ଯାତ୍ରା ପୁସ୍ତକ 37
37
ନିୟମ ସିନ୍ଦୁକ ନିର୍ମାଣ
1ଅନନ୍ତର ବତ୍ସଲେଲ ଶିଟୀମ୍ କାଷ୍ଠରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ, ଏକ ସିନ୍ଦୁକ ନିର୍ମାଣ କଲେ ଯାତ୍ରା. ୨୫:୧୦-୨୦
2ଓ ତହିଁର ଭିତର ଓ ବାହାର ନିର୍ମଳ ସୁବର୍ଣ୍ଣରେ ମଡ଼ାଇ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
3ପୁଣି ତହିଁର ଚାରି କୋଣ ନିମନ୍ତେ ଚାରି ସ୍ଵର୍ଣ୍ଣକଡ଼ା ଢାଳିଲେ; ତହିଁର ଏକ ପାର୍ଶ୍ଵରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ଵରେ ଦୁଇ କଡ଼ା ଦେଲେ।
4ଆଉ ସେ ଶିଟୀମ୍ କାଷ୍ଠରେ ସାଙ୍ଗୀ କରି ସୁବର୍ଣ୍ଣ ମଡ଼ାଇଲେ
5ଓ ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ପାର୍ଶ୍ଵସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇଲେ।
6ଏଉତ୍ତାରେ ସେ ନିର୍ମଳ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କଲେ।
7ପୁଣି ପିଟା ସୁବର୍ଣ୍ଣରେ ଦୁଇ କିରୂବ ନିର୍ମାଣ କରି ପାପାଚ୍ଛାଦନର ଦୁଇ ମୁଣ୍ତରେ ରଖିଲେ।
8ତହିଁର ଏକ ମୁଣ୍ତରେ ଏକ କିରୂବ ଓ ଅନ୍ୟ ମୁଣ୍ତରେ ଅନ୍ୟ କିରୂବ ସ୍ଥାପନ କଲେ; ପାପାଚ୍ଛାଦନର ଦୁଇ ମୁଣ୍ତରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ।
9ପୁଣି କିରୂବମାନଙ୍କର ପକ୍ଷ ଊର୍ଦ୍ଧ୍ଵବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।
ଦର୍ଶନୀୟ ରୋଟୀର ମେଜ ନିର୍ମାଣ
10ତହିଁ ଉତ୍ତାରୁ ସେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କଲେ।
11ପୁଣି ତାହା ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
12ପୁଣି ସେ ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କଲେ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
13ଆଉ ସୁବର୍ଣ୍ଣରେ ଚାରି କଡ଼ା ଢାଳି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିଲେ।
14ସେହି କଡ଼ା ପାର୍ଶ୍ଵ-କାଷ୍ଠର ସନ୍ନିକଟ ଓ ମେଜ ବହିବା ନିମନ୍ତେ ସାଙ୍ଗୀର ଘରା ଥିଲା।
15ପୁଣି ସେ ସେହି ମେଜ ବହନାର୍ଥେ ଶିଟୀମ୍ କାଷ୍ଠରେ ସାଙ୍ଗୀ ନିର୍ମାଣ କରି ସୁବର୍ଣ୍ଣରେ ମଡ଼ାଇଲେ।
16ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍, ତହିଁର ଥାଳୀଓ ଚମସ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।
ସୁବର୍ଣ୍ଣ ଦୀପବୃକ୍ଷ ନିର୍ମାଣ
17ଆହୁରି, ସେ ନିର୍ମଳ ସୁବର୍ଣ୍ଣରେ ଏକ ଦୀପବୃକ୍ଷ ନିର୍ମାଣ କଲେ, ସେ ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ତି ଓ ଶାଖା ନିର୍ମାଣ କଲେ, ଆଉ ତହିଁର ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ହେଲା।
18ସେହି ଦୀପବୃକ୍ଷର ଏକ ପାର୍ଶ୍ଵରୁ ତିନି ଶାଖା ଓ ଦୀପବୃକ୍ଷର ଅନ୍ୟ ପାର୍ଶ୍ଵରୁ ତିନି ଶାଖା, ଏହି ଛଅ ଶାଖା ତହିଁର ପାର୍ଶ୍ଵରୁ ନିର୍ଗତ ହେଲା।
19ପୁଣି ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ପୁଣି ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ଏହିରୂପେ ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ରହିଲା।
20ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର ଓ ତହିଁର କଳିକା ଓ ପୁଷ୍ପ ରହିଲା।
21ଆଉ, ତହିଁରୁ ଯେଉଁ ଛଅ ଶାଖା ନିର୍ଗତ ହେଲା, ତଦନୁସାରେ ଏକ ଶାଖାଦ୍ଵୟର ତଳେ ଏକ କଳିକା ଓ ଅନ୍ୟ ଶାଖାଦ୍ଵୟର ତଳେ ଏକ କଳିକା ଓ ଅନ୍ୟତର ଶାଖାଦ୍ଵୟର ତଳେ ଏକ କଳିକା ରହିଲା।
22ଏହି କଳିକା ଓ ଶାଖା ତହିଁର ଅଂଶ ହେଲା ଓ ସମସ୍ତ ନିର୍ମଳ ସୁବର୍ଣ୍ଣ ନିର୍ମିତ ଏକ ପିଟାକର୍ମ ହେଲା।
23ଆଉ, ସେ ତହିଁ ପାଇଁ ସପ୍ତ ପ୍ରଦୀପ ଓ ଚିମୁଟା ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।
24ସେ ଏକ ମହଣ ପରିମିତ ନିର୍ମଳ ସୁବର୍ଣ୍ଣରେ ତାହା ଓ ତହିଁର ସମସ୍ତ ପାତ୍ର ନିର୍ମାଣ କଲେ।
ସୁଗନ୍ଧି ଧୂପବେଦି ନିର୍ମାଣ
25ଅନନ୍ତର ସେ ଶିଟୀମ୍ କାଷ୍ଠରେ ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦୁଇ ହସ୍ତ ଉଚ୍ଚ ଚତୁଷ୍କୋଣ ଧୂପବେଦି ନିର୍ମାଣ କଲେ, ତହିଁର ଶୃଙ୍ଗସକଳ ତହିଁର ଅଂଶ ହେଲା।
26ଆଉ, ତାହା ଓ ତହିଁର ପୃଷ୍ଠ ଓ ତହିଁର ଚାରି ପାର୍ଶ୍ଵ ଓ ତହିଁର ଶୃଙ୍ଗସକଳ ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ; ପୁଣି ସେ ତହିଁର ଚାରିଆଡ଼େ ସୁବର୍ଣ୍ଣର କାନ୍ଥି କଲେ।
27ପୁଣି ତହିଁର ବହନାର୍ଥକ ସାଙ୍ଗୀର ଘରା ନିମନ୍ତେ ତହିଁର କାନ୍ଥି ତଳେ ଦୁଇ ପାର୍ଶ୍ଵର ଦୁଇ କୋଣରେ ସୁବର୍ଣ୍ଣର ଦୁଇ ଦୁଇ କଡ଼ା ନିର୍ମାଣ କଲେ।
28ଆଉ ଶିଟୀମ୍ କାଷ୍ଠରେ ସାଙ୍ଗୀ କଲେଓ ତାହା ସୁବର୍ଣ୍ଣରେ ମଡ଼ାଇଲେ।
29ଏଉତ୍ତାରେ ସେ ଅଭିଷେକାର୍ଥକ ପବିତ୍ର ତୈଳଓ ଧୂପ ନିମନ୍ତେ ଗନ୍ଧ-ବଣିକର କ୍ରିୟାନୁଯାୟୀ ସୁଗନ୍ଧିଦ୍ରବ୍ୟ ପ୍ରସ୍ତୁତ କଲେ।
ទើបបានជ្រើសរើសហើយ៖
ଯାତ୍ରା ପୁସ୍ତକ 37: ODIAOV-BSI
គំនូសចំណាំ
ចែករំលែក
ចម្លង
ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.