ମାଥିଉଲିଖିତ 21
21
ଯୀଶୁଙ୍କର ବିଜୟ ଯାତ୍ରା ଏକ ରାଜାଙ୍କ ପରି
1ସେମାନେ ଯେତେବେଳେ ଯିରୁଶାଲମର ନିକଟବର୍ତ୍ତୀ ହୋଇ ଜୀତ ପର୍ବତ ପାର୍ଶ୍ୱସ୍ଥ ବେଥ୍ଫାଗିକୁ ଆସିଲେ, ସେତେବେଳେ ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, 2“ତୁମେମାନେ ଆଗରେ ଥିବା ଗ୍ରାମକୁ ଯାଅ, ସେଠାକୁ ଯିବାମାତ୍ରେ ଦେଖିବ, ଗୋଟିଏ ଗଧ ବନ୍ଧା ହୋଇଥିବ ଓ ତାହାର ଛୁଆ ତା ପାଖରେ ଅଛି। ସେମାନଙ୍କୁ ଫିଟାଇ ମୋ ପାଖକୁ ନେଇ ଆସିବ। 3କେହି ଯଦି ତୁମ୍ଭମାନଙ୍କୁ କିଛି କହେ, ତେବେ ତାକୁ ଏତିକି କହିବ, ‘ପ୍ରଭୁଙ୍କର ଏଥିରେ ପ୍ରୟୋଜନ ଅଛି।’ ତାହାହେଲେ, ସେ ସେହିକ୍ଷଣି ସେମାନଙ୍କୁ ପଠାଇଦେବ।”
4ଭାବବାଦୀଙ୍କ ଦ୍ଵାରା ଯାହା କୁହାଯାଇଥିଲା, ତାହା ସଫଳ ହେବା ପାଇଁ ଏହା ଘଟିଲା:
5“ସିୟୋନ କନ୍ୟାକୁ କୁହ,
‘ଦେଖ୍ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି,
ସେ ନମ୍ରଶୀଳ, ଏକ ଗଧ ଉପରେ,
ଏକ ଗଧଛୁଆ ଉପରେ ଆରୋହଣ କରି ଆସୁଅଛନ୍ତି।’ ”
6ଶିଷ୍ୟମାନେ ଯାଇ ଯୀଶୁଙ୍କର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କଲେ 7ସେମାନେ ଗଧ ଓ ଗଧଛୁଆକୁ ଆଣିଲେ, ସେମାନଙ୍କ ପିଠି ଉପରେ ନିଜ ନିଜ ପୋଷାକ ପାରିଦେଲେ ଏବଂ ଯୀଶୁ ସେଗୁଡ଼ିକ ଉପରେ ବସିଲେ 8ଜନତା ମଧ୍ୟରୁ ଅନେକେ ନିଜ ନିଜର ପୋଷାକ ରାସ୍ତା ଉପରେ ବିଛାଇ ଦେଲେ ଏବଂ ଅନ୍ୟମାନେ ଗଛରୁ ଡାଳ କାଟି ରାସ୍ତାରେ ପକାଇଲେ 9ଲୋକମାନେ ତାହାଙ୍କ ଆଗରେ ଓ ପଛରେ ଚାଲୁ ଚାଲୁ ଉଚ୍ଚସ୍ଵରରେ କହୁଥିଲେ,
“ହୋଶାନ୍ନା, ଦାଉଦସନ୍ତାନ!”
“ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ସେ ଧନ୍ୟ!”
“ଊର୍ଦ୍ଧ୍ୱଲୋକରେ ହୋଶାନ୍ନ!”
10ଯୀଶୁ ଯିରୂଶାଲମ ନଗର ମଧ୍ୟରେ ପ୍ରବେଶ କରିବାପରେ ନଗରସାରା ଚହଳ ପଡ଼ିଗଲା ଓ ଲୋକେ ପଚାରିଲେ, “ଏ କିଏ?”
11ଜନତା ମଧ୍ୟରୁ ଲୋକେ ଉତ୍ତର ଦେଲେ, “ଏ ହେଉଛନ୍ତି ଯୀଶୁ, ଗାଲିଲୀସ୍ଥ ନାଜରିତର ଭାବବାଦୀ।”
ଯୀଶୁ ମନ୍ଦିରରୁ ବ୍ୟବସାୟୀଙ୍କୁ ବହିଷ୍କାର କଲେ
12ଯୀଶୁ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କରି ସେଠାରେ କିଣାବିକା କରୁଥିବା ସବୁ ଲୋକଙ୍କୁ ବାହାର କରିଦେଲେ, ମୁଦ୍ରା ବିନିମୟକାରୀମାନଙ୍କ ମେଜ ଓ କାପ୍ତା ବେପାରୀମାନଙ୍କ ଆସନ ସବୁ ଓଲଟାଇ ଦେଲେ 13“ସେ ସେମାନଙ୍କୁ କହିଲେ” ଲେଖାଅଛି, “ ‘ମୋର ଗୃହ ପ୍ରାର୍ଥନାଗୃହ ନାମରେ ଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରୁଅଛ।’ ”
14ମନ୍ଦିର ମଧ୍ୟରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ସେମାନଙ୍କୁ ଆରୋଗ୍ୟ କଲେ 15କିନ୍ତୁ ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ଯେତେବେଳେ ତାଙ୍କର କୃତ ଅଲୌକିକ କାର୍ଯ୍ୟସବୁ ଦେଖିଲେ ଓ ମନ୍ଦିର ମଧ୍ୟରେ ପିଲାମାନେ, ହୋଶାନ୍ନା, ଦାଉଦସନ୍ତାନ “ବୋଲି ଚିତ୍କାର କରୁଥିବା ଶୁଣିଲେ,” ସେମାନେ ଅତିଶୟ ବିରକ୍ତ ହେଲେ।
16ସେମାନେ ତାହାଙ୍କୁ ପଚାରିଲେ, “ଏ ପିଲାମାନେ କଅଣ କହୁଛନ୍ତି ତାହା ତୁମେ ଶୁଣୁଛ ତ?”
ଯୀଶୁ ଉତ୍ତର ଦେଲେ,
“ ‘ହଁ, ତୁମେମାନେ କଅଣ ଏହି କଥା କେବେ ପଢ଼ି ନାହଁ,
ତୁମେ ବାଳୁତ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ପ୍ରଶଂସାମୁଖର କରିଛ’?”
17ଏହାପରେ ସେ ସେମାନଙ୍କୁ ଛାଡ଼ି ନଗରରୁ ବାହାରି ବେଥାନୀକୁ ଗଲେ ଓ ସେଠାରେ ରାତ୍ରିକ୍ଷେପଣ କଲେ।
ଡିମ୍ବିରି ଗଛ ଶୁଖିଗଲା
18ପ୍ରତ୍ୟୁଷରେ ଯୀଶୁ ଯିରୂଶାଲମକୁ ଫେରିବା ବାଟରେ କ୍ଷୁଧିତ ହେଲେ 19ରାସ୍ତାକଡ଼ରେ ଗୋଟିଏ ଡିମ୍ବିରି ବୃକ୍ଷ ଦେଖି ସେ ତାହା ନିକଟକୁ ଗଲେ କିନ୍ତୁ ସେ ସେଥିରେ ପତ୍ର ଛଡ଼ା ଆଉ କିଛି ପାଇଲେ ନାହିଁ। ତହୁଁ ସେ ସେହି ବୃକ୍ଷକୁ କହିଲେ, “ତୁ ଆଉ କେବେ ଫଳ ଧାରଣ କରିବୁ ନାହିଁ।” ସେହିକ୍ଷଣି ଗଛଟି ଶୁଖିଗଲା।
20ଶିଷ୍ୟମାନେ ତାହା ଦେଖି ଆଚମ୍ବିତ ହୋଇ ପଚାରିଲେ, “ଏତେ ଶୀଘ୍ର ଡିମ୍ବିରି ଗଛଟା ଶୁଖିଗଲା କିପରି?”
21ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ଯଦି ସନ୍ଦେହ ନ କରି ବିଶ୍ୱାସ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯାହା କରାଗଲା, କେବଳ ଯେ ସେପରି କରିପାରିବ, ତା ‘ନୁହେଁ, କିନ୍ତୁ ଏହି ପର୍ବତକୁ ମଧ୍ୟ ଯଦି କୁହ,’ ଉଠି ସମୁଦ୍ରରେ ପଡ଼ି ଯା, ତେବେ ସେହିପରି ହେବ। 22ତୁମେମାନେ ଯଦି ବିଶ୍ୱାସ କର, ତେବେ ପ୍ରାର୍ଥନାରେ ଯାହାକିଛି ମାଗିବ, ତାହା ପାଇବ।”
23ଯୀଶୁ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କରି ଶିକ୍ଷା ଦେଉଥିଲା ବେଳେ ପ୍ରଧାନ ଯାଜକମାନେ ଓ ଲୋକମାନଙ୍କର କୁଳବୃଦ୍ଧମାନେ ତାଙ୍କ ନିକଟକୁ ଆସିଲେ, ସେମାନେ ପଚାରିଲେ, “ତୁମେ କେଉଁ ଅଧିକାର ବଳରେ ଏସବୁ କରୁଛ? କିଏ ତୁମକୁ ଏହି ଅଧିକାର ଦେଇଅଛି?”
24ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ତୁମେମାନେ ମୋତେ ତାହାର ଉତ୍ତର ଦେଲେ ମୁଁ କେଉଁ ଅଧିକାରରେ ଏସବୁ କରୁଛି, ତାହା ତୁମମାନଙ୍କୁ କହିବି। 25ଯୋହନଙ୍କ ଡୁବନ କେଉଁଠାରୁ ଆସିଲା-ସ୍ଵର୍ଗରୁ, ନା ମନୁଷ୍ୟମାନଙ୍କଠାରୁ?”
ସେମାନେ ଏ ବିଷୟ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, “ଆମେ ଯଦି କହୁଁ, ‘ସ୍ଵର୍ଗରୁ,’ ତେବେ ସେ ପଚାରିବେ, ତୁମେମାନେ ତା ହେଲେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ? 26କିନ୍ତୁ ଆମେ ଯଦି କହୁଁ, ‘ମନୁଷ୍ୟମାନଙ୍କଠାରୁ,’ ତେବେ ଲୋକଙ୍କୁ ତ ଆମର ଭୟ, କାରଣ ଯୋହନ ଜଣେ ଭାବବାଦୀ ବୋଲି ସେମାନେ ସମସ୍ତେ ମାନନ୍ତି।”
27ଅତଏବ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।”
ତା ପରେ ଯୀଶୁ କହିଲେ, “ତା ହେଲେ, କେଉଁ ଅଧିକାର ବଳରେ ମୁଁ ଏସବୁ କରୁଛି, ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି ନାହିଁ।
ଦୁଇ ପୁତ୍ରଙ୍କ ଦୃଷ୍ଟାନ୍ତ-ଗଳ୍ପ
28“ଏ ବିଷୟରେ ତୁମେମାନେ କଣ ମନେକର? ଜଣେ ଲୋକର ଦୁଇ ପୁଅ ଥିଲେ ସେ ବଡ଼ ପୁଅ ପାଖକୁ ଯାଇ କହିଲା, ‘ପୁଅ, ତୁ ଆଜି ଯାଇ ଅଙ୍ଗୁରକ୍ଷେତରେ କାମ କର।’
29“ସେ ଉତ୍ତର ଦେଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ମନ ବଦଳାଇ ଗଲା।
30“ତା ପରେ ବାପା ଅନ୍ୟ ପୁଅ ପାଖକୁ ଯାଇ ସେହିପରି କହିଲା। ସେ ଉତ୍ତର ଦେଲା, ‘ଆଜ୍ଞା, ମୁଁ ଯିବି।’ କିନ୍ତୁ ସେ ଗଲା ନାହିଁ।
31“ସେହି ଦୁଇଜଣଙ୍କ ମଧ୍ୟରୁ କିଏ ପିତାର ଇଚ୍ଛା ସାଧନ କଲା?”
ସେମାନେ କହିଲେ, “ପ୍ରଥମ ଜଣକ।”
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, କରଆଦାୟକାରୀ ଓ ବେଶ୍ୟାମାନେ ତୁମମାନଙ୍କ ଆଗରୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଛନ୍ତି। 32କାରଣ ଯୋହନ ତୁମ୍ଭମାନଙ୍କୁ ଧର୍ମପଥ ଦେଖାଇବାକୁ ଆସିଲେ, କିନ୍ତୁ ତୁମେମାନେ ତାଙ୍କୁ ବିଶ୍ୱାସ କଲ ନାହିଁ, ଅଥଚ କରଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥା ବିଶ୍ୱାସ କଲେ ପୁଣି, ତୁମେମାନେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ, କି ବିଶ୍ୱାସ କଲ ନାହିଁ।
ଭାଗଚାଷୀମାନଙ୍କ ଦୃଷ୍ଟାନ୍ତ-ଗଳ୍ପ
33“ଆଉ ଗୋଟିଏ ଦୃଷ୍ଟାନ୍ତ-ଗଳ୍ପ ଶୁଣ। ଜଣେ ଜମିଦାର ଥିଲେ, ସେ ଗୋଟିଏ ଅଙ୍ଗୁରକ୍ଷେତ ପ୍ରସ୍ତୁତ କରି ତାହାର ଚାରିଆଡ଼େ ବାଡ଼ ଦେଲେ, ତା ମଧ୍ୟରେ ଖୋଳି ଏକ ଅଙ୍ଗୁର-ପେଷଣ କୁମ୍ପା ବସାଇଲେ ଓ ଏକ ଜଗୁଆଳି ଘର ନିର୍ମାଣ କଲେ ତା ପରେ ସେ ଅଙ୍ଗୁରକ୍ଷେତକୁ ଭାଗଚାଷୀମାନଙ୍କୁ ଦେଇ ବିଦେଶ ଯାତ୍ରା କଲେ 34ଫଳ ତୋଳା ସମୟ ଯେତେବେଳେ ପାଖେଇ ଆସିଲା, ସେ ଫଳରୁ ନିଜ ଭାଗ ପାଇବା ପାଇଁ ଚାଷୀମାନଙ୍କ ନିକଟକୁ ତାଙ୍କର ଦାସମାନଙ୍କୁ ପଠାଇଲେ।
35“ଚାଷୀମାନେ ସେହି ଦାସମାନଙ୍କୁ ଧରି ଜଣକୁ ମାଡ଼ ମାରିଲେ, ଅନ୍ୟଜଣକୁ ହତ୍ୟା କଲେ, ଆଉ ଜଣକ ଉପରକୁ ପଥର ଫିଙ୍ଗିଲେ। 36ଏହାପରେ ସେ ସେମାନଙ୍କ ପାଖକୁ ପ୍ରଥମ ଥର ଅପେକ୍ଷା ଆହୁରି ଅଧିକ ସଂଖ୍ୟକ ଦାସ ପଠାଇଲେ। ଚାଷୀମାନେ ସେମାନଙ୍କ ପ୍ରତି ଠିକ ସେହିପରି ବ୍ୟବହାର କଲେ। 37ଅବଶେଷରେ ସେ ନିଜ ପୁଅକୁ ସେମାନଙ୍କ ପାଖକୁ ପଠାଇଲେ ସେ କହିଲେ, ସେମାନେ ଅନ୍ତତଃ ମୋ ପୁଅକୁ ତ ମାନ୍ୟ କରିବେ।
38“କିନ୍ତୁ ଚାଷୀମାନେ ପୁତ୍ରକୁ ଦେଖି ପରସ୍ପରକୁ କହିଲେ, ଏ ତ ଉତ୍ତରାଧିକାରୀ। ଆସ, ତାକୁ ମାରି ତା ‘ର ସମ୍ପତ୍ତି ଆତ୍ମସାତ୍ କରି ନେବା।’ 39ତହୁଁ ସେମାନେ ତାକୁ ଧରିଲେ ଏବଂ ଅଙ୍ଗୁରକ୍ଷେତରୁ ବାହାର କରି ଦେଇ ହତ୍ୟା କଲେ।
40“ଅତଏବ ଅଙ୍ଗୁର କ୍ଷେତର ମାଲିକ ଫେରି ଆସିଲେ ସେହି ଚାଷୀମାନଙ୍କ ପ୍ରତି କଣ କରିବେ?”
41ସେମାନେ ଉତ୍ତର ଦେଲେ, “ସେ ସେହି ନରାଧମମାନଙ୍କୁ ନିର୍ଦ୍ଦୟ ଭାବରେ ମାରି ଦେବେ ଏବଂ ଯେଉଁ ଭାଗଚାଷୀମାନେ ତାଙ୍କୁ ଫଳ ତୋଳା ସମୟରେ ତାଙ୍କର ଭାଗ ଦେବେ, ସେମାନଙ୍କୁ ଅଙ୍ଗୁର କ୍ଷେତଟି ଭାଗରେ ଦେବେ।”
42ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଣ ଧର୍ମଶାସ୍ତ୍ରରେ ଏ କଥା କେବେ ପଢ଼ି ନାହଁ:
“ ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ,
ତାହା ପ୍ରଧାନ କୋଣପ୍ରସ୍ତର ହେଲା।
ଏହା ପ୍ରଭୁ ସାଧନ କରିଛନ୍ତି ଓ ଆମ ଦୃଷ୍ଟିରେ ଏହା ଅତି ଆଶ୍ଚର୍ଯ୍ୟଜନକ ବିଷୟ’?
43“ତେଣୁ ମୁଁ କହୁଛି ଯେ, ତୁମମାନଙ୍କ ନିକଟରୁ ଈଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ ଓ ଯେଉଁ ଜାତି ଫଳ ଉତ୍ପନ୍ନ କରିବ ତାକୁ ଦିଆଯିବ। 44ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, କିନ୍ତୁ ଯାହା ଉପରେ ଏହି ପ୍ରସ୍ତର ପଡ଼ିବ, ସେ ଚୂର୍ଣ୍ଣବିଚୂର୍ଣ୍ଣ ହେବ।”
45ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ଯେତେବେଳେ ଯୀଶୁଙ୍କର ଦୃଷ୍ଟାନ୍ତ-ଗକ୍ପଟି ଶୁଣିଲେ, ସେ ସେମାନଙ୍କ ବିଷୟରେ କହୁଥିଲେ ବୋଲି ଜାଣିପାରିଲେ। 46ସେମାନେ ତାଙ୍କୁ ଗିରଫ କରିବାକୁ ବାଟ ଖୋଜିଲେ, କିନ୍ତୁ ଲୋକମାନଙ୍କୁ ଭୟ କଲେ, କାରଣ ଲୋକେ ଯୀଶୁଙ୍କୁ ଜଣେ ଭାବବାଦୀ ବୋଲି ମାନୁଥିଲେ।
Currently Selected:
ମାଥିଉଲିଖିତ 21: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.