ଲୂକ 5
5
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ
1ଦିନେ ଯୀଶୁ ଗିନେସରତ୍ ହ୍ରଦକୂଳରେ ଠିଆ ହୋଇଥିଲେ ଏବଂ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ତାଙ୍କ ଚାରିଆଡ଼େ ବହୁତ ଲୋକ ମାଡ଼ି ପଡ଼ୁଥିଲେ। 2ସେତେବେଳେ କୂଳରେ ଦୁଇଟି ନୌକା ଥିବାର ସେ ଲକ୍ଷ୍ୟ କଲେ, ଧୀବରମାନେ ନୌକା ଛାଡ଼ି, ଜାଲ ଧୋଉଥିଲେ। 3ସେ ତହିଁ ମଧ୍ୟରୁ ଗୋଟିକରେ ଚଢ଼ିଲେ, ତାହା ଶିମୋନଙ୍କର ଥିଲା ଏବଂ କୂଳରୁ ଟିକେ ଦୂରକୁ ଠେଲି ଦେବାକୁ ସେ ତାଙ୍କୁ କହିଲେ, ତା ପରେ ସେ ବସି ନୌକାରୁ ଲୋକମାନଙ୍କୁ ଶିକ୍ଷାଦେବାକୁ ଲାଗିଲେ।
4ସେ କଥା କହିସାରିବା ପରେ, ଶିମୋନଙ୍କୁ କହିଲେ, “ଗଭୀର ଜଳକୁ ଯାଇ ମାଛ ଧରିବାକୁ ଜାଲ ପକାଅ।”
5ଶିମୋନ ଉତ୍ତର ଦେଲେ, “ଗୁରୁ, ଆମେ ରାତିସାରା ବହୁତ ପରିଶ୍ରମ କରି ସୁଦ୍ଧା କିଛି ପାଇ ନାହୁଁ। କିନ୍ତୁ ଆପଣ କହିବାରୁ ମୁଁ ଜାଲ ପକାଇବି।”
6ସେମାନେ ତାହା କରିବାରୁ, ଏତେ ମାଛ ଧରିଲେ ଯେ ସେମାନଙ୍କର ଜାଲସବୁ ଛିଣ୍ଡିବାକୁ ଲାଗିଲା। 7ତେଣୁ ସେମାନେ ଅନ୍ୟ ନୌକାରେ ଥିବା ଅଂଶୀ ଦାରମାନଙ୍କୁ ସାହାଯ୍ୟ ପାଇଁ ଇସାରା ଦେଇ ଡାକିଲେ, ସେମାନେ ଆସି ନୌକା ଦୁଇଟିକୁ ଏପରି ଭର୍ତ୍ତି କଲେ ଯେ ତାହା ବୁଡ଼ିବାକୁ ଲାଗିଲା।
8ଏହା ଦେଖି ଶିମୋନ ପିତର, ଯୀଶୁଙ୍କ ପାଦତଳେ ପଡ଼ି କହିଲେ, “ପ୍ରଭୁ ମୁଁ ପାପୀ ମନୁଷ୍ୟ; ମୋ ନିକଟରୁ ଚାଲି ଯାଆନ୍ତୁ!” 9କାରଣ ସେମାନେ ଏତେ ମାଛ ଧରିଥିଲେ ଯେ ସେ ଓ ତାଙ୍କ ସଙ୍ଗୀମାନେ ବିସ୍ମୟାନ୍ୱିତ ହେଲେ, 10ସେହିପରି ଶିମୋନଙ୍କ ଅଂଶୀଦାର ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ ମଧ୍ୟ ବିସ୍ମୟାନ୍ୱିତ ହେଲେ।
ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ; ଏବଠାରୁ ତୁମେମାନେ ମନୁଷ୍ୟ ଧରିବ।” 11ଅତଏବ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାଙ୍କର ଅନୁଗମନ କଲେ।
କୁଷ୍ଠରୋଗୀ ସୁସ୍ଥ ହେଲା
12ସେ ଯେତେବେଳେ କୌଣସି ଏକ ସହରରେ ଥିଲେ, ସେଠାକୁ ଜଣେ ସର୍ବାଙ୍ଗ କୁଷ୍ଠରୋଗୀ ଆସିଲା। ସେ ଯୀଶୁଙ୍କୁ ଦେଖି, ଭୂମିରେ ମୁହଁମାଡ଼ି ପଡ଼ିଲା ଓ ଗୁହାରି କରି କହିଲା, “ପ୍ରଭୁ, ଆପଣ ଇଚ୍ଛା କଲେ, ମୋତେ ଶୁଚି କରିପାରିବେ।”
13ଯୀଶୁ ହାତ ବଢ଼ାଇ ଲୋକଟିକୁ ସ୍ପର୍ଶ କରି କହିଲେ। ମୁଁ ଇଚ୍ଛା କରୁଛି, “ଶୁଚି ହୁଅ!” ତତ୍କ୍ଷଣାତ୍ କୁଷ୍ଠରୋଗ ତା ଠାରୁ ଦୂର ହେଲା।
14ଏହାପରେ ଯୀଶୁ ତାକୁ ଆଦେଶ ଦେଇ କହିଲେ, “କାହାକୁ ଏ କଥା କୁହ ନାହିଁ, କିନ୍ତୁ ଯାଜକଙ୍କ ନିକଟକୁ ଯାଅ, ଓ ନିଜକୁ ଦେଖାଅ ପୁଣି ତୁମର ଶୁଚି ହେବା ନିମନ୍ତେ ମୋଶା ଯେପରି ଆଦେଶ ଦେଇଅଛନ୍ତି, ସେହି ଅନୁସାରେ ବଳି ଉତ୍ସର୍ଗ କର ତାହା ଲୋକଙ୍କ ନିକଟରେ ପ୍ରମାଣ ସ୍ଵରୂପ ହେବ।”
15ତଥାପି ତାହାଙ୍କ ବିଷୟରେ ଖବର ଆହୁରି ଅଧିକ ବ୍ୟାପିଗଲା, ଏବଂ ତାହାଙ୍କ କଥା ଶୁଣିବାକୁ ଓ ନିଜ ନିଜ ରୋଗରୁ ଆରୋଗ୍ୟ ହେବାକୁ ଲୋକମାନେ ବହୁସଂଖ୍ୟାରେ ଆସିଲେ। 16କିନ୍ତୁ ଯୀଶୁ ଅନେକଥର ନିର୍ଜ୍ଜନ ଅଞ୍ଚଳକୁ ବାହାରିଯାଇ ପ୍ରାର୍ଥନା କରୁଥିଲେ।
ପକ୍ଷାଘାତ ରୋଗୀ ସୁସ୍ଥ ହେଲା
17ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ, ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ସେଠାରେ ବସିଥିଲେ। ଏମାନେ ଗାଲିଲୀର ପ୍ରତ୍ୟେକ ଗ୍ରାମରୁ ଯିହୁଦା ପ୍ରଦେଶରୁ ଓ ଯିରୁଶାଲମରୁ ଆସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବାକୁ ପ୍ରଭୁଙ୍କର ଶକ୍ତି ତାହାଙ୍କଠାରେ ବିଦ୍ୟମାନ ଥିଲା। 18ସେତେବେଳେ କେତେକ ଲୋକ ଜଣେ ପକ୍ଷାଘାତଗ୍ରସ୍ତ ଲୋକକୁ ବିଛଣା ସହିତ ବହି ଆଣିଲେ ସେମାନେ ଯେପରି ତାକୁ ଯୀଶୁଙ୍କ ସମ୍ମୁଖରେ ରଖି ପାରିବେ ଏଥିପାଇଁ ଘର ଭିତରକୁ ନେବାକୁ ଚେଷ୍ଟା କଲେ। 19କିନ୍ତୁ ଲୋକଗହଳି ହେତୁ ତାକୁ ଭିତରକୁ ନେବା ପାଇଁ ବାଟ ନ ପାଇବାରୁ, ସେମାନେ ଛାତ ଉପରକୁ ଯାଇ ଖପରା କାଢ଼ି ସେହିବାଟେ ଲୋକମାନଙ୍କ ମଧ୍ୟରେ, ଠିକ ଯୀଶୁଙ୍କ ସମ୍ମୁଖରେ ବିଛଣା ସହିତ ତାକୁ ତଳକୁ ଓହ୍ଲାଇ ଦେଲେ।
20ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି, କହିଲେ, “ବନ୍ଧୁ, ତୁମର ପାପସବୁ କ୍ଷମା ହେଲା।”
21ଏଥିରେ ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ନିଜ ନିଜ ମଧ୍ୟରେ କୁହାକୁହି ହେଲେ, “ଏ ଲୋକ କିଏ ଯେ ଈଶ୍ୱରନିନ୍ଦା କରୁଛି? କେବଳ ଈଶ୍ୱରଙ୍କ ଛଡ଼ା ଆଉ କିଏ ପାପକ୍ଷମା କରିପାରେ?”
22ଯୀଶୁ ସେମାନଙ୍କ ମନର ଭାବନା ବୁଝିପାରି ପ୍ରଶ୍ନ କଲେ, “ତୁମ୍ଭେମାନେ କାହିଁକି ମନ ମଧ୍ୟରେ ଏପରି ଚିନ୍ତା କରୁଛ? 23କେଉଁଟା ସହଜ ‘ତୁମର ପାପସବୁ କ୍ଷମା ହେଲା ବୋଲି କହିବା,’ ନା ଉଠ ଚାଲ, ବୋଲି କହିବା? 24କିନ୍ତୁ ତୁମେମାନେ ଜାଣିବ ଯେ ଏହି ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି।” ଏହାପରେ ସେ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ, ତୁମର ବିଛଣା ନେଇ ଘରକୁ ଯାଅ।” 25ତତ୍କ୍ଷଣାତ୍ ସେସମସ୍ତଙ୍କ ସମ୍ମୁଖରେ ଉଠି ଠିଆ ହେଲା, ଓ ଯେଉଁ ବିଛଣା ଉପରେ ଶୋଇଥିଲା ତାହା ଉଠାଇ ନେଇ ଈଶ୍ୱରଙ୍କ ସ୍ତୁତିବାଦ କରୁ କରୁ ଘରକୁ ଚାଲିଗଲା। 26ସମସ୍ତେ ଆଚମ୍ବିତ ହେଲେ ଏବଂ ଈଶ୍ୱରଙ୍କ ସ୍ତୁତି ପ୍ରଶଂସା କଲେ। ସେମାନେ ଭୟ-ବିସ୍ମୟରେ ଅଭିଭୂତ ହୋଇ କହିଲେ, “ଆଜି ଆମେ ଅତି ଆଶ୍ଚର୍ଯ୍ୟ ବିଷୟ ଦେଖିଲୁ।”
ଲେବୀଙ୍କୁ ଆହ୍ଵାନ
27ଏଥିଉତ୍ତାରେ, ଯୀଶୁ ଚାଲିଯାଇ ଲେବୀ ନାମକଜଣେ କରଆଦାୟକାରୀଙ୍କୁ କରଆଦାୟ ସ୍ଥାନରେ ବସିଥିବା ଦେଖିଲେ। ଯୀଶୁ ତାଙ୍କୁ କହିଲେ। “ମୋର ଅନୁଗମନ କର,” 28ତହୁଁ ଲେବୀ ସବୁ ପରିତ୍ୟାଗ କରି ଉଠିଲେ, ଓ ତାଙ୍କର ଅନୁଗାମୀ ହେଲେ।
29ପରେ ଲେବୀ ନିଜ ଗୃହରେ ଯୀଶୁଙ୍କ ନିମନ୍ତେ ଏକ ମହାଭୋଜିର ଆୟୋଜନ କଲେ, ଅନେକ କରଆଦାୟକାରୀ ଓ ଅନ୍ୟାନ୍ୟ ଲୋକମାନେ ସେମାନଙ୍କ ସହିତ ଭୋଜନ କରୁଥିଲେ। 30କିନ୍ତୁ ଫାରୂଶୀ ଓ ସେମାନଙ୍କ ଦଳର ଶାସ୍ତ୍ରଜ୍ଞମାନେ ଯୀଶୁଙ୍କର ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେମାନେ କାହିଁକି କରଆଦାୟକାରୀ ଓ ପାପୀଷ୍ଠ ଲୋକଙ୍କ ସହିତ ଭୋଜନପାନ କରୁଅଛ?”
31ଯୀଶୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ। 32ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ମାତ୍ର ହୃଦୟ ପରିବର୍ତ୍ତନ ପାଇଁ ପାପୀ ଲୋକମାନଙ୍କୁ କରିବାକୁ।”
ଉପବାସ ସମ୍ବନ୍ଧରେ
33ସେମାନେ ତାହାଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ପ୍ରାୟ ଉପବାସ ଓ ପ୍ରାର୍ଥନା କରନ୍ତି, ଏବଂ ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହିପରି କରିଥାଆନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ଉପବାସ ନ କରି ଭୋଜନପାନ କରନ୍ତି।”
34ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ତୁମେ କଅଣ ବରଯାତ୍ରୀମାନଙ୍କୁ ଉପବାସ କରାଇ ପାରିବ? 35କିନ୍ତୁ ସମୟ ଆସିବ ଯେତେବେଳେ ସେମାନଙ୍କ ନିକଟରୁ ବରଙ୍କୁ ନିଆଯିବ; ସେହି ସମୟରେ ସେମାନେ ଉପବାସ କରିବେ।”
36ତତ୍ପରେ ଯୀଶୁ ଏହି ଦୃଷ୍ଟାନ୍ତ ଦେଇ କହିଲେ, “କେହି ନୂଆ ଲୁଗାରୁ ଖଣ୍ଡେ ଚିରି ପୁରୁଣା ଲୁଗାରେ ତାଳି ପକାଏ ନାହିଁ। ତାହା କଲେ, ନୂଆ ଲୁଗାଟି ଚିରିଯିବ, ଓ ପୁରୁଣା ଲୁଗାରେ ନୂଆ ଲୁଗାର ତାଳି ମିଶିବ ନାହିଁ। 37କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ। ତାହା କଲେ, ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ଦେବ; ମଦସବୁ ଢାଳି ହୋଇଯିବ ଓ କୁମ୍ପାସବୁ ନଷ୍ଟ ହେବ। 38ନୂଆ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖିବା ଉଚିତ୍। 39ପୁଣି ପୁରୁଣା ଦ୍ରାକ୍ଷାରସ ପାନ କଲାପରେ କୌଣସି ଲୋକ ନୂଆ ଦ୍ରାକ୍ଷାରସ ଚାହେଁ ନାହିଁ, କାରଣ ସେ କହେ, ‘ପୁରୁଣା ହିଁ ଭଲ।’ ”
Currently Selected:
ଲୂକ 5: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.