YouVersion Logo
Search Icon

ମାଥିଉଲିଖିତ 22

22
ବିବାହ ଭୋଜିର ଦୃଷ୍ଟାନ୍ତ-ଗଳ୍ପ
1ଯୀଶୁ ପୁନରର୍ବାର ଦୃଷ୍ଟାନ୍ତ-ଗଳ୍ପ ସାହାଯ୍ୟରେ ସେମାନଙ୍କୁ କହିଲେ, 2“ସ୍ଵର୍ଗରାଜ୍ୟ ଜଣେ ରାଜାଙ୍କ ସଦୃଶ, ଯେ କି ଆପଣା ପୁତ୍ରର ବିବାହୋତ୍ସବରେ ମହାଭୋଜିର ଆୟୋଜନ କଲେ। 3ଭୋଜିରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଡାକିବାକୁ ସେ ଆପଣା ଦାସମାନଙ୍କୁ ପଠାଇଲେ କିନ୍ତୁ ନିମନ୍ତ୍ରିତ ବ୍ୟକ୍ତିମାନେ ଯିବାକୁ ମନା କରିଦେଲେ।
4“ତା ପରେ ସେ ଅନ୍ୟ କେତେକ ଦାସଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ମୁଁ ଭୋଜି ପ୍ରସ୍ତୁତ କରିଛି, ବଳଦ ଓ ହୃଷ୍ଟପୁଷ୍ଟ ଗୋରୁ ମରାଯାଇଛି। ସବୁକିଛି ପ୍ରସ୍ତୁତ, ବିବାହ ଭୋଜିକୁ ଆସ।’
5“କିନ୍ତୁ ସେମାନେ ସେହି କଥାକୁ ଖାତିର କଲେ ନାହିଁ ଓ ଯେ ଯାହାର କାମକୁ ଚାଲିଗଲେ, କିଏ ତାହାର କ୍ଷେତକୁ ଗଲା, କିଏ ବା ତାହାର ବ୍ୟବସାୟ ଦେଖିବାକୁ ଗଲା। 6ବାକି ଅନ୍ୟମାନେ ତାଙ୍କର ଦାସମାନଙ୍କୁ ଧରି ଦୁର୍ବ୍ୟବହାର କଲେ ଓ ପ୍ରାଣରେ ମାରିଦେଲେ 7ରାଜା କ୍ରୋଧାନ୍ୱିତ ହେଲେ ସେ ସୈନ୍ୟ ପଠାଇ ହତ୍ୟାକାରୀମାନଙ୍କୁ ବିନାଶ କଲେ ଓ ସେମାନଙ୍କ ନଗର ଜାଳି ଦେଲେ।
8“ତତ୍ପରେ ସେ ତାଙ୍କର ଦାସମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ, କିନ୍ତୁ ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। 9ଏବେ ରାସ୍ତା ଛକମାନଙ୍କୁ ଯାଅ ଓ ଯେଉଁମାନଙ୍କୁ ଦେଖିବ, ସେମାନଙ୍କୁ ଭୋଜିକୁ ଡାକି ଆଣ।’ 10ଅତଏବ ଦାସମାନେ ରାସ୍ତାଗୁଡ଼ିକୁ ଯାଇ ଭଲ, ମନ୍ଦ, ଯେତେ ଲୋକଙ୍କୁ ପାଇଲେ, ସେମାନଙ୍କୁ ଏକାଠି କରି ଡାକି ଆଣିଲେ ଏବଂ ବିବାହଗୃହ ଅତିଥିମାନଙ୍କ ଦ୍ଵାରା ପୂର୍ଣ୍ଣ ହେଲା।
11“କିନ୍ତୁ ରାଜା ଯେତେବେଳେ ଅତିଥିମାନଙ୍କୁ ଦେଖିବାକୁ ଆସିଲେ, ସେଠାରେ ସେ ଜଣେ ଲୋକକୁ ଦେଖିଲେ, ଯେ କି ବିବାହ ପୋଷାକ ପିନ୍ଧି ନ ଥିଲା। 12ରାଜା ପଚାରିଲେ, ‘ବନ୍ଧୁ, ବିବାହ ପୋଷାକ ନ ପିନ୍ଧି ତୁମେ ଏଠାକୁ ଆସିଲ କିପରି?’ ଲୋକଟି ନିରୁତ୍ତର ହୋଇ ରହିଲା।
13“ତହୁଁ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ବାହାରେ, ଅନ୍ଧକାରରେ ପକାଇ ଦିଅ, ସେଠାରେ କ୍ରନ୍ଦନ ଓ ଦନ୍ତର କିଡ଼ିମିଡ଼ି ହେବ।’
14“କାରଣ ଅନେକେ ନିମନ୍ତ୍ରିତ, କିନ୍ତୁ ଅଳ୍ପ ମନୋନୀତ।”
ସମ୍ରାଟଙ୍କୁ ରାଜକର ଦେବା ସମ୍ବନ୍ଧରେ
15ଏହାପରେ ଫାରୂଶୀମାନେ ଯାଇ ଯୀଶୁଙ୍କ କଥାରୁ ଛିଦ୍ର ବାହାର କରି ତାଙ୍କୁ ଫାନ୍ଦରେ ପକାଇବାକୁ ମନ୍ତ୍ରଣା କଲେ 16ସେମାନେ ତାହାଙ୍କ ନିକଟକୁ ହେରୋଦୀୟ ଦଳର ଲୋକଙ୍କ ସଙ୍ଗେ ନିଜର ଶିଷ୍ୟମାନଙ୍କୁ ପଠାଇଲେ, ସେମାନେ ଯାଇ କହିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟପରାୟଣ ଓ ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। ଆପଣ ମନୁଷ୍ୟକୁ ଭୟ କରନ୍ତି ନାହିଁ, କାରଣ ଆପଣ ଲୋକଙ୍କର ପଦମର୍ଯ୍ୟାଦାକୁ ଖାତିରି କରନ୍ତି ନାହିଁ। 17ତେଣୁ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ, ଏ ବିଷୟରେ ଆପଣଙ୍କ ମତ କଣ ଆମକୁ କହନ୍ତୁ?”
18କିନ୍ତୁ ଯୀଶୁ ସେମାନଙ୍କ କୁଅଭିପ୍ରାୟ ବୁଝିପାରି କହିଲେ, “ହେ କପଟାଚାରୀମାନେ, ତୁମ୍ଭେମାନେ କାହିଁକି ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? 19କର ରୂପେ ଯେଉଁ ମୁଦ୍ରା ଦିଆଯାଉଛି, ତାହା ଆଣି ମୋତେ ଦେଖାଅ।” ସେମାନେ ତାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣି ଦେଲେ 20ସେ ସେମାନଙ୍କୁ ପଚାରିଲେ, “ଏଥିରେ କାହାର ପ୍ରତିକୃତି ଏବଂ କାହାର ନାମ ରହିଛି?”
21ସେମାନେ ଉତ୍ତର ଦେଲେ, “କାଇସରଙ୍କର।”
ତା ପରେ ସେ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର ତାହା ଈଶ୍ୱରଙ୍କୁ ଦିଅ।”
22ତାହା ଶୁଣି ସେମାନେ ଆଚମ୍ବିତ ହୋଇଗଲେ ଏବଂ ତାଙ୍କୁ ଛାଡ଼ି ଚାଲିଗଲେ।
ପୁନରୁତ୍ଥାନ ପରେ ବିବାହର ସନ୍ଦେହମୋଚନ
23ପୁନରୁତ୍ଥାନ ନାହିଁ ବୋଲି ଯେଉଁମାନେ କହନ୍ତି, ଏପରି ସାଦ୍ଦୂକୀଦଳର ଲୋକେ ସେହିଦିନ ଏକ ପ୍ରଶ୍ନ ନେଇ ତାଙ୍କ ନିକଟକୁ ଆସିଲେ 24ସେମାନେ କହିଲେ, “ଗୁରୁ, ମୋଶା କହିଛନ୍ତି, କୌଣସି ଲୋକ ଯେବେ ନିଃସନ୍ତାନ ହୋଇ ମରିଯାଏ, ତେବେ ତାହାର ଭାଇ ସେହି ବିଧବା ସ୍ତ୍ରୀକୁ ବିବାହ କରିବ ଓ ଭାଇର ବଂଶ ରକ୍ଷା କରିବ। 25ଆମ ମଧ୍ୟରେ ସାତ ଭାଇ ଥିଲେ ପ୍ରଥମ ଜଣକ ବିବାହ କରି ମରିଗଲା। ତାହାର ସନ୍ତାନ ନ ଥିବାରୁ ସେ ତାହାର ଭାଇ ପାଇଁ ନିଜ ପତ୍ନୀକୁ ଛାଡ଼ିଗଲା। 26ଦ୍ୱିତୀୟ ଭାଇ, ତୃତୀୟ ଭାଇ, ଏପରିକି ସପ୍ତମ ଭାଇ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ କ୍ଷେତ୍ରରେ ତାହା ହିଁ ଘଟିଲା। 27ଅବଶେଷରେ ସେହି ସ୍ତ୍ରୀଟି ମଲା। 28ଏବେ କହନ୍ତୁ, ପୁନରୁତ୍ଥାନ ସମୟରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ପତ୍ନୀ ହେବ, କାରଣ ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ?”
29ଯୀଶୁ କହିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ର କିମ୍ବା ଈଶ୍ୱରଙ୍କ ଶକ୍ତି ବିଷୟରେ ଅଜ୍ଞ ହୋଇଥିବାରୁ ଭ୍ରମରେ ପଡ଼ୁଛ! 30କାରଣ ପୁନରୁତ୍ଥାନରେ ଲୋକେ ବିବାହ କରିବେ ନାହିଁ, କିମ୍ବା ସେମାନଙ୍କୁ ବିବାହ ଦିଆଯିବ ନାହିଁ ସେମାନେ ସ୍ଵର୍ଗରେ ଦୂତମାନଙ୍କ ପରି ହେବେ। 31କିନ୍ତୁ ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଛନ୍ତି, ତାହା କଣ କେବେ ପଢ଼ି ନାହଁ? 32ସେ କହିଛନ୍ତି ‘ମୁଁ ଅବ୍ରହାମର ଈଶ୍ୱର, ଇସ୍‌ହାକର ଈଶ୍ୱର ଓ ଯାକୁବର ଈଶ୍ୱର ଅଟେ,’ ସେ ମୃତମାନଙ୍କ ଈଶ୍ୱର ନୁହନ୍ତି, ସେ ଜୀବିତମାନଙ୍କ ଈଶ୍ୱର।”
33ଜନସମୂହ ତାହା ଶୁଣି, ତାଙ୍କ ଶିକ୍ଷାରେ ଆବାକ ହେଇ ଚମକି ପଡିଲେ।
କେଉଁଟି ଶ୍ରେଷ୍ଠ ଆଜ୍ଞା
34କିନ୍ତୁ ଫାରୂଶୀମାନେ ଯେତେବେଳେ ଶୁଣିଲେ ଯେ, ଯୀଶୁ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଛନ୍ତି, ସେମାନେ ଦଳବଦ୍ଧ ହୋଇ ଆସିଲେ 35ସେମାନଙ୍କ ମଧ୍ୟରୁ ଜଣେ ଶାସ୍ତ୍ରବିଶାରଦ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ଏହି ପ୍ରଶ୍ନ ପଚାରିଲେ: 36“ଗୁରୁ, ବିଧିବ୍ୟବସ୍ଥାରେ କେଉଁ ଆଜ୍ଞାଟି ଶ୍ରେଷ୍ଠ?”
37ଯୀଶୁ ଉତ୍ତର ଦେଲେ, “ତୁମେ ନିଜର ପୂର୍ଣ୍ଣ ହୄଦୟରେ, ପୂର୍ଣ୍ଣ ପ୍ରାଣରେ ଓ ପୂର୍ଣ୍ଣ ମନରେ ତୁମର ପ୍ରଭୁ ଈଶ୍ୱରଙ୍କୁ ପ୍ରେମ କର। 38ଏହା ହିଁ ପ୍ରଥମ ଓ ପ୍ରଧାନ ଆଜ୍ଞା। 39ଦ୍ୱିତୀୟ ଆଜ୍ଞାଟି ତଦନୁରୂପ, ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। 40ସମସ୍ତ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ବାଣୀ ଏହି ଦୁଇ ଆଜ୍ଞା ଉପରେ ଆଧାରିତ।”
ମସୀହ କାହାର ସନ୍ତାନ
41ଫାରୂଶୀମାନେ ସେଠାରେ ସମବେତ ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, 42“ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ତୁମ୍ଭେମାନେ କଣ ମନେକର? ସେ କାହାର ସନ୍ତାନ?”
ସେମାନେ ଉତ୍ତର ଦେଲେ। “ସେ ଦାଉଦଙ୍କ ସନ୍ତାନ।”
43ଯୀଶୁ ପଚାରିଲେ, “ତେବେ, ଦାଉଦ ଆତ୍ମାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ କାହିଁକି ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିଛନ୍ତି? କାରଣ ସେ କହନ୍ତି,
44“ ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
“ମୁଁ ତୁମ୍ଭର ଶତ୍ରୁମାନଙ୍କୁ,
ତୁମ୍ଭର ପଦାନତ ନ କରିବା ପର୍ଯ୍ୟନ୍ତ
ତୁମ୍ଭେ ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ।” ’
45ଦାଉଦ ଯଦି ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରନ୍ତି, ତେବେ ସେ କିପରି ତାଙ୍କର ସନ୍ତାନ ହୋଇପାରନ୍ତି?” 46ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପଦେ ଉତ୍ତର ଦେଇପାରିଲେ ନାହିଁ ଏବଂ ସେହି ଦିନଠାରୁ କେହି ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in