YouVersion Logo
Search Icon

ମାଥିଉଲିଖିତ 7

7
ଅନ୍ୟର ସମାଲୋଚନା କର ନାହିଁ
1“ପରର ବିଚାର କର ନାହିଁ, ତା ହେଲେ ତୁମେ ବିଚାରିତ ହେବ ନାହିଁ। 2କାରଣ ତୁମେ ଯେପରି ଭାବରେ ଅନ୍ୟର ବିଚାର କର, ତୁମେ ସେହିପରି ଭାବରେ ବିଚାରିତ ହେବ, ଏବଂ ଯେଉଁ ମାପରେ ତୁମେ ମାପୁଛ, ସେହି ମାପରେ ତୁମକୁ ମାପି ଦିଆଯିବ।
3“ତୁମ ନିଜ ଆଖିରେ କାଠ ପଟାଟିଏ ଥାଉଁ ଥାଉଁ ନିଜ ଭାଇର ଆଖିରେ କୁଟାଖିଅଟି ଦେଖୁଅଛ କାହିଁକି? 4ନିଜ ଆଖିରେ କାଠପଟାଟା ଥାଉଁ ଥାଉଁ, ତୁମ ଭାଇକୁ କିପରି କହିପାରିବ ‘ଆସ ମୁଁ ତୁମ ଆଖିରୁ,’ କୁଟାଖିଅଟି କାଢ଼ି ଦିଏ? 5ହେ କପଟାଚାରୀ! ପ୍ରଥମେ ନିଜ ଆଖିରୁ କାଠପଟାଟା ବାହାର କର, ତା ପରେ ଭାଇର ଆଖିରୁ କୁଟାଖିଅଟି କାଢ଼ିବା ପାଇଁ ସ୍ପଷ୍ଟ ରୂପେ ଦେଖିପାରିବ।
6“ପବିତ୍ର ଦ୍ରବ୍ୟ କୁକୁରକୁ ଦିଅ ନାହିଁ, ଘୁଷୁରି ଆଗରେ ନିଜର ମୁକ୍ତାଗୁଡ଼ାକ ପକାଅ ନାହିଁ, ତାହା କଲେ, ସେମାନେ ହୁଏତ ସେଗୁଡ଼ିକୁ ପାଦରେ ଦଳି ଚକଟି ତୁମକୁ ବିଦୀର୍ଣ୍ଣ କରିବେ।
ମାଗ, ଖୋଜ, ଦ୍ଵାରରେ ଆଘାତ କର
7“ମାଗ, ତୁମକୁ ଦିଆଯିବ; ଖୋଜ, ତୁମେ ପାଇବ; ଦ୍ଵାରରେ ଆଘାତ କର, ତୁମ ପାଇଁ ଦ୍ଵାର ଖୋଲାଯିବ। 8କାରଣ ଯେ ମାଗେ ତାହାକୁ ମିଳେ; ଯେ ଖୋଜେ, ସେ ପାଏ; ଯେ ଦ୍ଵାରରେ ଆଘାତ କରେ, ତାହା ପାଇଁ ଦ୍ଵାର ଖୋଲି ଦିଆଯିବ।
9“ତୁମ୍ଭମାନଙ୍କମଧ୍ୟରେ ଏପରି କିଏ ଅଛି, ଯେ ନିଜ ପୁଅ ରୋଟୀ ମାଗିଲେ, ତାକୁ ପଥର ଦେବ? 10ଅଥବା ସେ ମାଛ ମାଗିଲେ, ତାକୁ କଅଣ ସେ ସାପ ଦେବ? 11ତୁମ୍ଭେମାନେ ପାପିଷ୍ଠ ମନୁଷ୍ୟ ହୋଇ ସୁଦ୍ଧା ନିଜ ସନ୍ତାନମାନଙ୍କୁ ଯଦି ଉତ୍ତମ ବିଷୟ ଦେଇ ଜାଣ, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ତାଙ୍କ ନିକଟରେ ମାଗିବା ଲୋକଙ୍କୁ, କେତେ ଅଧିକ ଉତ୍ତମ ବିଷୟ ନ ଦେବେ? 12ଅନ୍ୟମାନେ ତୁମ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ତୁମେ ଇଚ୍ଛା କର, ତୁମେ ସେମାନଙ୍କ ପ୍ରତି ସେହିପରି ବ୍ୟବହାର କର କାରଣ ଏହା ହିଁ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ସାରମର୍ମ।
ସଂକୀର୍ଣ୍ଣ ଦ୍ଵାର ଓ ପ୍ରଶସ୍ତ ଦ୍ଵାର
13“ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର। କାରଣ ବିନାଶ ଆଡ଼କୁ କଢ଼ାଇ ନେବା ଦ୍ଵାର ଓସାରିଆ ଓ ତାହାର ପଥ ଚଉଡ଼ା, ଏବଂ ତହିଁ ମଧ୍ୟରେ ପ୍ରବେଶ କରିବା ଲୋକଙ୍କ ସଂଖ୍ୟା ଅନେକ। 14କିନ୍ତୁ ଜୀବନ ଆଡ଼କୁ କଢ଼ାଇ ନେବା ଦ୍ଵାର ସଂକୀର୍ଣ୍ଣ ଓ ପଥ ଅଣଓସାରିଆ, ଏବଂ ତହିଁର ସନ୍ଧାନ ପାଇବା ଲୋକଙ୍କ ସଂଖ୍ୟା ଅଳ୍ପ।
15“ଭଣ୍ଡ ଭବିଷ୍ୟତ୍‌ବକ୍ତାମାନଙ୍କ ଠାରୁ ସାବଧାନ! ସେମାନେ ମେଣ୍ଢା ବେଶରେ ତୁମ ନିକଟକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ହେଟାବାଘ ପରି। 16ସେମାନଙ୍କର କାର୍ଯ୍ୟକଳାପ ଫଳ ଦ୍ଵାରା ତୁମେ ସେମାନଙ୍କୁ ଚିହ୍ନିପାରିବ। ଲୋକେ କଣ କଣ୍ଟା ଗଛରୁ ଅଙ୍ଗୁର ଫଳ, କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି? 17ସେହିପରି ପ୍ରତ୍ୟେକ ଉତ୍ତମ ବୃକ୍ଷ ଉତ୍ତମ ଫଳ ଧାରଣ କରେ, ଏବଂ ମନ୍ଦ ବୃକ୍ଷ ମନ୍ଦ ଫଳ ଧାରଣ କରେ। 18ଉତ୍ତମ ବୃକ୍ଷ ମନ୍ଦ ଫଳ ଧାରଣ କରିପାରେ ନାହିଁ, ଓ ମନ୍ଦ ବୃକ୍ଷ ଉତ୍ତମ ଫଳ ଧାରଣ କରିପାରେ ନାହିଁ। 19ଯେଉଁ ବୃକ୍ଷ ଉତ୍ତମ ଫଳ ଧାରଣ କରିପାରେ ନାହିଁ, ତାହା ହଣାଯାଇ ନିଆଁରେ ପକାଯାଏ। 20ଏହିରୂପେ, ତୁମେ ସେମାନଙ୍କ ଫଳ ଦ୍ଵାରା ସେମାନଙ୍କୁ ଚିହ୍ନିପାରିବ।
21“ଯେଉଁମାନେ ମୋତେ, ‘ପ୍ରଭୁ, ପ୍ରଭୁ,’ ବୋଲି ଡ଼ାକନ୍ତି ଏପରି ସମସ୍ତେ ଯେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ, ତା ନୁହେଁ ମାତ୍ର ଯେ ମୋର ସ୍ଵର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରେ, କେବଳ ସେ ପ୍ରବେଶ କରିବ। 22ସେହି ଦିନରେ ଅନେକେ ମୋତେ କହିବେ, ‘ପ୍ରଭୁ, ପ୍ରଭୁ, ଆପଣଙ୍କ ନାମରେ ଆମେ କଣ ଭାବବାଣୀ କହି ନାହୁଁ, ଆମେ କଣ ଭୂତ ଛଡ଼ାଇ ନାହୁଁ ଓ ଅନେକ ଅଲୌକିକ କାର୍ଯ୍ୟ କରି ନାହୁଁ?’ 23ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ‘ମୁଁ ତୁମ୍ଭମାନଙ୍କୁ ଆଦୌ ଚିହ୍ନ ନାହିଁ। ହେ ଦୁରାଚାରୀମାନେ ମୋ, ନିକଟରୁ ଦୂର ହୁଅ!’
ଦୁଇ ପ୍ରକାର ଗୃହ ନିର୍ମାଣକାରୀ
24“ଅତଏବ ଯେ ମୋର ଏହିସବୁ କଥା ଶୁଣେ ଓ ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣ କରିଥିବା ବୁଦ୍ଧିମାନ ମନୁଷ୍ୟ ସଦୃଶ। 25ବର୍ଷା ବର୍ଷିଲା, ନଈବଢ଼ି ଆସିଲା ଓ ଝଡ଼ବତାସ ବହିଲା, ଏବଂ ସେହି ଗୃହକୁ ଧକ୍‌କା ମାରିଲା; ତଥାପି ତାହା ଭୁଷୁଡ଼ି ପଡ଼ିଲା ନାହିଁ, କାରଣ ତାହାର ମୂଳଦୁଆ ଥିଲା ପାଷାଣ ଉପରେ। 26କିନ୍ତୁ ଯେ ମୋର ଏହିସବୁ କଥା ଶୁଣି ପାଳନ କରେ ନାହିଁ, ସେ ବାଲୁକା ଉପରେ ଗୃହ ନିର୍ମାଣ କରିଥିବା ମୂର୍ଖ ମନୁଷ୍ୟ ସଦୃଶ। 27ବର୍ଷା ବର୍ଷିଲା, ନଈବଢ଼ି ଆସିଲା ଓ ଝଡ଼ବତାସ ବହିଲା, ଏବଂ ସେହି ଗୃହକୁ ଧକ୍‌କା ମାରିଲା, ତହିଁରେ ତାହା ଭୁଷୁଡ଼ି ପଡ଼ିଲା ତାହାର ପତନ ଘୋରତର ହେଲା।”
28ଯୀଶୁ ଏହିସବୁ କଥା ଶେଷ କଲାପରେ, ସମବେତ ଲୋକମାନେ ଆଚମ୍ବିତ ହେଲେ, 29କାରଣ ସେମାନଙ୍କର ଶାସ୍ତ୍ରଜ୍ଞମାନଙ୍କ ପରି ଶିକ୍ଷା ନ ଦେଇ, ସେ କ୍ଷମତାପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in