ଆଦି ପୁସ୍ତକ 33
33
ଯାକୁବ ଏଷୌଙ୍କ ମିଳନ
1ଅନନ୍ତର ଯାକୁବ ଅନାଇ ଦେଖିଲା, ଆଉ ଦେଖ, ଏଷୌ ଉପସ୍ଥିତ, ପୁଣି ତାହା ସଙ୍ଗେ ଚାରିଶହ ଲୋକ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା,
2ଅର୍ଥାତ୍, ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଯୋଷେଫକୁ ରଖିଲା।
3ପୁଣି, ଆପେ ସମସ୍ତଙ୍କ ଆଗେ ଯାଇ ସାତଥର ଭୂମିଷ୍ଠ ପ୍ରଣାମ କରୁ କରୁ ଆପଣା ଭ୍ରାତା ନିକଟରେ ଉପସ୍ଥିତ ହେଲା।
4ସେତେବେଳେ ଏଷୌ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ଵନ କଲା, ପୁଣି ଦୁହେଁ ରୋଦନ କଲେ।
5ଏଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା, ତୁମ୍ଭ ସଙ୍ଗେ ଏମାନେ କିଏ? ତହିଁରେ ସେ କହିଲା, ପରମେଶ୍ଵର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି।
6ତହୁଁ ଦାସୀଗଣ ଓ ସେମାନଙ୍କ ସନ୍ତାନମାନେ ନିକଟକୁ ଆସି ପ୍ରଣାମ କଲେ।
7ତହିଁ ପଛେ ଲେୟା ଓ ତାହାର ସନ୍ତାନମାନେ ଆସି ପ୍ରଣାମ କଲେ; ସର୍ବଶେଷରେ ଯୋଷେଫ ଓ ରାହେଲ ନିକଟକୁ ଆସି ପ୍ରଣାମ କଲେ।
8ତହିଁରେ ଏଷୌ ପଚାରିଲା, ମୁଁ ଆଗେ ଯେଉଁ ସବୁ (ପଶ୍ଵାଦି) ଦଳ ସହିତ ଭେଟିଲି; ତାହା କି ନିମନ୍ତେ? ଯାକୁବ କହିଲା, ମୋʼ ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ।
9ତହୁଁ ଏଷୌ କହିଲା, ମୋହର ଯଥେଷ୍ଟ ଅଛି; ଭାଇ, ତୁମ୍ଭର ଯାହା ଅଛି, ତାହା ତୁମ୍ଭର ଥାଉ।
10ଯାକୁବ କହିଲା, ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯେବେ ଅନୁଗ୍ରହ ପାଇଲି, ତେବେ ମୋʼ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ଵରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋʼ ପ୍ରତି ପ୍ରସନ୍ନ ହୋଇଅଛନ୍ତି।
11ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନୀତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ; କାରଣ ପରମେଶ୍ଵର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି ମୋହର ସବୁ ଅଛି। ଏହି ରୂପେ ଅତ୍ୟ; ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ, ଏଷୌ ତାହା ଗ୍ରହଣ କଲା।
12ଅନନ୍ତର ଏଷୌ କହିଲା, ଆସ, ଆମ୍ଭେମାନେ ଯିବା, ମୁଁ ତୁମ୍ଭମାନଙ୍କ ଆଗେ ଆଗେ ଯାଉଅଛି।
13ତହିଁରେ ଯାକୁବ କହିଲା, ମୋହର ପ୍ରଭୁ ଜାଣନ୍ତି, ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେଷୀ ଓ ଗାଭୀ ମୋʼ ସଙ୍ଗରେ ଅଛନ୍ତି; ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ।
14ଏଣୁ ନିବେଦନ କରୁଅଛି, ମୋହର ପ୍ରଭୁ ଆପଣା ଦାସର ଆଗେ ଆଗେ ଗମନ କରନ୍ତୁ; ସେୟୀର ପ୍ରଦେଶରେ ମୋʼ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ମୁଁ ପଶୁଗଣର ଗମନ ଶକ୍ତି ଅନୁସାରେ ଓ ବାଳକଗଣର ଗମନ ଶକ୍ତି ଅନୁସାରେ ଧୀରେ ଧୀରେ ଚଳାଇ ନେବି।
15ଏଷୌ କହିଲା, ତେବେ ମୋʼ ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖି ଯାଉଅଛି। ଯାକୁବ କହିଲା, କି ପ୍ରୟୋଜନ? ମୋʼ ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ।
16ତହଁରେ ଏଷୌ ସେହି ଦିନ ସେୟୀର ପଥ ଦେଇ ବାହୁଡ଼ି ଗଲା।
17ମାତ୍ର ଯାକୁବ ସୁକ୍କୋତକୁ ଗମନ କରି ଆପଣା ପାଇଁ ଗୃହ ଓ ପଶୁମାନଙ୍କ ନିମନ୍ତେ କୁଡ଼ିଆ ନିର୍ମାଣ କଲା; ଏଥିପାଇଁ ଏହି ସ୍ଥାନ ସୁକ୍କୋତ (କୁଡ଼ିଆ) ନାମରେ ବିଖ୍ୟାତ ହୋଇଅଛି।
18ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ଵୁ ସ୍ଥାପନ କଲା।
19ଅନନ୍ତର ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶହ କସୀତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ଵୁ ସ୍ଥାପନର ଭୂମିଖଣ୍ତ କିଣିଲା।
20ପୁଣି ସେଠାରେ ଏକ ବେଦି ନିର୍ମାଣ କରି ତାହାର ନାମ ଏଲ-ଇଲୋହେ-ଇସ୍ରାଏଲ (ପରମେଶ୍ଵର ଇସ୍ରାଏଲର ପରମେଶ୍ଵର) ରଖିଲା।
اکنون انتخاب شده:
ଆଦି ପୁସ୍ତକ 33: ODIAOV-BSI
هایلایت
کپی
مقایسه
به اشتراک گذاشتن
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.