ମାଥିଉଲିଖିତ 19
19
ଛାଡ଼ପତ୍ର ଦେବା ସମ୍ବନ୍ଧରେ
1ଯୀଶୁ ଏହିସବୁ କଥା କହିସାରିଲା ପରେ ଗାଲିଲୀ ପ୍ରଦେଶ ଛାଡ଼ି ଯର୍ଦ୍ଦନ ନଦୀଅପର ପାର୍ଶ୍ୱସ୍ଥ ଯିହୁଦା ଅଞ୍ଚଳକୁ ଗଲେ 2ବହୁସଂଖ୍ୟକ ଲୋକ ତାଙ୍କ ପଛେ ପଛେ ଗଲେ ଓ ସେ ସେମାନଙ୍କୁ ସେଠାରେ ସୁସ୍ଥ କଲେ।
3କେତେକ ଫାରୂଶୀ ତାହାଙ୍କୁ ପରୀକ୍ଷା କରିବାକୁ ତାଙ୍କ ପାଖକୁ ଆସିଲେ, ସେମାନେ ପ୍ରଶ୍ନ କଲେ, “ଯେକୌଣସି କାରଣରୁ ପୁରୁଷ ଆପଣା ସ୍ତ୍ରୀକୁ ଛାଡ଼ପତ୍ର ଦେବା ନ୍ୟାୟସଙ୍ଗତ କି?”
4ଯୀଶୁ ଉତ୍ତର କଲେ, “ତୁମ୍ଭେମାନେ କଅଣ ପଢ଼ିନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ନର ଓ ନାରୀ ରୂପେ ସୃଷ୍ଟି କଲେ 5ଏବଂ କହିଲେ, ‘ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ଛାଡ଼ି ସ୍ତ୍ରୀ ସହିତ ମିଳିତ ହେବ ଓ ସେ ଦୁହେଁ ଏକ ହେବେ’? 6ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି! ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ପୃଥକ୍ ନ କରୁ।”
7ସେମାନେ ପଚାରିଲେ, “ତେବେ ପୁରୁଷ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପରିତ୍ୟାଗ କରିପାରେ ବୋଲି ମୋଶା କାହିଁକି ଆଜ୍ଞା ଦେଲେ?”
8ଯୀଶୁ ଉତ୍ତର ଦେଲେ, “ମୋଶା ତୁମ୍ଭମାନଙ୍କ ହୃଦୟର କଠିନତା ଯୋଗୁଁ ସ୍ତ୍ରୀକୁ ଛାଡ଼ପତ୍ର ଦେବା ବିଷୟରେ ଅନୁମତି ଦେଇଥିଲେ ମାତ୍ର ଆରମ୍ଭରୁ ଏହିଭଳି ନ ଥିଲା। 9ମୁଁ ତୁମ୍ଭମାନଙ୍କୁ କହୁଛି, ଯେକେହି ବ୍ୟଭିଚାର ଦୋଷ ବ୍ୟତୀତ ଅନ୍ୟ କୌଣସି କାରଣରୁ ଆପଣା ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।”
10ଶିଷ୍ୟମାନେ ତାଙ୍କୁ କହିଲେ, “ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏପ୍ରକାର ହୁଏ, ତେବେ ବିବାହ ନ କରିବା ଭଲ।”
11ଯୀଶୁ ଉତ୍ତର ଦେଲେ, “ଏହି କଥା ତ ସମସ୍ତେ ଗ୍ରହଣ କରିପାରିବେ ନାହିଁ, କେବଳ ଯେଉଁମାନଙ୍କୁ ସାମର୍ଥ୍ୟ ଦିଆଯାଇଅଛି, ସେମାନେ ତାହା କରିପାରିବେ। 12କାରଣ କେତେକେ ଜନ୍ମରୁ ନପୁଂସକ, ଆଉ କେତେକ ଅଛନ୍ତି, ଯେଉଁମାନେ ମନୁଷ୍ୟମାନଙ୍କ ଦ୍ଵାରା ନପୁଂସକ ହୋଇଅଛନ୍ତି ଆଉ କେତେକ ସ୍ଵର୍ଗରାଜ୍ୟ ସକାଶେ ଆପଣାମାନଙ୍କୁ ବିବାହ ବନ୍ଧନରୁ ମୁକ୍ତ ରିଖିଛନ୍ତି। ଯେ ଏ କଥା ଗ୍ରହଣ କରିପାରିବ, ସେ ଗ୍ରହଣ କରୁ।”
ଯୀଶୁଙ୍କ ସହିତ ଶିଶୁମାନେ
13ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରିଖି ସେମାନଙ୍କ ପାଇଁ ପ୍ରାର୍ଥନା କରିବେ, ଏଥିପାଇଁ ସେମାନଙ୍କୁ ତାଙ୍କ ନିକଟକୁ ଅଣାଗଲା। କିନ୍ତୁ ଯେଉଁମାନେ ଶିଶୁମାନଙ୍କୁ ଆଣିଥିଲେ, ଶିଷ୍ୟମାନେ ସେମାନଙ୍କୁ ଭତ୍ସନା କଲେ।
14କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ, ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଯେଉଁମାନେ ଏହିମାନଙ୍କ ପରି, ସ୍ଵର୍ଗରାଜ୍ୟ ସେହିମାନଙ୍କର।” 15ସେ ସେମାନଙ୍କ ଉପରେ ହାତ ରିଖିଲେ ଓ ତା ପରେ ସେଠାରୁ ସେ ପ୍ରସ୍ଥାନ କଲେ।
ଧନୀ ଯୁବକର ବୃତ୍ତାନ୍ତ ଓ ସ୍ଵର୍ଗରାଜ୍ୟ
16ଥରେ ଜଣେ ଲୋକ ଯୀଶୁଙ୍କ ନିକଟକୁ ଆସି ପ୍ରଶ୍ନ କଲେ, “ଗୁରୁ, ଅନନ୍ତଜୀବନ ଲାଭ କରିବାକୁ ହେଲେ ମୋତେ କି ସତ୍ ବିଷୟ କରିବାକୁ ହେବ?”
17ଯୀଶୁ ଉତ୍ତର ଦେଲେ, “କେଉଁ ବିଷୟ ସତ୍, ମୋତେ କାହିଁକି ପଚାରୁଅଛ? ଜଣେମାତ୍ର ସତ୍ ଅଟନ୍ତି; ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଚାହୁଁଛ, ତାହାହେଲେ ଆଜ୍ଞାଗୁଡ଼ିକ ପାଳନ କର।”
18ସେହି ବ୍ୟକ୍ତି ପଚାରିଲେ, “କେଉଁ କେଉଁ ଆଜ୍ଞା?”
ଯୀଶୁ ଉତ୍ତର ଦେଲେ, “ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, 19ତୁମର ପିତାମାତାଙ୍କୁ ମାନ୍ୟ କର ଓ ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”
20ଯୁବକ କହିଲେ, “ଏହିସବୁ ମୁଁ ପାଳନ କରିଅଛି। ତଥାପି ମୁଁ ଆଉ କେଉଁଥିରେ ଊଣା?”
21ଯୀଶୁ ତାଙ୍କୁ କହିଲେ, “ତୁମେ ଯେବେ ସିଦ୍ଧ ହେବାକୁ ଚାହଁ, ତେବେ ଯାଅ, ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର ତାହାହେଲେ ତୁମେ ସ୍ଵର୍ଗରେ ଧନଲାଭ କରିବ। ତା ପରେ ଆସି ମୋର ଅନୁଗମନ କର।”
22କିନ୍ତୁ ସେହି ଯୁବକ ଏହା ଶୁଣି ଦୁଃଖିତ ହୋଇ ଚାଲିଗଲେ କାରଣ ତାଙ୍କର ବିପୁଳ ଧନସମ୍ପତ୍ତି ଥିଲା।
23ଏଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀଲୋକ ପକ୍ଷରେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବା କଷ୍ଟକର! 24ମୁଁ ପୁନର୍ବାର ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକର ପ୍ରବେଶ ଅପେକ୍ଷା ସୂଚୀ ର ଛିଦ୍ର ବାଟେ ଓଟର ଗଳିଯିବା ବରଂ ସହଜ।”
25ଏହି କଥା ଶୁଣି ଶିଷ୍ୟମାନେ ଅତିଶୟ ଆଚମ୍ବିତ ହୋଇ ପଚାରିଲେ, “ତା ହେଲେ, କିଏ ପରିତ୍ରାଣ ପାଇପାରେ?”
26ଯୀଶୁ ସେମାନଙ୍କୁ ଅନାଇ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, ମାତ୍ର ସବୁକିଛି ଈଶ୍ୱରଙ୍କର ସାଧ୍ୟ।”
27ପିତର ତାହାଙ୍କୁ କହିଲେ, “ଦେଖନ୍ତୁ, ଆମେ ଆପଣଙ୍କ ଅନୁଗାମୀ ହେବାକୁ ସର୍ବସ୍ଵ ତ୍ୟାଗ କରିଛୁ। ତା ହେଲେ ଆମେ କଅଣ ପାଇବୁ?”
28ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେତେବେଳେ ସବୁ ବିଷୟର ନୂତନୀକରଣ ହେବ ଓ ମନୁଷ୍ୟପୁତ୍ର ଆପଣାର ଗୌରବମୟ ସିଂହାସନରେ ବସିବେ, ସେତେବେଳେ ତୁମେ, ଯେଉଁମାନେ ମୋର ଅନୁଗାମୀ ହୋଇଅଛ, ତୁମେମାନେ ମଧ୍ୟ ବାରଟି ସିଂହାସନରେ ବସି ଇସ୍ରାଏଲର ବାରଗୋଷ୍ଠୀକୁ ଶାସନ କରିବ। 29ପୁଣି ମୋ ସକାଶେ ଯେକେହି ଘରଦ୍ଵାର, ବା ଭାଇଭଉଣୀ, ବା ପିତାମାତା, ବା ସନ୍ତାନସନ୍ତତି କିମ୍ବା ଭୂସମ୍ପତ୍ତି ପରିତ୍ୟାଗ କରେ, ସେ ତାହାର ଶଏଗୁଣ ପାଇବ ଏବଂ ଅନନ୍ତଜୀବନ ମଧ୍ୟ ଲାଭ କରିବ। 30କିନ୍ତୁ ଯେଉଁମାନେ ପ୍ରଥମରେ ଅଛନ୍ତି, ଏପରି ଅନେକେ ଶେଷରେ ପଡ଼ିବେ ଏବଂ ଯେଉଁମାନେ ଶେଷରେ ଅଛନ୍ତି, ଏପରି ଅନେକେ ପ୍ରଥମରେ ରହିବେ।
Currently Selected:
ମାଥିଉଲିଖିତ 19: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.