YouVersion Logo
Search Icon

ଲୂକ 4

4
ଯୀଶୁଙ୍କ ପ୍ରତି ପ୍ରଲୋଭନ
1ଯୀଶୁ, ପବିତ୍ରଆତ୍ମରେ ପୂର୍ଣ୍ଣ ହୋଇ, ଯର୍ଦ୍ଦନରୁ ବାହୁଡ଼ି ଆସିଲେ ଓ ଆତ୍ମାଙ୍କ ଚାଳନାରେ ମରୁପ୍ରାନ୍ତରକୁ ଗଲେ, 2ସେଠାରେ ସେ ଶୟତାନଦ୍ଵାରା ଚାଳିଶ ଦିନ ପର୍ଯ୍ୟନ୍ତ ପରୀକ୍ଷିତ ହୋଇଥିଲେ। ସେହି ଦିନମାନଙ୍କରେ ସେ କିଛି ହିଁ ଭୋଜନ କଲେ ନାହିଁ, ଓ ପରିଶେଷରେ କ୍ଷୁଧିତ ହେଲେ।
3ତହୁଁ ଶୟତାନ ତାଙ୍କୁ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା କର।”
4କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏହା ଲେଖାଅଛି: ‘ମନୁଷ୍ୟ କେବଳ ରୋଟୀରେ ବଞ୍ଚେ ନାହିଁ।’ ”
5ତତ୍ପରେ ଶୟତାନ ତାଙ୍କୁ ଏକ ଉଚ୍ଚ ସ୍ଥାନକୁ ନେଇ ମୁହୂର୍ତ୍ତକ ମଧ୍ୟରେ ଜଗତର ସମସ୍ତ ରାଜ୍ୟ ଦେଖାଇଲା। 6ସେ ତାହାଙ୍କୁ କହିଲା, “ମୁଁ ତୁମକୁ ଏହିସବୁର କ୍ଷମତା ଓ ଐଶ୍ୱର୍ଯ୍ୟ ଦେବି; କାରଣ ଏହା ମୋତେ ଦତ୍ତ ହୋଇଛି, ଏବଂ ଯାହାକୁ ଇଚ୍ଛା ତାହାକୁ ମୁଁ ଏହା ଦେଇପାରେ। 7ଅତଏବ ତୁମେ ଯେବେ ମୋର ଆରାଧନା କରିବ, ତେବେ ଏସମସ୍ତ ତୁମର ହେବ।”
8ଯୀଶୁ ଉତ୍ତର ଦେଲେ, “ଏହା ଲେଖାଅଛି: ‘ତୁମେ ତୁମର ପ୍ରଭୁ ଈଶ୍ୱରଙ୍କର ଆରାଧନା କର ଓ କେବଳ ତାହାଙ୍କର ସେବା କର।’ ”
9ତତ୍ପରେ ଶୟତାନ ତାଙ୍କୁ ଯିରୂଶାଲମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ଠିଆ କରାଇ କହିଲା। “ତୁମେ ଯଦି ଈଶ୍ୱରଙ୍କ ପୁତ୍ର,” ତେବେ, “ଏଠାରୁ ତଳକୁ ଡେଇଁପଡ଼। 10କାରଣ ଏହା ଲେଖାଅଛି:
“ ‘ତୁମକୁ ରକ୍ଷା କରିବା ନିମନ୍ତେ
ଈଶ୍ୱର ଆପଣା ଦୂତମାନଙ୍କୁ ଆଜ୍ଞା ଦେବେ;
11ପୁଣି ତୁମର ପାଦ ଯେପରି ପଥରରେ ନ ବାଜେ,
ଏଥିପାଇଁ ସେମାନେ ତୁମକୁ ହାତରେ ତୋଳି ଧରିବେ।’ ”
12ଯୀଶୁ ଉତ୍ତର ଦେଲେ, “ଏହା ଉକ୍ତ ଅଛି: ‘ତୁମେ ତୁମର ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’ ”
13ଏହିସମସ୍ତ ପରୀକ୍ଷା ଶେଷ କରିବାପରେ, ଶୟତାନ ଆଉ ଏକ ସୁବିଧାଜନକ ସମୟ ନ ପାଇବା ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ
14ଏହାପରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଏବଂ ତାଙ୍କର ଖ୍ୟାତି ସେହି ଅଞ୍ଚଳସାରା ବ୍ୟାପିଗଲା। 15ସେ ସେମାନଙ୍କ ଉପାସନାଗୃହଗୁଡ଼ିକରେ ଶିକ୍ଷା ଦେଲେ, ଓ ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ।
ନାଜରିତ ଉପାସନାଗୃହରେ ଯୀଶୁ
16ଯେଉଁ ନାଜରିତରେ ଯୀଶୁ ବଢ଼ିଥିଲେ, ସେଠାକୁ ସେ ଗଲେ, ଏବଂ ତାଙ୍କର ରୀତି ଅନୁସାରେ। ଶାବତବାରରେ#4:16 କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି ଉପାସନାଗୃହକୁ ଯାଇ, ଶାସ୍ତ୍ର ପାଠ କରିବାକୁ ଠିଆ ହେଲେ, 17ଭାବବାଦୀ ଯିଶାଇୟଙ୍କ ପୁସ୍ତକ ତାହାଙ୍କ ହସ୍ତରେ ଦିଆଗଲା। ତାହା ସେ ଫିଟାଇ, ଯେଉଁଠାରେ ଏହି ଅଂଶ ଲିଖିତ ଅଛି, ତାହା ପାଇଲେ:
18“ପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ,
ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ।
ସେ ମୋତେ ଅଭିଷିକ୍ତ କରିଛନ୍ତି,
ବନ୍ଦୀମାନଙ୍କ ନିକଟରେ ମୁକ୍ତି ବିଷୟ
ଓ ଅନ୍ଧମାନଙ୍କର ଦୃଷ୍ଟିଶକ୍ତି ଲାଭ ବିଷୟ ଘୋଷଣା କରିବାକୁ,
ଅତ୍ୟାଚାରିତ ଲୋକଙ୍କୁ ଉଦ୍ଧାର କରିବାକୁ ପୁଣି,
19ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଛନ୍ତି।”
20ତତ୍ପରେ ସେ ପୁସ୍ତକ ବନ୍ଦ କଲେ, ଓ ପରିଚାରକକୁ ଫେରାଇ ଦେଇ ବସିଲେ। ଉପାସନାଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ନିବଦ୍ଧ ରହିଲା। 21ପୁଣି ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମମାନଙ୍କ କର୍ଣ୍ଣଗୋଚରରେ ଆଜି ସଫଳ ହୋଇଛି।”
22ସମସ୍ତେ ତାହାଙ୍କର ଗୁଣଗାନ କଲେ ଓ ତାହାଙ୍କର ମୁଖନିଃସୃତ କରୁଣାଭରା ବାକ୍ୟରେ ଚମତ୍କୃତ ହେଲେ। ସେମାନେ ପଚାରିଲେ। “ଏ କଅଣ ଯୋସେଫର ପୁଅ ନୁହନ୍ତି?”
23ଯୀଶୁ ସେମାନଙ୍କୁ କହିଲେ, “ତୁମେମାନେ ନିଶ୍ଚୟ ଏହି ପ୍ରବାଦଟି ଉଦ୍ଧୃତ କରି ମୋତେ କହିବ: ‘ହେ ଚିକିତ୍ସକ, ନିଜକୁ ଆରୋଗ୍ୟ କର!’ ତୁମେ କଫର୍ନାହୁମରେ ଯେଉଁସବୁ କାର୍ଯ୍ୟ କରିଛ ବୋଲି ଆମେ ଶୁଣିଛୁ, ‘ସେସମସ୍ତେ ନିଜ ପୈତୃକ ସହରରେ ମଧ୍ୟ କର।’ ”
24ସେ ଆହୁରି ମଧ୍ୟ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, କୌଣସି ଭାବବାଦୀ ନିଜ ପୈତୃକ ସହରରେ ଆଦୃତ ହୁଏ ନାହିଁ। 25ମୁଁ ସତ କହୁଛି ଏଲିୟଙ୍କ ସମୟରେ ସାଢ଼େ ତିନି ବର୍ଷ ଧରି ଅନାବୃଷ୍ଟି ଯୋଗୁ, ଯେତେବେଳେ ସମଗ୍ର ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲ ଦେଶରେ ଅନେକ ବିଧବା ଥିଲେ। 26ଅଥଚ ଏଲିୟ ସେମାନଙ୍କ ମଧ୍ୟରୁ କାହାରି ନିକଟକୁ ପ୍ରେରିତ ନ ହୋଇ, ସୀଦୋନ ଅଞ୍ଚଳର ସାରେଫତ୍ ସହରରେ ବାସ କରୁଥିବା ଜଣେ ବିଧବା ନିକଟକୁ ପ୍ରେରିତ ହୋଇଥିଲେ। 27ପୁଣି ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ, ଅଥଚ ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶୁଚି ହୋଇ ନ ଥିଲେ, କେବଳ ସିରିଆ ଦେଶର ନାମାନ୍ ଶୁଚି ହୋଇଥିଲେ।”
28ଉପାସନାଗୃହରେ ଯେତେ ଲୋକ ଥିଲେ ସେମାନେ ଏହିସବୁ କଥା ଶୁଣି କ୍ରୋଧାନ୍ଧ ହେଲେ। 29ସେମାନେ ଉଠି, ତାଙ୍କୁ ସହର ବାହାରକୁ ନେଇଗଲେ, ଓ ସେମାନଙ୍କ ସହର ଯେଉଁ ପାହାଡ଼ ଉପରେ ଅବସ୍ଥିତ, ତା ଉପରୁ ତଳେ ପକାଇଦେବା ନିମନ୍ତେ ତାଙ୍କୁ ତହିଁର ତିଖସ୍ଥାନକୁ ଧରି ନେଇଗଲେ। 30କିନ୍ତୁ ସେ ଲୋକଗହଳି ମଧ୍ୟଦେଇ ଚାଲିଗଲେ।
ଭୂତାବିଷ୍ଟ ଲୋକ ସୁସ୍ଥ ହେଲା
31ତତ୍ପରେ ସେ ଗାଲିଲୀର, କଫର୍ନାହୁମ ସହରକୁ ଗଲେ, ଓ ଶାବତବାରରେ ଲୋକମାନଙ୍କୁ ଶିକ୍ଷାଦେବାକୁ ଲାଗିଲେ। 32ସେମାନେ ତାହାଙ୍କ ଶିକ୍ଷାରେ ଚମତ୍କୃତ ହେଲେ, କାରଣ ତାହାଙ୍କ ଶିକ୍ଷା କ୍ଷମତାଯୁକ୍ତ ଥିଲା।
33ଉପାସନାଗୃହରେ ଜଣେ ଅଶୁଚି ଆତ୍ମାରେ ଆକ୍ରାନ୍ତ, ଭୂତାବିଷ୍ଟ ଲୋକ ଥିଲା। ସେ ଉଚ୍ଚସ୍ଵରରେ ଚିତ୍କାର କରି କହିଲା, 34“ହେ ନାଜରିତର ଯୀଶୁ! ଆମ ସହିତ ତୁମର କଣ ଅଛି? ତୁମେ କଣ ଆମର ବିନାଶ ସାଧନ କରିବାକୁ ଆସିଛ? ତୁମେ କିଏ, ମୁଁ ଜାଣେ ତୁମେ ଈଶ୍ୱରଙ୍କ ପବିତ୍ର ଜନ!”
35ଯୀଶୁ ତାକୁ ଧମକ ଦେଇ କହିଲେ। “ଚୁପ୍ ରହ! ଏହାଠାରୁ ବାହାରି ଯା!” ତହୁଁ ସେହି ଭୂତାତ୍ମା ଲୋକମାନଙ୍କ ସମ୍ମୁଖରେ ତାକୁ ତଳେ ପକାଇ ଦେଲା ଓ ତାହାର କ୍ଷତି ନ କରି ବାହାରିଗଲା।
36ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, “ଏ କି ପ୍ରକାର କଥା? ସେ କ୍ଷମତା ଓ ଶକ୍ତିରେ ଭୂତାତ୍ମାମାନଙ୍କୁ ଆଦେଶ ଦିଅନ୍ତି ଓ ସେମାନେ ବାହାରି ଯାଆନ୍ତି!” 37ତାଙ୍କର ଖ୍ୟାତି ସେହି ଅଞ୍ଚଳର ଚାରିଆଡ଼େ ବ୍ୟାପିଗଲା।
ଯୀଶୁ ଅନେକଙ୍କୁ ସୁସ୍ଥ କଲେ
38ଯୀଶୁ ଉପାସନାଗୃହରୁ ବାହାରି ଶିମୋନଙ୍କ ଗୃହକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଓ ତାଙ୍କ ପାଇଁ ସେମାନେ ଯୀଶୁଙ୍କୁ ଅନୁରୋଧ କଲେ। 39ଯୀଶୁ ତାଙ୍କ ନିକଟରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଓ ଜ୍ୱର ଛାଡ଼ିଗଲା। ସେ ସେହିକ୍ଷଣି ଉଠି ସେମାନଙ୍କ ପରିଚର୍ଯ୍ୟା କଲେ।
40ସୂର୍ଯ୍ୟ ଅସ୍ତମିତ ହେଉଥିବା ସମୟରେ, ଲୋକେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ, ଏବଂ ସେ ପ୍ରତ୍ୟେକଙ୍କ ଉପରେ ହାତ ରଖି, ସୁସ୍ଥ କଲେ। 41ଆହୁରି ମଧ୍ୟ ଭୂତାତ୍ମାମାନେ “ତୁମେ ଈଶ୍ୱରଙ୍କ ପୁତ୍ର ବୋଲି!” ଚିତ୍କାର କରୁ କରୁ ବାହାରିଗଲେ, ମାତ୍ର ସେ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଅନୁମତି ଦେଲେ ନାହିଁ, କାରଣ ସେ ଖ୍ରୀଷ୍ଟ ବୋଲି ସେମାନେ ଜାଣିଥିଲେ।
42ସକାଳ ହେବାରୁ, ଯୀଶୁ ଏକ ନିର୍ଜ୍ଜନ ସ୍ଥାନକୁ ବାହାରିଗଲେ। ଲୋକମାନେ ତାଙ୍କୁ ଖୋଜି ଖୋଜି ଯେତେବେଳେ ତାହାଙ୍କ ନିକଟକୁ ଆସିଲେ, ସେ ଯେପରି ସେମାନଙ୍କୁ ଛାଡ଼ି ଚାଲି ନ ଯାଆନ୍ତି ଏଥିପାଇଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ। 43କିନ୍ତୁ ସେ କହିଲେ, “ଈଶ୍ୱରଙ୍କ ରାଜ୍ୟର ସୁସମାଚାର ମୋତେ ଅନ୍ୟାନ୍ୟ ସହରରେ ମଧ୍ୟ ପ୍ରଚାର କରିବାକୁ ହେବ, କାରଣ ମୁଁ ସେଥିପାଇଁ ପ୍ରେରିତ ହୋଇଛି।” 44ସେ ଯିହୁଦା ପ୍ରଦେଶରେ ଉପାସନାଗୃହମାନଙ୍କରେ ପ୍ରଚାର କଲେ।

Currently Selected:

ଲୂକ 4: OCB

Highlight

Copy

Compare

Share

None

Want to have your highlights saved across all your devices? Sign up or sign in