ମାର୍କାସ୍ 16
16
ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ
1ଶାବତବାର ଗତ ହେଲାପରେ ମଗ୍ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧିଦ୍ରବ୍ୟ କିଣି ଆଣିଲେ, ଯେପରିକି ସେମାନେ ଯାଇ ଯୀଶୁଙ୍କ ଶରୀରରେ ତାହା ଲଗାଇ ପାରିବେ। 2ସପ୍ତାହର ପ୍ରଥମ ଦିବସର ପ୍ରାତଃକାଳରେ, ସୂର୍ଯ୍ୟୋଦୟ ସମୟରେ, ସେମାନେ ସମାଧି ନିକଟକୁ ଗଲେ। 3ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “କିଏ ଆମ ପାଇଁ ସମାଧି ଦ୍ଵାରରୁ ପଥରଟାକୁ ଗଡ଼ାଇ ଦେବ?”
4କାରଣ ତାହା ଏକ ଅତି ବୃହତ୍ ପଥର ଥିଲା। କିନ୍ତୁ ସେମାନେ ଚାହିଁ ଦେଖିଲେ ଯେ, ସେହି ପଥରଟା ଗଡ଼ାଇ ଦିଆଯାଇଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଦକ୍ଷିଣପାର୍ଶ୍ୱରେ ଶୁକ୍ଳବସ୍ତ୍ର ପରିହିତ ଜଣେ ଯୁବକଙ୍କୁ ବସିଥିବାର ଦେଖିଲେ ଏବଂ ଶଙ୍କିତ ହୋଇପଡ଼ିଲେ।
6ସେ କହିଲେ, “ଭୀତ ହୁଅ ନାହିଁ। ଯେଉଁ ନାଜରିତୀୟ ଯୀଶୁ କ୍ରୁଶରେ ହତ ହୋଇଥିଲେ, ତୁମ୍ଭେମାନେ ତାଙ୍କୁ ଖୋଜୁଛ। ସେ ଉଠିଛନ୍ତି! ସେ ଏଠାରେ ନାହାନ୍ତି। ସେମାନେ ତାହାଙ୍କୁ ଯେଉଁଠି ରଖିଥିଲେ, ସେହି ସ୍ଥାନଟି ଦେଖ। 7କିନ୍ତୁ ତୁମ୍ଭେମାନେ ଯାଅ, ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ ଏହି କଥା କୁହ, ସେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ, ଠିକ ସେହିପରି ତୁମ୍ଭେମାନେ ସେଠାରେ ତାଙ୍କର ଦେଖାପାଇବ!”
8ସେହି ସ୍ତ୍ରୀଲୋକମାନେ ସମାଧି ନିକଟରୁ ଦୈଡ଼ି ପଳାଇଗଲେ, ସେମାନେ ଭୟରେ ଥରୁଥିଲେ ଓ ହତବୁଦ୍ଧି ହୋଇ ପଡ଼ିଥିଲେ ଭୟ ହେତୁ ସେମାନେ କାହାକୁ କିଛି କହିଲେ ନାହିଁ।
9ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥିତ ହୋଇ ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲିନୀ ମରିୟମଙ୍କୁ ପ୍ରଥମେ ଦର୍ଶନ ଦେଲେ 10ସେ ଯାଇ ଯୀଶୁଙ୍କ ସଙ୍ଗୀମାନଙ୍କୁ ସମ୍ବାଦ ଦେଲେ ସେମାନେ ସେତେବେଳେ ଶୋକ ଓ କ୍ରନ୍ଦନ କରୁଥିଲେ। 11ସେମାନେ ଯେତେବେଳେ ଶୁଣିଲେ ଯେ, ଯୀଶୁ ଜୀବିତ ଓ ମରିୟମ ତାଙ୍କୁ ଦେଖିଛନ୍ତି, ସେମାନେ ତାହା ବିଶ୍ୱାସ କଲେ ନାହିଁ।
12ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏକ ଗ୍ରାମକୁ ଚାଲି ଚାଲି ଯାଉଥିବା ସମୟରେ ଯୀଶୁ ସେମାନଙ୍କୁ ଅନ୍ୟ ରୂପରେ ଦର୍ଶନ ଦେଲେ 13ସେମାନେ ଫେରିଯାଇ ଅନ୍ୟମାନଙ୍କୁ ତାହା ଜଣାଇଲେ, କିନ୍ତୁ ସେମାନଙ୍କ କଥା ମଧ୍ୟ କେହି ବିଶ୍ୱାସ କଲେ ନାହିଁ।
14ପରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ, ସେ ସେମାନଙ୍କ ଅବିଶ୍ୱାସ ହେତୁ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଭତ୍ସନା କଲେ, କାରଣ ମୃତ୍ୟୁରୁ ଉତ୍ଥିତ ହେବା ପରେ ଯେଉଁମାନେ ତାଙ୍କୁ ଦେଖିଥିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ।
15ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମଗ୍ର ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ପ୍ରଚାର କର। 16ଯେ ବିଶ୍ୱାସ କରି ଡୁବନ ଗ୍ରହଣ କରିବ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ୱାସ କରିବ, ସେ ଦଣ୍ଡିତ ହେବ। 17ଯେଉଁମାନେ ବିଶ୍ୱାସ କରିବେ, ଏହିସବୁ ଚିହ୍ନ ସେମାନଙ୍କଠାରେ ପ୍ରକାଶିତ ହେବ, ସେମାନେ ମୋ ନାମରେ ଭୂତ ଛଡ଼ାଇବେ ଓ ନୂଆ ନୂଆ ଭାଷାରେ କଥା କହିବେ। 18ସେମାନେ ହାତରେ ସାପକୁ ଧରିଲେ ବା ଉତ୍କଟ ବିଷଦ୍ରବ୍ୟ ପାନ କଲେ, ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ସେମାନେ ରୋଗୀମାନଙ୍କ ଉପରେ ହାତ ରଖିଲେ, ସେମାନେ ସୁସ୍ଥ ହେବେ।”
19ପ୍ରଭୁ ଯୀଶୁ ସେମାନଙ୍କୁ ଏହିସମସ୍ତ କଥା କହିସାରିବା ପରେ ସ୍ଵର୍ଗକୁ ନୀତ ହେଲେ ଏବଂ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କଲେ। 20ତତ୍ପରେ ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ ଏବଂ ପ୍ରଭୁ ସେମାନଙ୍କ ସହ କାର୍ଯ୍ୟ କରି ପ୍ରକାଶିତ ଚିହ୍ନ ଦ୍ଵାରା ନିଜର ବାକ୍ୟକୁ ପ୍ରମାଣିତ କଲେ।
Currently Selected:
ମାର୍କାସ୍ 16: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.