହିଲେ, “ଗୁରୁ, ଆମେ ଯାହା ମାଗିବୁ, ଆପଣ ଆମ ପାଇଁ ତାହା କରିବେ ବୋଲି ଆମର ଇଚ୍ଛା।”
36ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଣ କରିବି ବୋଲି ଚାହୁଁଛ?”
37ସେମାନେ କହିଲେ, “ଆପଣ ମହିମାମଣ୍ଡିତ ହେଲେ ଆମ ମଧ୍ୟରୁ ଜଣକୁ ଦକ୍ଷିଣ ପାଖରେ ଓ ଅନ୍ୟଜଣକୁ ବାମ ପାଖରେ ବସିବାକୁ ଦିଅନ୍ତୁ।”
38ଯୀଶୁ କହିଲେ, “ତୁମେ କଅଣ ମାଗୁଛ, ତାହା ନିଜେ ଜାଣୁ ନାହଁ! ମୁଁ ଯେଉଁ ପାତ୍ରରୁ ପାନ କରୁଛି, ତୁମେ କଅଣ ସେଥିରୁ ପାନ କରିପାରିବ? ଅବା, ମୁଁ ଯେଉଁ ଡୁବନ ରେ ଡୁବିତ ହେଉଛି, ତୁମେ କଅଣ ସେଥିରେ ଡୁବନ ନେଇପାରିବ?”
39ସେମାନେ କହିଲେ, “ଆମେ ପାରିବୁ।”
ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ପାତ୍ରରୁ ପାନ କରୁଛି, ତୁମ୍ଭେମାନେ ସେଥିରୁ ଅବଶ୍ୟ ପାନ କରିବ ଓ ମୁଁ ଯେଉଁ ଡୁବନ ରେ ଡୁବିତ ହେଉଛି, ସେଥିରେ ଡୁବିତ ହେବ 40କିନ୍ତୁ ମୋର ଦକ୍ଷିଣ କି ବାମରେ ବସିବାକୁ ଦେବା ଅଧିକାର ମୋର ନାହିଁ। ଯେଉଁମାନଙ୍କ ନିମନ୍ତେ ସେହି ସ୍ଥାନସବୁ ପ୍ରସ୍ତୁତ ହୋଇଛି, ସେଗୁଡ଼ିକ ସେମାନଙ୍କର।”
41ଅନ୍ୟ ଦଶ ଜଣ ଯେତେବେଳେ ଏ କଥା ଶୁଣିଲେ, ସେମାନେ ଯାକୁବ ଓ ଯୋହନଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହେଲେ 42ତହୁଁ ଯୀଶୁ ସେମାନଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେମାନେ ଏହା ଜାଣିଛ ଯେ, ଅଣଯିହୁଦୀ ଜାତିମାନଙ୍କର ଶାସକମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ସେମାନଙ୍କ ଉଚ୍ଛପଦସ୍ଥ କର୍ମଚାରୀମାନେ ସେମାନଙ୍କ ଉପରେ ଆଧିପତ୍ୟ କରନ୍ତି। 43କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ସେପରି ହେବ ନାହିଁ। ବରଞ୍ଚ, ତୁମ୍ଭମାନଙ୍କମଧ୍ୟରେ କେହି ଯଦି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ। 44ପୁଣି, କେହି ଯଦି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର କ୍ରୀତଦାସ ହେଉ। 45କାରଣ ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସିଲେ ନାହିଁ, ମାତ୍ର ସେବା କରିବାକୁ ଏବଂ ଅନେକଙ୍କ ମୁକ୍ତିରମୂଲ୍ୟ ସ୍ଵରୂପ ନିଜର ଜୀବନ ଦେବାକୁ ଆସିଲେ।”
ଅନ୍ଧ ବାର୍ଟିମୟ ଦୃଷ୍ଟି ପାଇଲା
46ଏହାପରେ ସେମାନେ ଯିରିଖୋକୁ ଆସିଲେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ବିରାଟ ଜନତା ସହିତ ସେହି ସହର ଛାଡ଼ି ବାହାରିଲା ବେଳକୁ ଟିମାୟର ପୁତ୍ର ବାର୍ଟିମୟ ନାମକଜଣେ ଅନ୍ଧ ରାସ୍ତାକଡ଼ରେ ବସି ଭିକ ମାଗୁଥିଲା। 47ସେ ଯେତେବେଳେ ଶୁଣିଲା ଯେ, ନାଜରିତର ଯୀଶୁ ଯାଉଛନ୍ତି, ସେ ଉଚ୍ଚସ୍ଵରରେ ଡାକି କହିଲା, “ହେ ଦାଉଦସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ।”
48ଅନେକେ ତାକୁ ଧମକାଇ ଚୁପ୍ ରହିବାକୁ କହିଲେ, କିନ୍ତୁ ସେ ଆହୁରି ଉଚ୍ଚସ୍ଵରରେ ଡାକ ପକାଇଲା, “ହେ ଦାଉଦସନ୍ତାନ, ମୋତେ ଦୟା କରନ୍ତୁ!”
49ଯୀଶୁ ଅଟକି ଯାଇ କହିଲେ, “ତାକୁ ଡାକ।”
ତେଣୁ ସେମାନେ ସେହି ଅନ୍ଧକୁ ଡାକି କହିଲେ, “ଆଶ୍ୱସ୍ତ ହୁଅ, ଠିଆ ହୁଅ, ସେ ତୁମକୁ ଡାକୁଛନ୍ତି।” 50ବାର୍ଟିମୟ ତାହାର ଚାଦରଟି ଫୋପାଡ଼ି ଦେଇ ଡିଆଁ ମାରି ଠିଆ ହେଲା ଓ ଯୀଶୁଙ୍କ ପାଖକୁ ଆସିଲା।
51ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କଣ କରିବି ବୋଲି ଇଚ୍ଛା କରୁଛ?”
ସେହି ଅନ୍ଧ କହିଲା, “ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ।”
52ଯୀଶୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ତତ୍‌କ୍ଷଣାତ୍ ସେ ଦୃଷ୍ଟିଶକ୍ତି ପାଇଲା ଓ ଯୀଶୁଙ୍କ ପଛେ ପଛେ ରାସ୍ତାରେ ଚାଲିବାକୁ ଲାଗିଲା।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in