ରୋମୀୟ 13
13
ରାଷ୍ଟ୍ରୀୟ ଆଇନ ପାଳନ ସମ୍ପର୍କରେ
1ଶାସନାଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ହେବା ପ୍ରତ୍ୟେକ ଜଣର କର୍ତ୍ତବ୍ୟ, କାରଣ ଈଶ୍ୱରଙ୍କ ଦ୍ଵାରା ଯାହା ପ୍ରତିଷ୍ଠିତ। ତା ଛଡ଼ା ଅନ୍ୟ ଶାସନାଧିକାର ନାହିଁ, ଯେଉଁସବୁ ଶାସନାଧିକାର ରହିଛି ତାହା ଈଶ୍ୱରଙ୍କ ଦ୍ଵାରା ପ୍ରତିଷ୍ଠିତ। 2ଫଳତଃ, ଯେକେହି କର୍ତ୍ତୃପକ୍ଷଙ୍କର ବିରୁଦ୍ଧାଚରଣ କରେ ସେ ଈଶ୍ୱରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଧାନର ବିରୁଦ୍ଧାଚରଣ କରେ, ଏବଂ ଯେଉଁମାନେ ତାହା କରନ୍ତି ସେମାନେ ନିଜ ଉପରେ ଦଣ୍ଡ ଆଣିବେ। 3କାରଣ ସତ୍କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଶାସକମାନେ ଭୀତିପ୍ରଦ ନୁହନ୍ତି, କିନ୍ତୁ ଦୁଷ୍କର୍ମ କରୁଥିବା ଲୋକଙ୍କ ପ୍ରତି ଭୀତିପ୍ରଦ ଅଟନ୍ତି। କର୍ତ୍ତୃପକ୍ଷ ପ୍ରତି ଭୟରୁ ତୁମେ ମୁକ୍ତ ହେବାକୁ ଚାହଁ କି? ତା ହେଲେ ସତ୍କାର୍ଯ୍ୟ କର ଏବଂ ସେ ତୁମର ପ୍ରଶଂସା କରିବେ। 4କାରଣ ତୁମର ମଙ୍ଗଳ କରିବାକୁ ସେ ଈଶ୍ୱରଙ୍କ ଦାସ। କିନ୍ତୁ ଯଦି ଅନୁଚିତ୍ କାର୍ଯ୍ୟ କର, ତେବେ ଭୟ କର, କାରଣ ସେ ବୃଥାରେ ଖଡ଼୍ଗ ଧାରଣ କରନ୍ତି ନାହିଁ। ଦୁଷ୍କର୍ମକାରୀ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତାଇବାକୁ, ସେ ତାହାଙ୍କର ସେବକ। 5ସେଥିପାଇଁ, କେବଳ ଦଣ୍ଡ ପାଇବା ଭୟରେ ନୁହେଁ, ମାତ୍ର ବିବେକ ହେତୁ ଶାସକମାନଙ୍କର ବଶୀଭୂତ ହେବା ଆବଶ୍ୟକ।
6ଏହି କାରଣରୁ ତୁମ୍ଭେମାନେ ଟିକସ ମଧ୍ୟ ଦେଇଥାଅ, କାରଣ କର୍ତ୍ତୃପକ୍ଷ ଈଶ୍ୱରଙ୍କ ସେବକ, ଏବଂ ସେମାନେ ଶାସନ କାର୍ଯ୍ୟରେ ପୂର୍ଣ୍ଣ ସମୟ ଦିଅନ୍ତି। 7ଯାହାର ଯାହା ପ୍ରାପ୍ୟ ତାହାକୁ ତାହା ଦିଅ: ଯଦି ଟିକସ ଦେବାର ଥାଏ, ତେବେ ଟିକସ ଦିଅ; ଯଦି ଖଜଣା ଦେବାର ଥାଏ, ଖଜଣା ଦିଅ; ଯଦି ଭକ୍ତି ପ୍ରଦର୍ଶନ କରିବାର ଥାଏ, ତେବେ ଭକ୍ତି ପ୍ରଦର୍ଶନ କର; ଯଦି ସମ୍ମାନ ଦେବାର ଥାଏ, ସମ୍ମାନ ଦିଅ।
8ପରସ୍ପର ନିକଟରେ ପ୍ରେମଋଣରେ ରହିବା ଛଡ଼ା, ଆଉ କେଉଁଥିରେ କାହାରି ନିକଟରେ ଋଣୀ ହୁଅ ନାହିଁ, କାରଣ ଯେ ଅନ୍ୟକୁ ପ୍ରେମ କରେ ସେ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ପାଳନ କରିଛି। 9ଏହି ଆଜ୍ଞାଗୁଡ଼ିକ, ଯଥା “ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ,” ଏହିପରି ଅନ୍ୟ ଯେତେ ଆଜ୍ଞା ଥାଇପାରେ, ସେହି ସମସ୍ତର ସାରାଂଶ ଏହି ଗୋଟିଏ ବାକ୍ୟରେ ନିହିତ ଅଛି: “ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” 10ପ୍ରେମ ପ୍ରତିବେଶୀର କୌଣସି ଅନିଷ୍ଟ କରେ ନାହିଁ। ସେଥିପାଇଁ ପ୍ରେମ ବିଧିବ୍ୟବସ୍ଥା ସଫଳ କରେ।
11ବର୍ତ୍ତମାନ କାଳ କି ପ୍ରକାର, ତାହା ଜାଣି ଏହା କର: ତୁମେ ନିଦ୍ରାରୁ ଜାଗ୍ରତ ହେବା ସମୟ ଆସିଛି, କାରଣ ଆମେ ପ୍ରଥମେ ବିଶ୍ୱାସ କରିବା ଦିନରୁ ଆମର ପରିତ୍ରାଣ ଏବେ ଆହୁରି ନିକଟତର। 12ରାତ୍ରି ବିଗତପ୍ରାୟ; ଦିବସ ପ୍ରାୟ ଆସନ୍ନ। ତେଣୁ ଆସ ଆମେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସାଜ ପିନ୍ଧୁ। 13ଆସ ଆମେ ତାଣ୍ଡବଲୀଳାରେ, ମଦ୍ୟପାନୋତ୍ସବରେ, ଯୌନ-ଅସଦାଚରଣରେ, ଲମ୍ପଟତାରେ, କଳହ ଓ ଈର୍ଷାରେ ଲିପ୍ତ ନ ରହି ଦିବସରେ ଆଚରଣ କଲା ପରି ବିହିତ ଆଚରଣ କରୁ। 14ତୁମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କର, ଏବଂ ତୁମର ପାପପ୍ରକୃତିର ଅଭିଳାଷଗୁଡ଼ିକ କିପରି ଚରିତାର୍ଥ କରିବ, ସେହି ବିଷୟରେ ମନୋଯୋଗୀ ହୁଅ ନାହିଁ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.