ରୋମୀୟ 7

7
ବିବାହ ଦୃଷ୍ଟାନ୍ତ
1ଭାଇମାନେ, ବର୍ତ୍ତମାନ ଯାହା କହିବାକୁ ଯାଉଛି, ତୁମ୍ଭେମାନେ ତାହା ବୁଝିପାରିବ, କାରଣ ତୁମେ ଜାଣିଛ, “ବ୍ୟବସ୍ଥା” କଅଣ। ମନୁଷ୍ୟ କେବଳ ତା’ର ଜୀବଦ୍ଦଶା ସମୟରେ ବ୍ୟବସ୍ଥାର ଅଧୀନରେ ଥାଏ। 2ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ପତ୍ନୀ ତା’ ସହିତ ବିବାହ ବନ୍ଧରେ ଆବଦ୍ଧ ଥାଏ। କିନ୍ତୁ ସ୍ୱାମୀର ମୃତ୍ୟୁ ହେଲେ, ତା’ର ସ୍ତ୍ରୀ ଏହି ବ୍ୟବସ୍ଥାରୁ ମୁକ୍ତ ହୁଏ। 3ସ୍ୱାମୀ ଜୀବିତ ଥିବାବେଳେ; ସ୍ତ୍ରୀ ଯଦି ଅନ୍ୟ ପୁରୁଷ ଗ୍ରହଣ କରେ, ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ସ୍ୱାମୀର ମୃତ୍ୟୁ ପରେ ସେ ଆଉ ଜଣକୁ ବିବାହ କଲେ, ତାହା ବ୍ୟଭିଚାର ହେବ ନାହିଁ। 4ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି। 5ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ। 6ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।
ବ୍ୟବସ୍ଥା ଓ ପାପ
7ତେବେ କଅଣ କହିବା, ବ୍ୟବସ୍ଥା ହିଁ ପାପ? ତା’ ଅବଶ୍ୟ ନୁହେଁ। କିନ୍ତୁ ପାପ କଅଣ, ତାହା ବ୍ୟବସ୍ଥା ମୋତେ ଜଣାଇ ଦେଇଛି। “ପର ଦ୍ରବ୍ୟକୁ ଲୋଭ କର ନାହିଁ”, ଏହି ଆଜ୍ଞା ଯଦି ବ୍ୟବସ୍ଥା ଦେଇ ନ ଥାଆନ୍ତା, ଲୋଭ କଅଣ, ମୁଁ ଜାଣି ନ ଥାଆନ୍ତି।#ଯାତ୍ରା. ୨୦:୧୭; ଦ୍ୱି. ବିବରଣୀ ୫:୨୧। 8କିନ୍ତୁ ଉପରୋକ୍ତ ଆଜ୍ଞାର ସୁଯୋଗ ନେଇ ପାପ ମୋ’ ମନରେ ନାନା ପ୍ରକାର ସ୍ୱାର୍ଥପର ଅଭିଳାଷ ଜନ୍ମାଇଲା। ବ୍ୟବସ୍ଥା ବିନା ପାପ ନିଷ୍କ୍ରିୟ। 9ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା 10ଓ ମୁଁ ମୃତ ହେଲି; ଯେଉଁ ବ୍ୟବସ୍ଥଶ ଜୀବନ ଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ମୋ’ ମୃତ୍ୟୁର କାରଣ ହେଲା। 11ବ୍ୟବସ୍ଥାର ସୁଯୋଗ ନେଇ ପାପ ମୋତେ ପ୍ରତାରଣା କଲା ଓ ମୋତେ ହତ୍ୟା କଲା।#ଆଦି. ୩:୧୩।
12ବ୍ୟବସ୍ଥା ପବିତ୍ର; ତାହାର ଆଜ୍ଞା ସବୁ ପବିତ୍ର, ଯଥାର୍ଥ ଓ ମଙ୍ଗଳଜନକ। 13ତା’ହେଲେ, ଯାହା ମଙ୍ଗଳଜନକ, ତାହା କଅଣ ମୋ’ ମୃତ୍ୟୁର କାରଣ ହୋଇଥିଲା? କଦାପି ନୁହେଁ। ପାପ ହିଁ ତା’ କଲା। ମଙ୍ଗଳଜନକ ବ୍ୟବସ୍ଥାକୁ ବ୍ୟବହାର କରି ପାପ ମୋର ମୃତ୍ୟୁ ଘଟାଇଲା। ତଦ୍ଦ୍ୱାରା ପାପର ପ୍ରକୃତ ରୂପ ପ୍ରକାଶ ପାଇଲା। ତେଣୁ ବ୍ୟବସ୍ଥା ଦ୍ୱାରା ପାପର ଅତିଶୟ ଭୟଙ୍କରତା ଜଣାପଡ଼ିଲା।
ମନୁଷ୍ୟ ମନରେ ଦ୍ୱନ୍ଦ୍ୱ
14ଆମେ ଜାଣୁ, ବ୍ୟବସ୍ଥା ଆଧ୍ୟାତ୍ମିକ। କିନ୍ତୁ ମୋର ମର ଶରୀର ପାପ କ୍ରୀତଦାସ। 15ମୁଁ କଅଣ କରେ, ତା’ ମୁଁ ବୁଝେ ନାହିଁ। ଯାହା କରିବା ପାଇଁ ମୋର ଇଚ୍ଛା, ତା’ ମୁଁ କରେ ନାହିଁ; କିନ୍ତୁ ଯାହା ଘୃଣା କରେ, ତାହା ହିଁ କରେ।#ଗାଲାତୀ ୫:୧୭। 16ଯାହା କରେ, ତାହା ପ୍ରକୃତରେ ମୋର ଇଚ୍ଛା ବିରୁଦ୍ଧରେ କରୁଥିବାରୁ, ବ୍ୟବସ୍ଥା ଯଥାର୍ଥ ବୋଲି ମୁଁ ସ୍ୱୀକାର କରୁଛି। 17ତେଣୁ ସେ କାର୍ଯ୍ୟ ପ୍ରକୃତରେ ମୁଁ କରେ ନାହିଁ- ମୋ’ ଭିତରେ ଥିବା ପାପ ହିଁ ତା' କରେ। 18ମୁଁ ଜାଣେ, ମୋ' ଭିତରେ ଅର୍ଥାତ୍ ମୋର ମାନବ ପ୍ରକୃତିରେ କୌଣସି ଉତ୍ତମତା ନାହିଁ, କାରଣ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା ଥିଲେ ସୁଦ୍ଧା ତା’ କରିପାରେ ନାହିଁ। 19ସେଥିପାଇଁ ଯେଉଁ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା, ତା’ ନ କରି ମୋ’ ଇଚ୍ଛା ବିରୁଦ୍ଧରେ ଅସତ୍ କାର୍ଯ୍ୟ ହିଁ କରୁଥାଏ। 20ମୋ’ ଇଚ୍ଛା ବିରୁଦ୍ଧରେ ଯାହା ମୁଁ କରେ, ପ୍ରକୃତରେ ମୁଁ ତା’ କରେ ନାହିଁ, ମୋ’ ଭିତରେ ଥିବା ପାପ ହିଁ ତା’ କରେ।
21ଏହା ମୋ’ ଭିତରେ ଏକ ସକ୍ରିୟ ବିଧାନ ବୋଲି ମନେହୁଏ। ଯାହା ସତ୍, ତାହା ମୁଁ କରିବାକୁ ଗଲାବେଳେ, କେବଳ ଅସତ୍ କାର୍ଯ୍ୟ କରିଥାଏ। 22ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ମୋର ଆଗ୍ରହ, 23କିନ୍ତୁ ମୋ’ ମନର ଏହି ଇଚ୍ଛା ବିରୁଦ୍ଧରେ ମୋର ଶରୀରକୁ ନିୟନ୍ତ୍ରଣ କରୁଥିବା ବିଧାନ ସର୍ବଦା ସଂଘର୍ଷ କରୁଥାଏ। ମୋ’ ଶରୀରରେ ସକ୍ରିୟ ଥିବା ସେହି ପାପ ପ୍ରବୃତ୍ତି ମୋତେ ବନ୍ଦୀ କରି ରଖିଛି। 24କେଡ଼େ ହତଭାଗ୍ୟ ମୁଁ! ମୃତ୍ୟୁ ମୁଖକୁ ଟାଣି ନେଉଥିବା ଏହି ଶାରୀରିକ ପ୍ରବୃତ୍ତିରୁ ମୋତେ କିଏ ଉଦ୍ଧାର କରିବ? 25ଧନ୍ୟ ଈଶ୍ୱର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ସେ ସାଧନ କରିଛନ୍ତି।
ତେବେ, ଏହା ହେଉଛି ମୋର ଅବସ୍ଥା। ଈଶ୍ୱରଙ୍କ ବ୍ୟବସ୍ଥା କେବଳ ମୁଁ ମୋ’ ମନରେ ପାଳନ କରିପାରେ। କିନ୍ତୁ ମୋର ମାନବ ପ୍ରକୃତି ମୋତେ ପାପର ଦାସ ହେବାକୁ ବାଧ୍ୟ କରୁଛି।

ទើបបានជ្រើសរើសហើយ៖

ରୋମୀୟ 7: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល