YouVersion Logo
Search Icon

ମାଥିଉଲିଖିତ 11

11
ଯୀଶୁ ଓ ଡୁବକ ଯୋହନ
1ଯୀଶୁ ତାଙ୍କର ବାରଜଣ ଶିଷ୍ୟଙ୍କୁ ଏହିସବୁ ନିର୍ଦ୍ଦେଶ ଦେଇସାରିଲା ଉତ୍ତାରେ, ସେମାନଙ୍କ ସହରଗୁଡ଼ିକରେ ଶିକ୍ଷାଦେବାକୁ ଓ ପ୍ରଚାର କରିବାକୁ ସେହି ସ୍ଥାନରୁ ବାହାରିଗଲେ।
2ଯୋହନ ବନ୍ଦିଶାଳାରେ ଥାଇ ଯେତେବେଳେ ଖ୍ରୀଷ୍ଟଙ୍କ କାର୍ଯ୍ୟ ବିଷୟରେ ଶୁଣିଲେ ସେତେବେଳେ ସେ ତାଙ୍କ ଶିଷ୍ୟମାନଙ୍କୁ ଯୀଶୁଙ୍କ ନିକଟକୁ ଏହି କଥା ପଚାରି ପଠାଇଲେ, 3ଯାହାଙ୍କର ଆସିବାର ଥିଲା, “ଆପଣ କଣ ସେହି, ନା ଆମେ ଅନ୍ୟଜଣଙ୍କ ଅପେକ୍ଷାରେ ରହିବୁ?”
4ଯୀଶୁ ଉତ୍ତର ଦେଲେ, “ଯୋହନଙ୍କ ନିକଟକୁ ଫେରିଯାଇ ଯାହା ଯାହା ଶୁଣିଲ ଓ ଦେଖିଲ ସେସମସ୍ତେ ତାଙ୍କୁ ଜଣାଅ: 5ଅନ୍ଧମାନେ ଦୃଷ୍ଟି ପାଉଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଅଛନ୍ତି, ବଧିରମାନେ ଶୁଣୁଅଛୁନ୍ତି, ମୃତଲୋକେ ବଞ୍ଚି ଉଠୁଅଛନ୍ତି, ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହେଉଅଛି। 6ଯେଉଁ ମନୁଷ୍ୟ ମୋ ସକାଶେ ଝୁଣ୍ଟି ପଡ଼େ ନାହିଁ ସେ ଧନ୍ୟ।”
7ଯୋହନଙ୍କ ଶିଷ୍ୟମାନେ ଚାଲି ଯାଉଥିବା ବେଳେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ: “ତୁମ୍ଭେମାନେ କଅଣ ଦେଖିବାକୁ ମରୁପ୍ରାନ୍ତରକୁ ଯାଇଥିଲ? କଅଣ ପବନରେ ଦୋହଲୁଥିବା ନଳ ତୃଣଟିଏ? 8ଯଦି ତା ନୁହେଁ, ତା ହେଲେ କଅଣ ଦେଖିବାକୁ ଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ତ ରାଜ ପ୍ରାସାଦରେ ରହନ୍ତି। 9ତେବେ କଅଣ ଦେଖିବାକୁ ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ଠିକ କଥା, ମୁଁ କହେ, ସେ ଭାବବାଦୀମାନଙ୍କ ଠାରୁ ବହୁଗୁଣରେ ଶ୍ରେଷ୍ଠ। 10ଏହାଙ୍କ ବିଷୟରେ ଏହିପରି ଲେଖାଅଛି:
“ ‘ମୁଁ ତୁମ ଆଗେ ମୋର ବାର୍ତ୍ତାବହଙ୍କୁ ପଠାଇବି,
ସେ ତୁମ୍ଭ ଆଗେ ଯାଇ ପଥ ପ୍ରସ୍ତୁତ କରିବେ।’
11ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନାରୀ ଗର୍ଭଜାତ ମନୁଷ୍ୟମାନଙ୍କ ମଧ୍ୟରେ ଡୁବକ ଯୋହନଙ୍କ ଅପେକ୍ଷା ଅଧିକ ମହାନ୍ ଆଉ କେହି ଆବିର୍ଭୂତ ହୋଇନାହିଁ; ତଥାପି ସ୍ଵର୍ଗରାଜ୍ୟରେ ଯେ ନଗଣ୍ୟତମ ସେ ତାହାଙ୍କଠାରୁ ମହାନ୍। 12ଡୁବକ ଯୋହନଙ୍କ ସମୟଠାରୁ ଏପର୍ଯ୍ୟନ୍ତ, ସ୍ଵର୍ଗରାଜ୍ୟ ପରାକ୍ରମରେ ଆଗେଇ ଚାଲିଅଛି ଓ ପରାକ୍ରମୀ ଲୋକେ ତାହା ଅଧିକାର କରୁଅଛନ୍ତି। 13କାରଣ ସମସ୍ତ ବିଧିବ୍ୟବସ୍ଥା ଓ ଭାବବାଦୀମାନେ ଯୋହନଙ୍କ ପର୍ଯ୍ୟନ୍ତ ଭବିଷ୍ୟତ କଥା ପ୍ରକାଶ କରିଥିଲେ। 14ଏହି କଥା ତୁମେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯାହାଙ୍କର ଆସିବାର ଥିଲା ଏ ହେଉଛନ୍ତି ସେହି ଏଲିୟ। 15ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।
16“ଏହି ଯୁଗର ଲୋକମାନଙ୍କୁ ମୁଁ କାହା ସହିତ ତୁଳନା କରିବି? ଏମାନେ ହାଟବଜାରରେ ଖେଳୁଥିବା ପିଲାଙ୍କ ପରି ଯେଉଁମାନେ ଅନ୍ୟମାନଙ୍କୁ ଡାକି କହନ୍ତି:
17“ ‘ଆମେ ତୁମ ପାଇଁ ବଂଶୀ ବଜାଇଲୁ,
ଅଥଚ ତୁମେମାନେ ନାଚିଲ ନାହିଁ।
ଆମେ ବିଳାପ ଗୀତ ବୋଲିଲୁ,
ଅଥଚ ତୁମ୍ଭେମାନେ ବିଳାପ କଲ ନାହିଁ।’
18କାରଣ ଯୋହନ ଭୋଜନପାନ କଲେ ନାହିଁ, ଅଥଚ ସେମାନେ କହନ୍ତି, ‘ତାକୁ ଭୂତ ଧରିଛି।’ 19ମନୁଷ୍ୟପୁତ୍ର ଆସି ଭୋଜନ ଓ ପାନ କଲେ, ଅଥଚ ସେମାନେ କହନ୍ତି, ‘ସେ ପେଟୁକ ଓ ମଦ୍ୟପ, ଏବଂ କରଆଦାୟକାରୀ ଓ ପାପୀମାନଙ୍କ ସଙ୍ଗୀ।’ କିନ୍ତୁ ଜ୍ଞାନ ନିଜର କାର୍ଯ୍ୟକଳାପ ଦ୍ଵାରା ହିଁ ଯଥାର୍ଥ ବୋଲି ପ୍ରମାଣିତ ହୁଏ।”
20ଏହାପରେ ଯୀଶୁ ଯେଉଁ ଯେଉଁ ନଗରରେ ଅନେକ ଅଲୌକିକ କାର୍ଯ୍ୟ କରିଥିଲେ, ଅଥଚ ସେଠାରେ ଲୋକମାନେ ଅନୁତାପ କରି ନ ଥିଲେ ସେହି ନଗରଗୁଡ଼ିକୁ ଭତ୍ସନା କରିବାକୁ ଲାଗିଲେ। 21“ହାୟ କୋରାଜୀନ୍ ତୋତେ ଧିକ୍! ହାୟ, ବେଥ୍‌ସାଇଦା ତୋତେ ଧିକ୍! ତୁମ୍ଭମାନଙ୍କମଧ୍ୟରେ ଯେଉଁସବୁ ଅଲୌକିକ କାର୍ଯ୍ୟ କରାଯାଇଛି ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାନ୍ତା, ତେବେ ସେଠାର ଲୋକେ ବହୁକାଳରୁ ଅଖା ପିନ୍ଧି ଭସ୍ମରେ ବସି ଅନୁତାପ କରିଥାଆନ୍ତେ। 22କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ଅଧିକ ସହନୀୟ ହେବ। 23ରେ କଫର୍ନାହୁମ, ତୁ କଣ ଆକାଶ ଯାଏ ଉଠିବାକୁ ଚେଷ୍ଟା କରୁଛୁ? ନା, ତୋର ଅଧଗତି ପାତାଳକୁ ହେବ। କାରଣ ତୋ ମଧ୍ୟରେ ଯେଉଁସବୁ ଅଲୌକିକ କାର୍ଯ୍ୟ କରାହୋଇଛି ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜିଯାଏ ତିଷ୍ଠି ରହିଥା ନ୍ତା। 24କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମର ଦଶା ଅଧିକ ସହନୀୟ ହେବ।”
25ସେହି ସମୟରେ ଯୀଶୁ କହିଲେ, “ହେ ପିତା, ସ୍ଵର୍ଗ ଓ ପୃଥିବୀର ପ୍ରଭୁ, ଯେଉଁମାନେ ଜ୍ଞାନୀ ଓ ବିଦ୍ଵାନ ତୁମ୍ଭେ ସେମାନଙ୍କ ନିକଟରେ ଏସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କରିଅଛ, ସେଥିପାଇଁ ମୁଁ ତୁମ୍ଭର ସ୍ତୁତିବାଦ କରୁଛି। 26ହଁ ପିତା, ଏହା ତୁମ୍ଭ ଦୃଷ୍ଟିରେ ଉତ୍ତମ ର ବିଷୟ ହେଲା।
ଶ୍ରାନ୍ତ ମନୁଷ୍ୟ ପାଇଁ ବିଶ୍ରାମ
27“ମୋର ପିତା ସମସ୍ତ ବିଷୟ ମୋତେ ସମର୍ପଣ କରିଛନ୍ତି। ପିତାଙ୍କ ବିନା ପୁତ୍ରଙ୍କୁ କେହି ଜାଣେ ନାହିଁ, ଏବଂ ପୁତ୍ରଙ୍କ ବିନା ଓ ଯେଉଁମାନଙ୍କ ନିକଟରେ ପୁତ୍ର ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେହିମାନଙ୍କ ବିନା ଅନ୍ୟ କେହି ପିତାଙ୍କୁ ଜାଣେ ନାହିଁ।
28“ହେ ଶ୍ରାନ୍ତକ୍ଳାନ୍ତ ଓ ଭାରଗ୍ରସ୍ତ ଲୋକସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। 29ତୁମ୍ଭେମାନେ ମୋର ଜୁଆଳି ନିଜେ ବହନ କର ଓ ମୋ ଠାରୁ ଶିଖ, କାରଣ ମୁଁ ବିନୟୀ ଓ ନମ୍ର, ଏବଂ ତୁମ୍ଭେମାନେ ପ୍ରାଣରେ ଶାନ୍ତି ପାଇବ। 30କାରଣ ମୋର ଜୁଆଳି ବୋହିବା ସହଜ ଓ ମୋର ଭାର ହାଲୁକା।”

Highlight

Share

Compare

Copy

None

Want to have your highlights saved across all your devices? Sign up or sign in