ଲୂକ 2
2
ଯୀଶୁଙ୍କର ଜନ୍ମ ବୃତ୍ତାନ୍ତ
1ସେହି ସମୟରେ କାଇସର ଅଗଷ୍ଟାସ୍ ସମଗ୍ର ରୋମୀୟ ସାମ୍ରାଜ୍ୟରେ ଜନଗଣନା ପାଇଁ ଏକଆଦେଶ ଜାରି କଲେ। 2କୁରିଣୀୟସ୍ ସିରିଆ ଦେଶର ରାଜ୍ୟପାଳ ଥିବା ସମୟରେ ପ୍ରଥମ ଥର ପାଇଁ ଏହି ଜନଗଣନା ହୋଇଥିଲା। 3ପୁଣି ପ୍ରତ୍ୟେକ ଲୋକ ନାମ ଲେଖାଇବାକୁ ନିଜର ପୈତୃକ ସହରକୁ ଗଲେ।
4ତେଣୁ ଯୋସେଫ ମଧ୍ୟ ଗାଲିଲୀ ପ୍ରଦେଶରେ ନାଜରିତ ସହରରୁ ବାହାରି ଯିହୁଦା ପ୍ରଦେଶରେ ବେଥଲିହିମ ନାମକ ଦାଉଦଙ୍କ ସହରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। 5ଯେଉଁ ମରିୟମଙ୍କ ସଙ୍ଗେ ତାଙ୍କର ବିବାହନିର୍ବନ୍ଧ ହୋଇଥିଲା, ନାମ ଲେଖାଇବାକୁ ତାଙ୍କୁ ସେ ସଙ୍ଗରେ ନେଇଗଲେ ସେତେବେଳେ ମରିୟମ ଗର୍ଭବତୀ ଥିଲେ। 6ସେମାନେ ସେଠାରେ ଥିବା ସମୟରେ, ତାଙ୍କର ପ୍ରସବକାଳ ଉପସ୍ଥିତ ହେଲା, 7ଏବଂ ମରିୟମ ତାଙ୍କର ପ୍ରଥମ ସନ୍ତାନ, ଏକ ପୁତ୍ର ପ୍ରସବ କଲେ। ସେ ତାଙ୍କୁ ଲୁଗାରେ ଗୁଡ଼ାଇ ଏକ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ପାନ୍ଥଶାଳାରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
8ସେହି ଅଞ୍ଚଳରେ କେତେକ ମେଷପାଳକ ପଡ଼ିଆରେ ରହି, ନିଜ ନିଜ ମେଷପଲ ରାତିରେ ଜଗୁଥିଲେ। 9ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଆବିର୍ଭୂତ ହେଲେ, ଏବଂ ପ୍ରଭୁଙ୍କର ମହିମା ସେମାନଙ୍କ ଚତୁର୍ଦ୍ଦିଗରେ ଦୀପ୍ତିମାନ ହେଲା, ଓ ସେମାନେ ଭୀତତ୍ରସ୍ତ ହୋଇପଡ଼ିଲେ। 10କିନ୍ତୁ ଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ତୁମ୍ଭମାନଙ୍କ ନିକଟକୁ ମହା ଆନନ୍ଦର ଶୁଭବାର୍ତ୍ତା ନେଇ ଆସିଛି ଏହା ସବୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। 11ଆଜି ଦାଉଦ ନଗରରେ ତୁମ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। 12ତୁମ ପାଇଁ ଏହା ହିଁ ଚିହ୍ନ ହେବ, ତୁମ୍ଭେମାନେ ଗୋଟିଏ ଗୁହାଳ କୁଣ୍ଡରେ ଲୁଗାରେ ଗୁଡ଼ା ହୋଇ ଏକ ଶିଶୁକୁ ଶୋଇଥିବା ଦେଖିବ।”
13ଅକସ୍ମାତ୍ ସ୍ଵର୍ଗଦୂତଙ୍କ ସହିତ ଏକ ବୃହତ୍ ସ୍ଵର୍ଗୀୟବାହିନୀ ଆସି, ଈଶ୍ୱରଙ୍କ ସ୍ତୁତି କରି ଗାଇଲେ,
14“ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା,
ଓ ପୃଥିବୀରେ ତାହାଙ୍କ ସନ୍ତୋଷଭାଜନ ଲୋକଙ୍କ ପ୍ରତି ଶାନ୍ତି ହେଉ।”
15ଦୂତବାହିନୀ ସ୍ଵର୍ଗକୁ ପ୍ରସ୍ଥାନ କଲାପରେ, ମେଷପାଳକମାନେ ପରସ୍ପରକୁ କହିଲେ, “ଚାଲ ବେଥ୍ଲିହିମକୁ ଯିବା ଓ ଏହି ଯେଉଁ ଘଟନା ବିଷୟ ପ୍ରଭୁ ଆମକୁ ଜଣାଇଛନ୍ତି, ତାହା ଦେଖି ଆସିବା।”
16ତେଣୁ ସେମାନେ ଧାଇଁ ଯାଇ ମରିୟମ ଓ ଯୋସେଫଙ୍କୁ ଏବଂ ଗୁହାଳ କୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। 17ଶିଶୁଙ୍କୁ ଦେଖିଲା ପରେ, ତାଙ୍କ ସମ୍ବନ୍ଧରେ ସେମାନଙ୍କୁ ଯାହା କୁହାଯାଇଥିଲା ସେହି କଥା ସେମାନେ କହି ବୁଲିଲେ, 18ଯେତେ ଲୋକ ମେଷପାଳକମାନଙ୍କ କଥା ଶୁଣିଲେ ସେମାନେ ସମସ୍ତେ ଆଚମ୍ବିତ ହେଲେ। 19ମାତ୍ର ମରିୟମ ଏସମସ୍ତ କଥା ମନରେ ସାଇତି ରଖି ବିବେଚନା କରିବାକୁ ଲାଗିଲେ। 20ମେଷପାଳକମାନଙ୍କୁ ଯାହା ଯାହା କୁହାଯାଇଥିଲା, ଠିକ ତାହା ହିଁ ସେମାନେ ଶୁଣିଲେ ଓ ଦେଖିଲେ, ଏବଂ ଈଶ୍ୱରଙ୍କ ଗୌରବ ଓ ସ୍ତୁତି କରୁ କରୁ ଫେରିଗଲେ।
21ଅଷ୍ଟମ ଦିନରେ ଶିଶୁଙ୍କୁ ସୁନ୍ନତ କରିବା ସମୟ ଆସିବାରୁ, ତାଙ୍କର ନାମ ଯୀଶୁ ଦିଆଗଲା, ଏହି ନାମ ତାଙ୍କର ଗର୍ଭବାସ ପୂର୍ବରୁ ସ୍ଵର୍ଗଦୂତଙ୍କ ଦ୍ଵାରା ଦତ୍ତ ହୋଇଥିଲା।
ମନ୍ଦିରରେ ଶିଶୁ ଯୀଶୁଙ୍କର ଉତ୍ସର୍ଗୀକରଣ
22ମୋଶାଙ୍କ ବ୍ୟବସ୍ଥାନୁସାରେ ସେମାନଙ୍କ ଶୁଚି ହେବା ସମୟ ଯେତେବେଳେ ସଂପୂର୍ଣ୍ଣ ହେଲା, ଯୋସେଫ ଓ ମରିୟମ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶିଶୁଙ୍କୁ ଉତ୍ସର୍ଗ କରିବା ନିମନ୍ତେ ଯିରୂଶାଲମକୁ ନେଇଗଲେ 23କାରଣ ପ୍ରଭୁଙ୍କର ବିଧିବ୍ୟବସ୍ଥାରେ ଲିଖିତ ଅଛି ଯେ, “ପ୍ରତ୍ୟେକ ପ୍ରଥମ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ,” 24ଆହୁରି ମଧ୍ୟ ପ୍ରଭୁଙ୍କର ବିଧିବ୍ୟବସ୍ଥାର ଲେଖାନୁସାରେ: ଏକ ବଳି ଉତ୍ସର୍ଗ କରାଯିବ “ଦୁଇଟି ପାରା କିମ୍ବା ଦୁଇଟି କାପ୍ତାଛୁଆ।”
25ସେହି ସମୟରେ ଶିମିୟୋନ ନାମକ, ଜଣେ ଧାର୍ମିକ ଓ ଈଶ୍ୱରଭକ୍ତ ବ୍ୟକ୍ତି ଯିରୂଶାଲମରେ ଥିଲେ। ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷାରେ ଥିଲେ, ଏବଂ ପବିତ୍ରଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ। 26ପ୍ରଭୁଙ୍କର ଅଭିଷିକ୍ତଙ୍କୁ ଦର୍ଶନ ନ କଲା ପର୍ଯ୍ୟନ୍ତ ଶିମିୟୋନଙ୍କର ମୃତ୍ୟୁ ହେବ ନାହିଁ ବୋଲି ପବିତ୍ରଆତ୍ମା ତାଙ୍କୁ ଜଣାଇଥିଲେ। 27ପବିତ୍ରଆତ୍ମାଙ୍କ ଚାଳନାରେ, ସେ ମନ୍ଦିର-ପ୍ରାଙ୍ଗଣକୁ ଗଲେ। ଶିଶୁ ଯୀଶୁଙ୍କୁ ତାଙ୍କର ପିତାମାତା ଯେତେବେଳେ ବିଧିବ୍ୟବସ୍ଥାର ରୀତି ଅନୁଯାୟୀ କାର୍ଯ୍ୟ କରିବାକୁ ତାଙ୍କୁ ଆଣିଲେ, 28ସେତେବେଳେ ଶିମିୟୋନ ତାଙ୍କୁ କୋଳରେ ଧରିଲେ ଓ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ:
29“ହେ ପରାତ୍ପର ପ୍ରଭୁ, ତୁମ୍ଭ ପ୍ରତିଜ୍ଞାନୁସାରେ,
ଏବେ ତୁମ୍ଭ ଦାସକୁ ଶାନ୍ତିରେ ବିଦାୟ ଦିଅ।
30କାରଣ ମୋର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି,
31ଅଣଯିହୁଦୀ ଲୋକଙ୍କ ପାଇଁ ସତ୍ୟ ପ୍ରକାଶକ ଜ୍ୟୋତି ସ୍ଵରୂପ ହେବା ନିମନ୍ତେ:
32ଏବଂ ତୁମ୍ଭ ଲୋକ ଇସ୍ରାଏଲୀୟମାନଙ୍କ ଗୌରବ ସ୍ଵରୂପ ହେବା ନିମନ୍ତେ,
ସବୁ ଲୋକଙ୍କ ସାକ୍ଷାତରେ ଏହା ତୁମ୍ଭେ ପ୍ରସ୍ତୁତ କରିଅଛ।”
33ଶିଶୁଙ୍କ ସମ୍ବନ୍ଧରେ ଯାହା କୁହାଗଲା ସେହି କଥା ଶୁଣି ତାଙ୍କର ପିତାମାତା ଆଶ୍ଚର୍ୟ୍ୟାନ୍ୱିତ ହେଲେ। 34ତତ୍ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ଶିଶୁଙ୍କ ମାତା ମରିୟମଙ୍କୁ କହିଲେ: “ଏହି ଶିଶୁ ନିରୂପିତ ହୋଇଛନ୍ତି ଇସ୍ରାଏଲରେ ଅନେକଙ୍କ ପତନ ଓ ଉତ୍ଥାନର କାରଣ ହେବା ପାଇଁ, ଏବଂ ଯାହା ପ୍ରତ୍ୟାଖ୍ୟାତ ତାହାର ଏକ ଚିହ୍ନ ସ୍ଵରୂପ ହେବା ପାଇଁ, 35ଯେପରିକି ଅନେକଙ୍କ ହୃଦୟର ଭାବସବୁ ପ୍ରକାଶିତ ହେବ। ଆହୁରି ମଧ୍ୟ ଏକ ଖଡ଼୍ଗ ତୁମ ପ୍ରାଣକୁ ବିଦ୍ଧ କରିବ।”
36ସେଠାରେ ହାନ୍ନା ନାମରେ, ଅତିଶୟ ବୃଦ୍ଧା ଜଣେ ଭାବବାଦିନୀ ମଧ୍ୟ ଥିଲେ। ସେ ଆଶେର ଗୋଷ୍ଠୀର, ପିନୁଏଲଙ୍କ କନ୍ୟା, ବିବାହର ସାତ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କ ସହିତ ବାସ କରିଥିଲେ, 37ତା ପରେ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ସେ ବିଧବା ହୋଇ ରହିଥିଲେ ସେ କେବେହେଲେ ମନ୍ଦିର ଛାଡ଼ି ଯାଉ ନ ଥିଲେ, କିନ୍ତୁ ଉପବାସ ଓ ପ୍ରାର୍ଥନାରେ ଦିବାରାତ୍ର ଉପାସନା କରୁଥିଲେ। 38ଠିକ ସେହି ମୁହୂର୍ତ୍ତରେ ସେ ସେମାନଙ୍କ ନିକଟକୁ ଯାଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଏବଂ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସବୁ ଲୋକଙ୍କୁ ଶିଶୁଙ୍କ ବିଷୟ କହିଲେ।
39ଯୋସେଫ ଓ ମରିୟମ ପ୍ରଭୁଙ୍କର ବିଧି-ବ୍ୟବସ୍ଥାନୁସାରେ ସମସ୍ତ କର୍ମ ସମ୍ପନ୍ନ କଲା ଉତ୍ତାରେ, ଗାଲିଲୀରେ ନିଜ ସହର ନାଜରିତକୁ ଫେରିଗଲେ। 40ଶିଶୁ ବୃଦ୍ଧି ପାଇ ବଳିଷ୍ଠ ହେଲେ ଏବଂ ଜ୍ଞାନରେ ପୂର୍ଣ୍ଣ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
ମନ୍ଦିରରେ ବାଳକ ଯୀଶୁ
41ଯୀଶୁଙ୍କର ପିତାମାତା ନିସ୍ତାର ପର୍ବ ପାଇଁ ପ୍ରତି ବର୍ଷ ଯିରୂଶାଲମକୁ ଯାଉଥିଲେ। 42ତାଙ୍କୁ ଯେତେବେଳେ ବାର ବର୍ଷ ହେଲା ସେମାନେ ରୀତି ଅନୁସାରେ ପର୍ବ ପାଳିବାକୁ, ସେଠାକୁ ଯାତ୍ରା କଲେ। 43ପର୍ବୋତ୍ସବ ଶେଷ ହେଲାପରେ, ସେମାନେ ଘରକୁ ଫେରୁଥିବା ବେଳେ, ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, କିନ୍ତୁ ତାଙ୍କର ପିତାମାତା ସେ କଥା ଜାଣି ନ ଥିଲେ। 44ସେ ସହଯାତ୍ରୀମାନଙ୍କ ମେଳରେ ଥିବେ ବୋଲି ମନେ କରି, ସେମାନେ ଦିନକର ବାଟ ଚାଲିଗଲେ। ତା ପରେ ସେମାନେ ଆତ୍ମୀୟ ଓ ବନ୍ଧୁମାନଙ୍କ ମଧ୍ୟରେ ତାଙ୍କୁ ଖୋଜିବାକୁ ଲାଗିଲେ। 45ତାଙ୍କୁ ନ ପାଇବାରୁ, ସେମାନେ ଖୋଜି ଖୋଜି ଯିରୂଶାଲମକୁ ଫେରିଗଲେ। 46ତିନିଦିନ ପରେ ସେମାନେ ତାଙ୍କୁ ମନ୍ଦିରପ୍ରାଙ୍ଗଣରେ ପାଇଲେ, ସେ ଶାସ୍ତ୍ରଜ୍ଞମାନଙ୍କ ମେଳରେ ବସି, ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। 47ଯେତେ ଲୋକ ତାଙ୍କ କଥା ଶୁଣୁଥିଲେ ସେମାନେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଚମତ୍କୃତ ହେଉଥିଲେ। 48ତାଙ୍କର ପିତାମାତା ତାଙ୍କୁ ଦେଖି, ଆଚମ୍ବିତ ହେଲେ। ତାହାଙ୍କ ମାତା ତାଙ୍କୁ କହିଲେ, “ପୁଅ, ଆମ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ତୋର ବାପା ଓ ମୁଁ ବଡ଼ ବ୍ୟସ୍ତ ହୋଇ ତୋତେ ଖୋଜୁଥିଲୁ।”
49ସେ ସେମାନଙ୍କୁ କହିଲେ। “ତୁମେମାନେ କାହିଁକି ମୋତେ ଖୋଜୁଥିଲ? ମୋର ପିତାଙ୍କ ଗୃହରେ ମୋର ରହିବା ଆବଶ୍ୟକ ବୋଲି ତୁମେମାନେ କଣ ଜାଣି ନ ଥିଲ?” 50କିନ୍ତୁ ସେ ସେମାନଙ୍କୁ କଣ କହୁଥିଲେ ସେମାନେ ତାହାର ଅର୍ଥ ବୁଝିଲେ ନାହିଁ।
51ଏହାପରେ ସେ ସେମାନଙ୍କ ସଙ୍ଗେ ନାଜରିତକୁ ଫେରିଗଲେ ଓ ସେମାନଙ୍କର ବାଧ୍ୟ ହୋଇ ରହିଲେ। କିନ୍ତୁ ତାଙ୍କର ମାତା ଏସମସ୍ତ ବିଷୟ ମନ ମଧ୍ୟରେ ସାଇତି ରଖିଲେ। 52ଯୀଶୁ ଜ୍ଞାନ ଓ ଶରୀରରେ ଆଉ, ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।
Currently Selected:
ଲୂକ 2: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.