ଆଦି ପୁସ୍ତକ 34
34
ଦୀଣାକୁ ବଳାତ୍କାର
1ଅନନ୍ତର ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା।
2ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।
3ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।
4ଅନନ୍ତର ଶିଖିମ ଆପଣା ପିତା ହମୋରକୁ କହିଲା, ତୁମ୍ଭେ ଏହି ଯୁବତୀ ସଙ୍ଗେ ମୋତେ ବିବାହ କରି ଦିଅ।
5ଏଥିଉତ୍ତାରେ ଯାକୁବ ଆପଣାର କନ୍ୟା ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିବାର କଥା ଶୁଣିଲା; ସେହି ସମୟରେ ତାହାର ପୁତ୍ରମାନେ କ୍ଷେତ୍ରରେ ପଶୁପଲ ସଙ୍ଗରେ ଥିବାରୁ ଯାକୁବ ସେମାନଙ୍କ ଆସିବା ଯାଏ ତୁନି ହୋଇ ରହିଲା।
6ଏଥିମଧ୍ୟରେ ଶିଖିମର ପିତା ହମୋର ଯାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା।
7ଆଉ ଯାକୁବର ପୁତ୍ରମାନେ ସେହି ସମ୍ଵାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ଵିତ ଥିଲେ।
8ସେତେବେଳେ ହମୋର ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି କହିଲା, ତୁମ୍ଭମାନଙ୍କର ଏହି କନ୍ୟାଠାରେ ମୋʼ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି; ମୁଁ ନିବେଦନ କରୁଅଛି, ମୋʼ ପୁତ୍ର ସଙ୍ଗେ ତାହାକୁ ବିବାହ କରିଦିଅ।
9ପୁଣି ଆମ୍ଭମାନଙ୍କ ସଙ୍ଗେ ବିବାହ ସମ୍ଵନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।
10ତାହାହେଲେ, ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବାସ କରିବ; ଦେଶଯାକ ତୁମ୍ଭମାନଙ୍କର ଆଗରେ ପଡ଼ିଛି, ତହିଁରେ ବାସ କର ଓ ବାଣିଜ୍ୟ କର ଓ ଅଧିକାର କର।
11ପୁଣି ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, ମୋʼ ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି।
12ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।
13ତେବେ ଶିଖିମ ଯାକୁବର ପୁତ୍ରମାନଙ୍କ ଭଉଣୀ ଦୀଣାକୁ ଭ୍ରଷ୍ଟା କରିଥିବାରୁ ସେମାନେ ଶିଖିମ ଓ ତାହାର ପିତା ହମୋର ସଙ୍ଗେ ଛଳ ଭାବରେ କଥାବାର୍ତ୍ତା କରି କହିଲେ,
14ଆମ୍ଭେମାନେ ଅସୁନ୍ନତ ଲୋକକୁ ଆପଣା ଭଉଣୀକୁ ଦେବାର କର୍ମ କରି ନ ପାରୁ, ତାହା କଲେ, ଆମ୍ଭମାନଙ୍କର ଅପଖ୍ୟାତି ହେବ।
15ଯେବେ କେବଳ ଗୋଟିଏ କର୍ମ କରିବ, ଆମ୍ଭମାନଙ୍କ ପରି ତୁମ୍ଭେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା।
16ଆମ୍ଭେମାନେ ତୁମ୍ଭମାନଙ୍କୁ କନ୍ୟା ଦାନ କରିବା ଓ ତୁମ୍ଭମାନଙ୍କ କନ୍ୟା ଗ୍ରହଣ କରିବା, ପୁଣି ତୁମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବା।
17ମାତ୍ର ତୁମ୍ଭେମାନେ ଯେବେ ସୁନ୍ନତ ବିଷୟରେ ଆମ୍ଭମାନଙ୍କ କଥା ନ ଶୁଣ, ତେବେ ଆମ୍ଭେମାନେ ସେହି କନ୍ୟାକୁ ଘେନି ଚାଲିଯିବା।
18ସେତେବେଳେ ସେମାନଙ୍କର ଏହି କଥାରେ ହମୋର ଓ ତାହାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ।
19ପୁଣି ସେହି ଯୁବା ଅତିଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟାଠାରେ ଅତିଶୟ ଆସକ୍ତ ଥିଲା। ସେହି ଶିଖିମ ଆପଣା ପିତୃପରିବାର ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା।
20ଅନନ୍ତର ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗରଦ୍ଵାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;
21ଏହି ଲୋକମାନେ ଆମ୍ଭମାନଙ୍କ ସହିତ ନିର୍ବିରୋଧୀ; ଏଣୁକରି ଏମାନଙ୍କୁ ଏହି ଦେଶରେ ବାସ ଓ ବାଣିଜ୍ୟ କରିବାକୁ ଦିଆଯାଉ; କାରଣ ଦେଖ, ଏ ଦେଶ ସେମାନଙ୍କ ନିମନ୍ତେ ଯଥେଷ୍ଟ ଅଟଇ; ପୁଣି ଆମ୍ଭେମାନେ ସେମାନଙ୍କ କନ୍ୟା ଗ୍ରହଣ କରିବା ଓ ଆମ୍ଭମାନଙ୍କ କନ୍ୟା ସେମାନଙ୍କୁ ଦେବା।
22ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯେବେ ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ।
23ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ।
24ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗରଦ୍ଵାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗରଦ୍ଵାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା।
25ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ୍ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ଼୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
26ପୁଣି ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ଼୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।
27ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକି ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।
28ପୁଣି ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ।
29ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ଵ ଲୁଟ କଲେ।
30ତହୁଁ ଯାକୁବ ଶିମୀୟୋନ୍ ଓ ଲେବୀକି କହିଲା, ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍, କିଣାନୀୟ ଓ ପିରିଜୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ଵରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଣୁକରି ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।
31ସେମାନେ ଉତ୍ତର କଲେ, ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ?
اکنون انتخاب شده:
ଆଦି ପୁସ୍ତକ 34: ODIAOV-BSI
هایلایت
کپی
مقایسه
به اشتراک گذاشتن
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.