କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 3
3
ଈଶ୍ୱରଙ୍କ ସେବକ
1ଭାଇମାନେ, ଆଧ୍ୟାତ୍ମିକମନା ଲୋକମାନଙ୍କ ସହିତ କଥାବାର୍ତ୍ତା କଲା ପରି ମୁଁ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରି ନାହିଁ। ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ଜଗତର ଲୋକ ଏବଂ ଖ୍ରୀଷ୍ଟୀୟ ବିଶ୍ୱାସରେ ଶିଶୁ ମନେ କରି କଥା କହିଛି। 2ତୁମ୍ଭମାନଙ୍କୁ ଗୁରୁପାକ ଖାଦ୍ୟ ନ ଦେଇ ଦୁଗ୍ଧ ପାନ କରିବାକୁ ଦେଇଥିଲି, କାରଣ ଗୁରୁପାକ ଖାଦ୍ୟ ଭୋଜନ କରିବାକୁ ତୁମେ ଅସମର୍ଥ ଥିଲ; ବର୍ତ୍ତମାନ ମଧ୍ୟ ସମର୍ଥ ନୁହଁ।#ଏବ୍ରୀ ୫:୧୨-୧୩। 3ଏବେ ମଧ୍ୟ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଜୀବନ ଯାପନ କରୁଛ। ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଏବଂ ପରସ୍ପର ମଧ୍ୟରେ କଳହ ଲାଗି ରହିଛି; ଏଥିରୁ କ’ଣ ତୁମ୍ଭେମାନେ ଶାରୀରିକ ଓ ଜାଗତିକ ବୋଲି ପ୍ରମାଣିତ ହେଉ ନାହଁ? 4ତୁମ୍ଭମାନଙ୍କ ମଧ୍ୟରୁ କେହି ଯେତେବେଳେ କୁହେ, ‘ମୁଁ ପାଉଲଙ୍କର’, ଆଉ କେହି କୁହେ, ‘ମୁଁ ଆପୋଲୋଙ୍କର’, ସେତେବେଳେ କ’ଣ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଆଚରଣ କରୁ ନାହଁ?#୧ କରିନ୍ଥୀ ୧:୧୨।
5ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ। 6ମୁଁ ରୋପଣ କରିଛି ଓ ଆପୋଲୋ ସେଥିରେ ଜଳସେଚନ କରିଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରାଇଛନ୍ତି।#ପ୍ରେରିତ ୧୮:୪-୧୧,୨୪-୨୮। 7ସୁତରାଂ ରୋପଣକାରୀ ଓ ସେଚନକାରୀ କିଛି ନୁହଁନ୍ତି। କେବଳ ବୃଦ୍ଧି ସାଧନକର୍ତ୍ତା ଈଶ୍ୱର ସର୍ବେସର୍ବା। 8ରୋପଣକାରୀ ଓ ସେଚନକାରୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ନିଜ ନିଜ ପରିଶ୍ରମ ଅନୁସାରେ ଈଶ୍ୱର ସେମାନଙ୍କୁ ପୁରସ୍କୃତ କରିବେ। 9ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ। 10ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ, 11କାରଣ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଏକମାତ୍ର ଭିତ୍ତିମୂଳ କରି ସ୍ଥାପନ କରିଛନ୍ତି; ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପିତ ହୋଇ ପାରିବ ନାହିଁ। 12ଏହି ଭିତ୍ତି ଉପରେ କେହି କେହି ସୁନା ରୂପା, ମୂଲ୍ୟବାନ ପଥର ଏବଂ କେହି କେହି କାଠ, ଘାସ ଓ ନଡ଼ା ଦେଇ ନିର୍ମାଣ କରିବେ। 13କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ”#3:13 ୩:୧୩ ଖ୍ରୀଷ୍ଟଙ୍କ ଦିବସରେ - ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୁଣି ଥରେ ଆବିର୍ଭୂତ ହେବେ। ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ। 14ମୂଳଦୁଆ ଉପରେ ଯାହାର ନିର୍ମାଣ କାର୍ଯ୍ୟ ଅଗ୍ନି ପରୀକ୍ଷାରେ ଅକ୍ଷୁଣ୍ଣ ହୋଇ ରହିବ, ସେ ପୁରସ୍କୃତ ହେବ। 15ଯାହାର କାର୍ଯ୍ୟ ଧ୍ୱଂସ ପାଇବ, ସେ ସେଥିରୁ ବଞ୍ଚିତ ହେବ, କିନ୍ତୁ ପରୀକ୍ଷାରୁ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ପରି ସେ ନିଜେ ରକ୍ଷା ପାଇବ।
16ତୁମେ ନିଶ୍ଚିତରୂପେ ଜାର ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।#୧ କରିନ୍ଥୀ ୬:୧୯; ୨ କରିନ୍ଥୀ ୬:୧୬। 17କେହି ଯଦି ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରେ, ଈଶ୍ୱର ତାକୁ ଧ୍ୱଂସ କରିବେ। କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର ଏବଂ ତୁମ୍ଭେମାନେ ସେହି ମନ୍ଦିର।
18କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ, 19କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”#ଆୟୁବ ୫:୧୩। 20ପୁନଶ୍ଚ “ପ୍ରଭୁ ଜାଣନ୍ତି ଯେ, ଜ୍ଞାନୀମାନଙ୍କର ଚିନ୍ତା ଭାବନା ଅସାର।”#ଗୀତ. ୯୪:୧୧। 21ସୁତରାଂ ମନୁଷ୍ୟର କ୍ୱଚିତ୍ ବିଷୟରେ କେହି ଦର୍ପ ନ କରୁ। ବାସ୍ତବିକ ତୁମ୍ଭେମାନେ ସବୁ ବିଷୟର ଅଧିକାରୀ। 22ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର। 23କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ଈଶ୍ୱରଙ୍କର।
ទើបបានជ្រើសរើសហើយ៖
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 3: ODCLBSI
គំនូសចំណាំ
ចែករំលែក
ចម្លង

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.