YouVersion Logo
Search Icon

ମାଥିଉଲିଖିତ 12

12
ଖ୍ରୀଷ୍ଟ ବିଶ୍ରାମବାରର କର୍ତ୍ତା
1ସେହି ସମୟରେ ଯୀଶୁ ଶିଷ୍ୟମାନଙ୍କ ସହିତ ଶସ୍ୟକ୍ଷେତ୍ର ବାଟେ ଯାଉଥିଲେ, ସେଦିନ ଶାବତବାର#12:1 କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି ଥିଲା, ଶିଷ୍ୟମାନେ କ୍ଷୁଧିତ ଥିବାରୁ ଶସ୍ୟର ଶୀର୍ଷ ଛିଣ୍ଡାଇ ଖାଇବାକୁ ଲାଗିଲେ। 2କିନ୍ତୁ ଫାରୂଶୀମାନେ ତାହା ଦେଖିପାରି, ଯୀଶୁଙ୍କୁ କହିଲେ “ଦେଖ! ଶାବତବାରରେ ଯାହା କରିବା ବିଧିସଙ୍ଗତ ନୁହେଁ ତୁମର ଶିଷ୍ୟମାନେ ତାହା କରୁଛନ୍ତି।”
3ସେ ଉତ୍ତର ଦେଲେ, “ଦାଉଦ ଓ ତାଙ୍କର ସହଚରମାନେ କ୍ଷୁଧାର୍ତ୍ତ ହେଲାବେଳେ ସେ କଅଣ କରିଥିଲେ, ତାହା କଅଣ ତୁମ୍ଭେମାନେ ପଢ଼ି ନାହଁ? 4ଦାଉଦ ଈଶ୍ୱରଙ୍କ ମନ୍ଦିର ଭିତରକୁ ଯାଇ, ଯେଉଁ ଦର୍ଶନୀୟ ରୋଟୀ ସେମାନଙ୍କ ଭୋଜନ ନିମନ୍ତେ ବିଧିସଙ୍ଗତ ନୁହେଁ ମାତ୍ର କେବଳ ଯାଜକମାନଙ୍କ ନିମନ୍ତେ ଥିଲା, ତାହା ଭୋଜନ କରିଥିଲେ। 5ଆହୁରି ମଧ୍ୟ, ଶାବତବାର ଦିନ ମନ୍ଦିରରେ ଥିବା ଯାଜକମାନେ ସେହି ଦିବସକୁ ଅପବିତ୍ର କଲେ ହେଁ ସେମାନେ ଯେ ନିର୍ଦ୍ଦୋଷ ଏହି କଥା କଣ ବିଧିବ୍ୟବସ୍ଥାରେ ପଢ଼ି ନାହଁ? 6ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି ଏଠାରେ ଜଣେ ଅଛନ୍ତି ଯେ କି ମନ୍ଦିରଠାରୁ ମହାନ୍। 7ବଳିଦାନ ନୁହେଁ, ମାତ୍ର ‘ମୁଁ ଚାହେଁ ତୁମ୍ଭେମାନେ ଦୟାପ୍ରଦର୍ଶନ କର,’ ଏହି ବାକ୍ୟର ଅର୍ଥ ଯେବେ ତୁମ୍ଭେମାନେ ବୁଝିଥାଆନ୍ତ ତେବେ ନିର୍ଦ୍ଦୋଷମାନଙ୍କୁ ଦୋଷୀ କରି ନ ଥା ନ୍ତ। 8ଯେହେତୁ ମନୁଷ୍ୟପୁତ୍ର ଶାବତବାରର ପ୍ରଭୁ ଅଟନ୍ତି।”
9ସେ ସେହି ସ୍ଥାନରୁ ଯାଇ, ସେମାନଙ୍କ ଉପାସନାଗୃହରେ ପ୍ରବେଶ କଲେ, 10ସେଠାରେ ଜଣେ ଲୋକ ଥିଲା ଯାହାର ଗୋଟିଏ ହାତ ଶୁଖି ଯାଇଥିଲା। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ଉଦ୍ଦେଶ୍ୟରେ, ପଚାରିଲେ, “ଶାବତବାରରେ ଲୋକଙ୍କୁ ସୁସ୍ଥକରିବା କଣ ବିଧିସଙ୍ଗତ?”
11କିନ୍ତୁ ସେ ଉତ୍ତର ଦେଲେ, “ତୁମ ମଧ୍ୟରୁ କାହାର ଯେବେ ଗୋଟିଏ ମେଣ୍ଢା ଥାଏ ଓ ତାହା ଶାବତବାରରେ ଗାତରେ ପଡ଼ିଯାଏ, ତୁମେ କଣ ତାକୁ ଧରି ଉଠାଇ ଆଣିବ ନାହିଁ? 12ମେଣ୍ଢାଠାରୁ ମନୁଷ୍ୟ କେତେ ନ ଅଧିକ ମୂଲ୍ୟବାନ୍! ତେଣୁ ଶାବତବାରରେ ହିତଜନକ କାର୍ଯ୍ୟ କରିବା ବିଧିସଙ୍ଗତ।”
13ତା ପରେ ଯୀଶୁ ଲୋକଟିକୁ କହିଲେ, “ତୁମର ହାତ ବଢ଼ାଅ।” ସେ ହାତ ବଢ଼ାଇଲା ଏବଂ ତାହାର ହାତଟି ଠିକ, ଅନ୍ୟ ହାତ ପରି ସୁସ୍ଥ ହେଲା! 14କିନ୍ତୁ ଫାରୂଶୀମାନେ ବାହାରିଯାଇ ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।
ଯୀଶୁ ଈଶ୍ୱରଙ୍କ ମନୋନୀତ ସେବକ
15ଏ କଥା ଜାଣିପାରି, ଯୀଶୁ ସେ ସ୍ଥାନରୁ ଚାଲିଗଲେ। ଅନେକ ଲୋକ ତାଙ୍କ ପଛେ ପଛେ ଗଲେ, ଓ ସେମାନଙ୍କ ମଧ୍ୟରେ ଯେତେ ରୋଗୀ ଥିଲେ ସେସମସ୍ତଙ୍କୁ ସୁସ୍ଥ କଲେ। 16ଏବଂ ସେ କିଏ ଏ ବିଷୟ ପ୍ରକାଶନ କରିବାକୁ ସେମାନଙ୍କୁ ଦୃଢ଼ ରୂପେ ନିଷେଧ କଲେ। 17ଏହା ଦ୍ଵାରା ଭାବବାଦୀ ଯିଶାଇୟଙ୍କୁ କୁହା-ଯାଇଥିବା ଏହି ଭବିଷ୍ୟଦ୍‌ବାଣୀ ସଫଳ ହେଲା:
18“ମୋର ଦାସଙ୍କୁ ଦେଖ ଏହାଙ୍କୁ ମୁଁ ମନୋନୀତ କରିଛି,
ସେ ମୋର ପ୍ରିୟପାତ୍ର, ଏହାଙ୍କଠାରେ ମୋର ଆତ୍ମା ଅତ୍ୟନ୍ତ ପ୍ରୀତ;
ମୁଁ ତାହାଙ୍କଠାରେ ମୋର ଆତ୍ମା ଅଧିଷ୍ଠାନ କରିବି,
ଏବଂ ସେ ବିଭିନ୍ନ ଜାତି ନିକଟରେ ନ୍ୟାୟବିଚାର ଘୋଷଣା କରିବେ।
19ସେ ବିବାଦ କରିବେ ନାହିଁ କିମ୍ବା ଚିତ୍କାର କରିବେ ନାହିଁ;
କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ଵର ଶୁଣିବ ନାହିଁ।
20ସେ ନ୍ୟାୟକୁ ବିଜୟମଣ୍ଡିତ ନ କରିବା ପର୍ଯ୍ୟନ୍ତ ଛେଚାନଳ ଭାଙ୍ଗିବେ ନାହିଁ,
କିମ୍ବା ନିସ୍ତେଜ ପ୍ରଦୀପ ଲିଭାଇବେ ନାହିଁ,
ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
21ଜାତିବର୍ଗ ତାହାଙ୍କ ନାମରେ ଭରସା ରଖିବେ।”
ଯୀଶୁ ଏବଂ ବାଲ୍‌ଜିବୁବ୍
22ଏଉତ୍ତାରେ ଜଣେ ଭୂତଗ୍ରସ୍ତ ମନୁଷ୍ୟ ଯେ କି ଅନ୍ଧ ଓ ଘୁଙ୍ଗା ଥିଲା, ତାକୁ ଲୋକମାନେ ଯୀଶୁଙ୍କ ନିକଟକୁ ଆଣିଲେ ସେ ତାକୁ ସୁସ୍ଥ କଲେ, ଯଦ୍ଦ୍ୱାରା ସେ କଥା କହିପାରିଲା ଓ ଦେଖିପାରିଲା। 23ଲୋକମାନେ ଆଶ୍ଚର୍ଯ୍ୟ ହୋଇ କହିବାକୁ ଲାଗିଲେ, “କଣ ଣ ସେହି ଦାଉଦସନ୍ତାନ ନୁହନ୍ତି?”
24କିନ୍ତୁ ଫାରୂଶୀମାନେ ସେ କଥା ଶୁଣି କହିଲେ, “ଏ ଲୋକଟା ଭୂତପତି ବାଲ୍‌ଜିବୁବ୍, ଦ୍ଵାରା ହିଁ ଭୂତ ଛଡ଼ାଉଛି।”
25ଯୀଶୁ ସେମାନଙ୍କ ମନର ଭାବନା ବୁଝିପାରି ଉତ୍ତର ଦେଲେ, “କୌଣସି ରାଜ୍ୟ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠିଲେ ତାହା ଧ୍ୱଂସ ପାଇବ, କୌଣସି ନଗର ବା ପରିବାର ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠିଲେ ତାହା ତିଷ୍ଠି ପାରିବ ନାହିଁ। 26ଯଦି ଶୟତାନ ଶୟତାନକୁ ବିତାଡ଼ିତ କରେ, ତେବେ ତ ସେ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠିଲାଣି। ତା ହେଲେ ତାହାର ରାଜ୍ୟ କିପରି ତିଷ୍ଠିବ? 27ପୁଣି ମୁଁ ଯଦି ବାଲ୍‌ଜିବୁବ୍ ଦ୍ଵାରା ଭୂତ ଛଡ଼ାଉଛି, ତେବେ ତୁମମାନଙ୍କର ଲୋକମାନେ କାହା ଦ୍ଵାରା ଭୂତ ଛଡ଼ାନ୍ତି? ତେଣୁ ସେମାନେ ହିଁ ତୁମର ବିଚାରକ ହେବେ। 28କିନ୍ତୁ ମୁଁ ଯେବେ ଈଶ୍ୱରଙ୍କ ଆତ୍ମା ଦ୍ଵାରା ଭୂତ ଛଡ଼ାଉଥାଏ, ତେବେ ତ ତୁମ୍ଭମାନଙ୍କମଧ୍ୟରେ ଈଶ୍ୱରଙ୍କ ରାଜ୍ୟ ଆସିଗଲାଣି।
29“ଅଥବା ବଳବାନ୍ ଲୋକକୁ ପ୍ରଥମେ ନ ବାନ୍ଧିଲେ କେହି କଅଣ ତାହା ଘରେ ପଶି ତାହାର ସମ୍ପତ୍ତି ହରଣ କରିପାରିବ? ତାହାକୁ ବାନ୍ଧିଲା ପରେ ସେ ତାହାର ଗୃହ ଲୁଣ୍ଠନ କରିପାରିବ।
30“ଯେ ମୋର ସପକ୍ଷ ନୁହେଁ, ସେ ମୋର ବିପକ୍ଷ, ଯେ ମୋ ସହିତ ମିଶି ସଂଗ୍ରହ କରେ ନାହିଁ ସେ ଛିନ୍ନଭିନ୍ନ କରି ପକାଏ। 31ତେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ପାପ ଓ ଈଶ୍ୱରନିନ୍ଦା ପାଇଁ ମନୁଷ୍ୟକୁ କ୍ଷମା ଦିଆଯିବ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ହୋଇଥିବା ପାପର କ୍ଷମା ଦିଆଯିବ ନାହିଁ। 32କେହି ଯଦି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହେ ତାହାକୁ କ୍ଷମା ଦିଆଯିବ, କିନ୍ତୁ କେହି ଯଦି ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହେ ତାହାହେଲେ ଏ ଯୁଗରେ କି ଆଗାମୀ ଯୁଗରେ, ତାହାକୁ କ୍ଷମା ଦିଆଯିବ ନାହିଁ।
ଉତ୍ତମ ବୃକ୍ଷରେ ଉତ୍ତମ ଫଳ ଫଳେ
33“ଭଲ ଗଛ ହେଲେ, ତାହାର ଫଳ ଭଲ ହେବ ମନ୍ଦ ଗଛ ହେଲେ, ତାହାର ଫଳ ମନ୍ଦ ହେବ। କାରଣ ଫଳ ଦ୍ଵାରା ଗଛ ଚିହ୍ନାଯାଏ। 34ଆରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପରି ଭଲ କଥା କହିପାରିବ? କାରଣ ହୄଦୟରେ ଯାହା ପୂର୍ଣ୍ଣ ହୋଇରହିଛି, ମୁଖ ତାହା ହିଁ ଉଚ୍ଚାରଣ କରେ। 35ଉତ୍ତମ ମନୁଷ୍ୟ ତା ମଧ୍ୟରେ ଥିବା ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରେ ଏବଂ ମନ୍ଦ ମନୁଷ୍ୟ ତା ମଧ୍ୟରେ ଥିବା ମନ୍ଦ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। 36କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟମାନେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ସେମାନଙ୍କୁ ହିସାବ ଦେବାକୁ ପଡ଼ିବ। 37କାରଣ ତୁମର କଥା ଦ୍ଵାରା ତୁମେ ନିର୍ଦ୍ଦୋଷ ପ୍ରମାଣିତ ହେବ ଏବଂ ତୁମର କଥା ଦ୍ଵାରା ଦୋଷୀ ସାବ୍ୟସ୍ତ ହେବ।”
ଯୂନସଙ୍କ ଉଦାହରଣ
38ଏହାପରେ କେତେକ ଫାରୂଶୀ ଓ ଶାସ୍ତ୍ରଜ୍ଞ ତାହାଙ୍କୁ କହିଲେ, “ଗୁରୁ, ଆମେ ଆପଣଙ୍କ ପାଖରୁ ଏକ ଅଲୌକିକ କର୍ମ ଦେଖିବାକୁ ଇଚ୍ଛା କରୁଛୁ।”
39ମାତ୍ର ସେ ଉତ୍ତର କଲେ, “ଏକ ଅଧାର୍ମିକ ଓ ଭ୍ରଷ୍ଟାଚାର ବଂଶ ଅଲୌକିକ ଚିହ୍ନ ଦେଖିବାକୁ ମାଗେ କିନ୍ତୁ ଭାବବାଦୀ ଯୂନସଙ୍କ ଚିହ୍ନ ବ୍ୟତୀତ ତାକୁ ଅନ୍ୟ କୌଣସି ଚିହ୍ନ ଦିଆଯିବ ନାହିଁ। 40କାରଣ ଯୂନସ ଯେପରି ତିନିଦିନ ଓ ତିନିରାତି ଏକ ବୃହତ୍ ମତ୍ସ୍ୟର ଉଦର ମଧ୍ୟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ଭୂଗର୍ଭରେ ତିନିଦିନ ଓ ତିନିରାତି ରହିବେ। 41ମହାବିଚାରରେ ନିନିବୀର ଲୋକେ ଏହି ବଂଶ ବିରୁଦ୍ଧରେ ଉଠି ତାହାକୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଫଳରେ ସେମାନେ ଅନୁତାପ କରିଥିଲେ କିନ୍ତୁ ବର୍ତ୍ତମାନ ଯୂନସଙ୍କ ଅପେକ୍ଷା ମହାନ୍ ଜଣେ ଏଠାରେ ଅଛନ୍ତି। 42ବିଚାର ସମୟରେ ଦକ୍ଷିଣ ଦେଶର ରାଣୀ ଏହି ବଂଶ ବିରୁଦ୍ଧରେ ଉଠି ତାହାକୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ବିଜ୍ଞବଚନ ଶୁଣିବା ପାଇଁ ପୃଥିବୀର ସୁଦୂର ପ୍ରାନ୍ତରୁ ଆସିଥିଲେ ଅଥଚ ବର୍ତ୍ତମାନ ଶଲୋମନଙ୍କ ଅପେକ୍ଷା ମହାନ୍ ଜଣେ ଏଠାରେ ଅଛନ୍ତି।
43“ଗୋଟିଏ ଭୂତାତ୍ମା ଯେତେବେଳେ କୌଣସି ମନୁଷ୍ୟଠାରୁ ବାହାରିଯାଏ, ସେତେବେଳେ ସେ ବିଶ୍ରାମ ଖୋଜି ଖୋଜି ଜଳଶୂନ୍ୟ ସ୍ଥାନକୁ ଯାଏ ମାତ୍ର ସେଠାରେ ବିଶ୍ରାମ ପାଏ ନାହିଁ। 44ତା ‘ପରେ ସେ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି।’ ସେଠାକୁ ଫେରିଯିବି, ସେ ସେଠାରେ ପହଞ୍ଚି ସେହି ଘରକୁ ଖାଲି ପଡ଼ିଥିବା ସଫାସୁତୁରା ଓ ସଜଡ଼ା ହୋଇଥିବା ଦେଖେ। 45ତା ପରେ ସେହି ଭୂତାତ୍ମା ନିଜ ଅପେକ୍ଷା ଅଧିକ ଦୁଷ୍ଟ ଆଉ ସାତଟା ଭୂତାତ୍ମାକୁ ସଙ୍ଗରେ ଆଣେ ଓ ସମସ୍ତେ ସେହି ମନୁଷ୍ୟ ଭିତରେ ପ୍ରବେଶ କରି ବାସ କରନ୍ତି। ଫଳରେ ସେହି ଲୋକର ଶେଷଦଶା ପ୍ରଥମ ଦଶା। ଅପେକ୍ଷା ଅଧିକ ମନ୍ଦ ହୁଏ। ଏହି ମନ୍ଦ ଯୁଗର ଲୋକଙ୍କ ପ୍ରତି ସେହିପରି ଘଟିବ।”
କେଉଁମାନେ ଯୀଶୁଙ୍କ ମା ଓ ଭାଇ
46ଯୀଶୁ ଲୋକମାନଙ୍କୁ କଥା କହୁଥିବା ସମୟରେ ତାହାଙ୍କର ମା ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସହିତ କଥା ହେବାକୁ ଇଚ୍ଛା କରୁଥିଲେ 47କେହି ଜଣେ ତାଙ୍କୁ କହିଲା, “ଆପଣଙ୍କ ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି ଓ ଆପଣଙ୍କ ସଙ୍ଗେ କଥା କହିବାକୁ ଇଚ୍ଛା କରୁଅଛନ୍ତି।”
48ଯୀଶୁ ତାଙ୍କୁ ଉତ୍ତର ଦେଲେ, “କିଏ ମୋହର ମାଆ, କେଉଁମାନେ ମୋର ଭାଇ?” 49ଶିଷ୍ୟମାନଙ୍କ ଆଡ଼କୁ ହାତ ଦେଖାଇ ସେ କହିଲେ, “ଦେଖ, ଏହିମାନେ ମୋର ମାଆ ଓ ଭାଇ। 50ଯେକେହି ମୋହର ସ୍ଵର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରେ ସେ ମୋର ଭାଇ, ଭଉଣୀ ଓ ମାଆ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in