YouVersion Logo
Search Icon

ମାଥିଉଲିଖିତ 6

6
ଦାନ ସମ୍ବନ୍ଧରେ
1“ସାବଧାନ ଲୋକଦେଖାଣିଆ ଧର୍ମକର୍ମ କର ନାହିଁ। ତାହା କଲେ, ତୁମେ ତୁମର ସ୍ଵର୍ଗସ୍ଥ ପିତାଙ୍କଠାରୁ କୌଣସି ପୁରସ୍କାର ପାଇବ ନାହିଁ।
2“ଅତଏବ ଦାନ କଲାବେଳେ କପଟି ମାନଙ୍କ ପରି ଡ଼େଙ୍ଗୁରା ପିଟ ନାହିଁ, ସେମାନେ ଲୋକଙ୍କର ପ୍ରଶଂସା ପାଇବାକୁ ଉପାସନାଗୃହମାନଙ୍କରେ, ଓ ଦାଣ୍ଡରେ ସେପରି କରିଥାଆନ୍ତି। ମୁଁ ତୁମକୁ ସତ କହୁଛି, ସେମାନେ ନିଜ ନିଜର ପୁରସ୍କାର ପାଇସାରିଲେଣି। 3କିନ୍ତୁ ତୁମେ ଦାନ କଲାବେଳେ, ତୁମ ଦକ୍ଷିଣ ହସ୍ତ କଣ କରୁଛି ତାହା ତୁମ ବାମ ହସ୍ତ ନ ଜାଣୁ, 4ତା ହେଲେ ତୁମର ଦାନ ଗୋପନରେ ହେବ। ଓ ତୁମର ପିତା, ଯେ କି ଗୁପ୍ତ ବିଷୟ ଦେଖନ୍ତି, ସେ ତୁମକୁ ପୁରସ୍କୃତ କରିବେ।
ପ୍ରାର୍ଥନା ସମ୍ବନ୍ଧରେ
5“ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, କପଟି ପରି ହୁଅ ନାହିଁ, କାରଣ ସେମାନେ ଲୋକଙ୍କୁ ଦେଖାଇବା ପାଇଁ ଉପାସନାଗୃହ ଓ ଛକସ୍ଥାନମାନଙ୍କରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ସତ କହୁଛି, ସେମାନେ ନିଜ ନିଜର ପୁରସ୍କାର ପାଇସାରିଲେଣି। 6କିନ୍ତୁ ତୁମେ ପ୍ରାର୍ଥନା କଲାବେଳେ, ତୁମ କୋଠରି ଭିତରେ ପ୍ରବେଶ କରି, ଦ୍ଵାର ବନ୍ଦ କର, ଓ ତୁମର ଅଦୃଶ୍ୟ ପିତାଙ୍କ ନିକଟରେ ପ୍ରାର୍ଥନା କର, ତା ହେଲେ ତୁମର ପିତା, ଯେ କି ଗୁପ୍ତ ବିଷୟ ଦେଖନ୍ତି, ସେ ତୁମକୁ ପୁରସ୍କୃତ କରିବେ। 7ପ୍ରାର୍ଥନା କଲାବେଳେ, ଅନ୍ୟ ଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ବହୁତ କଥା କହିବା ଦ୍ଵାରା ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ସେମାନେ ମନେ କରନ୍ତି। 8ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମେ ମାଗିବା ପୂର୍ବରୁ ତୁମର କଣ ପ୍ରୟୋଜନ ତାହା ତୁମର ପିତା ଈଶ୍ୱର ଜାଣନ୍ତି।
9“ତେଣୁ ଏହିପରି ଭାବରେ ପ୍ରାର୍ଥନା କର:
“ହେ ଆମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା,
ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ,
10ତୁମ୍ଭର ରାଜ୍ୟ ଆସୁ,
ସ୍ଵର୍ଗରେ ଯେପରି,
ପୃଥିବୀରେ ସେହିପରି ତୁମ୍ଭର ଇଚ୍ଛା ସଫଳ ହେଉ।
11ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
12ଆମ ବିରୁଦ୍ଧରେ ଅପରାଧ କରିଥିବା ଲୋକଙ୍କୁ ଆମେ ଯେପରି କ୍ଷମା କରିଛୁ,
ସେହିପରି ଆମର ଅପରାଧସବୁ କ୍ଷମା କର।
13ଆମ୍ଭମାନଙ୍କୁ ପରୀକ୍ଷା ମଧ୍ୟକୁ ନିଅ ନାହିଁ,
ମାତ୍ର ମନ୍ଦରୁ ରକ୍ଷା କର।
14କାରଣ ତୁମ୍ଭ ବିରୁଦ୍ଧରେ ଯେଉଁମାନେ ଦୋଷ କରିଛନ୍ତି ସେମାନଙ୍କୁ ଯଦି କ୍ଷମା ଦିଅ, ତେବେ ତୁମର ସ୍ଵର୍ଗସ୍ଥ ପିତା ତୁମକୁ କ୍ଷମା ଦେବେ। 15କିନ୍ତୁ ତୁମେ ଯଦିସେମାନଙ୍କ ଅପରାଧସବୁ କ୍ଷମା ନ ଦିଅ, ତେବେ ତୁମର ପିତା ମଧ୍ୟ ତୁମ ଅପରାଧସବୁ କ୍ଷମା ଦେବେ ନାହିଁ।
ଉପବାସ ସମ୍ବନ୍ଧରେ
16“ଉପବାସ କରିବା ସମୟରେ ବକଧାର୍ମିକ ମାନଙ୍କ ପରି ବିଷଣ୍ଣମୁଖ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଛନ୍ତି ବୋଲି ଲୋକଙ୍କୁ ଦେଖାଇବା ପାଇଁ ମୁଖ ବିବର୍ଣ୍ଣ କରନ୍ତି। ମୁଁ ତୁମକୁ ସତ୍ୟ କହୁଛି, ସେମାନେ ନିଜ ନିଜର ପୁରସ୍କାର ପାଇସାରିଲେଣି। 17କିନ୍ତୁ ତୁମେ ଉପବାସ କରିବା ସମୟରେ, ମୁଣ୍ଡରେ ତେଲ ଲଗାଅ ଓ ମୁଖ ଧୁଅ। 18ତା ହେଲେ ତୁମେ ଉପବାସ କରୁଛ ବୋଲି ଲୋକେ ଜାଣିପାରିବେ ନାହିଁ। କିନ୍ତୁ କେବଳ ତୁମର ଅଦୃଶ୍ୟ ପିତା ଜାଣିବେ, ଏବଂ ତୁମର ପିତା ଯେ କି ଗୁପ୍ତ ବିଷୟ ଦେଖନ୍ତି, ସେ ତୁମକୁ ପୁରସ୍କୃତ କରିବେ।
କେଉଁଠାରେ ଧନ ସଞ୍ଚୟ କରିବ
19“ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀରେ ନିଜ ନିମନ୍ତେ ଧନ ସଞ୍ଚୟ କର ନାହିଁ। 20ମାତ୍ର ଯେଉଁଠାରେ କୀଟ କଳଙ୍କ କ୍ଷୟ କରେ ନାହିଁ, ଓ ଚୋରମାନେ ବଳପୂର୍ବକ ପଶି ଚୋରି କରନ୍ତି ନାହିଁ, ଏପରି ସ୍ଵର୍ଗରେ ନିଜ ନିମନ୍ତେ ଧନ ସଞ୍ଚୟ କର। 21କାରଣ ଯେଉଁଠାରେ ତୁମର ଧନ ଥାଏ, ସେହିଠାରେ ତୁମର ମନ ରହେ।
22“ଚକ୍ଷୁ ଶରୀରର ପ୍ରଦୀପ। ତୁମର ଚକ୍ଷୁ ଯଦି ସତେଜ ହୁଏ ତେବେ ସମଗ୍ର ଶରୀର ଆଲୋକମୟ ହେବ। 23କିନ୍ତୁ ଚକ୍ଷୁ ଯଦି ନିସ୍ତେଜ, ତେବେ ତୁମର ସମଗ୍ର ଶରୀର ଅନ୍ଧକାରମୟ ହେବ। ସେହିପରି ତୁମ ଅନ୍ତରସ୍ଥ ଆଲୋକ ଯଦି ଅନ୍ଧକାରମୟ ହୁଏ, ତେବେ ସେହି ଅନ୍ଧକାର କେଡ଼େ ନିବିଡ଼!
24“କେହି ଦୁଇ ମୁନିବର ସେବା କରିପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରି ଅନ୍ୟ ଜଣଙ୍କୁ ଭଲ ପାଇବ, କିମ୍ବା ଜଣକ ପ୍ରତି ଅନୁରକ୍ତ ରହି ଅନ୍ୟଜଣକୁ ଅବଜ୍ଞା କରିବ। ତୁମେ ଈଶ୍ୱର ଓ ଧନ ଉଭୟର ସେବା କରିପାରିବ ନାହିଁ।
ଚିନ୍ତିତ ହୁଅ ନାହିଁ
25“ଅତଏବ ମୁଁ ତୁମକୁ କହୁଛି, ଜୀବନଧାରଣ ନିମନ୍ତେ କଣ ଖାଇବ କଣ ପିଇବ; ଅବା ଶରୀର ପାଇଁ କଣ ପିନ୍ଧିବ। ଏସବୁ ବିଷୟରେ ଚିନ୍ତିତ ହୁଅ ନାହିଁ କାରଣ ଖାଦ୍ୟ ଅପେକ୍ଷା ଜୀବନ କଣ ଶ୍ରେଷ୍ଠ ନୁହେଁ? ବସ୍ତ୍ର ଅପେକ୍ଷା ଶରୀର କଣ ଶ୍ରେଷ୍ଠ ନୁହେଁ? 26ଆକାଶର ପକ୍ଷୀମାନଙ୍କୁ ଦେଖ; ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିମ୍ବା ଅମାରରେ ସଞ୍ଚୟ କରନ୍ତି ନାହିଁ, ତଥାପି ତୁମର ସ୍ଵର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ କଣ ସେମାନଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍ ନୁହଁ? 27ତୁମ ମଧ୍ୟରୁ କିଏ ଚିନ୍ତା କରି ନିଜ ପରମାୟୁରେ ମୁହୂର୍ତ୍ତ ଟିଏ ସୁଦ୍ଧା ଯୋଗ କରିପାରିବ?
28“ପୁଣି ବସ୍ତ୍ର ନିମନ୍ତେ ତୁମେ କାହିଁକି ଚିନ୍ତିତ ହେଉଛ? କ୍ଷେତର ଫୁଲଗୁଡ଼ିକୁ ଦେଖ ସେମାନେ କିପରି ବଢ଼ନ୍ତି। ସେମାନେ ପରିଶ୍ରମ କରନ୍ତି ନାହିଁ କି ସୂତା କାଟନ୍ତି ନାହିଁ। 29ତଥାପି ମୁଁ ତୁମକୁ କହୁଛି, ଶଲୋମନ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ସତ୍ତ୍ୱେ ଏମାନଙ୍କ ପରି ବିଭୂଷିତ ନ ଥିଲେ। 30କ୍ଷେତର ଯେଉଁ ଘାସ ଆଜି ଅଛି ଓ କାଲିକି ନିଆଁରେ ପକାଯାଏ, ତାକୁ ଯଦି ଈଶ୍ୱର ଏହି ପ୍ରକାରେ ଭୂଷିତ କରନ୍ତି, ତେବେ ହେ ଅଳ୍ପବିଶ୍ୱାସୀନେ ସେ କଣ ତୁମ୍ଭମାନଙ୍କୁ ଆହୁରି ଅଧିକ ରୂପେ ବସ୍ତ୍ରରେ ଭୂଷିତ କରିବେ ନାହିଁ? 31ସେଥିପାଇଁ ‘କଣ ଖାଇବା? କଣ ପିଇବା? ଓ କଣ ପିନ୍ଧିବ?’ ଏହା କହି ଚିନ୍ତିତ ହୁଅ ନାହିଁ। 32କାରଣ ଅନ୍ୟଜାତୀୟ ଲୋକେ ଏହିସବୁ ପାଇବାକୁ ଚେଷ୍ଟା କରନ୍ତି, ତୁମର ଯେ ଏସମସ୍ତ ବିଷୟ ପ୍ରୟୋଜନ ତାହା ତୁମର ସ୍ଵର୍ଗସ୍ଥ ପିତା ଜାଣନ୍ତି। 33କିନ୍ତୁ ତୁମେ ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ଓ ତାହାଙ୍କ ଧାର୍ମିକତା ଅନ୍ୱେଷଣ କର ଏବଂ ଏହିସମସ୍ତ ମଧ୍ୟ ତୁମକୁ ଦିଆଯିବ। 34ତେଣୁ ଆସନ୍ତା କାଲି ପାଇଁ ଚିନ୍ତିତ ହୁଅ ନାହିଁ, ଆସନ୍ତା କାଲି ନିଜ ପାଇଁ ଚିନ୍ତା କରିବ। ପ୍ରତ୍ୟେକ ଦିନ ପାଇଁ ସେହି ଦିନର ଜଞ୍ଜାଳ ଯଥେଷ୍ଟ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in