Skip to content

ରୋମୀୟ 15

15
1ଆମେ ଅର୍ଥାତ୍ ଯେଉଁମାନେ ବିଶ୍ୱାସରେ ବଳିଷ୍ଠ ସେମାନେ ବିଶ୍ୱାସରେ ଦୁର୍ବଳଲୋକଙ୍କର ଦୋଷତ୍ରୁଟି ପ୍ରତି ଧୈର୍ଯ୍ୟଶୀଳ ହେବା ଉଚିତ୍ ନିଜର ସୁଖସୁବିଧା ଦେଖିବା ଉଚିତ ନୁହେଁ। 2ଆମେ ପ୍ରତ୍ୟେକେ ନିଜ ପ୍ରତିବାସୀର ମଙ୍ଗଳ, ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ତାହାର ସୁଖସୁବିଧା ଦେଖିବା ଉଚିତ। 3କାରଣ ଖ୍ରୀଷ୍ଟ ମଧ୍ୟ ନିଜର ସୁଖସୁବିଧା ଦେଖିଲେ ନାହିଁ, ମାତ୍ର ଯେପରି ଲେଖାଅଛି: “ତୁମ୍ଭ ନିନ୍ଦାକାରୀମାନଙ୍କ ନିନ୍ଦା ମୋ ଉପରେ ବର୍ଷିଛି।” 4କାରଣ ଅତୀତରେ ଯାହାକିଛି ଲିଖିତ ହୋଇଥିଲା ସେହିସବୁ ଆମର ଶିକ୍ଷା ପାଇଁ ଲିଖିତ ହୋଇଥିଲା, ଯେପରିକି ଧର୍ମଶାସ୍ତ୍ରରୁ ପ୍ରାପ୍ତ ଧୈର୍ଯ୍ୟ ଓ ଉତ୍ସାହ ଦ୍ଵାରା ଆମେ ଭରସା ଲାଭ କରିପାରିବୁ।
5ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କର ଅନୁଗମନ କରୁ କରୁ ଧୈର୍ଯ୍ୟ ଓ ଉତ୍ସାହଦାତା ଈଶ୍ୱର ତୁମ୍ଭମାନଙ୍କମଧ୍ୟରେ ଏକତାର ଆତ୍ମା ପ୍ରଦାନ କରନ୍ତୁ, 6ତା ହେଲେ ତୁମ୍ଭେମାନେ ଏକଚିତ୍ତ ଓ ଏକମୁଖ ହୋଇ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଓ ଈଶ୍ୱରଙ୍କର ମହିମାକୀର୍ତ୍ତନ କରିପାରିବ।
7ତେଣୁ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ଈଶ୍ୱରଙ୍କ ଗୌରବ ନିମନ୍ତେ, ତୁମ୍ଭେମାନେ ସେହିପରି ପରସ୍ପରକୁ ଗ୍ରହଣ କର। 8କାରଣ ମୁଁ ତୁମ୍ଭମାନଙ୍କୁ କହୁଛି ଈଶ୍ୱରଙ୍କ ସତ୍ୟପରାୟଣତା ଦର୍ଶାଇବାକୁ ଖ୍ରୀଷ୍ଟ ଯିହୁଦୀମାନଙ୍କର ସେବକ ହେଲେ, ଯେପରି ପିତୃପ୍ରଧାନମାନଙ୍କୁ ଦତ୍ତ ପ୍ରତିଜ୍ଞାସବୁ ସେ ସୁଦୃଢ଼ କରିବେ 9ଏବଂ, ଈଶ୍ୱରଙ୍କ ଦୟା ସକାଶେ, ଅଣଯିହୁଦୀମାନେ ତାହାଙ୍କର ମହିମାକୀର୍ତ୍ତନ କରିବେ। କାରଣ ଏହିପରି ଲେଖାଅଛି:
“ସେଥିପାଇଁ ଅଣଯିହୁଦୀମାନଙ୍କ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସାଗାନ କରିବି;
ଓ ତୁମ୍ଭ ନାମର ସ୍ତବଗାନ କରିବି।”
10ପୁନର୍ବାର, ଏହିପରି ଉକ୍ତ ଅଛି,
“ହେ ଅଣଯିହୁଦୀମାନେ, ତାହାଙ୍କର ଲୋକମାନଙ୍କ ସହିତ ଆନନ୍ଦୋଲ୍ଲାସ କର।”
11ପୁନଶ୍ଚ,
ହେ ଅଣଯିହୁଦୀ ଜନବୃନ୍ଦ; “ପ୍ରଭୁଙ୍କର ପ୍ରଶଂସା କର,
ଏବଂ ହେ ସର୍ବଗୋଷ୍ଠୀୟ ଲୋକଗଣ ତାହାଙ୍କର ମହିମାକୀର୍ତ୍ତନ କର।”
12ପୁନର୍ବାର, ଯିଶାଇୟ କହନ୍ତି,
“ଯିଶିର ମୂଳ ଅଙ୍କୁରିତ ହେବ,
ଜାତିଗଣ ଉପରେ ଶାସନ କରିବାକୁ ତାହାଙ୍କର ଉତ୍‌ଥାନ ହେବ;
ତାହାଙ୍କଠାରେ ଅଣଯିହୁଦୀ ଲୋକେ ଭରସା ରଖିବେ।”
13ଭରସାଜନକ ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଦ୍ଵାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ତୁମ୍ଭମାନଙ୍କୁ ପୂର୍ଣ୍ଣ କରନ୍ତୁ ତା ହେଲେ, ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଶକ୍ତିରେ ଭରସାରେ ଉଚ୍ଛୁଳି ଉଠିବ।
ଅଣଯିହୁଦୀମାନଙ୍କର ସେବକ ପାଉଲ
14ମୋର ଭାଇମାନେ, ମୋର ଦୃଢ଼ ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ଉତ୍ତମତାରେ ପରିପୂର୍ଣ୍ଣ, ଓ ଜ୍ଞାନରେ ସଂପୂର୍ଣ୍ଣ ଏବଂ ପରସ୍ପରକୁ ଶିକ୍ଷା ଦେବା ପାଇଁ ସୁଦକ୍ଷ। 15ତଥାପି ପୁନର୍ବାର ଏହି କେତେକ ପ୍ରସଙ୍ଗ ସ୍ମରଣ କରାଇଦେବା ଉଦ୍ଦେଶ୍ୟରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ସାହସ କରିଛି, କାରଣ ଈଶ୍ୱର ମୋତେ ଅନୁଗ୍ରହ ଦେଲେ 16ମୁଁ ଯାଜକୀୟ କର୍ତ୍ତବ୍ୟରେ ଈଶ୍ୱରଙ୍କ ସୁସମାଚାର ଅଣଯିହୁଦୀମାନଙ୍କ ନିକଟରେ ଘୋଷଣା କରିବାକୁ ଖ୍ରୀଷ୍ଟ ଯୀଶୁଙ୍କର ସେବକ ହୋଇଛି। ତା ହେଲେ ପବିତ୍ରଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ, ଅଣଯିହୁଦୀମାନେ ଏକ ନୈବେଦ୍ୟ ସ୍ଵରୂପ ଈଶ୍ୱରଙ୍କର ଗ୍ରହଣୀୟ ହେବେ।
17ସେଥିପାଇଁ ଈଶ୍ୱରଙ୍କ ପ୍ରତି ମୋର ସେବା ନିମନ୍ତେ ମୁଁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ ଅନୁଭବ କରୁଛି। 18କାରଣ ଅଣଯିହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ ହେବାକୁ ଖ୍ରୀଷ୍ଟ ମୋ ଦ୍ଵାରା କଥାରେ ଓ କାର୍ଯ୍ୟରେ ଅର୍ଥାତ୍ ନାନାଦି ଆଶ୍ଚର୍ଯ୍ୟ ଚିହ୍ନ ଓ ଅଲୌକିକ କର୍ମରେ, ପବିତ୍ରଆତ୍ମାଙ୍କ ଶକ୍ତିରେ ଯାହାସବୁ ସାଧନ କରିଛନ୍ତି। ତା ଛଡ଼ା ମୁଁ ଅନ୍ୟ କିଛି କହିବାକୁ ସାହସ କରିବି ନାହିଁ, 19ଏହିରୂପେ ମୁଁ ଯିରୂଶାଲମରୁ ଇଲ୍ଲିରିକମ୍‌ର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଖ୍ରୀଷ୍ଟଙ୍କର ସୁସମାଚାର ସଂପୂର୍ଣ୍ଣ ରୂପେ ପ୍ରଚାର କରିଛି। 20ମୁଁ ଯେପରି ଅନ୍ୟ ଜଣକର ମୂଳଦୁଆ ଉପରେ ନ ଗଢ଼େ, ଏଥିପାଇଁ ଯେଉଁଠାରେ ଖ୍ରୀଷ୍ଟଙ୍କ ନାମ ଶୁଣାଯାଇ ନାହିଁ ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବାକୁ ସର୍ବଦା ମୋର ଆକାଂକ୍ଷା ରହିଛି। 21ବରଞ୍ଚ, ଯେପରି ଲେଖାଅଛି:
“ଯେଉଁମାନଙ୍କୁ ତାହାଙ୍କ ବିଷୟ କୁହାଯାଇ ନ ଥିଲା ସେମାନେ ଦେଖିବେ,
ଏବଂ ଯେଉଁମାନେ ଶୁଣି ନାହାନ୍ତି ସେମାନେ ବୁଝିବେ।”
22ଏହି କାରଣରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଅନେକଥର ବାଧା ପାଇଛି।
ରୋମକୁ ଯିବା ପାଇଁ ପାଉଲଙ୍କ ପରିକଳ୍ପନା
23କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ମୋ ପାଇଁ ଆଉ ସ୍ଥାନ ନାହିଁ, ଓ ବହୁ ବର୍ଷ ହେଲା ତୁମ୍ଭମାନଙ୍କୁ ଦେଖିବାକୁ ମୋର ପ୍ରବଳ ଇଚ୍ଛା ରହିଛି, 24ତେଣୁ ମୁଁ ସ୍ପେନ୍‌କୁ ଯିବା ବାଟରେ ତୁମ୍ଭମାନଙ୍କୁ ଦେଖିବା ପାଇଁ ଆଶା କରୁଛି। ତୁମ୍ଭମାନଙ୍କ ସାହାଯ୍ୟରେ କିଛିକାଳ ଆନନ୍ଦ ଲାଭ କରିବାପରେ, ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ବାଟ ବଳାଇଦେବ। 25ଏବେ, ମୁଁ ଯିରୂଶାଲମସ୍ଥ ସାଧୁମାନଙ୍କ ସେବାରେ ସେଠାକୁ ବାହାରିଛି। 26କାରଣ ଯିରୂଶାଲମରେ ଥିବା ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର ସେମାନଙ୍କ ପାଇଁ ମାସିଦୋନିଆ ଓ ଆଖାୟାର ମଣ୍ଡଳୀଗୁଡ଼ିକ କିଛି ଦାନ ପଠାଇବାକୁ ଉଚିତ ମନେ କଲେ। 27ସେମାନେ ତାହା କରିବାକୁ ଆନନ୍ଦ ଲାଭ କଲେ, ପ୍ରକୃତରେ ଦେଖିବାକୁ ଗଲେ ସେମାନଙ୍କ ନିକଟରେ ଏମାନେ ଋଣୀ। କାରଣ ଅଣଯିହୁଦୀମାନେ ଯଦି ଯିହୁଦୀମାନଙ୍କ ଆଧ୍ୟାତ୍ମିକ ଆଶୀର୍ବାଦରେ ଭାଗୀ ହୋଇଛନ୍ତି, ତେବେ ନିଜର ପାର୍ଥିବ ଆଶୀର୍ବାଦରେ ଯିହୁଦୀମାନଙ୍କୁ ଭାଗୀ କରିବାକୁ ସେମାନେ ଋଣୀ। 28ତେଣୁ ମୁଁ ଏହି କାର୍ଯ୍ୟ ଶେଷ କଲାପରେ ଏବଂ ଏହି ସଂଗୃହୀତ ଧନ ସେମାନେ ପାଇଲେ ବୋଲି ନିଶ୍ଚିତ ହେଲାପରେ, ସ୍ପେନ ଯିବା ବାଟରେ ତୁମ୍ଭମାନଙ୍କ ନିକଟକୁ ଯିବି। 29ମୁଁ ଜାଣେ, ମୁଁ ତୁମ୍ଭମାନଙ୍କ ନିକଟକୁ ଗଲେ, ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଯିବି।
30ହେ ଭାଇମାନେ, ମୁଁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ, ଏବଂ ଆତ୍ମାଙ୍କ ପ୍ରେମ ହେତୁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ମୋ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଦ୍ଵାରା, ମୋର ସଂଗ୍ରାମରେ ମୋ ସହିତ ଯୋଗ ଦିଅ। 31ଯିହୁଦା ପ୍ରଦେଶରେ ଅବିଶ୍ୱାସୀମାନଙ୍କଠାରୁ ମୁଁ ଯେପରି ରକ୍ଷା ପାଏ ଏବଂ ଯିରୂଶାମଲରେ ସାଧୁମାନଙ୍କ ଦ୍ଵାରା ମୋର ସେବା ଯେପରି ସୁଗ୍ରାହ୍ୟ ହୁଏ ଏଥିପାଇଁ ପ୍ରାର୍ଥନା କର, 32ତା ହେଲେ ଈଶ୍ୱରଙ୍କ ଇଚ୍ଛା ଥିଲେ, ମୁଁ ଆନନ୍ଦରେ ତୁମ୍ଭମାନଙ୍କ ନିକଟକୁ ଯାଇ ପାରିବି, ଓ ତୁମ୍ଭମାନଙ୍କ ସହିତ ରହି କ୍ଳାନ୍ତି ଦୂର କରିପାରିବି। 33ଶାନ୍ତିଦାତା ଈଶ୍ୱର ତୁମ ସମସ୍ତଙ୍କ ସହବର୍ତ୍ତୀ ହୁଅନ୍ତୁ। ଆମେନ୍।