ଗାଲାତୀୟ 5

5
ତୁମ ସ୍ୱାଧୀନତାକୁ ସୁରକ୍ଷିତ କର
1ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। 2ମୁଁ ପାଉଲ, ଯାହା କହୁଅଛି ଶୁଣ; ତୁମ୍ଭେମାନେ ଯଦି ସୁନ୍ନତ ବିଧି ପାଳନ କର, ତା’ର ଅର୍ଥ ହେବ, ତୁମ୍ଭମାନଙ୍କ ପାଇଁ ଖ୍ରୀଷ୍ଟଙ୍କର କୌଣସି ପ୍ରୟୋଜନ ନାହିଁ। 3ଯେଉଁ ବ୍ୟକ୍ତି ସୁନ୍ନଦ ହୁଏ, ମୁଁ ତାକୁ ପୁଣି ଥରେ ସତର୍କ କରି ଦେଉଛି ଯେ, ମୋଶାଙ୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପାଳନ କରିବା ତାହାର କର୍ତ୍ତବ୍ୟ। 4ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ। 5କିନ୍ତୁ ଆମେ ଆଶା ପୋଷଣ କରୁଛୁ ଯେ, ଈଶ୍ୱର ଆମକୁ ତାଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ କରିବେ; ଆମ ବିଶ୍ୱାସର ଫଳ ସ୍ୱରୂପ, ଆମ ଭିତରେ କାର୍ଯ୍ୟ କରୁଥିବା ପରମାତ୍ମାଙ୍କ ଶକ୍ତି ଦ୍ୱାରା ଏହା ସାଧିତ ହେବ ବୋଲି ଅପେକ୍ଷା କରି ରହିଛୁ। 6କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା। 7ତୁମ୍ଭେମାନେ ଭଲରେ ଆଗେଇ ଚାଲିଥିଲ। ସତ୍ୟପଥରେ ଚାଲିବାବେଳେ, କିଏ ତୁମ୍ଭମାନଙ୍କୁ ପ୍ରତିରୋଧ କଲା? 8ତୁମ୍ଭମାନଙ୍କୁ ଭୁଲ୍ ବାଟରେ ଯିବାକୁ ସେ କିପରି ପ୍ରବର୍ତ୍ତାଇଲା? ତୁମ୍ଭମାନଙ୍କୁ ଆହ୍ୱାନ କରିଥିବା ଈଶ୍ୱରଙ୍କ ପକ୍ଷରୁ ଏହା ହୋଇ ନାହିଁ। 9କଥାରେ ଅଛି: “ଚକଟା ହୋଇଥିବା ମଇଦାକୁ ଫୁଲାଇବା ପାଇଁ ଟିକିଏ ମାତ୍ର ଖମୀର ଆବଶ୍ୟକ।”#୧ କରିନ୍ଥୀ ୫:୬। 10ସେ ଯାହାହେଉ, ଏ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ମୋର ଆସ୍ଥା ରହିଛି। ଯେହେତୁ ଆମେ ସମସ୍ତେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଛୁ, ମୋର ଦୃଢ଼ ବିଶ୍ୱାସ, ତୁମ୍ଭେମାନେ ମୋ’ ମତର ବିରୋଧ କରିବ ନାହିଁ। ପୁଣି ଯେଉଁ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରୁଛି, ସେ ଯେ କେହି ହେଉନା କାହିଁକି, ତାକୁ ଈଶ୍ୱର ସମୁଚିତ ଦଣ୍ଡ ଦେବେ। 11କିନ୍ତୁ ଭାଇମାନେ, ମୁଁ ଯଦି ଆଜିଯାଏ ସୁନ୍ନତର ପ୍ରୟୋଜନୀୟତା ସପକ୍ଷରେ ପ୍ରଚାର କରୁଥାଏ, ତେବେ ମୁଁ ଏବେ ମଧ୍ୟ କାହିଁକି ନିର୍ଯ୍ୟାତିତ ହେଉଛି? ଯଦି ମୁଁ ତାହା କରୁଥାଏ, ତାହାହେଲେ ସେଥି ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ପ୍ରଚାର କରିବା ଦ୍ୱାରା ମୋର କିଛି ଅସୁବିଧା ହୋଇ ନ ଥାଆନ୍ତା। 12ମୁଁ ଚାହେଁ, ଏ ସମ୍ପର୍କରେ ଯେଉଁମାନେ ତୁମ୍ଭମାନଙ୍କୁ ବିଚଳିତ କରୁଛନ୍ତି, ସେମାନେ ଆଉ ଟିକିଏ ଆଗେଇ ଯାଆନ୍ତୁ। କେବଳ ସୁନ୍ନତ ନ ହୋଇ ପୂରାପୂରି ନିଜର ଯୌନାଙ୍ଗ ଛେଦନ କରନ୍ତୁ। 13ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର। 14କାରଣ ଗୋଟିଏ ମାତ୍ର ଆଜ୍ଞାରେ ସମସ୍ତ ବ୍ୟବସ୍ଥାର ସାରମର୍ମ ନିହିତ ଅଛି: “ତୁମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”#ଲେବୀ ୧୯:୧୮। 15ମାତ୍ର ଯଦି ତୁମ୍ଭେମାନେ ପଶୁ ପରି ଆଚରଣ କରି ପରସ୍ପରକୁ ଆଘାତ କରୁଥାଅ ଓ ପରସ୍ପରର କ୍ଷତି କରୁଥାଅ, ତେବେ ସତର୍କ ହୁଅ, ନଚେତ୍ ହୁଏତ ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କରିଦେବ।
ପବିତ୍ର ଆତ୍ମା ଓ ମନୁଷ୍ୟର ପ୍ରକୃତି
16ମୋର କହିବାର କଥା ହେଲା, ପବିତ୍ରଆତ୍ମା ତୁମ୍ଭମାନଙ୍କ ଜୀବନକୁ ପରିଚାଳିତ କରନ୍ତୁ। ତା’ହେଲେ ତୁମ୍ଭେମାନେ ଆଉ ମନୁଷ୍ୟର ପ୍ରକୃତିଗତ ଲାଳସାକୁ ଚରିତାର୍ଥ କରିବ ନାହିଁ। 17ମନୁଷ୍ୟ ପ୍ରକୃତି ପବିତ୍ର ଆତ୍ମାଙ୍କ ଇଚ୍ଛାର ବିରୋଧୀ। ସେହିପରି ପବିତ୍ର ଆତ୍ମାଙ୍କ ଇଚ୍ଛା, ମନୁଷ୍ୟ ପ୍ରକୃତିର ବିରୋଧୀ। ଏମାନେ ପରସ୍ପରର ଶତ୍ରୁ। ତେଣୁ ତୁମ୍ଭେମାନେ ଯାହା କରିବାକୁ ଇଚ୍ଛା କର, ତାହା କରିବାକୁ ଅସମର୍ଥ।#ରୋମୀୟ ୭:୧୫-୨୩। 18ଯଦି ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ପରିଚାଳିତ କରନ୍ତି, ତେବେ ତୁମ୍ଭେମାନେ ଆଉ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ। 19-20ମନୁଷ୍ୟ ପ୍ରକୃତିର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତାହା ଅନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମା ପୂଜା, ଗୁଣି ଗାରୁଡ଼ି ଆଦି କୁକର୍ମରେ ପ୍ରକାଶ ପାଏ। ଲୋକମାନେ ପରସ୍ପରର ଶତ୍ରୁ ହୋଇ କଳହ କରିଥାନ୍ତି; ସେମାନେ ଈର୍ଷାପରାୟଣ, କ୍ରୋଧୀ ଓ ଦୁରାକାଂକ୍ଷୀ ହୋଇଥାନ୍ତି ଓ ସେମାନେ ବିଭିନ୍ନ ଦଳ ଓ ଉପଦଳରେ ବିଭକ୍ତ ହୋଇଥାଆନ୍ତି। 21ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ। 22-23ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ। 24ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି। 25ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଜୀବନ ଦାନ କରି ଅଛନ୍ତି, ସେ ଆମ୍ଭମାନଙ୍କର ଜୀବନକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ। 26ତେଣୁ ଗର୍ବ କରିବା ବା ଅନ୍ୟମାନଙ୍କୁ ବିରକ୍ତ କରିବା ବା କାହାକୁ ଈର୍ଷା କରିବା ଆମର ଉଚିତ ନୁହେଁ।

ទើបបានជ្រើសរើសហើយ៖

ଗାଲାତୀୟ 5: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល