ଲୂକ 1
1
1ଯେଉଁ ସମସ୍ତ ବିଷୟ ଆମ୍ଭମାନଙ୍କ ମଧ୍ୟରେ ସାଧିତ ହୋଇଛି ସେହିସବୁକୁ ଲିପିବଦ୍ଧ କରିବାକୁ ଅନେକେପ୍ରୟାସ କରିଛନ୍ତି, 2ଯେଉଁମାନେ ଆରମ୍ଭରୁ ପ୍ରତ୍ୟକ୍ଷଦର୍ଶୀ ଓ ବାକ୍ୟର ସେବକ ଥିଲେ ସେମାନେ ଅବିକଳ ରୂପେ ଏହିସବୁ ବିବରଣୀ ଆମ ହାତରେ ନ୍ୟସ୍ତ କରିଛନ୍ତି। 3ତେଣୁ ହେ ମାନ୍ୟବର ଥିଓଫିଲସ୍, ପ୍ରଥମରୁ ପ୍ରତ୍ୟେକ ବିଷୟ ପୁଙ୍ଖାନୁପୁଙ୍ଖ ରୂପେ ଅନୁସନ୍ଧନ। ନ କରିଥିବାରୁ, ତୁମ ନିମନ୍ତେ ମୁଁ ମଧ୍ୟ, ଏକ ଧାରାବାହିକ ବିବରଣୀ ଲେଖିବାକୁ ବିହିତ ମନେ କଲି, 4ତା ହେଲେ, ତୁମେ ଯେଉଁସବୁ ଶିକ୍ଷା ପାଇଛ, ତାହା ସୁନିଶ୍ଚିତ ବୋଲି ଜାଣିବ।
ଡୁବକ ଯୋହନଙ୍କ ଜନ୍ମ ବିଷୟକ ଭବିଷ୍ୟତ୍ବାଣୀ
5ଯିହୁଦା ପ୍ରଦେଶରେ ରାଜା ହେରୋଦଙ୍କ ଶାସନ ରେ ଅବିୟ-ଯାଜକୀୟ ଦଳରେ ଜିଖରିୟ ନାମକଜଣେ ଯାଜକ ଥିଲେ, ତାଙ୍କର ଭାର୍ଯ୍ୟା ଏଲୀଜାବେଥ ମଧ୍ୟ ହାରୋଣଙ୍କ ବଂଶଧର ଥିଲେ। 6ଉଭୟେ ଈଶ୍ୱରଙ୍କ ଦୃଷ୍ଟିରେ, ସଦାଚାରୀ ଥିଲେ ଏବଂ ପ୍ରଭୁଙ୍କର ଆଜ୍ଞା ଓ ବିଧାନଗୁଡ଼ିକ ତ୍ରୁଟିଶୂନ୍ୟ ଭାବରେ ପାଳନ କରୁଥିଲେ। 7କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲେ, କାରଣ ଏଲୀଜାବେଥ ବନ୍ଧ୍ୟା ଥିଲେ ଏବଂ ଉଭୟଙ୍କର ବୟସ ବେଶି ହୋଇଥିଲା।
8ଥରେ ଜିଖରିୟଙ୍କ ଦଳର କାର୍ଯ୍ୟପାଳି ପଡ଼ିଲା ଓ ସେହି ସମୟରେ ସେ ଈଶ୍ୱରଙ୍କ ସାକ୍ଷାତରେ ଯାଜକ ରୂପେ କାମ କରୁଥିଲେ, 9ଯାଜକୀୟ ରୀତି ଅନୁସାରେ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଜାଳିବା କାର୍ଯ୍ୟ ଗୁଲିବାଣ୍ଟ ଦ୍ଵାରା ଜିଖରିୟଙ୍କ ଭାଗରେ ପଡ଼ିଲା। 10ଧୂପ ଦେବା ସମୟ ଆସିବାରୁ, ସମଗ୍ର ଉପାସକ ମଣ୍ଡଳୀ ବାହାରେ ପ୍ରାର୍ଥନା କରୁଥିଲେ।
11ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପ ବେଦିର ଦକ୍ଷିଣପାର୍ଶ୍ୱରେ ଉପସ୍ଥିତ ହୋଇ, ତାଙ୍କୁ ଦର୍ଶନ ଦେଲେ। 12ତାଙ୍କୁ ଦେଖି ଜିଖରିୟ, ଚମକି ଉଠିଲେ ଓ ଅତ୍ୟନ୍ତ ଭୀତତ୍ରସ୍ତ ହେଲେ। 13ମାତ୍ର ସ୍ଵର୍ଗଦୂତ କହିଲେ: ଜିଖରିୟ; “ଭୟ କର ନାହିଁ, କାରଣ ତୁମର ପ୍ରାର୍ଥନା ଶୁଣାଯାଇଛି। ତୁମର ଭାର୍ଯ୍ୟା ଏଲୀଜାବେଥ ଗର୍ଭରେ ତୁମର ପୁତ୍ର ଧାରଣ କରିବେ, ଏବଂ ତୁମେ ତାହାର ନାମ ଯୋହନ ଦେବ। 14ସେ ତୁମର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ଓ ତାହାର ଜନ୍ମରେ ଅନେକେ ଆହ୍ଲାଦିତ ହେବେ, 15କାରଣ ସେ ପ୍ରଭୁଙ୍କ ଦୃଷ୍ଟିରେ ମହାନ୍ ବିବେଚିତ ହେବେ। ସେ କେବେ ଦ୍ରାକ୍ଷାରସ ବା ସୁରା ପାନ କରିବେ ନାହିଁ, ଏବଂ ମାତାର ଗର୍ଦ୍ଭରୁ ହିଁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବେ। 16ସେ ଇସ୍ରାଏଲୀୟମାନଙ୍କ ମଧ୍ୟରୁ ଅନେକଙ୍କୁ ସେମାନଙ୍କ ପ୍ରଭୁ ଈଶ୍ୱରଙ୍କ ପ୍ରତି ଫେରାଇ ଆଣିବେ। 17ଏଲିୟଙ୍କ ପରି ସେ ଆତ୍ମା ଓ ଶକ୍ତିବିଶିଷ୍ଟ ହୋଇ ପ୍ରଭୁଙ୍କର ଅଗ୍ରଗାମୀ ହେବେ, ସେ ପିତାମାତାଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟ ମନୁଷ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନ ପ୍ରତି ଫେରାଇବେ, ଏହିରୂପେ ସେ ପ୍ରଭୁଙ୍କ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
18ଜିଖରିୟ ସ୍ଵର୍ଗଦୂତଙ୍କୁ ପଚାରିଲେ, “ଏହା ନିଶ୍ଚୟ ହେବ ବୋଲି ମୁଁ କିପରି ଜାଣିବି? ମୁଁ ବୃଦ୍ଧ ହେଲିଣି ଓ ମୋର ସ୍ତ୍ରୀର ବୟସ ମଧ୍ୟ ଅତିକ୍ରାନ୍ତ ହେଲାଣି।”
19ସ୍ଵର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ସ୍ଵୟଂ ଈଶ୍ୱରଙ୍କ ଛାମୁରେ ଠିଆ ହୁଏ, ତୁମକୁ କହିବାକୁ ଓ ଏହି ଶୁଭ ସମ୍ବାଦ ଦେବାକୁ ମୁଁ ପ୍ରେରିତ ହୋଇଛି। 20ଏବେ ତୁମେ ମୂକ ହୋଇ ରହିବ ଓ ଏହା ସଫଳ ନ ହେବା ପର୍ଯ୍ୟନ୍ତ କଥା କହିପାରିବ ନାହିଁ, କାରଣ ତୁମେ ମୋ କଥାକୁ ବିଶ୍ୱାସ କଲ ନାହିଁ, କିନ୍ତୁ ଏହା ଯଥା ସମୟରେ ସଫଳ ହେବ।”
21ଇତିମଧ୍ୟରେ, ଲୋକମାନେ ଜିଖରୀୟଙ୍କୁ ଅପେକ୍ଷା କରୁଥିଲେ ଓ ସେ କେଉଁ କାରଣରୁ ମନ୍ଦିରରେ ଏତେ ବେଳ ଯାଏ ରହିଛନ୍ତି ଭାବି ଆଶ୍ଚର୍ଯ୍ୟବୋଧ କରୁଥିଲେ। 22ସେ ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ସେମାନଙ୍କୁ କୌଣସି କଥା କହିପାରିଲେ ନାହିଁ। ସେମାନେ ବୁଝୀପାରିଲେ ଯେ ସେ ମନ୍ଦିର ମଧ୍ୟରେ ଏକ ଦିବ୍ୟଦର୍ଶନ ପାଇଛନ୍ତି, କାରଣ ସେ କଥା କହିବାକୁ ଅସମର୍ଥ ହୋଇ ସେମାନଙ୍କୁ ଇଙ୍ଗିତ ଦେବାକୁ ଲାଗିଲେ।
23ତାଙ୍କର ସେବାକାର୍ଯ୍ୟର ସମୟ ଶେଷ ହେବା ପରେ, ସେ ଗୃହକୁ ଫେରିଗଲେ। 24ଏହାପରେ ତାଙ୍କ ଭାର୍ଯ୍ୟା ଏଲୀଜାବେଥ ଗର୍ଭବତୀ ହେଲେ ଏବଂ ପାଞ୍ଚ ମାସ ପର୍ଯ୍ୟନ୍ତ ଗୋପନରେ ରହିଲେ। 25ଏଲିଜାବେଥ୍ କହିଲେ। “ପ୍ରଭୁ ମୋ ପ୍ରତି କୃପାଦୃଷ୍ଟି କରି, ଲୋକମାନଙ୍କ ମଧ୍ୟରୁ ମୋର ଅପମାନ ଦୂର କରିଛନ୍ତି।”
ଯୀଶୁଙ୍କର ଜନ୍ମ ସମ୍ବନ୍ଧରେ ଭବିଷ୍ୟଦ୍ବାଣୀ
26ଏଲିଜାବେଥ୍ ଗର୍ଭଧାରଣର ଷଷ୍ଠ ମାସରେ, ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ଗାଲିଲୀ ପ୍ରଦେଶସ୍ଥ ନାଜରିତ, ସହରରେ ବାସ କରୁଥିବା, 27ଦାଉଦଙ୍କ ବଂଶଧର ର ଜଣେ କୁମାରୀଙ୍କ ନିକଟକୁ ପଠାଇଲେ। ଯୋସେଫ ନାମକଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହନିର୍ବନ୍ଧ ହୋଇଥିଲା, କୁମାରୀଙ୍କ ନାମ ଥିଲା ମରିୟମ। 28ସ୍ଵର୍ଗଦୂତ ମରିୟମଙ୍କ ନିକଟକୁ ଯାଇ କହିଲେ, “ଆଗୋ ଅନୁଗୄହୀତା, ତୁମର ମଙ୍ଗଳ ହେଉ, ପ୍ରଭୁ ତୁମର ସହିତ ଅଛନ୍ତି! ତୁମେ ନାରୀଗଣ ମଧ୍ୟରେ ଧନ୍ୟ।”
29ମରିୟମ ସ୍ଵର୍ଗଦୂତଙ୍କ କଥାରେ ବିସ୍ମିତ ହୋଇ ଏହା କି ପ୍ରକାର ସମ୍ଭାଷଣ ବୋଲି ଭାବିବାକୁ ଲାଗିଲେ। 30ସ୍ଵର୍ଗଦୂତ କହିଲେ, ମରିୟମ; “ଭୟ କର ନାହିଁ, କାରଣ ତୁମେ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ଲାଭ କରିଛ। 31ତୁମେ ଗର୍ଭଧାରଣ କରିବ ଓ ତୁମର ଏକ ପୁତ୍ର ଜନ୍ମ ହେବ, ଏବଂ ତୁମେ ତାହାଙ୍କ ନାମ ଦେବ ଯୀଶୁ। 32ସେ ମହାନ୍ ହୋଇ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତୃପୁରୁଷ ଦାଉଦଙ୍କ ସିଂହାସନ ଦେବେ, 33ସେ ଯୁଗେ ଯୁଗେ ଯାକୁବ ବଂଶ ଉପରେ ରାଜତ୍ଵ କରିବେ; ତାହାଙ୍କ ରାଜ୍ୟର ଅବସାନ ହେବ ନାହିଁ।”
34ମରିୟମ ସ୍ଵର୍ଗଦୂତଙ୍କୁ ପ୍ରଶ୍ନ କଲେ, “କିନ୍ତୁ ଏହା କିପରି ସମ୍ଭବ ହେବ, ମୁଁ ତ ଅବିବାହିତା କୁମାରୀ?”
35ସ୍ଵର୍ଗଦୂତ ଉତ୍ତର ଦେଲେ, “ପବିତ୍ରଆତ୍ମା ତୁମଠାରେ ଅଧିଷ୍ଠାନ କରିବେ, ଓ ସର୍ବୋପରିସ୍ଥଙ୍କ ଶକ୍ତି ତୁମକୁ ଆଚ୍ଛନ୍ନ କରିବ। ତେଣୁ ଯେଉଁ ପବିତ୍ର-ଜନ ଜାତ ହେବେ ସେ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। 36ପୁଣି ତୁମର ଆତ୍ମୀୟ ଏଲୀଜାବେଥ ବୃଦ୍ଧ ବୟସରେ ଏକ ପୁତ୍ର ଲାଭ କରିବାକୁ ଯାଉଛନ୍ତି, ଯାହାଙ୍କୁ ବନ୍ଧ୍ୟା ବୋଲି କୁହାଯାଉଥିଲା, ତାଙ୍କର ଗର୍ଭ ଏବେ ଷଷ୍ଠ ମାସ ହେଲାଣି। 37କାରଣ କୌଣସି ବିଷୟ ଈଶ୍ୱରଙ୍କର ଅସାଧ୍ୟ ନୁହେଁ।”
38ମରିୟମ କହିଲେ। “ମୁଁ ପ୍ରଭୁଙ୍କର ଦାସୀ ଆପଣ ଯେପରି କହିଲେ, ସେହିପରି ମୋ ପ୍ରତି ଘଟୁ।” ଏହାପରେ ସ୍ଵର୍ଗଦୂତ ତାଙ୍କ ନିକଟରୁ ଚାଲିଗଲେ।
ଏଲିଜାବେଥ୍ଙ୍କ ସହିତ ମରିୟମଙ୍କ ସାକ୍ଷାତ
39ଏହି ସମୟରେ ମରିୟମ ପ୍ରସ୍ତୁତ ହୋଇ ଯିହୁଦା ପ୍ରଦେଶରେ ପାର୍ବତ୍ୟ ଅଞ୍ଚଳର ଏକ ସହରକୁ ଶୀଘ୍ର ଯାତ୍ରା କଲେ, 40ସେଠାରେ ସେ ଜିଖରିୟଙ୍କ ଗୃହରେ ପ୍ରବେଶ କରି ଏଲୀଜାବେଥଙ୍କୁ ଅଭିବାଦନ ଜଣାଇଲେ। 41ଏଲୀଜାବେଥ ମରିୟମଙ୍କ ଅଭିବାଦନ ଣୁଣିବାମାତ୍ରେ, ତାଙ୍କର ଗର୍ଭସ୍ଥ ଶିଶୁ ଅଧୀର ହୋଇ ଉଠିଲା, ଏବଂ ଏଲିଜାବେଥ୍ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ। 42ସେ ଉଚ୍ଚସ୍ଵରରେ କହିଲେ: “ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ଏବଂ ଧନ୍ୟ ତୁମର ଗର୍ଭସ୍ଥ ଶିଶୁ! 43ମୋର ଏ କି ସୌଭାଗ୍ୟ, ଯେ ମୋର ପ୍ରଭୁଙ୍କର ମାତା ମୋ ନିକଟକୁ ଆସିଲେ? 44ତୁମର, ଶୁଭ ସମ୍ଭାଷଣ ମୋର କର୍ଣ୍ଣଗୋଚର ହେବାମାତ୍ରେ, ମୋର ଗର୍ଭସ୍ଥ ଶିଶୁ ଆନନ୍ଦରେ ଅଧୀର ହୋଇ ନାଚି ଉଠିଲା। 45ପ୍ରଭୁ ତାଙ୍କୁ ଯାହା କହିଛନ୍ତି ତାହା ସଫଳ ହେବ ବୋଲି ଯେଉଁ ନାରୀ ବିଶ୍ୱାସ କଲେ ସେ ଧନ୍ୟ।”
ମରିୟମଙ୍କ ସ୍ତୁତିଗାନ
46ମରିୟମ କହିଲେ:
“ମୋର ମନ ପ୍ରଭୁଙ୍କର ସ୍ତୁତି କରୁଛି
47ମୋର ଆତ୍ମା ମୋର ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦ ଉଲ୍ଲାସ କରୁଛି,
48କାରଣ ସେ ତାହାଙ୍କ ଦାସୀର
ଦୀନାବସ୍ଥା ପ୍ରତି ଦୃଷ୍ଚିପାତ କରିଛନ୍ତି।
ବର୍ତ୍ତମାନଠାରୁ ପୁରୁଷାନୁକ୍ରମେ ସମସ୍ତେ ମୋତେ ଧନ୍ୟ କହିବେ,
49କାରଣ ସର୍ବଶକ୍ତିମାନ ମୋ ପ୍ରତି ମହତ୍ କର୍ମସବୁ ସାଧନ କରିଛନ୍ତି
ପବିତ୍ର ତାହାଙ୍କର ନାମ।
50ଯେଉଁମାନେ ତାହାଙ୍କୁ ଭୟଭକ୍ତି କରନ୍ତି,
ସେମାନଙ୍କ ପ୍ରତି ତାହାଙ୍କର ଦୟା ପୁରୁଷାନୁକ୍ରମେ ରହିଥାଏ।
51ସେ ଆପଣା ବାହୁବଳରେ ମହତ୍ କାର୍ଯ୍ୟସବୁ ସାଧନ କରିଛନ୍ତି;
ଯେଉଁମାନଙ୍କର ଅନ୍ତରସ୍ଥ କଳ୍ପନାସବୁ ଅହଂକାରରେ ପୂର୍ଣ୍ଣ ସେ ସେମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି।
52ସେ ଶାସକମାନଙ୍କୁ ସିଂହାସନଚ୍ୟୁତ କରି
ନମ୍ର ଲୋକମାନଙ୍କୁ ଉନ୍ନତ କରିଛନ୍ତି।
53ସେ କ୍ଷୁଧିତ ଲୋକଙ୍କୁ ଉତ୍ତମ ବିଷୟରେ ପରିତୃପ୍ତ କରି
ଧନବାନ୍ ମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଦେଇଛନ୍ତି।
54-55ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ,
ସେ ଅବ୍ରହାମ ଓ ତାଙ୍କ ବଂଶଧରମାନଙ୍କ ପ୍ରତି,
ଚିରକାଳ ଦୟାପ୍ରଦର୍ଶନ କରିବେ ବୋଲି ଆମ ପିତୃପୁରୁଷମାନଙ୍କୁ ଯାହା ଶପଥ କରିଥିଲେ,
ତାହା ସେ ସ୍ମରଣ କରି ଆପଣା ଦାସ ଇସ୍ରାଏଲକୁ ସାହାଯ୍ୟ କରିଛନ୍ତି।”
56ମରିୟମ ଏଲିଜାବେଥ୍ଙ୍କ ସହିତ ପ୍ରାୟ ତିନିମାସ ରହିବା ପରେ ସ୍ଵଗୃହକୁ ଫେରିଗଲେ।
ଡୁବକ ଯୋହନଙ୍କ ଜନ୍ମ
57ଏଲିଜାବେଥ୍ଙ୍କ ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ସେ ଏକ ପୁତ୍ର ପ୍ରସବ କଲେ। 58ପ୍ରଭୁ ଯେ ତାଙ୍କ ପ୍ରତି ମହାଦୟା ପ୍ରକାଶ କରିଛନ୍ତି, ଏହା ଶୁଣି ପ୍ରତିବାସୀ ଓ ଆତ୍ମୀୟସ୍ଵଜନମାନେ ତାଙ୍କ ଆନନ୍ଦରେ ସହଭାଗୀ ହେଲେ।
59ଅଷ୍ଟମ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ, ପିତା ଜିଖରିୟଙ୍କ ନାମ ଅନୁସାରେ ସେମାନେ ଶିଶୁର ନାମକରଣ କରିବାକୁ ଯାଉଥିଲେ, 60କିନ୍ତୁ ଶିଶୁର ମାତା କହିଲେ, “ନା! ତାହାର ନାମ ଯୋହନ ଦିଆଯିବ।”
61ସେମାନେ ତାଙ୍କୁ କହିଲେ, “ତୁମର ଆତ୍ମୀୟ ସ୍ଵଜନଙ୍କ ମଧ୍ୟରେ କାହାରି ତ ଏହି ନାମ ନାହିଁ।”
62ତହୁଁ ଶିଶୁର ନାମ ଦେବା ବିଷୟରେ ତାଙ୍କର କଣ ଇଚ୍ଛା, ତାହା ସେମାନେ ତାର ପିତାକୁ ଇଙ୍ଗିତ କରି ପଚାରିଲେ। 63ଜିଖରିୟ ଖଣ୍ଡେ ଲିପିପଟା ମାଗି ସେଥିରେ ଲେଖିଲେ, “ତାହାର ନାମ ଯୋହନ।” ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, 64ତତ୍କ୍ଷଣାତ୍ ଜିଖରିୟଙ୍କ ମୁଖ ଫିଟିଗଲା ଓ ତାଙ୍କର ଜିହ୍ଵା ବନ୍ଧନମୁକ୍ତ ହେଲା, ଏବଂ ସେ ଈଶ୍ୱରଙ୍କ ସ୍ତୁତିଗାନ କରି କଥା କହିବାକୁ ଲାଗିଲେ। 65ଏଥିରେ ପ୍ରତିବାସୀମାନେ ଭୟ ଓ ବିସ୍ମୟରେ ଅଭିଭୂତ ହେଲେ, ଏବଂ ଯିହୁଦା ପ୍ରଦେଶରେ ସମଗ୍ର ପାର୍ବତ୍ୟ ଅଞ୍ଚଳର ଲୋକେ ଏହିସବୁ ବିଷୟ ଆଲୋଚନା କଲେ। 66ଯେତେ ଲୋକ ଶୁଣିଲେ ସମସ୍ତେ ମନେ ମନେ ବିବେଚନା କରି କହିଲେ, “ଏହି ପିଲାଟି ତେବେ କଣ ହେବାକୁ ଯାଉଛି?” କାରଣ ପ୍ରଭୁଙ୍କର ହସ୍ତ ତାହା ସହିତ ଥିଲା।
ଜିଖରିୟଙ୍କ ସ୍ତୁତିଗାନ
67ଶିଶୁର ପିତା ଜିଖରିୟ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଏବଂ ଭାବବାଣୀ କରି କହିଲେ:
68“ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ୱର,
କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକମାନଙ୍କର ମୁକ୍ତି ସାଧନ କରିଛନ୍ତି।
69ସେ ବହୁକାଳ ପୂର୍ବରୁ ଆପଣା ପବିତ୍ର ଭାବବାଦୀମାନଙ୍କ ଦ୍ଵାରା ଯେପରି କହିଥିଲେ,
ତଦନୁସାରେ ସେ ଆମ ପାଇଁ ତାହାଙ୍କ ସେବକ ଦାଉଦଙ୍କ ବଂଶରେ ଜଣେ ପରାକ୍ରମୀ
70ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ,
71ଯଦ୍ଦ୍ୱାରା ସେ ଆମର ଶତ୍ରୁ
ଓ ଘୃଣାକାରୀମାନଙ୍କ ହାତରୁ ଆମକୁ ଉଦ୍ଧାର କରିବେ
72ଆମ ପିତୃପୁରୁଷମାନଙ୍କୁ ଦୟାପ୍ରଦର୍ଶନ କରିବେ
ଏବଂ ତାଙ୍କର ପବିତ୍ର ଚୁକ୍ତି ସ୍ମରଣ କରିବେ,
73ଏହି ଚୁକ୍ତି ଆମ ପିତୃପୁରୁଷ ଅବ୍ରହାମଙ୍କ ନିକଟରେ ଶପଥ କରି କହିଥିଲେ ଯେ:
74ସେ ଆମ ଶତ୍ରୁମାନଙ୍କ ହସ୍ତରୁ ଆମକୁ ଉଦ୍ଧାର କରିବେ,
ଏବଂ ଯାଜଜ୍ଜୀବନ ନିର୍ଭୟରେ ତାହାଙ୍କ ସାକ୍ଷାତରେ
75ପବିତ୍ର ଓ ଧାର୍ମିକ ଭାବରେ ତାହାଙ୍କର ସେବା କରିବାକୁ ସକ୍ଷମ କରିବେ।
76“ଆହୁରି ମଧ୍ୟ, ହେ ମୋର ଶିଶୁ, ତୁ ସର୍ବୋପରିସ୍ଥଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
କାରଣ ତୁ ପ୍ରଭୁଙ୍କର ଅଗ୍ରଗାମୀ ରୂପେ ତାହାଙ୍କ ନିମନ୍ତେ ପଥ ପ୍ରସ୍ତୁତ କରିବୁ,
77ପାପକ୍ଷମା ଦ୍ଵାରା ପରିତ୍ରାଣର ଯେଉଁ ଜ୍ଞାନ ଲବ୍ଧ ହୁଏ
ତାହା ତୁ ତାହାଙ୍କ ଲୋକମାନଙ୍କୁ ଦେବୁ,
78ଆମର ଈଶ୍ୱର କରୁଣାମୟ ହୋଇଥିବାରୁ,
ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ
79ଯେଉଁମାନେ ଅନ୍ଧକାର ଓ ମୃତ୍ୟୁଛାୟାନରେ ବାସ କରୁଛନ୍ତି
ସେମାନଙ୍କୁ ଆଲୋକ ଦେବା ପାଇଁ,
ଓ ଆମକୁ ଶାନ୍ତି ପଥରେ କଢ଼ାଇ ନେବା ପାଇଁ ସ୍ଵର୍ଗରୁ ଆମ ଉପରେ ଅରୁଣ ଉଦିତ ହେବ।”
80ଶିଶୁଟି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଶକ୍ତିମାନ ହେଲା; ସେ ଇସ୍ରାଏଲର ଜନସାଧାରଣଙ୍କ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ବାସ କଲେ।
Currently Selected:
ଲୂକ 1: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.