YouVersion Logo
Search Icon

ମାଥିଉଲିଖିତ 5

5
ପାହାଡ଼ ଉପରେ ପ୍ରଦତ୍ତ ଧର୍ମୋପଦେଶ
1ଜନସମାଗମ ହେବା ଦେଖି, ଯୀଶୁ ଏକ ପାହାଡ଼ ଉପରେ ଯାଇ ବସିଲେ ଏବଂ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସନ୍ତେ। 2ସେ ସେମାନଙ୍କୁ ଶିକ୍ଷା ଦେଇ କହିଲେ।
ଧନ୍ୟ ବାଣୀ ବା ବଚନ
3“ଯେଉଁମାନେ ଆତ୍ମାରେ ଦୀନହୀନ ସେମାନେ ଧନ୍ୟ,
କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର।
4ଯେଉଁମାନେ ମନୋବେଦନା ଭୋଗ କରନ୍ତି ସେମାନେ ଧନ୍ୟ,
କାରଣ ସେମାନେ ସାନ୍ତ୍ଵନା ଲାଭ କରିବେ।
5ଯେଉଁମାନେ ନମ୍ର ସେମାନେ ଧନ୍ୟ,
କାରଣ ସେମାନେ ପୃଥିବୀର ଅଧିକାରୀ ହେବେ।
6ଯେଉଁମାନେ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ସେମାନେ ଧନ୍ୟ,
କାରଣ ସେମାନେ ପରିତୃପ୍ତ ହେବେ।
7ଯେଉଁମାନେ ଦୟାବନ୍ତ ସେମାନେ ଧନ୍ୟ,
କାରଣ ସେମାନଙ୍କ ପ୍ରତି ଦୟାପ୍ରଦର୍ଶନ କରାଯିବ।
8ଯେଉଁମାନଙ୍କର ହୃଦୟ ନିର୍ମଳ ସେମାନେ ଧନ୍ୟ,
କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ଲାଭ କରିବେ।
9ଯେଉଁମାନେ ଶାନ୍ତି ସ୍ଥାପନ କରନ୍ତି ସେମାନେ ଧନ୍ୟ,
କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ପରିଚିତ ହେବେ।
10ଯେଉଁମାନେ ଧାର୍ମିକତା ସକାଶେ ନିର୍ଯ୍ୟାତିତ ସେମାନେ ଧନ୍ୟ,
କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର।
11“ଲୋକେ ଯଦି ତୁମ୍ଭମାନଙ୍କୁ ମୋ ସକାଶେ ନିନ୍ଦା ଓ ନିର୍ଯ୍ୟାତନା କରନ୍ତି ଏବଂ ମିଥ୍ୟାରେ ତୁମ ବିରୁଦ୍ଧରେ ନାନାଦି ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। 12ଆନନ୍ଦିତ ଏବଂ ଉଲ୍ଲସିତ ହୁଅ, ଯେହେତୁ ସ୍ଵର୍ଗରେ ତୁମ୍ଭମାନଙ୍କନିମନ୍ତେ ମହାପୁରସ୍କାର ରହିଅଛି, କାରଣ ତୁମ ପୂର୍ବରୁ ଯେଉଁ ଭାବବାଦୀମାନେ ଥିଲେ ଲୋକେ ସେମାନଙ୍କୁ ତ ସେହିପରି ନିର୍ଯ୍ୟାତନା କରିଥିଲେ।
ତୁମ୍ଭେମାନେ ଜଗତର ଲବଣ ଓ ଆଲୋକ
13“ତୁମ୍ଭେମାନେ ପୃଥିବୀର ଲବଣ। କିନ୍ତୁ ଲବଣ ଯଦି ତାହାର ଲବଣତ୍ଵ ହରାଏ, ତେବେ ତାକୁ ଆଉ କିପରି ଲବଣାକ୍ତ କରି ହେବ? ତାହା ବାହାରେ ପକାଯାଇ ଲୋକଙ୍କର ପଦଦଳିତ ହେବା ଛଡ଼ା ଆଉ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେବ ନାହିଁ।
14“ତୁମ୍ଭେମାନେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ ନଗର ଲୁଚି ରହିପାରେ ନାହିଁ। 15କିମ୍ବା ଲୋକେ ଦୀପ ଜାଳି ପାତ୍ର ତଳେ ଘୋଡ଼ାଇ ରଖନ୍ତି ନାହିଁ। ବରଂ ଦୀପରୁଖା ଉପରେ ରଖନ୍ତି, ଏବଂ ଘରେ ତାହା ସମସ୍ତଙ୍କୁ ଆଲୁଅ ଦିଏ। 16ସେହିପରି ତୁମର ଆଲୋକ ଲୋକଙ୍କ ନିକଟରେ ପ୍ରକାଶ ପାଉ, ତାହାହେଲେ ସେମାନେ ତୁମର ସତ୍‌କର୍ମସବୁ ଦେଖି ତୁମର ସ୍ଵର୍ଗସ୍ଥ ପିତାଙ୍କର ପ୍ରଶଂସା କରିବେ।
ବିଧିବ୍ୟବସ୍ଥାର ସଫଳତା
17“ମୁଁ ଯେ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ବାଣୀ ଲୋପ କରିବାକୁ ଆସିଅଛି ଏପରି ଭାବ ନାହିଁ; ମୁଁ ସେହିସବୁ ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି। 18ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବା ପର୍ଯ୍ୟନ୍ତ, ବିଧିବ୍ୟବସ୍ଥାର ସବୁକିଛି ସଫଳ ନ ହୋଇ, ଏଥିରୁ ବିନ୍ଦୁ ବିସର୍ଗଟିଏ ସୁଦ୍ଧା ଲୋପ ପାଇବ ନାହିଁ। 19ଏହି ଆଜ୍ଞାଗୁଡ଼ିକ ମଧ୍ୟରୁ ଯେକେହି ସାମାନ୍ୟତମ ଆଜ୍ଞାଲଘଂନ କରେ ଏବଂ ଅନ୍ୟମାନଙ୍କୁ ସେହିପ୍ରକାର କରିବାକୁ ଶିକ୍ଷା ଦିଏ ସେ ସ୍ଵର୍ଗରାଜ୍ୟରେ ସବୁଠାରୁ ନଗଣ୍ୟ ବୋଲି ପରିଚିତ ହେବ, କିନ୍ତୁ ଯେ ଏହି ଆଜ୍ଞାସବୁ ପାଳନ କରେ ଓ ଅନ୍ୟମାନଙ୍କୁ ସେହିସବୁ ଶିକ୍ଷା ଦିଏ ସେ ସ୍ଵର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ। 20ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନହେଲେ, ତୁମ୍ଭେମାନେ ଆଦୌ ସ୍ଵର୍ଗରାଜ୍ୟରେ ପ୍ରବେଶ କରିପାରିବ ନାହିଁ।
ନରହତ୍ୟା ସମ୍ୱନ୍ଧରେ
21“ପୁରାକାଳରେ ଲୋକଙ୍କୁ ଏହା କୁହାଯାଇଥିବା ତୁମ୍ଭେମାନେ ଶୁଣିଛ, ‘ନରହତ୍ୟା କର ନାହିଁ, ଏବଂ ଯେ ନରହତ୍ୟା କରିବ ସେ ଦଣ୍ଡନୀୟ ହେବ।’ 22କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଯିଏ ଆପଣା ଭାଇ ଉପରେ କ୍ରୋଧ କରେ, ସେ ଦଣ୍ଡନୀୟ ହେବ ଆହୁରି ମଧ୍ୟ ଯିଏ ଆପଣା ଭାଇକୁ, ‘ନିର୍ବୋଧ!’ ବୋଲି କହେ, ସେ ମହାସଭାରେ ବିଚାରର ସାମ୍ନା କରିବ, କିନ୍ତୁ ତୁମେ, ‘ଅଧମ ମୂର୍ଖ!’ ବୋଲି ଯେ କହେ, ତା ପାଇଁ ନରକାଗ୍ମିର ଆଶଙ୍କା ରହିଅଛି।
23“ଅତଏବ, ବେଦି ନିକଟରେ ନୈବେଦ୍ୟ ଉଚ୍ଛର୍ଗ କଲାବେଳେ ତୁମର ଯଦି ମନେ ପଡ଼ିଯାଏ ଯେ ତୁମ ଭାଇର ତୁମ ବିରୁଦ୍ଧରେ ଅଭିଯୋଗର କୌଣସି କାରଣ ଅଛି, 24ତେବେ ବେଦି ନିକଟରେ ତୁମର ନୈବେଦ୍ୟ ଥୋଇ ଦେଇ ପ୍ରଥମେ ଯାଅ। ଓ ତା ସହିତ ପୁନର୍ମିଳିତ ହୁଅ; ତା ପରେ ଆସି ତୁମର ନୈବେଦ୍ୟ ଉଚ୍ଛର୍ଗ କର।
25“ତୁମର ବିପକ୍ଷ ତୁମକୁ ବିଚାରାଳୟକୁ ନେବାବେଳେ ତା ସହିତ ମିଳାମିଶା କରି ନିଅ। ତା ସହିତ ବାଟରେ ଯାଉଁ ଯାଉଁ ଏହା କର, ନଚେତ୍ ସେ ତୁମକୁ ବିଚାରପତିଙ୍କ ହାତରେ ସମର୍ପଣ କରି ଦେଇପାରେ, ଓ ବିଚାରପତି ତୁମକୁ ପ୍ରହରୀ ହାତରେ ସମର୍ପଣ କରି ଦେଇପାରନ୍ତି, ଏବଂ ତୁମେ କାରାଗାରରେ ରୁଦ୍ଧ ହୋଇପାର। 26ମୁଁ ତୁମକୁ ସତ୍ୟ କହୁଅଛି, ତୁମେ ଶେଷ ପଇସାଟି ନ ଶୁଝିବା ପର୍ଯ୍ୟନ୍ତ ସେଠାରୁ ବାହାରି ପାରିବ ନାହିଁ।
ବ୍ୟଭିଚାର ସମ୍ବନ୍ଧରେ
27“ଏ କଥା କୁହାଯିବାର ତୁମ୍ଭେମାନେ ଶୁଣିଛ, ‘ବ୍ୟଭିଚାର କର ନାହିଁ।’ 28କିନ୍ତୁ ମୁଁ ତୁମକୁ କହେ କେହି ଯେବେ କାମାସକ୍ତ ହୋଇ କୌଣସି ସ୍ତ୍ରୀ ପ୍ରତି ଦୃଷ୍ଚିପାତ କରେ ତେବେ ସେ ନିଜ ହୄଦୟରେ ତା ସହିତ ବ୍ୟଭିଚାର କରି ସାରିଲାଣି। 29ଅତଏବ ତୁମର ଦକ୍ଷିଣ ଚକ୍ଷୁ ଯଦି ତୁମକୁ ପାପରେ ପକାଏ, ତେବେ ତାହା ଉପାଡ଼ି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ। 30ତୁମର ଦକ୍ଷିଣ ହସ୍ତ ଯଦି ତୁମକୁ ପାପରେ ପକାଏ, ତେବେ ତାହା କାଟି ଫିଙ୍ଗି ଦିଅ। ତୁମର ସମଗ୍ର ଶରୀର ନରକରେ ପକାଯିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ବରଂ ଭଲ।
ବିବାହ-ବିଚ୍ଛେଦ ସମ୍ବନ୍ଧରେ
31“ଏ କଥା କୁହାଯାଇଛି, ‘କେହି ଯେବେ ଆପଣାର ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାକୁ ଛାଡ଼ପତ୍ର ଦେବ।’ 32କିନ୍ତୁ ମୁଁ ତୁମକୁ କହେ, ଯଦି କୌଣସି ଲୋକ ବ୍ୟଭିଚାର ଦୋଷ ବ୍ୟତୀତ ଅନ୍ୟ କାରଣରୁ ନିଜ ସ୍ତ୍ରୀକୁ ତ୍ୟାଗ କରେ, ତେବେ ସେ ତାକୁ ବ୍ୟଭିଚାରିଣୀ କରାଏ, ପୁଣି ଯେଉଁ ଲୋକ ସେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ ସେ ମଧ୍ୟ ବ୍ୟଭିଚାର କରେ।
ଶପଥ ପକାଇବା ସମ୍ବନ୍ଧରେ
33“ଆହୁରି ମଧ୍ୟ, ପୁରାକାଳରେ ଲୋକମାନଙ୍କୁ ଏହି କଥା କୁହାଯିବାର ତୁମ୍ଭେମାନେ ଶୁଣିଛ, ‘ଶପଥ ଭଙ୍ଗ କରିବ ନାହିଁ, କିନ୍ତୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ କରିଥିବା ଶପଥସବୁ ପାଳନ କରିବ।’ 34ମାତ୍ର ମୁଁ ତୁମକୁ କହେ, ଆଦୌ ଶପଥ ପକାଅ ନାହିଁ: ସ୍ଵର୍ଗର ଶପଥ ପକାଅ ନାହିଁ, କାରଣ ସ୍ଵର୍ଗ ହେଉଛି ଈଶ୍ୱରଙ୍କ ସିଂହାସନ; 35କିମ୍ବା ପୃଥିବୀର ଶପଥ ପକାଅ ନାହିଁ, କାରଣ ପୃଥିବୀ ହେଉଛି ତାହାଙ୍କର ପାଦପୀଠ; କିମ୍ବା ଯିରୂଶାଲମର ଶପଥ ପକାଅ ନାହିଁ, କାରଣ ତାହା ମହାନ୍ ରାଜାଙ୍କର ନଗର। 36ତୁମ ମୁଣ୍ଡର ଶପଥ ପକାଅ ନାହିଁ, କାରଣ ତୁମେ ଗୋଟିଏ କେଶକୁ ସୁଦ୍ଧା ଧଳା କି କଳା କରିପାରିବ ନାହିଁ। 37କେବଳ ତୁମର ‘ହଁ’ କଥା ‘ହଁ’ ହେଉ ଏବଂ ତୁମର ‘ନା’ କଥା ନା ହେଉ; ଏହାଠାରୁ ଯାହା ଅଧିକ ତାହା ପାପାତ୍ମାଠାରୁ ଆସେ।
ପ୍ରତିହିଂସା ସମ୍ବନ୍ଧରେ
38“ଏହି କଥା କୁହାଯିବାର ତୁମ୍ଭେମାନେ ଶୁଣିଅଛ, ‘ଚକ୍ଷୁ ପରିବର୍ତ୍ତେ ଚକ୍ଷୁ, ଦନ୍ତ ପରିବର୍ତ୍ତେ ଦନ୍ତ।’ 39ମାତ୍ର ମୁଁ ତୁମକୁ କହେ, ଦୁର୍ଜନର ପ୍ରତିରୋଧ କର ନାହିଁ। କେହି ତୁମକୁ ଡାହାଣ ଗାଲରେ ଚାପୁଡ଼ା ମାରିଲେ, ତାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। 40କେହି ଯଦି ତୁମ ବିରୁଦ୍ଧରେ ନାଲିଶ୍ କରି ତୁମର ଜାମା ନେବାକୁ ଇଚ୍ଛା କରେ, ତେବେ ତୁମର କୋଟ୍ ମଧ୍ୟ ତାକୁ ଦେଇଦିଅ। 41କେହି ଯଦି ତୁମକୁ ଏକ ମାଇଲ ଯିବା ପାଇଁ ବାଧ୍ୟ କରେ, ତେବେ ତା ସଙ୍ଗେ ଦୁଇ ମାଇଲ ବାଟ ଯାଅ। 42ଯେ ମାଗେ ତାକୁ ଦିଅ, ଏବଂ ଯେ ତୁମ ନିକଟରୁ ଉଧାର ମାଗେ ତା ପ୍ରତି ବିମୁଖ ହୁଅ ନାହିଁ।
ଶତ୍ରୁକୁ ପ୍ରେମ କର
43“ଏହି କଥା କୁହାଯିବାର ତୁମ୍ଭେମାନେ ଶୁଣିଅଛ, ‘ପ୍ରତିବାସି କୁ ପ୍ରେମ କର ଏବଂ ଶତ୍ରୁକୁ ଘୃଣା କର।’ 44ମାତ୍ର ମୁଁ ତୁମକୁ କହେ, ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ଯେଉଁମାନେ ତୁମକୁ ନିର୍ଯ୍ୟାତନା କରନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର, 45ତାହାହେଲେ ତୁମେ ତୁମର ସ୍ଵର୍ଗସ୍ଥ ପିତାଙ୍କର ସନ୍ତାନ ହୋଇପାରିବ। କାରଣ ସେ ତ ଅଧମ ଓ ଉତ୍ତମ ଉଭୟଙ୍କ ଉପରେ ତାଙ୍କର ସୂର୍ଯ୍ୟ ଉଦିତ କରାନ୍ତି, ଏବଂ ଧାର୍ମିକ ଓ ଅଧାର୍ମିକ ଉଭୟଙ୍କୁ ବୃଷ୍ଟିଜଳ ଦିଅନ୍ତି। 46ଯେଉଁମାନେ ତୁମକୁ ଭଲ ପାଆନ୍ତି କେବଳ ସେହିମାନଙ୍କୁ ଭଲ ପାଇଲେ, ତୁମେ କି ପୁରସ୍କାର ପାଇବ? କରଆଦାୟକାରୀମାନେ ମଧ୍ୟ କଣ ତାହା କରନ୍ତି ନାହିଁ? 47ତୁମେ ଯଦି କେବଳ ତୁମର ଭାଇମାନଙ୍କୁ ଅଭିବାଦନ କର, ତେବେ ତୁମେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କଅଣ କର? ବିଜାତୀୟ ଲୋକେ ମଧ୍ୟ କଅଣ ତାହା କରନ୍ତି ନାହିଁ? 48ଅତଏବ, ତୁମର ସ୍ଵର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେ ମଧ୍ୟ ସେହିପରି ସିଦ୍ଧ ହୁଅ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in