Skip to content
Bible App logo

ରୋମୀୟ 16

16
ଶୁଭେଚ୍ଛା ଜ୍ଞାପନ
1କେଙ୍କ୍ରିୟ। ମଣ୍ଡଳୀର ସେବିକା ଆମର ଭଗିନୀ ଫେବିଙ୍କ ପାଇଁ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି। 2ମୁଁ ଚାହେଁ ତୁମ୍ଭେମାନେ ପ୍ରଭୁଙ୍କ ନାମରେ ତାଙ୍କୁ ସାଧୁମାନଙ୍କର ଯଥାଯୋଗ୍ୟ ଆତିଥ୍ୟ କରିବ ଏବଂ ତୁମ୍ଭମାନଙ୍କ ପାଖରୁ ତାଙ୍କର ଯଦି କୌଣସି ସାହାଯ୍ୟ ପ୍ରୟୋଜନ ହୁଏ, ତେବେ ତାଙ୍କୁ ଦେବ, କାରଣ ସେ ମୋର ତଥା ଅନେକ ଲୋକଙ୍କର ବହୁତ ସାହାଯ୍ୟ କରିଛନ୍ତି।
3ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋର ସହକର୍ମୀ ପ୍ରିସ୍କିଲା, ଓ ଆକ୍ୱିଲାଙ୍କୁ ଅଭିବାଦନ ଜଣାଇବ। 4ସେମାନେ ମୋ ପାଇଁ ନିଜ ଜୀବନ ବିପନ୍ନ କରିଛନ୍ତି। କେବଳ ମୁଁ ନୁହେଁ ମାତ୍ର ଅଣଯିହୁଦୀମାନଙ୍କର ସବୁ ମଣ୍ଡଳୀ ସେମାନଙ୍କ ନିକଟରେ କୃତଜ୍ଞ।
5ସେମାନଙ୍କ ଗୃହରେ ସମବେତ ହେଉଥିବା ମଣ୍ଡଳୀକୁ ମଧ୍ୟ ଅଭିବାଦନ ଜଣାଇବ।
ମୋର ପ୍ରିୟ ବନ୍ଧୁ ଏପିନେତସ୍‌ଙ୍କୁ ଅଭିବାଦନ ଜଣାଇବ, ଏସିଆ ପ୍ରଦେଶରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ସେ ପ୍ରଥମ।
6ମରିୟମଙ୍କୁ ଅଭିବାଦନ ଜଣାଇବ, ସେ ତୁମ୍ଭମାନଙ୍କନିମନ୍ତେ କଠିନ ପରିଶ୍ରମ କରିଛନ୍ତି।
7ମୋର ଆତ୍ମୀୟ ଆନ୍ଦ୍ରୋନିକସ୍ ଓ ଜୁନିୟସ୍‌ଙ୍କୁ ଅଭିବାଦନ ଜଣାଇବ, ଏମାନେ ମୋ ସହିତ କାରାଗାରରେ ଥିଲେ। ପ୍ରେରିତଶିଷ୍ୟମାନଙ୍କ ମଧ୍ୟରେ ଏମାନେ ସୁବିଦିତ, ଏବଂ ମୋ ପୂର୍ବରୁ ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଛନ୍ତି।
8ପ୍ରଭୁଙ୍କ ହେତୁ, ମୋର ଅତି ପ୍ରିୟ ଅମ୍ପ୍ଲିୟାତସଙ୍କୁ ଅଭିବାଦନ ଜଣାଇବ।
9ଖ୍ରୀଷ୍ଟଙ୍କ କାର୍ଯ୍ୟରେ, ଆମର ସହକର୍ମୀ ଅର୍ବାନସ୍‌ଙ୍କୁ, ଓ ମୋର ପ୍ରିୟ ବନ୍ଧୁ ସ୍ତାକିସ୍‌ଙ୍କୁ ଅଭିବାଦନ ଜଣାଇବ।
10ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷାସିଦ୍ଧ ଆପେଲ୍ଲସ୍‌ଙ୍କୁ ଅଭିବାଦନ ଜଣାଇବ।
ଆରିସ୍ତବୁଲାସ୍‌ଙ୍କ ପରିବାରକୁ ମୋର ଅଭିବାଦନ।
11ମୋର ଆତ୍ମୀୟ, ହେରୋଦିୟନଙ୍କୁ ଅଭିବାଦନ ଜଣାଇବ।
ନାର୍ସିସସ୍‌ଙ୍କ ପରିବାରରେ ଥିବା ପ୍ରଭୁଙ୍କର ଆଶ୍ରିତ ଲୋକଙ୍କୁ ମୋର ଅଭିବାଦନ।
12ପ୍ରଭୁଙ୍କ ପାଇଁ କଠିନ ପରିଶ୍ରମ କରୁଥିବା ଦୁଇ ମହିଳା, ଟ୍ରିଫେନା ଓ ତ୍ରିଫୋସାଙ୍କୁ ଅଭିବାଦନ ଜଣାଇବ।
ମୋର ପ୍ରିୟ ବନ୍ଧୁ ପର୍ସିସ୍‌ଙ୍କୁ ଅଭିବାଦନ ଜଣାଇବ, ଆଉ ଜଣେ ମହିଳା ମଧ୍ୟ ପ୍ରଭୁଙ୍କ ପାଇଁ କଠିନ ପରିଶ୍ରମ କରିଛନ୍ତି।
13ପ୍ରଭୁଙ୍କର ମନୋନୀତ, ରୁଫସ୍‌ଙ୍କୁ ଓ ତାଙ୍କର ମାତା, ଯେ କି ମୋର ମାତୃପ୍ରତିମ, ତାଙ୍କୁ ଅଭିବାଦନ ଜଣାଇବ।
14ଆସିନକ୍ରିତସ, ଫ୍ଳେଗନ, ହର୍ମୀସ୍, ପାତ୍ରୋବସ୍, ହର୍ମାସ୍‌ଙ୍କୁ ତଥା ସେମାନଙ୍କ ସଙ୍ଗରେ ଥିବା ଭାଇମାନଙ୍କୁ ଅଭିବାଦନ ଜଣାଇବ।
15ଫିଲଲୋଗାସ୍, ଜୁଲିଆ, ନେରୁସ୍ ଓ ତାଙ୍କ ଭଗିନୀଙ୍କୁ, ଏବଂ ଅଲିମ୍ପାସ୍ ତଥା ସେମାନଙ୍କ ସଙ୍ଗରେ ଥିବା ସବୁ ସାଧୁଙ୍କୁ ଅଭିବାଦନ ଜଣାଇବ।
16ପରସ୍ପରକୁ ପବିତ୍ର ଚୁମ୍ବନରେ ଅଭିବାଦନ ଜଣାଇବ।
ଖ୍ରୀଷ୍ଟଙ୍କର ସବୁ ମଣ୍ଡଳୀ ଶୁଭେଚ୍ଛା ପଠାଉଛନ୍ତି।
17ହେ ଭାଇମାନେ, ତୁମ୍ଭେମାନେ ପାଇଥିବା ଶିକ୍ଷାର ବିପରୀତ ଶିକ୍ଷା ଦେଇ ଯେଉଁମାନେ ତୁମ୍ଭମାନଙ୍କମଧ୍ୟରେ ଦଳଭେଦ ଓ ତୁମ ପଥରେ ବାଧା ସୃଷ୍ଟି କରୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖ। ସେମାନଙ୍କଠାରୁ ଦୂରରେ ରୁହ। 18କାରଣ ଏହିପ୍ରକାର ଲୋକମାନେ ଆମର ପ୍ରଭୁ ଖ୍ରୀଷ୍ଟଙ୍କର ସେବା କରୁନାହାନ୍ତି, ମାତ୍ର ନିଜର ଉଦର ର ସେବା କରୁଛନ୍ତି। ସେମାନେ ଚିକ୍‌କଣ କଥା ଓ ଚାଟୁବାଦ ଦ୍ଵାରା ସରଳମତି ଲୋକଙ୍କ ମନ ଭୁଲାନ୍ତି। 19ତୁମ୍ଭମାନଙ୍କର ଆଜ୍ଞାବହତା ବିଷୟ ସମସ୍ତେ ଶୁଣିଛନ୍ତି, ତେଣୁ ମୁଁ ତୁମ୍ଭମାନଙ୍କ ସକାଶେ ଆନନ୍ଦରେ ପୂର୍ଣ୍ଣ; କିନ୍ତୁ ତୁମ୍ଭେମାନେ ସତ୍ ବିଷୟରେ ବୁଦ୍ଧିମାନ ହୁଅ, ଓ ଅସତ୍ ବିଷୟରେ ନିର୍ଦ୍ଦୋଷ ଥାଅ ବୋଲି ମୁଁ ଚାହେଁ।
20ଶାନ୍ତିଦାତା ଈଶ୍ୱର ଶୀଘ୍ର ଶୟତାନକୁ ତୁମ୍ଭମାନଙ୍କର ପଦଦଳିତ କରିବେ।
ଆମର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହିତ ଥାଉ।
21ମୋର ସହକର୍ମୀ ତୀମଥି, ଏବଂ ମୋର ଆତ୍ମୀୟ ଲୁସିୟସ୍, ଯାସୋନ, ଓ ସୋସିପାତର୍ ତୁମ୍ଭମାନଙ୍କୁ, ଅଭିବାଦନ ଜଣାଉଛନ୍ତି।
22ମୁଁ, ତର୍ତ୍ତିୟସ୍, ଯେ କି ଏହି ପତ୍ର ଲେଖିଛି, ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛି।
23ଗାୟସ୍, ଯାହାଙ୍କର ଆତିଥ୍ୟ ମୁଁ ଓ ଏଠାସ୍ଥିତ ସମଗ୍ର ମଣ୍ଡଳୀ ଉପଭୋଗ କରୁ, ସେ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
ନଗରର କୋଷାଧ୍ୟକ୍ଷ, ଏରାଷ୍ଟସ୍ ଏବଂ ଭାଇ କ୍ୱାର୍ତ୍ତସ୍ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
24(ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ଥାଉ। ଆମେନ୍।)
25ମୋର ସୁସମାଚାର ଦ୍ଵାରା, ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସମ୍ଭନ୍ଧୀୟ ପ୍ରଚାର ଦ୍ଵାରା ଈଶ୍ୱର ତୁମ୍ଭମାନଙ୍କୁ ସୁଦୃଢ଼ ରଖିବାକୁ ସମର୍ଥ ଅଟନ୍ତି ଏହି ନିଗୂଢ଼ତତ୍ତ୍ୱ ବହୁ ଯୁଗ ପର୍ଯ୍ୟନ୍ତ ଗୁପ୍ତ ଥିଲା, 26କିନ୍ତୁ ବର୍ତ୍ତମାନ ତାହା ପ୍ରକାଶିତ ହୋଇଛି ଏବଂ ଅନାଦିଅନନ୍ତ ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଲିଖିତ ଭାବବାଣୀସବୁ ସୁସ୍ପଷ୍ଟ ହୋଇଛି, ଯଦ୍ଦ୍ୱାରା ସବୁ ଜାତିର ଲୋକେ ବିଶ୍ୱାସ କରି ଆଜ୍ଞାବହ ହେବେ। 27ସେହି ଏକମାତ୍ର ସର୍ବଜ୍ଞ ଈଶ୍ୱରଙ୍କ ମହିମା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ହେଉ। ଆମେନ୍।