Skip to content
Bible App logo

ରୋମୀୟ 14

14
ବିଶ୍ୱାସରେ ଦୁର୍ବଳ ଓ ବିଶ୍ୱାସରେ ସବଳ
1ବିବାଦୀୟ ମତାମତ ଉପରେ ମନ୍ତବ୍ୟ ନ ଦେଇ ଯିଏ ବିଶ୍ୱାସରେ ଦୁର୍ବଳ, ତାକୁ ଗ୍ରହଣ କର। 2ଜଣେ ହୁଏତ ବିଶ୍ୱାସ କରେ ଯେ ସେ ସବୁପ୍ରକାର ଖାଦ୍ୟ ଖାଇପାରେ, କିନ୍ତୁ ଅନ୍ୟ ଜଣେ, ଯାହାର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକ ଖାଏ। 3ଯେଉଁ ଲୋକ ସବୁପ୍ରକାର ଖାଦ୍ୟ ଭୋଜନ କରେ ସେସବୁ ଖାଦ୍ୟ ଭୋଜନ କରୁ ନ ଥିବା ଲୋକକୁ ତୁଚ୍ଛଜ୍ଞାନ ନ କରୁ ପୁଣି, ଯିଏ ସବୁପ୍ରକାର ଖାଦ୍ୟ ଭୋଜନ କରେ ନାହିଁ ସେ ସବୁପ୍ରକାର ଖାଦ୍ୟ ଭୋଜନ କରୁଥିବା ଲୋକକୁ ଦୋଷୀ ନ କରୁ, କାରଣ ଈଶ୍ୱର ତାହାକୁ ଗ୍ରହଣ କରିଛନ୍ତି। 4ଅନ୍ୟ ଜଣକର ଦାସର ବିଚାର କରିବାକୁ ତୁମେ କିଏ? ସେ ନିଜର କର୍ତ୍ତା ନିକଟରେ ସ୍ଥିର ରହେ, କିମ୍ବା ପତିତ ହୁଏ। ସେ ଅବଶ୍ୟ ସ୍ଥିର ରହିବ, କାରଣ ତାକୁ ସ୍ଥିର ରଖିବାକୁ ପ୍ରଭୁ ସମର୍ଥ ଅଟନ୍ତି।
5ଜଣେ ହୁଏତ ଅନ୍ୟ ଦିବସ ଅପେକ୍ଷା ଗୋଟିଏ ଦିବସକୁ ଅଧିକ ପୁଣ୍ୟ ଦିବସ ବୋଲି ମନେ କରେ; ଅନ୍ୟ ଜଣେ ସବୁ ଦିବସ ସମାନ ବୋଲି ମନେ କରେ। ପ୍ରତ୍ୟେକ ଜଣର ଦୃଢ଼ ହୃଦ୍‌ବୋଧ ରହିବା ଆବଶ୍ୟକ। 6ଯିଏ ଗୋଟିଏ ଦିବସକୁ ଏକ ବିଶେଷ ଦିବସ ରୂପେ ମାନେ ସେ ତାହା ପ୍ରଭୁଙ୍କ ଉଦ୍ଦେଶ୍ୟରେ କରେ। ଯିଏ ମାଂସ ଭୋଜନ କରେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ; ପୁଣି ଯିଏ ବିରତ ହୁଏ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା କରେ ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ। 7କାରଣ ଆମ ମଧ୍ୟରୁ କେହି କେବଳ ନିଜ ପାଇଁ ବଞ୍ଚେ ନାହିଁ, ଏବଂ କେହି କେବଳ ନିଜ ପାଇଁ ମରେ ନାହିଁ। 8ଯଦି ଆମେ ବଞ୍ଚୁ, ତେବେ ପ୍ରଭୁଙ୍କ ପାଇଁ ବଞ୍ଚୁ; ଏବଂ ଯଦି ଆମେ ମରୁ, ତେବେ ପ୍ରଭୁଙ୍କ ପାଇଁ ମରୁ। ତେଣୁ, ଆମେ ବଞ୍ଚିଥାଉ କି ମୃତ୍ୟୁଭୋଗ କରୁ, ଆମେ ପ୍ରଭୁଙ୍କର। 9ଏହି କାରଣରୁ, ଖ୍ରୀଷ୍ଟ ଯେପରି ମୃତ ତଥା ଜୀବିତ ଉଭୟଙ୍କର ପ୍ରଭୁ ହୋଇପାରନ୍ତି ଏଥିପାଇଁ ତ ସେ ମୃତ୍ୟୁଭୋଗ କଲେ ଓ ପୁନର୍ଜୀବିତ ହେଲେ।
10ତେଣୁ, ତୁମେ, କାହିଁକି ତୁମ ଭାଇର ବିଚାର କରୁଛ? କିମ୍ବା କାହିଁକି ତୁମ ଭାଇକୁ ହେୟଜ୍ଞାନ କରୁଛ? ଯେହେତୁ ଆମେ ସମସ୍ତେ ଈଶ୍ୱରଙ୍କର ବିଚାରାସନ ସମ୍ମୁଖରେ ଠିଆ ହେବୁ। 11କାରଣ ଏହିପରି ଲେଖାଅଛି:
“ ‘ପ୍ରଭୁ କହନ୍ତି, ମୁଁ ନିତ୍ୟଜୀବୀ ବୋଲି ଯେପରି ସତ୍ୟ’ ଏହା ମଧ୍ୟ ସେହିପରି ସତ୍ୟ ଯେ,
ମୋ ‘ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବ;
ପ୍ରତ୍ୟେକ ଜିହ୍ଵା ଈଶ୍ୱରଙ୍କ ସ୍ତୁତିବାଦ କରିବ।’ ”
12ଅତଏବ, ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ନିକଟରେ କୈଫିୟତ୍ ବା ହିସାବ ଦେବାକୁ ପଡ଼ିବ।
13ସେଥିପାଇଁ ଆସ ଆମେ ପରସ୍ପରର ଆଉ ବିଚାର ନ କରୁ। ତା ପରିବର୍ତ୍ତେ, ଆମ ମଧ୍ୟରୁ କେହି ଯେପରି ନିଜ ଭାଇର ପଥରେ ଝୁଣ୍ଟିବା ଭଳି ପ୍ରସ୍ତର କିମ୍ବା ବାଧାର ବିଷୟ ନ ରଖେ ଏହା ମନସ୍ଥ କରୁ। 14ପ୍ରଭୁ ଯୀଶୁଙ୍କଠାରେ ଥିବାରୁ, ମୁଁ ଜାଣେ ଓ ମୋର ଦୃଢ଼ ପ୍ରତ୍ୟୟ ଅଛି ଯେ, ସ୍ଵଭାବତଃ କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ କେହି ଯେବେ କୌଣସି ଖାଦ୍ୟକୁ ଅଶୁଚି ମନେ କରେ, ତେବେ ତା ପାଇଁ ସେହି ଖାଦ୍ୟ ଅଶୁଚି। 15ତୁମେ ଯାହା ଭୋଜନ କର ସେହି ବିଷୟରେ ତୁମର ଭାଇ ଯଦି ବ୍ୟଥିତ ହୁଏ, ତେବେ ତୁମର ଆଚରଣ ପ୍ରେମଜନକ ନୁହେଁ। ତୁମର ଯେଉଁ ଭାଇ ନିମନ୍ତେ ଖ୍ରୀଷ୍ଟ ପ୍ରାଣ ଦେଇଛନ୍ତି ତୁମର ଭୋଜନ ଦ୍ଵାରା ତାହାର ସର୍ବନାଶ କର ନାହିଁ। 16ଯେଉଁ ବିଷୟ ତୁମେ ଉତ୍ତମ ବୋଲି ମନେକର ତାହା ନିନ୍ଦାର ବିଷୟ ନ ହେଉ। 17କାରଣ ଈଶ୍ୱରଙ୍କ ରାଜ୍ୟ ଭୋଜନପାନର ବିଷୟ ନୁହେଁ, ମାତ୍ର ଧାର୍ମିକତା, ଶାନ୍ତି ଓ ପବିତ୍ରଆତ୍ମାଙ୍କଠାରେ ଆନନ୍ଦର ବିଷୟ ଅଟେ। 18କାରଣ ଯେକେହି ଏହିପରି ଭାବରେ ଖ୍ରୀଷ୍ଟଙ୍କର ସେବା କରେ ସେ ଈଶ୍ୱରଙ୍କର ସନ୍ତୋଷଭାଜନ ହୁଏ ଏବଂ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରେ।
19ସେଥିପାଇଁ ଆସ, ଯାହାକିଛି ଶାନ୍ତି ସ୍ଥାପନ କରେ ଓ ପରସ୍ପରର ଆଧ୍ୟାତ୍ମିକ ଅଭିବୃଦ୍ଧି ସାଧନ କରେ ସେହିସବୁ ବିଷୟ କରିବାକୁ ଆମେ ସବୁପ୍ରକାର ଉଦ୍ୟମ କରୁ। 20ଖାଦ୍ୟ ସକାଶେ ଈଶ୍ୱରଙ୍କ କାର୍ଯ୍ୟକୁ ବିନାଶ କର ନାହିଁ। ସବୁ ଖାଦ୍ୟ ଶୁଚି, କିନ୍ତୁ କୌଣସି ମନୁଷ୍ୟ ଅନ୍ୟ ଜଣକର ବିଘ୍ନର କାରଣ ହେବା ଭଳି କିଛି ଭୋଜନ କରିବା ଅନୁଚିତ୍। 21ଖାଦ୍ୟ ଭୋଜନ, ମଦ୍ୟପାନ କିମ୍ବା ଅନ୍ୟ କୌଣସି ବିଷୟ ଯଦି ତୁମ ଭାଇର ପତନର କାରଣ ହୁଏ ତେବେ ତାହା ନ କରିବା ଭଲ।
22ଅତଏବ ଏହିସବୁ ବିଷୟରେ ତୁମର ବିଶ୍ୱାସ ଯାହା ହୋଇଥାଉ ନା କାହିଁକି ତାହା ଈଶ୍ୱର ତଥା ତୁମ ନିଜ ମଧ୍ୟରେ ରଖ। କୌଣସି ମନୁଷ୍ୟ ଯାହା ଯଥାର୍ଥ ବୋଲି ମନେ କରେ ଓ ସେହି ବିଷୟରେ ନିଜକୁ ଦୋଷୀ ମନେ କରିବାର କାରଣ ନ ଥାଏ ତେବେ ସେ ଧନ୍ୟ। 23କିନ୍ତୁ ଯେଉଁ ମନୁଷ୍ୟ ଦ୍ୱିଧାଭାବ ପୋଷଣ କରି ଭୋଜନ କରେ, ସେ ଦୋଷୀ ସାବ୍ୟସ୍ତ ହୁଏ କାରଣ ତାହାର ଭୋଜନ ବିଶ୍ୱାସରୁ ଜାତ ନୁହେଁ। ପୁଣି ଯାହା ବିଶ୍ୱାସରୁ ଜାତ ନୁହେଁ ସେହି ସମସ୍ତ ପାପ।