YouVersion Logo
Search Icon

ମାର୍କାସ୍ 9

9
ଯୀଶୁଙ୍କର ଗୌରବୋଜ୍ଜ୍ୱଳ ରୂପାନ୍ତର
1ସେ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଏଠାରେ ଠିଆ ହୋଇଥିବା କେତେଜଣ ଈଶ୍ୱରଙ୍କ ରାଜ୍ୟ ପରାକ୍ରମରେ ଆସିବାର ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁଭୋଗ କରିବେ ନାହିଁ।”
2ଛଅଦିନ ପରେ ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଏକ ଉଚ୍ଚ ପର୍ବତ ଉପରକୁ ଗଲେ ସେଠାରେ ସେମାନଙ୍କ ଛଡ଼ା ଆଉ କେହି ନ ଥିଲେ ସେହିଠାରେ ସେମାନଙ୍କ ସାକ୍ଷାତରେ ସେ ରୂପାନ୍ତରିତ ହେଲେ 3ତାହାଙ୍କର ପୋଷାକ ଏପରି ଉଜ୍ଜ୍ୱଳ ଶୁଭ୍ରବର୍ଣ୍ଣ ହେଲା ଯେ, ଜଗତରେ କେହି କେବେ ସେପରି ଶୁଭ୍ରତା ଆଣିପାରିବ ନାହିଁ। 4ପୁଣି, ସେମାନଙ୍କ ସମ୍ମୁଖରେ ଏଲିୟ ଓ ମୋଶା ଆବିର୍ଭୂତ ହୋଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ।
5ପିତର ଯୀଶୁଙ୍କୁ କହିଲେ, “ରାବୀ ଆମେ ଯେ ଏଠାରେ ଅଛୁ, ଏହା ଆମ ପାଇଁ ଭଲ ହେଲା। ଆମେ ଏଠାରେ ତିନୋଟି କୁଡ଼ିଆ ତିଆରି କରିଦେବା-ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଗୋଟିଏ ଏଲିୟଙ୍କ ପାଇଁ।” 6ସେମାନେ ଏତେ ଭୀତ ହୋଇ ପଡ଼ିଥିଲେ ଯେ, କଣ କହିବାକୁ ହେବ, ତାହା ପିତର ଜାଣିପାରି ନ ଥିଲେ!
7ସେତେବେଳେ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛନ୍ନ କଲା ଏବଂ ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାରେ ମନୋଯୋଗ କର।”
8ହଠାତ୍ ସେମାନେ ଚାରିଆଡ଼କୁ ଚାହିଁବାରୁ ଯୀଶୁଙ୍କ ବ୍ୟତୀତ ସେଠାରେ ସେମାନଙ୍କ ସହିତ ଆଉ କେହି ନ ଥିବାର ଦେଖିଲେ।
9ସେମାନେ ପର୍ବତ ଉପରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ ଯେ, ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ ସେମାନେ ଯେପରି ଦେଖିଥିବା ବିଷୟ କାହାକୁ ନ କୁହନ୍ତି। 10ଅତଏବ ସେମାନେ ସେହି କଥା ନିଜ ମଧ୍ୟରେ ଗୋପନ ରଖିଲେ, କିନ୍ତୁ “ମୃତ୍ୟୁରୁ ପୁନରୁତ୍ଥାନ ହେବା” ହେବା ଅର୍ଥ କଅଣ, ଏ ବିଷୟରେ ଆଲୋଚନା କରିବାକୁ ଲାଗିଲେ।
11ସେମାନେ ତାଙ୍କୁ ପଚାରିଲେ, “ତେବେ ଏଲିୟ ପ୍ରଥମେ ଆସିବେ ବୋଲି ଶାସ୍ତ୍ରଜ୍ଞମାନେ କାହିଁକି କହନ୍ତି?”
12ଯୀଶୁ ଉତ୍ତର ଦେଇ କହିଲେ, “ଏ କଥା ସତ ଯେ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବେ। ତେବେ, ମନୁଷ୍ୟପୁତ୍ର ବହୁ ଦୁଃଖ ଭୋଗି ଉପେକ୍ଷିତ ହେବେ ବୋଲି କାହିଁକି ଲେଖାଅଛି? 13କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଏଲିୟ ଆସିଗଲେଣି ଓ ତାଙ୍କ ସମ୍ବନ୍ଧରେ ଯେପରି ଲେଖାଅଛି, ସେହି ଅନୁଯାୟୀ ଲୋକେ ତାଙ୍କ ପ୍ରତି ଯାହା ଇଚ୍ଛା ତାହା କଲେ।”
ଭୂତଗ୍ରସ୍ତ ବାଳକ ସୁସ୍ଥ ହେଲା
14ସେମାନେ ଅନ୍ୟ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ଦେଖିଲେ ଯେ, ଶାସ୍ତ୍ରଜ୍ଞମାନେ ସେମାନଙ୍କ ସହିତ ତର୍କବିତର୍କ କରୁଛନ୍ତି ଓ ବହୁଲୋକ ସେମାନଙ୍କୁ ଘେରି ରହିଛନ୍ତି। 15ଲୋକେ ଯୀଶୁଙ୍କୁ ଦେଖିବାମାତ୍ରେ ବିସ୍ମୟରେ ଅଭିଭୂତ ହେଲେ ଓ ତାଙ୍କୁ ସ୍ୱାଗତ ଜଣାଇବାକୁ ଦୌଡ଼ିଲେ।
16ସେ ପଚାରିଲେ, “ସେମାନଙ୍କ ସଙ୍ଗରେ ତୁମ୍ଭେମାନେ କେଉଁ ବିଷୟରେ ଏତେ ଯୁକ୍ତି-ତର୍କ କରୁଛ?”
17ଲୋକମାନଙ୍କ ମଧ୍ୟରୁ ଜଣେ କହିଲା, “ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି। ତାକୁ ଭୂତ ଧରିଥିବାରୁ ସେ ବାକ୍‌ଶକ୍ତି ହରାଇଛି। 18ଯେତେବେଳେ ଭୂତ ତାକୁ ଅଧିକାର କରେ, ସେ ତାକୁ ତଳେ ପକାଇ ଦିଏ। ସେ ପାଟିରୁ ଫେଣ ବାହାର କରେ, ଦାନ୍ତ ରଗଡ଼େ ଓ କାଠ ପରି ହୋଇଯାଏ। ତା ଠାରୁ ଭୂତ ଛଡ଼ାଇବାକୁ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
19ଯୀଶୁ କହିଲେ, “ହେ ଅବିଶ୍ୱାସୀ ବଂଶ, ଆଉ କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ଆଣ।”
20ତେଣୁ ସେମାନେ ତାକୁ ଆଣିଲେ ଯୀଶୁଙ୍କୁ ଦେଖିଲାମାତ୍ରେ ସେହି ଭୂତାତ୍ମା ପିଲାଟିକୁ ଭୟଙ୍କରଭାବେ ମୋଡ଼ି ପକାଇଲା। ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
21ଯୀଶୁ ତାହାର ପିତାକୁ ପଚାରିଲେ, “ଏ କେବେଠାରୁ ଏପରି ହେଉଛି?”
ସେ ଉତ୍ତର ଦେଲା, “ପିଲାକାଳରୁ। 22ଭୂତାତ୍ମା ତାକୁ ମାରିବା ପାଇଁ ଅନେକଥର ନିଆଁରେ ବା ପାଣିରେ ପକାଇ ଦେଇଛି। କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତେବେ ଦୟାପରବଶ ହୋଇ ଆମକୁ ସାହାଯ୍ୟ କରନ୍ତୁ।”
23ଯୀଶୁ କହିଲେ, “ ‘ଯଦି କରିପାରନ୍ତି’? ଯିଏ ବିଶ୍ୱାସ କରେ, ତା ପକ୍ଷେ ସବୁ ସମ୍ଭବ।”
24ସଙ୍ଗେସଙ୍ଗେ ପିଲାଟିର ପିତା ଉତ୍ତର ଦେଲା, “ହଁ, ମୋର ବିଶ୍ୱାସ ଅଛି। ମୋର ଅବିଶ୍ୱାସ ଦୂର କରିବାକୁ ମୋତେ ସାହାଯ୍ୟ କରନ୍ତୁ।”
25ସେହି ସ୍ଥାନକୁ ଆହୁରି ଅନେକ ଲୋକ ଦୈଡ଼ି ଆସୁଥିବାର ଦେଖି ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଇ କହିଲେ, “ଆରେ ମୂକ-ବଧିର ଭୂତାତ୍ମା, ମୁଁ ତୋତେ ଆଦେଶ ଦେଉଛି, ଏହି ବାଳକ ମଧ୍ୟରୁ ବାହାରି ଯା। ଆଉ କେବେହେଲେ ଏହା ମଧ୍ୟରେ ପ୍ରବେଶ କରିବୁ ନାହିଁ।”
26ଏହାପରେ ଭୂତାତ୍ମା ଭୀଷଣ ଚିତ୍କାର କଲା ଓ ବାଳକକୁ ଅତି ଭୟଙ୍କରଭାବେ ମୋଡ଼ିମାଡ଼ି ତା ଠାରୁ ବାହାରିଗଲା। ସେହି ବାଳକ ଏପରି ମୃତବତ୍ ପଡ଼ି ରହିଲା ଯେ, ଅନେକେ କହିଲେ, “ସେ ମରିଗଲା।” 27କିନ୍ତୁ ଯୀଶୁ ତା ହାତ ଧରି ଉଠାଇଲେ ଓ ସେ ଠିଆ ହେଲା।
28ଯୀଶୁ ଘର ଭିତରକୁ ଯିବା ପରେ ତାଙ୍କର ଶିଷ୍ୟମାନେ ନିଭୃତରେ ତାଙ୍କୁ ପଚାରିଲେ, “ଆମେ କାହିଁକି ଛଡ଼ାଇ ପାରିଲୁ ନାହିଁ?”
29ଯୀଶୁ ଉତ୍ତର ଦେଲେ, “ପ୍ରାର୍ଥନା ଓ ଉପବାସ ବିନା ଏପ୍ରକାର ଭୂତ ଛଡ଼ା ଯାଇ ପାରେ ନାହିଁ।”
30ସେମାନେ ସେହି ଅଞ୍ଚଳ ଛାଡ଼ି ଗାଲିଲୀ ମଧ୍ୟଦେଇ ଯାତ୍ରା କଲେ। ସେମାନେ କେଉଁଠାରେ ଅଛନ୍ତି, ତାହା କେହି ଜାଣୁ ବୋଲି ଯୀଶୁ ଚାହୁଁ ନ ଥିଲେ। 31କାରଣ ସେ ନିଜ ଶିଷ୍ୟମାନଙ୍କୁ ଏହି ବିଷୟ ଶିକ୍ଷା ଦେଇ କହୁଥିଲେ, “ମନୁଷ୍ୟପୁତ୍ର ବିଶ୍ୱାସଘାତକତାପୂର୍ବକ ଲୋକଙ୍କ ହାତରେ ସମର୍ପିତ ହେବାକୁ ଯାଉଛନ୍ତି। ସେମାନେ ତାଙ୍କୁ ବଧ କରିବେ ଓ ସେ ତିନିଦିନ ଉତ୍ତାରେ ମୃତ୍ୟୁରୁ ଉତ୍ଥିତ ହେବେ।” 32ମାତ୍ର ସେମାନେ ତାଙ୍କ କଥାର ଅର୍ଥ ବୁଝି ପାରିଲେ ନାହିଁ ଏବଂ ସେହି ବିଷୟରେ ତାଙ୍କୁ ପଚାରିବାକୁ ଭୟ କଲେ।
33ତତ୍ପରେ ସେମାନେ କଫର୍ନାହୁମକୁ ଆସିଲେ ଓ ସେ ଘରେ ପହଞ୍ଚି ପରେ ସେମାନଙ୍କୁ ପଚାରିଲେ, “ବାଟରେ ତୁମ୍ଭେମାନେ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?” 34କିନ୍ତୁ ସେମାନେ ନୀରବ ରହିଲେ କାରଣ ସେମାନଙ୍କ ମଧ୍ୟରେ କିଏ ପ୍ରଧାନ, ସେବିଷୟରେ ସେମାନେ ଯୁକ୍ତିତର୍କ କରୁଥିଲେ।
35ଯୀଶୁ ବସିଲା ପରେ ଦ୍ଵାଦଶ-ଶିଷ୍ୟଙ୍କୁ ଡାକି କହିଲେ, “କେହି ଯଦି ପ୍ରଥମ ହେବାକୁ ଚାହେଁ, ତାକୁ ସବୁଠାରୁ ଶେଷରେ ରହିବାକୁ ହେବ ଓ ସମସ୍ତଙ୍କର ସେବକ ହେବାକୁ ହେବ।”
36ତା ପରେ ସେ ଗୋଟିଏ ସାନ ପିଲାକୁ ଆଣି ସେମାନଙ୍କ ମଝିରେ ଠିଆ କରାଇଲେ ପିଲାଟିକୁ କୁଣ୍ଢାଇ ଧରି ସେମାନଙ୍କୁ କହିଲେ, 37“ଯେକେହି ମୋ ନାମରେ ଏପରି ସାନ ପିଲାଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଏବଂ ଯେକେହି ମୋତେ ଗ୍ରହଣ କରେ, ସେ ଯେ ମୋତେ ଗ୍ରହଣ କରେ, ତା ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
ଯେ ଆମର ବିପକ୍ଷ ନୁହେଁ, ସେ ଆମର ସପକ୍ଷ
38ଯୋହନ ତାହାଙ୍କୁ କହିଲେ, “ଗୁରୁ, ଆପଣଙ୍କ ନାମ ନେଇ ଜଣେ ଲୋକ ଭୂତ ଛଡ଼ାଡଥିବା ଆମେ ଦେଖିଲୁ। କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ମନା କଲୁ।”
39ଯୀଶୁ କହିଲେ, “ତାକୁ ମନା କର ନାହିଁ। କାରଣ ଏପରି କେହି ନାହିଁ, ଯିଏ ମୋ ନାମରେ ଅଲୌକିକ କାର୍ଯ୍ୟ କରି ପରମୁହୂର୍ତ୍ତରେ ମୋର ନିନ୍ଦା କରିପାରେ। 40ଯେହେତୁ ଯିଏ ଆମର ବିପକ୍ଷ ନୁହେଁ, ସେ ଆମର ସପକ୍ଷ। 41ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେ ଖ୍ରୀଷ୍ଟଙ୍କର ହୋଇଥିବାରୁ କେହି ଯେବେ ତୁମକୁ ଗିଲାସେ ପାଣି ପିଇବାକୁ ଦିଏ, ସେ କୌଣସିମତେ ତାହାର ପୁରସ୍କାର ହରାଇବ ନାହିଁ।
ଅନ୍ୟକୁ ପାପରେ ପକାଇବା ବିଷୟରେ
42“କେହି ଯଦି ମୋ ଠାରେ ବିଶ୍ୱାସ ରଖିଥିବା ଏହିପରି ସାମାନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣକୁ ପାପରେ ପକାଏ, ତେବେ ତାହାର ଗଳାରେ ଏକ ପ୍ରକାଣ୍ଡ ଚକିପଥର ବାନ୍ଧି ତାକୁ ସମୁଦ୍ରରେ ପକାଇଦେବା ବରଂ ଭଲ ହେବ। 43ତୁମର ହାତ ଯଦି ତୁମକୁ ପାପରେ ପକାଏ, ତେବେ ତାହା କାଟି ଦିଅ। ଦୁଇ ହାତ ଘେନି ଚିରପ୍ରଜ୍ୱଳିତ ନରକାଗ୍ମିରେ ନିକ୍ଷିପ୍ତ ହେବା ଅପେକ୍ଷା ବିକଳାଙ୍ଗ ହୋଇ ଅନନ୍ତ ଜୀବନରେ ପ୍ରବେଶ କରିବା ବରଂ ଭଲ। 44ନରକରେ ସେମାନଙ୍କର କୀଟ କେବେ ମରେ ନାହିଁ, କି ଅଗ୍ନି କେବେ ଲିଭାଯାଏ ନାହିଁ। 45ତୁମର ପାଦ ଯେବେ ତୁମକୁ ପାପରେ ପକାଏ, ତେବେ ତାହା କାଟି ଦିଅ। ଦୁଇ ପାଦ ଥାଇ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ବରଂ ଭଲ। 46ନରକରେ ସେମାନଙ୍କ କୀଟ କେବେ ମରେ ନାହିଁ, କି ଅଗ୍ନି କେବେ ଲିଭାଯାଏ ନାହିଁ। 47ପୁଣି ତୁମର ଚକ୍ଷୁ ଯେବେ ତୁମକୁ ପାପରେ ପକାଏ, ତେବେ ତାକୁ ଉପାଡ଼ି ଦିଅ। ଦୁଇ ଚକ୍ଷୁ ଥାଇ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବରଂ ଭଲ, 48ନରକରେ
“ ‘ସେମାନଙ୍କର କୀଟ କେବେ ମରେ ନାହିଁ,
କି ଅଗ୍ନି କେବେ ଲିଭାଯାଏ ନାହିଁ।’
49ସେଠାରେ ସମସ୍ତେ ଅଗ୍ନିରେ ଲବଣାକ୍ତ ହେବେ।
50“ଲବଣ ଉତ୍ତମ, କିନ୍ତୁ ତାହା ଯଦି ତାହାର ଲବଣତ୍ଵ ହରାଏ, ତେବେ ତୁମେ ତାକୁ କିପରି ପୁନର୍ବାର ଲବଣାକ୍ତ କରିପାରିବ? ତୁମଠାରେ ଲବଣ ରହିଥାଉ ଓ ତୁମେ ପରସ୍ପର ସହ ଶାନ୍ତିରେ ରୁହ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in