ଲୂକ 3
3
ଡୁବକ ଯୋହନଙ୍କ ଦ୍ଵାରା ପଥ ପ୍ରସ୍ତୁତି
1ଟାଇବିରିୟସ୍ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ ଯେତେବେଳେ ପନ୍ତୀୟ ପୀଲାତ ଯିହୁଦାଦେଶର ରାଜ୍ୟପାଳ ଥିଲେ, ହେରୋଦ ଗାଲିଲୀର ସାମନ୍ତରାଜା, ତାଙ୍କ ଭାଇ ଫିଲିପ ଇଟୁରିୟା ଓ ଟ୍ରାକୋନୀଟିସ୍ର, ଏବଂ ଲିସାନିୟସ୍ ଅବିଲିନୀର ସାମନ୍ତରାଜା ଥିଲେ, 2ପୁଣି, ହାନାନ୍ ଓ କୟାଫା ମହାଯାଜକ ଥିଲେ ସେହି ସମୟରେ, ଜିଖରିୟଙ୍କ ପୁତ୍ର ଯୋହନ ମରୁପ୍ରାନ୍ତରରେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇଲେ। 3ଯୋହନ ଯର୍ଦ୍ଦନ ନଦୀର ଚତୁର୍ଦ୍ଦିଗସ୍ଥ ଅଞ୍ଚଳକୁ ଯାଇ, ପାପକ୍ଷମା ନିମନ୍ତେ ଅନୁତାପର ଡୁବନ ବିଷୟରେ ଘୋଷଣା କଲେ। 4ଏହା ହିଁ ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:
“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।
5ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ,
ପ୍ରତ୍ୟେକ ପାହାଡ଼ପର୍ବତ ସମତଳ ଭୂମି କରାଯିବ।
ବଙ୍କା ରାସ୍ତା ସବୁ ସଳଖ ହେବ,
ଓ ଅସମତଳ ଭୂମି ସମତଳ ହେବ।
6ପୁଣି ସମଗ୍ର ମନୁଷ୍ୟଜାତି ଈଶ୍ୱରଙ୍କ ପରିତ୍ରାଣ ଦେଖିବେ।’ ”
7ତାଙ୍କ ଦ୍ଵାରା ଡୁବନ ଗ୍ରହଣ କରିବାକୁ ଆସୁଥିବା ଲୋକମାନଙ୍କୁ ଯୋହନ କହିଲେ, “ରେ କାଳସର୍ପର ବଂଶ! ଆଗାମୀ କ୍ରୋଧରୁ ପଳାଇବାକୁ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? 8ଅନୁତାପର ନିଦର୍ଶନ ସ୍ଵରୂପ ଫଳ ଉତ୍ପନ୍ନ କର। ପୁଣି ମନେ ମନେ ନିଜକୁ କୁହ ନାହିଁ, ‘ଅବ୍ରହାମ ତ ଆମର ପିତୃପୁରୁଷ।’ କାରଣ ମୁଁ ତୁମ୍ଭମାନଙ୍କୁ କହୁଛି ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ବଂଶ ଉତ୍ପନ୍ନ କରିପାରନ୍ତି। 9ବର୍ତ୍ତମାନ ସୁଦ୍ଧା କୁରାଢ଼ି ଗଛଗୁଡ଼ିକ ମୂଳରେ ଲଗା ହୋଇରହିଛି, ଯେଉଁ ଗଛଗୁଡ଼ିକ ସୁଫଳ ଉତ୍ପନ୍ନ କରୁ ନାହିଁ, ସେହିସବୁ ହଣା ହୋଇ ନିଆଁରେ ପକାଯିବ।”
10ଲୋକମାନେ ପଚାରିଲେ। “ତେବେ ଆମକୁ କଣ କରିବାକୁ ହେବ?”
11ଯୋହନ ଉତ୍ତର ଦେଲେ, “ଯେଉଁ ଲୋକର ଦୁଇଟି ଜାମା ଅଛି, ସେ କିଛି ନ ଥିବା ଲୋକକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।”
12କରଆଦାୟକାରୀମାନେ ମଧ୍ୟ ଡୁବନ ନେବାକୁ ଆସି, ପଚାରିଲେ। “ଗୁରୁ” ଆମକୁ କଅଣ କରିବାକୁ ହେବ?
13ଯୋହନ ସେମାନଙ୍କୁ କହିଲେ “ଯେତିକି ଧାର୍ଯ୍ୟ କରାଯାଇଛି,” ତା ଠାରୁ ଅଧିକ ଆଦାୟ କର ନାହିଁ।
14ତା ପରେ କେତେକ ସୈନିକ ପଚାରିଲେ, “ଆମକୁ କଣ କରିବାକୁ ହେବ?”
ସେ ଉତ୍ତର ଦେଲେ, “ଜୋର-ଜୁଲମ କରି ଟଙ୍କା ଆଦାୟ କର ନାହିଁ ଓ ଲୋକମାନଙ୍କୁ ମିଥ୍ୟାରେ ଅଭିଯୁକ୍ତ କର ନାହିଁ ନିଜ ନିଜ ବେତନରେ ସନ୍ତୁଷ୍ଟ ରୁହ।”
15ଲୋକେ ଖ୍ରୀଷ୍ଟଙ୍କ ଆଗମନ ବଡ଼ ଆଗ୍ରହରେ ଅପେକ୍ଷା କରୁଥିଲେ ଓ ସମ୍ଭବତଃ ଯୋହନ ଖ୍ରୀଷ୍ଟ ହୋଇଥିବେ ବୋଲି ମନେ ମନେ ଚିନ୍ତା କରୁଥିଲେ। 16ତେଣୁ ଯୋହନ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ଜଳରେ ଡୁବନ ଦେଉଛି। କିନ୍ତୁ ଯେ ମୋ ଠାରୁ ଅଧିକ ଶକ୍ତିମାନ ଏପରି ଜଣେ ଆସୁଛନ୍ତି, ତାହାଙ୍କ ପାଦୁକାର ଫିତା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନିରେ ଡୁବନ ଦେବେ। 17ତାହାଙ୍କ ହାତରେ କୁଲା ଅଛି, ସେ ନିଜର ଖଳା ପରିଷ୍କାର କରି ସେ ଗହମକୁ ସଂଗ୍ରହ କରି ନିଜ ଅମାରରେ ରଖିବେ, ଓ ଅଗାଡ଼ିଯାକ ଚିରପ୍ରଜ୍ୱଳିତ ଅଗ୍ନିରେ ପୋଡ଼ି ପକାଇବେ।” 18ଯୋହନ ଲୋକମାନଙ୍କୁ ଅନ୍ୟାନ୍ୟ ଅନେକ ଉତ୍ସାହବାଣୀ ଦେଇ ଶୁଭବାର୍ତ୍ତା ପ୍ରଚାର କଲେ।
19କିନ୍ତୁ ଯୋହନ ଯେତେବେଳେ ସାମନ୍ତରାଜା ହେରୋଦଙ୍କୁ, ତାଙ୍କ ଭାଇଙ୍କ ଭାର୍ଯ୍ୟା, ହେରୋଦିୟାଙ୍କ ସହିତ ବାସ କରିବା ବିଷୟରେ ଏବଂ ସେ କରିଥିବା ଅନ୍ୟ ସମସ୍ତ ଦୁଷ୍କର୍ମ ବିଷୟରେ ଭତ୍ସନା କଲେ, 20ହେରୋଦ ଯୋହନଙ୍କୁ କାରାରୁଦ୍ଧ କରି ନିଜର ସବୁ ଦୁଷ୍କର୍ମ ସହିତ ଏହି ଗୋଟିକ ମଧ୍ୟ ଯୋଗ କଲେ।
ଯୀଶୁଙ୍କର ଡୁବନ ଓ ଯୀଶୁଙ୍କର ବଂଶାବଳୀ
21ଲୋକସମସ୍ତେ ଡୁବିତ ହେଉଥିବା ବେଳେ, ଯୀଶୁ ମଧ୍ୟ ଡୁବନ ନେଲେ। ସେ ପ୍ରାର୍ଥନା କରୁ କରୁ, ଆକାଶ ଉନ୍ମୁକ୍ତ ହେଲା 22ପୁଣି ପବିତ୍ରଆତ୍ମା ଦୈହିକଭାବେ କପୋତ ପରି ତାହାଙ୍କ ଉପରେ ଅବତରଣ କଲେ। ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା: “ତୁମେ ମୋର, ପ୍ରିୟ ପୁତ୍ର; ତୁମଠାରେ ମୁଁ ପରମପ୍ରୀତ।”
23ଯୀଶୁ ସେବାକାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ଯୀଶୁ ଲୋକଙ୍କ ଧାରଣା ଅନୁସାରେ, ଯୋସେଫଙ୍କ, ପୁତ୍ର ଥିଲେ,
ଯୋସେଫ ହେଲୀଙ୍କ ପୁତ୍ର ଥିଲେ, 24ହେଲୀ ମତ୍ତାତଙ୍କ ପୁତ୍ର,
ମତ୍ତାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର,
ମଲ୍ଖୀ ଜାନାଇଙ୍କ ପୁତ୍ର, ଜାନାଇ ଯୋସେଫଙ୍କ ପୁତ୍ର,
25ଯୋସେଫ ମତ୍ତଥୀୟଙ୍କ ପୁତ୍ର, ମତ୍ତଥୀୟ ଆମୋଷଙ୍କ ପୁତ୍ର,
ଆମୋଷ ନାହୁମଙ୍କ ପୁତ୍ର, ନାହୁମ ଏସ୍ଲୀଙ୍କ ପୁତ୍ର,
ଏସ୍ଲୀ ନାଗୟଙ୍କ ପୁତ୍ର, 26ନାଗୟ ମଆଥ୍ଙ୍କ ପୁତ୍ର,
ମଆଥ୍ ମତ୍ତଥୀୟଙ୍କ ପୁତ୍ର, ମତ୍ତଥୀୟ ଶିମୟିନଙ୍କ ପୁତ୍ର,
ଶିମୟିନଙ୍କ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
27ଯୋଦା ଯୋଆନାନ୍ଙ୍କ ପୁତ୍ର, ଯୋଆନାନ୍ ରେଷାଙ୍କ ପୁତ୍ର,
ରେଷା ଯେରୁବାବେଲଙ୍କ ପୁତ୍ର, ଯେରୁବାବେଲ ଶେଲଟିୟେଲଙ୍କ ପୁତ୍ର,
ଶେଲଟିୟେଲ ନେରୀଙ୍କ ପୁତ୍ର, 28ନେରୀ ମେଲଖୀଙ୍କ ପୁତ୍ର,
ମେଲଖୀ ଅଦ୍ଦୀଙ୍କ, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲମାଦମଙ୍କ ପୁତ୍ର,
ଏଲମାଦମ ଏରଙ୍କ ପୁତ୍ର,
29ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର,
ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ତାତଙ୍କ ପୁତ୍ର,
ମତ୍ତାତ ଲେବୀଙ୍କ ପୁତ୍ର, 30ଲେବୀ ଶିମିୟୋନଙ୍କ ପୁତ୍ର,
ଶିମିୟୋନ ଯିହୁଦାଙ୍କ ପୁତ୍ର, ଯିହୁଦା ଯୋସେଫଙ୍କ ପୁତ୍ର,
ଯୋସେଫ ଯୋନାମଙ୍କ ପୁତ୍ର, ଯୋନାମ ଇଲିୟାକୀଙ୍କ ପୁତ୍ର,
31ଇଲିୟାକୀମ ମେଲିୟାଙ୍କ ପୁତ୍ର, ମେଲିୟା ମନ୍ନାଙ୍କ ପୁତ୍ର,
ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର,
ନାଥନ ଦାଉଦଙ୍କ ପୁତ୍ର, 32ଦାଉଦ ଯିଶିଙ୍କ ପୁତ୍ର,
ଯିଶି ଓବେଦଙ୍କ ପୁତ୍ର, ଓବେଦ ବୋୟାଜଙ୍କ ପୁତ୍ର,
ବୋୟାଜ ସଲ୍ମନଙ୍କ ପୁତ୍ର, ସଲ୍ମନ ନହଶୋନଙ୍କ ପୁତ୍ର,
33ନହଶୋନ ଅମ୍ମିନାଦାବଙ୍କ ପୁତ୍ର, ଅମ୍ମିନାଦାବ ଅଦ୍ମିନଙ୍କ ପୁତ୍ର,
ଅଦ୍ମିନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେଜ୍ରୋଣଙ୍କ ପୁତ୍ର, ହେଜ୍ରୋଣ ପେରେଜଙ୍କ ପୁତ୍ର,
ପେରେଜ ଯିହୁଦାଙ୍କ ପୁତ୍ର, 34ଯିହୁଦା ଯାକୁବଙ୍କ ପୁତ୍ର,
ଯାକୁବ ଇସ୍ହାକଙ୍କ ପୁତ୍ର, ଇସ୍ହାକ୍ ଅବ୍ରହାମଙ୍କ ପୁତ୍ର,
ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
35ନାହୋର ସେରୁଗଙ୍କ ପୁତ୍ର, ସେରୁଗ ରିୟୁଙ୍କ ପୁତ୍ର,
ରିୟୁ ପେଲେଗଙ୍କ ପୁତ୍ର, ପେଲେଗ ଏବରଙ୍କ ପୁତ୍ର,
ଏବର ଶେଲାହଙ୍କ ପୁତ୍ର, 36ଶେଲାହ କେନାନଙ୍କ ପୁତ୍ର,
କେନାନ ଅର୍ଫକ୍ସଦଙ୍କ ପୁତ୍ର, ଅର୍ଫକସଦ୍ ଶେମଙ୍କ ପୁତ୍ର,
ଶେମ ନୋହଙ୍କ ପୁତ୍ର, ନୋହ ଲାମେକଙ୍କ ପୁତ୍ର,
37ଲାମେକ ମେଥୁଶେଲହଙ୍କ ପୁତ୍ର, ମେଥୁଶେଲହ ହନୋକଙ୍କ ପୁତ୍ର,
ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲେଲଙ୍କ ପୁତ୍ର,
ମହାଲାଲେଲ କେନାନଙ୍କ ପୁତ୍ର, 38କେନାନ ଇନୋଶଙ୍କ ପୁତ୍ର,
ଇନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର,
ଆଦମ ଈଶ୍ୱରଙ୍କ ପୁତ୍ର।
Currently Selected:
ଲୂକ 3: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.