ଯାତ୍ରା ପୁସ୍ତକ 6

6
1ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଛାଡ଼ି ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।
ମୋଶାଙ୍କୁ ପରମେଶ୍ଵରଙ୍କ ଆହ୍ଵାନ
2ପରମେଶ୍ଵର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଯିହୋବାଃ (ସଦାପ୍ରଭୁ);
3ଆମ୍ଭେ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ଵର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
4ପୁଣି କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।
5ଏବେ ମିସ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ଵରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।
6ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ଵରୁ ମୁକ୍ତ କରିବା, ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ତ ଦ୍ଵାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା।
7ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା; ତହିଁରେ ମିସ୍ରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।
8ଆମ୍ଭେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ।
9ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ଵ ହେତୁରୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।
10ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
11ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବିଦାୟ କର।
12ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?
13ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
ମୋଶା ଓ ହାରୋଣଙ୍କ ବଂଶାବଳୀ
14ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ ଓ ହିଷ୍ରୋଣ୍ ଓ କର୍ମ୍ମି; ଏମାନେ ରୁବେନର ବଂଶ।
15ପୁଣି ଶିମୀୟୋନର ପୁତ୍ର ଯିମୂୟେଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ।
16ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ୍ ଓ କହାତ୍ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ୍ ବର୍ଷ ଥିଲା।
17ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି।
18ପୁଣି କହାତର ସନ୍ତାନ ଅମ୍ରମ୍ ଓ ଯିଷ୍ହର ଓ ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ୍ ବର୍ଷ ବୟସ ହୋଇଥିଲା।
19ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ।
20ପୁଣି ଅମ୍ରମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା ; ସେହି ଅମ୍ରମର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
21ଯିଷ୍ହରର ସନ୍ତାନ କୋରହ ଓ ନେଫଗ ଓ ସିଖ୍ରି।
22ପୁଣି ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଦ୍ରି।
23ପୁଣି ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବୀହୂ ଓ ଇଲୀୟାସର ଓ ଈଥାମରକୁା ପ୍ରସବ କଲା।
24ପୁଣି କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ୍; ଏମାନେ କୋରହର ବଂଶ।
25ପୁଣି ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସକୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ।
26ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।
27ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
ମୋଶା ଓ ହାରୋଣଙ୍କୁ
28ଯେଉଁଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ,
29ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଆମ୍ଭେ ସଦାପ୍ରଭୁ ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହା ସବୁ ମିସ୍ରୀୟ ରାଜା ଫାରୋକୁ କୁହ।
30ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?

ទើបបានជ្រើសរើសហើយ៖

ଯାତ୍ରା ପୁସ୍ତକ 6: ODIAOV-BSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល