ମାଥିଉଲିଖିତ 10
10
ଯୀଶୁଙ୍କର ଦ୍ଵାଦଶ ଶିଷ୍ୟ
1ଯୀଶୁ ନିଜର ବାରଜଣ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଭୂତ ଛଡ଼ାଇବାକୁ ଓ ସବୁପ୍ରକାର ରୋଗବ୍ୟାଧି ଆରୋଗ୍ୟ କରିବାକୁ କ୍ଷମତା ଦେଲେ।
2ଦ୍ଵାଦଶ ପ୍ରେରିତ-ଶିଷ୍ୟଙ୍କ ନାମ:
ପ୍ରଥମେ ଶିମୋନ ଯେ ପିତର ନାମରେ ବିଦିତ, ତାଙ୍କ ଭାଇ ଆନ୍ଦ୍ରିୟ;
ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ;
3ଫିଲିପ ଏବଂ ବାର୍ଥଲୋମୀ;
ଥୋମା ଏବଂ କରଆଦାୟକାରୀ ମାଥିଉ;
ଆଲ୍ଫିୟସଙ୍କ ପୁତ୍ର ଯାକୁବ ଏବଂ ଥଦ୍ଦିୟସ;
4ସ୍ଵଦେଶ-ପ୍ରେମୀ ଶିମୋନ ଏବଂ ଇଷ୍କାରିୟୋଥ ଯିହୁଦା, ଯେ କି ଯୀଶୁଙ୍କୁ ଧରାଇ ଦେଇଥିଲା।
5ଯୀଶୁ ଏହି ବାରଜଣଙ୍କୁ ଏହିସମସ୍ତ ନିର୍ଦ୍ଦେଶ ଦେଇ ପଠାଇଲେ: “ଅଣଯିହୁଦୀମାନଙ୍କ ନିକଟକୁ କିମ୍ବା ଶମରିଆ ଲୋକମାନଙ୍କ କୌଣସି ସହରକୁ ଯାଅ ନାହିଁ। 6ବରଞ୍ଚ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ନିକଟକୁ ଯାଅ। 7ଯାଉଁ ଯାଉଁ, ଏହି କଥା ପ୍ରଚାର କର: ‘ସ୍ଵର୍ଗରାଜ୍ୟ ସନ୍ନିକଟ।’ 8ରୋଗୀମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଏବଂ ଭୂତାତ୍ମାମାନଙ୍କୁ ବିତାଡ଼ିତ କର। ବିନାମୂଲ୍ୟରେ ପାଇଛ; ବିନାମୂଲ୍ୟରେ ଦାନ କର।
9“ତୁମ୍ଭମାନଙ୍କ ଥଳୀରେ ସୁନା, କି ରୂପା କି ତମ୍ୱା ମୁଦ୍ରା ନିଅ ନାହିଁ। 10ଯାତ୍ରା ପାଇଁ ମୁଣାଟିଏ, ବା ଦ୍ୱିତୀୟ ବସ୍ତ୍ର, ବା ଜୋତା ବା ବାଡ଼ି ନିଅ ନାହିଁ କାରଣ କାର୍ଯ୍ୟକାରୀ ତାହାର ଭରଣପୋଷଣ ପାଇବାକୁ ଯୋଗ୍ୟ। 11ତୁମ୍ଭେମାନେ ଯେତେବେଳେ କୌଣସି ନଗର ବା ଗ୍ରାମରେ ପ୍ରବେଶ କରିବ, ସେତେବେଳେ କୌଣସି ସୁଯୋଗ୍ୟ ବ୍ୟକ୍ତିର ସନ୍ଧାନ ନିଅ ଏବଂ ସେଠାରୁ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ ତାଙ୍କରି ଘରେ ରୁହ। 12ସେହି ଗୃହରେ ପ୍ରବେଶ କଲାବେଳେ, ଅଭିବାଦନ ଜଣାଅ। 13ସେହି ପରିବାର ଯଦି ଯୋଗ୍ୟ ହୋଇଥାଏ, ତେବେ ତୁମର ଶାନ୍ତି ତାହା ଉପରେ ବର୍ତ୍ତିବ; ଯଦି ତାହା ଯୋଗ୍ୟ ନୁହେଁ, ତେବେ ତୁମର ଶାନ୍ତି ତୁମ ନିକଟକୁ ଫେରି ଆସୁ। 14କେହି ଯଦି ତୁମକୁ ସ୍ୱାଗତ ନ କରେ ବା ତୁମର କଥା ନ ଶୁଣେ, ତେବେ ସେହି ଗୃହ ବା ନଗରରୁ ବାହାରି ଯିବା ସମୟରେ ତୁମ ପାଦରୁ ଧୂଳି ଝାଡ଼ି ଦେଇ ଯାଅ। 15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ର ଦଶା ଅଧିକ ସହନୀୟ ହେବ।
16“ଦେଖ, କେନ୍ଦୁଆମାନଙ୍କ ମଧ୍ୟରେ ମେଣ୍ଢା ଯେପରି ମୁଁ ତୁମ୍ଭମାନଙ୍କୁ ସେହିପରି ପଠାଉଛି। ଅତଏବ ସର୍ପ ପରି ଚତୁର ଓ କପୋତ ପରି ନିରୀହ ହୁଅ।” 17କିନ୍ତୁ ଲୋକମାନଙ୍କ ବିଷୟରେ ସାବଧାନ; କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାଗୁଡ଼ିକୁ ନେଇଯିବେ ଓ ଉପାସନାଗୃହମାନଙ୍କରେ ତୁମ୍ଭମାନଙ୍କୁ ପ୍ରହାର କରାଇବେ। 18ମୋ ସକାଶେ ତୁମ୍ଭମାନଙ୍କୁ ରାଜା ଓ ରାଜ୍ୟପାଳମାନଙ୍କ ସାମ୍ନାକୁ ଅଣାଯିବ, ଯଦ୍ଦ୍ୱାରା ତୁମ୍ଭେମାନେ ସେମାନଙ୍କ ନିକଟରେ ଓ ଅଣଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ସ୍ଵରୂପ ହେବ। 19ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ଗିରଫ କରିବେ, କିପରି ଓ କଣ କହିବ ସେବିଷୟରେ ଚିନ୍ତା କର ନାହିଁ। କାରଣ କଣ କହିବାକୁ ହେବ ସେ କଥା ତୁମକୁ ସେହି ସମୟରେ ଜଣାଇ ଦିଆଯିବ, 20ଯେହେତୁ ତୁମେ ଯେ କଥା କହିବ ତା ନୁହେଁ, ମାତ୍ର ତୁମର ସ୍ଵର୍ଗସ୍ଥ ପିତାଙ୍କର ଆତ୍ମା ତୁମ ମଧ୍ୟଦେଇ କଥା କହିବେ।
21“ନିହତ ହେବା ପାଇଁ ଭାଇ ଆପଣା ଭାଇକୁ ଓ ପିତା ଆପଣା ସନ୍ତାନମାନଙ୍କୁ ଧରାଇ ଦେବେ; ସନ୍ତାନମାନେ ଆପଣା ପିତାମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ନିହତ କରାଇବେ। 22ମୋ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ କିନ୍ତୁ ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ଲାଭ କରିବ। 23ଗୋଟିଏ ସହରରେ ତୁମ ପ୍ରତି ନିର୍ଯ୍ୟାତନା ହେଲେ, ଅନ୍ୟ ସହରକୁ ପଳାଅ। ମୁଁ ସତ୍ୟ କହୁଛି, ତୁମ୍ଭେମାନେ ଇସ୍ରାଏଲ ଦେଶର ସହରଗୁଡ଼ିକୁ ଯିବା ଶେଷ କରି ନ ଥିବ ଆଉ ମନୁଷ୍ୟପୁତ୍ର ଆସିଯିବେ।
24“ଶିଷ୍ୟ ଆପଣା ଗୁରୁଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ଦାସ ଆପଣା ମୁନିବଠାରୁ ଶ୍ରେଷ୍ଠ ନୁହେଁ। 25ଶିଷ୍ୟ ଗୁରୁ ପରି ଓ ଦାସ ମୁନିବ ପରି ହୋଇପାରିଲେ ତାହା ହିଁ ଯଥେଷ୍ଟ। ଗୃହକର୍ତ୍ତାଙ୍କୁ ଯଦି ବାଲ୍ଜିବୁବ କୁହାଗଲାଣି, ତେବେ ତାଙ୍କର ପରିଜନମାନଙ୍କୁ କେତେ ଅଧିକ କୁହା ନ ଯିବ!
କାହାକୁ ଭୟ କରିବା ଉଚିତ
26“ତେଣୁ ସେମାନଙ୍କୁ ଭୟ କର ନାହିଁ, ଏପରି କୌଣସି ଗୁପ୍ତ ବିଷୟ ନାହିଁ, ଯାହା ପ୍ରକାଶନ ପାଇବ କିମ୍ବା ଲୁକ୍କାୟିତ ବିଷୟ ନାହିଁ, ଯାହା ଜଣା ନ ପଡ଼ିବ। 27ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହୁଛି, ତାହା ଦିବାଲୋକରେ କୁହ; ମୁଁ ତୁମ୍ଭମାନଙ୍କୁ ଯାହା କାନେ କାନେ କହୁଛି, ତାହା ଛାତ ଉପରୁ ଘୋଷଣା କର। 28ଯେଉଁମାନେ କେବଳ ଶରିରକୁ ବିନାଶ କରିପାରନ୍ତି ଅଥଚ ଅନ୍ତରାତ୍ମାର ବିନାଶ ସାଧନ କରିପାରନ୍ତି ନାହିଁ ସେମାନଙ୍କୁ ଭୟ କର ନାହିଁ। ବରଂ, ଯେ ଅନ୍ତରାତ୍ମା ଓ ଶରୀର ଉଭୟକୁ ନରକରେ ବିନଷ୍ଟ କରିପାରନ୍ତି କେବଳ ତାଙ୍କୁ ହିଁ ଭୟ କର। 29ଦୁଇଟି ଘରଚଟିଆ କଣ ଏକ ପଇସାରେ ବିକାଯାଏ ନାହିଁ? ତଥାପି ଗୋଟିଏ ଘରଚଟିଆ ସୁଦ୍ଧା ତୁମ ପିତାଙ୍କ ଅନୁମତି ବିନା ତଳେ ପଡ଼େ ନାହିଁ। 30ଏପରିକି ତୁମ ମସ୍ତକର କେଶ ସୁଦ୍ଧା ଗଣାଯାଇଅଛି। 31ଅତଏବ ଭୟ କର ନାହିଁ; ତୁମ୍ଭେମାନେ ତାହାଙ୍କ ଦୃଷ୍ଟିରେ ଅନେକ ଘରଚଟିଆଠାରୁ ଅଧିକ ମୂଲ୍ୟବାନ୍।
32“କେହି ଯେବେ ମୋତେ ଲୋକଙ୍କ ସାକ୍ଷାତରେ ସ୍ଵକାର କରେ, ତେବେ ମୁଁ ମଧ୍ୟ ତାକୁ ମୋର ସ୍ଵର୍ଗସ୍ଥପିତାଙ୍କ ସାକ୍ଷାତରେ ସ୍ଵକାର କରିବି। 33କିନ୍ତୁ କେହି ଯେବେ ମୋତେ ଲୋକଙ୍କ ସାକ୍ଷାତରେ ଅସ୍ୱୀକାର କରେ, ମୁଁ ମୋର ସ୍ଵର୍ଗସ୍ଥପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି।
34“ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଛି ବୋଲି ମନେକର ନାହିଁ। ମୁଁ ଶାନ୍ତି ଦେବାକୁ ଆସି ନାହିଁ, ବରଂ ଖଡ଼୍ଗ ଦେବାକୁ ଆସିଛି। 35କାରଣ
“ ‘ପୁତ୍ର ବିରୁଦ୍ଧରେ ପିତାର,
କନ୍ୟା ବିରୁଦ୍ଧରେ ମାତାର,
ଓ ବୋହୁ ବିରୁଦ୍ଧରେ ଶାଶୁର ବିରୋଧ ଜନ୍ମାଇବାକୁ ମୁଁ ଆସିଅଛି।
36ମନୁଷ୍ୟର ନିଜ ପରିବାରର ଲୋକେ ତାହାର ଶତ୍ରୁ ହେବେ।’
37“କେହି ଯଦି ନିଜ ପିତାମାତାଙ୍କୁ ମୋ ଠାରୁ ଅଧିକ ଭଲ ପାଏ ତେବେ ସେ ମୋର ଯୋଗ୍ୟ ନୁହେଁ; କେହି ଯଦି ତାହାର ପୁତ୍ରକନ୍ୟାକୁ ମୋ ଠାରୁ ଅଧିକ ଭଲ ପାଏ ତେବେ ସେ ମୋର ଯୋଗ୍ୟ ନୁହେଁ। 38ଯିଏ ତାହାର କୃଶ ବହନ କରି ମୋର ଅନୁଗମନ ନ କରେ ସେ ମୋର ଯୋଗ୍ୟ ନୁହେଁ। 39ଯେକେହି ଆପଣା ଜୀବନକୁ ଧରି ରଖେ ସେ ତାହା ହରାଇବ, କିନ୍ତୁ ଯେକେହି ମୋ ସକାଶେ ଜୀବନ ହରାଇ ଦିଏ ସେ ତାହା ରକ୍ଷା କରିବ।
40“ଯେ ତୁମକୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ, ପୁଣି ଯେ ମୋତେ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। 41କେହି ଯଦି ଜଣେ ଭାବବାଦୀଙ୍କୁ ଭାବବାଦୀ ରୂପେ ଗ୍ରହଣ କରେ ସେ ଭାବବାଦୀମାନଙ୍କର ପୁରସ୍କାର ପାଇବ, କେହି ଯଦି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ରୂପେ ଗ୍ରହଣ କରେ ତେବେ ସେ ଧାର୍ମିକ ବ୍ୟକ୍ତିର ପୁରସ୍କାର ପାଇବ। 42ମୋର ଶିଷ୍ୟ ହୋଇଥିବାରୁ କେହି ଯଦି ଏହି ସାମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକୁ ଗିଲାସେ ଥଣ୍ଡା ପାଣି ଦିଏ, ମୁଁ ସତ କହୁଅଛି, ସେ କୌଣସିମତେ ତାହାର ପୁରସ୍କାର ହରାଇବ ନାହିଁ।”
Currently Selected:
ମାଥିଉଲିଖିତ 10: OCB
Highlight
Share
Compare
Copy
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.