ମାଥିଉଲିଖିତ 26
26
ଯୀଶୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
1ଯୀଶୁ ଏସମସ୍ତ କଥା ଶେଷ କରି ଶିଷ୍ୟମାନଙ୍କୁ କହିଲେ, 2“ତୁମେମାନେ ଜାଣ ଯେ ଆଉ ଦୁଇଦିନ ପରେ ନିସ୍ତାର ପର୍ବ ଆରମ୍ଭ ହେବ ଏବଂ ମନୁଷ୍ୟପୁତ୍ରଙ୍କୁ କ୍ରୁଶରେ ବଧ କରିବା ପାଇଁ ଧରାଇ ଦିଆଯିବେ।”
3ସେହି ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର କୁଳବୃଦ୍ଧମାନେ କୟାଫା ନାମକ ମହାଯାଜକଙ୍କର ପ୍ରାସାଦରେ ସମବେତ ହେଲେ 4ସେମାନେ ଯୀଶୁଙ୍କୁ କୌଶଳକ୍ରମେ ଧରି ବଧ କରିବାକୁ ମନ୍ତ୍ରଣା କଲେ 5କିନ୍ତୁ ସେମାନେ କହିଲେ, “ପର୍ବ ସମୟରେ ଧରିବା ନାହିଁ, କାରଣ ତାହା କଲେ ଲୋକଙ୍କ ମଧ୍ୟରେ ଦଙ୍ଗାହାଙ୍ଗାମା ସୃଷ୍ଟି ହେବ।”
ଯୀଶୁ ବେଥାନୀକୁ ଆସିଲେ
6ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନର ଗୃହରେ ଥିଲାବେଳେ 7ଜଣେ ନାରୀ ପଥର ଫରୁଆରେ ଅତି ମୂଲ୍ୟବାନ୍ ତୈଳ ଧରି ଆସିଲେ ଓ ଯୀଶୁ ଭୋଜନରେ ବସିଥିବା ବେଳେ ତାହାଙ୍କ ମସ୍ତକ ଉପରେ ଢାଳି ଦେଲେ।
8ତାହା ଦେଖି ଶିଷ୍ୟମାନେ ଅତ୍ୟନ୍ତ ବିରକ୍ତ ହୋଇ କହିଲେ, “କାହିଁକି ଏ ଅପଚୟ?” 9“ଏହି ତୈଳ ବହୁତ ଟଙ୍କାରେ ବିକ୍ରୟ କରାଯାଇ ଟଙ୍କାଟା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।”
10ଯୀଶୁ ତାହା ବୁଝିପାରି ସେମାନଙ୍କୁ କହିଲେ, “ସେହି ସ୍ତ୍ରୀଲୋକକୁ କାହିଁକି ବିରକ୍ତ କରୁଛ? କାରଣ ସେ ମୋ ପାଇଁ ଗୋଟିଏ ସୁନ୍ଦର କାମ କରିଛି। 11ତୁମମାନଙ୍କ ମଧ୍ୟରେ ଦରିଦ୍ର ଲୋକେ ତ ସର୍ବଦା ଥିବେ, କିନ୍ତୁ ମୁଁ ତୁମ ସଙ୍ଗରେ ସର୍ବଦା ନ ଥିବି। 12ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବାକୁ ସେ ମୋ ଶରୀରରେ ଏହି ତୈଳ ଢାଳିଛି। 13ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ପୃଥିବୀର ଯେଉଁ ଯେଉଁ ସ୍ଥାନରେ ଏହି ସୁସମାଚାର ପ୍ରଚାରିତ ହେବ, ସେହିସବୁ ସ୍ଥାନରେ ଏହି ନାରୀର କାର୍ଯ୍ୟର କଥା ମଧ୍ୟ କୁହାଯିବ।”
14ଏହାପରେ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୁଦା ଇଷ୍କାରିୟୋଥ ନାମକଜଣେ ଶିଷ୍ୟ ପ୍ରଧାନଯାଜକ-ମାନଙ୍କ ନିକଟକୁ ଗଲା 15ସେ ପଚାରିଲା, “ମୁଁ ଯୀଶୁଙ୍କୁ ଆପଣମାନଙ୍କ ହାତରେ ଧରାଇ ଦେଲେ ମୋତେ କଣ ଦେବେ?” ସେମାନେ ତିରିଶଟି ରୌପ୍ୟମୁଦ୍ରା ଗଣି ତାହାକୁ ଦେଲେ 16ସେହି ସମୟଠାରୁ ଯିହୁଦା ଯୀଶୁଙ୍କୁ ଧରାଇ ଦେବାର ସୁଯୋଗ ଖୋଜିବାକୁ ଲାଗିଲା।
17ଖମିରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବା ବୋଲି ଆପଣ ଚାହାନ୍ତି?”
18ସେ ଉତ୍ତର ଦେଲେ, “ନଗରରେ ଗୋଟିଏ ଲୋକ ନିକଟକୁ ଯାଇ କୁହ, ‘ଗୁରୁ କହୁଛନ୍ତି ମୋର ନିରୂପିତ କାଳ ଆସନ୍ନ, ମୁଁ ତୁମ ଗୃହରେ ମୋର ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ପାଳନ କରିବି।’ ” 19ତହୁଁ ଶିଷ୍ୟମାନେ ଯୀଶୁଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କଲେ ଓ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
20ସନ୍ଧ୍ୟା ହେଲାପରେ ଯୀଶୁ ଦ୍ଵାଦଶ-ଶିଷ୍ୟଙ୍କ ସହିତ ଭୋଜନରେ ବସିଲେ 21ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଜଣେ ମୋ ପ୍ରତି ବିଶ୍ୱାସଘାତକତା କରିବ।”
22ସେମାନେ ଅତିଶୟ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, “ପ୍ରଭୁ ସେ କେବେ ମୁଁ ହୋଇ ନ ଥିବି?”
23ଯୀଶୁ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଛି, ସେ ମୋତେ ଧରାଇଦେବ। 24ମନୁଷ୍ୟପୁତ୍ରଙ୍କ ବିଷୟରେ ଯେଉଁ ପ୍ରକାରେ ଲେଖାଅଛି, ସେ ସେହିପ୍ରକାରେ ଯାଉଅଛନ୍ତି। କିନ୍ତୁ ଯିଏ ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି, ସେହି ମନୁଷ୍ୟକୁ ଧିକ୍! ସେ ଜନ୍ମ ନ ହୋଇଥିଲେ ବରଞ୍ଚ ତା ପକ୍ଷେ ଭଲ ହୋଇଥାଆନ୍ତା।”
25ତା ପରେ ବିଶ୍ୱାସଘାତକ ଯିହୁଦା ତାଙ୍କୁ ପଚାରିଲା, “ଗୁରୁ, କେବେହେଲେ ମୁଁ ହୋଇ ନ ଥିବି?”
ଯୀଶୁ ତାକୁ କହିଲେ, “ହିଁ, ତୁମେ ହେଉଛ ସେହି ଜଣକ।”
ପ୍ରଭୁଭୋଜ ବିଧିର ସଂସ୍ଥାପନ
26ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ନେଇ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋର ଶରୀର।”
27ତତ୍ପରେ ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଏବଂ ତାହା ସେମାନଙ୍କୁ ଦେଇ କହିଲେ, “ଏଥିରୁ ତୁମେ ସମସ୍ତେ ପାନ କର। 28ଏହା ମୋର ରକ୍ତ, ନୂତନ ନିୟମର ରକ୍ତ, ଯାହା ଅନେକଙ୍କ ପାପକ୍ଷମା ନିମନ୍ତେ ଢଳା ଯାଉଛି। 29ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁଦିନ ମୋର ପିତାଙ୍କ ରାଜ୍ୟରେ ମୁଁ ତୁମ୍ଭମାନଙ୍କ ସହିତ ଏହି ଦ୍ରାକ୍ଷାରସ ନୂତନ ଭାବରେ ପାନ ନ କରିଛି, ସେହିଦିନ ପର୍ଯ୍ୟନ୍ତ ମୁଁ ଆଜିଠାରୁ ଏହା ଆଉ ପାନ କରିବି ନାହିଁ।”
30ସେମାନେ ଏକ ସ୍ତବଗାନ କଲାପରେ ଜୀତ ପର୍ବତକୁ ବାହାରିଗଲେ।
ପିତରଙ୍କ ଅସ୍ୱୀକାର ବିଷୟରେ ଯୀଶୁଙ୍କର ପୂର୍ବସୂଚନା
31ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମେ ସମସ୍ତେ ମୋ ‘ସକାଶେ ବାଧା ପାଇବ, କାରଣ ଏହା ଲେଖାଅଛି:
“ ‘ମୁଁ ମେଷପାଳକକୁ ପ୍ରହାର କରିବି ଏବଂ,
ପଲର ମେଷମାନେ ଛିନ୍ନଭିନ୍ନ ହେବେ।’
32କିନ୍ତୁ ମୁଁ ପୁନରୁତ୍ଥିତ ହେଲେ ତୁମ୍ଭମାନଙ୍କ ଯିବା ପୂର୍ବରୁ ଗାଲିଲୀକୁ ଯିବି।”
33ପିତର କହିଲେ, “ଯଦିବା ସମସ୍ତେ ଆପଣଙ୍କ ସକାଶେ ବାଧା ପାଆନ୍ତି, ମୁଁ କେବେ ପାଇବି ନାହିଁ।”
34ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଅଛି, ଆଜି ରାତି କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।”
35କିନ୍ତୁ ପିତର ଦୃଢ଼ଭାବେ କହିଲେ, “ଆପଣଙ୍କ ସଙ୍ଗେ ମରିବାକୁ ହେଲେ ସୁଦ୍ଧା ମୁଁ ଆପଣଙ୍କୁ କଦାପି ଅସ୍ୱୀକାର କରିବି ନାହିଁ।” ଅନ୍ୟ ସବୁ ଶିଷ୍ୟ ମଧ୍ୟ ସେହିପରି କହିଲେ।
ଗେଥ୍ସମନୀ ଉଦ୍ୟାନରେ
36ଏହାପରେ ଯୀଶୁ ଶିଷ୍ୟମାନଙ୍କ ସହ ଗେଥ୍ସମନୀ ନାମକ ଗୋଟିଏ ସ୍ଥାନକୁ ଗଲେ ଏବଂ ସେମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ବେଳେ ତୁମେମାନେ ଏଠାରେ ବସିଥାଅ।” 37ସେ ପିତରଙ୍କୁ ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସଙ୍ଗରେ ନେଲେ ଏବଂ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ 38ସେତେବେଳେ ସେ ସେମାନଙ୍କୁ କହିଲେ, “ମୋର ପ୍ରାଣ ମରଣ ସରିକି ଦୁଃଖରେ ଭାଙ୍ଗି ପଡ଼ୁଛି। ଏଠାରେ ଥାଅ, ମୋ ସହିତ ଜାଗି ରୁହ।”
39ସେ ଆଉ ଖଣ୍ଡେ ଦୂର ଆଗକୁ ଯାଇ ଭୂମିରେ ଉବୁଡ଼ ହୋଇ ଏହିପରି ପ୍ରାର୍ଥନା କଲେ, “ମୋର ପିତା, ଯଦି ସମ୍ଭବ ହୁଏ, ଏହି ପାନପାତ୍ର ମୋ ନିକଟରୁ ଦୂର ହେଉ, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସାଧିତ ହେଉ।”
40ତତ୍ପରେ ସେ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କଣ ମୋ ସଙ୍ଗେ ଘଣ୍ଟାଟିଏ ସୁଦ୍ଧା ଜାଗି ପାରିଲ ନାହିଁ?” 41“ପ୍ରଲୋଭନରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, ମାତ୍ର ଶରୀର ଦୁର୍ବଳ।”
42ସେ ଦ୍ୱିତୀୟ ଥର ଚାଲିଯାଇ ପ୍ରାର୍ଥନା କରି କହିଲେ, “ହେ ମୋର ପିତା, ମୁଁ ପାନ ନ କଲେ ଏହି ପାନପାତ୍ର ଯଦି ମୋ ଠାରୁ ଦୂର ନ ହୁଏ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।”
43ସେ ଫେରିଆସି ସେମାନଙ୍କୁ ପୁନର୍ବାର ନିଦ୍ରିତ ଦେଖିଲେ, କାରଣ ନିଦରେ ସେମାନଙ୍କ ଆଖି ବୁଜି ହୋଇ ଯାଉଥିଲା। 44ତେଣୁ ସେ ସେମାନଙ୍କୁ ଛାଡ଼ି ପୁଣି ଥରେ ଚାଲିଗଲେ ଓ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ।
45ତା ପରେ ସେ ଶିଷ୍ୟମାନଙ୍କ ନିକଟକୁ ଫେରିଯାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଣ ଆହୁରି ଶୋଇ ରହି ବିଶ୍ରାମ କରୁଛ? ଦେଖ! ମନୁଷ୍ୟପୁତ୍ର ପାପୀ ଲୋକମାନଙ୍କ ହାତରେ ଧରାହେବା ବେଳ ଆସିଗଲାଣି। 46ଉଠ! ଆମେ ଯିବା। ହେଇ ଦେଖ, ଯେ ମୋତେ ଧରାଇଦେବ, ସେ ଆସୁଛି!”
ଯୀଶୁ ଗିରଫ ହେଲେ
47ସେ ଏହା କହୁ କହୁ ଦ୍ଵାଦଶ-ଶିଷ୍ୟଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା ସହିତ ବହୁସଂଖ୍ୟକ ଲୋକ ଖଣ୍ଡା ଓ ଲାଠି ଧରି ଆସିଥିଲେ ସେମାନଙ୍କୁ ପ୍ରଧାନ ଯାଜକମାନେ ଓ ଲୋକଙ୍କର କୁଳବୃଦ୍ଧମାନେ ପଠାଇଥିଲେ 48ବିଶ୍ୱାସଘାତକ ସେମାନଙ୍କୁ ଏକ ସଙ୍କେତ ଦେଇ କହିଥିଲା, “ମୁଁ ଯାହାଙ୍କୁ ଚୁମ୍ୱନ କରିବି, ସେ ସେହି ବ୍ୟକ୍ତି, ତାଙ୍କୁ ହିଁ ଗିରଫ କରିବ।” 49ଯିହୁଦା ସଙ୍ଗେସଙ୍ଗେ ଯୀଶୁଙ୍କ ନିକଟକୁ ଯାଇ ଗୁରୁ, ନମସ୍କାର କହି ତାଙ୍କୁ ଚୁମ୍ୱନ କଲା।
50ଯୀଶୁ କହିଲେ, “ବନ୍ଧୁ, ଯେଉଁ ଉଦ୍ଦେଶ୍ୟରେ ଆସିଛ, ତାହା କର।”
ସେହି ଲୋକମାନେ ପାଖକୁ ଆସି ଯୀଶୁଙ୍କୁ ଧରିଲେ ଓ ଗିରଫ କରିନେଲେ 51ଯୀଶୁଙ୍କ ସଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କରି ମହାଯାଜକଙ୍କ ଭୃତ୍ୟକୁ ଆଘାତ କଲା ଓ ତାହାର କାନ କାଟି ପକାଇଲା।
52ଯୀଶୁ ତାକୁ କହିଲେ, “ତୁମର ଖଣ୍ଡା ତା ସ୍ଥାନରେ ପୂରାଅ, କାରଣ ଯେଉଁମାନେ ଖଣ୍ଡା ଧରନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହୁଅନ୍ତି। 53ତୁମେ କଅଣ ମନେ କରୁଅଛ ଯେ, ମୁଁ ମୋର ପିତାଙ୍କୁ ନିବେଦନ କରିପାରିବି ନାହିଁ ଓ ସେ କଅଣ ତତ୍କ୍ଷଣାତ୍ ମୋ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? 54କିନ୍ତୁ ତା ହେଲେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ଏହି ଉକ୍ତି କିପରି ସଫଳ ହେବ?”
55ସେତେବେଳେ ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କଅଣ ଜଣେ ଡକାଇତ ଯେ ଖଣ୍ଡା ଓ ଲାଠି ନେଇ ମୋତେ ଧରିବାକୁ ଆସିଲ? ମୁଁ ମନ୍ଦିରପ୍ରାଙ୍ଗଣରେ ବସି ପ୍ରତିଦିନ ଶିକ୍ଷା ଦେଉଥିଲି, ସେତେବେଳେ ତୁମ୍ଭେମାନେ ମୋତେ ଧରିଲ ନାହିଁ! 56କିନ୍ତୁ ଭାବବାଦୀମାନଙ୍କ ଲେଖାସବୁ ଯେପରି ସଫଳ ହୁଏ, ଏଥିପାଇଁ ଏସମସ୍ତ ଘଟିଅଛି।” ସେହି ସମୟରେ ଶିଷ୍ୟମାନେ ସମସ୍ତେ ତାଙ୍କୁ ଛାଡ଼ି ପଳାଇଗଲେ।
ମହାସଭାରେ ଯୀଶୁଙ୍କର ବିଚାର
57ଯୀଶୁଙ୍କୁ ଗିରଫ କରିଥିବା ଲୋକମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ନିକଟକୁ ନେଇଗଲେ ସେଠାରେ ଶାସ୍ତ୍ରଜ୍ଞ ଓ କୁଳବୃଦ୍ଧମାନେ ସମବେତ ହୋଇଥିଲେ 58କିନ୍ତୁ ପିତର ଖଣ୍ଡେ ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ପର୍ଯ୍ୟନ୍ତ ଗଲେ ଶେଷରେ କଣ ଘଟିବ, ତାହା ଦେଖିବାକୁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ସହିତ ବସିଲେ।
59ପ୍ରଧାନ ଯାଜକମାନେ ଓ ମହାସଭାର ସମସ୍ତେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବାକୁ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଖୋଜୁଥିଲେ। 60ଅନେକ ମିଥ୍ୟାସାକ୍ଷୀ ଆଗେଇ ଆସିଲେ ମଧ୍ୟ ସେମାନେ କିଛି ପାଇଲେ ନାହିଁ।
ଅବଶେଷରେ ଦୁଇଜଣ ଆଗେଇ ଆସିଲେ 61ସେମାନେ କହିଲେ, “ଏହି ଲୋକ କହିଥିଲା, ‘ମୁଁ ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରି ତିନି ଦିନରେ ପୁଣି ତୋଳି ଦେଇପାରେ।’ ”
62ତତ୍ପରେ ମହାଯାଜକ ଉଠି ଠିଆ ହେଲେ ଓ ଯୀଶୁଙ୍କୁ କହିଲେ, “ତୁମେ କଅଣ କିଛି ଉତ୍ତର ଦେବ ନାହିଁ? ଏହି ଲୋକମାନେ ତୁମ ବିରୁଦ୍ଧରେ ଯେଉଁ ସାକ୍ଷ୍ୟ ଦେଉଛନ୍ତି, ତାହା କଅଣ!” 63ମାତ୍ର ଯୀଶୁ ନୀରବ ରହିଲେ।
ମହାଯାଜକ ତାଙ୍କୁ କହିଲେ, “ମୁଁ ନିତ୍ୟଜୀବି ଈଶ୍ୱରଙ୍କ ନାମରେ ତୁମକୁ ଶପଥ କରାଇ ଆଦେଶ କରୁଅଛି, ଆମକୁ କୁହ, ତୁମେ କଅଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?”
64ଯୀଶୁ କହିଲେ, “ହଁ, ତୁମେ ଯାହା କହୁଅଛ, ତାହା। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଅଛି ଭବିଷ୍ୟତ୍ରେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କର ଦକ୍ଷିଣପାର୍ଶ୍ୱରେ ବସିଥିବାର ଓ ଆକାଶର ମେଘମାଳାରେ ଆସିବାର ଦେଖିବ।”
65ସେତେବେଳେ ମହାଯାଜକ ଆପଣାର ବସ୍ତ୍ର ଚିରି କହିଲେ, “ଏ ଈଶ୍ୱରନିନ୍ଦା କରିଛି। ଆଉ ସାକ୍ଷୀରେ ଆମର କି ପ୍ରୟୋଜନ? ତୁମେ ସମସ୍ତେ ତ ଈଶ୍ୱରନିନ୍ଦା ଶୁଣିଲ। 66ତୁମ୍ଭମାନଙ୍କର ମତ କଅଣ?”
ସେମାନେ ଉତ୍ତର ଦେଲେ, “ସେ ମୃତ୍ୟୁଦଣ୍ଡର ଯୋଗ୍ୟ।”
67ଏହାପରେ ସେମାନେ ତାହାଙ୍କ ମୁଖରେ ଛେପ ପକାଇଲେ ଓ ବିଧା ମାରିଲେ ଅନ୍ୟମାନେ ତାହାଙ୍କୁ ଚାପୁଡ଼ା ମାରିଲେ, 68ଏବଂ କହିଲେ, “ହେ ଖ୍ରୀଷ୍ଟ, ଗଣନା କରି କୁହ ତ କିଏ ତୁମକୁ ମାରିଲା?”
ପିତର ଯୀଶୁଙ୍କୁ ଅସ୍ୱୀକାର କଲେ
69ଇତିମଧ୍ୟରେ ପିତର ଅଗଣାରେ ବସିଥିଲେ, ସେତେବେଳେ ଜଣେ ଦାସୀ ତାଙ୍କ ପାଖକୁ ଆସି କହିଲା, “ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସଙ୍ଗରେ ଥିଲେ।”
70କିନ୍ତୁ ସେସମସ୍ତଙ୍କ ସାକ୍ଷାତରେ ତାହା ଅସ୍ୱୀକାର କରି କହିଲେ, “ତୁମେ କଣ କହୁଛ, ମୁଁ ଜାଣେ ନାହିଁ।”
71ପରେ ସେ ଦାଣ୍ଡ ଦ୍ଵାର ଆଡ଼କୁ ଗଲେ, ସେଠାରେ ଆଉ ଜଣେ ଦାସୀ ତାଙ୍କୁ ଦେଖି ଠିଆ ହୋଇଥିବା ଲୋକମାନଙ୍କୁ କହିଲା, “ଏହି ଲୋକ ନାଜରିତର ଯୀଶୁଙ୍କ ସଙ୍ଗରେ ଥିଲା।”
72ପିତର ପୁନର୍ବାର ଅସ୍ୱୀକାର କଲେ ଏବଂ ଶପଥ କରି କହିଲେ, “ମୁଁ ସେହି ଲୋକକୁ ଜାଣେ ନାହିଁ।”
73କିଛି ସମୟପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଯାଇ କହିଲେ, “ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମର ଉଚ୍ଚାରଣରୁ ତୁମେ ଧରା ପଡ଼ୁଅଛ।”
74ତା ପରେ ସେ ନିଜର ରାଣ ପକାଇ ଓ ଶପଥ କରି କହିଲେ, “ମୁଁ ସେ ଲୋକକୁ ଜାଣେ ନାହିଁ!”
ଠିକ ସେତିକିବେଳେ କୁକୁଡ଼ା ଡ଼ାକିଲା। 75ସେତେବେଳେ ପିତରଙ୍କ ମନେ ପଡ଼ିଲା ଯେ, ଯୀଶୁ ଏହି କଥା କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।” ସେ ବାହାରକୁ ଯାଇ ବଡ଼ ବିକଳଭାବେ କାନ୍ଦିବାକୁ ଲାଗିଲେ।
Currently Selected:
ମାଥିଉଲିଖିତ 26: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.