ପ୍ରେରିତ 9
9
ଶାଉଲ ଖ୍ରୀଷ୍ଟବିଶ୍ୱାସୀ ହେଲେ
1ଇତିମଧ୍ୟରେ, ଶାଉଲ ପ୍ରଭୁଙ୍କର ଶିଷ୍ୟମାନଙ୍କୁ ପ୍ରାଣରେ ମାରିଦେବାକୁ ଧମକ ଦେଇ ଭୟପ୍ରଦର୍ଶନ କରିବାରେ ଲାଗିଥିଲେ। ସେ ମହାଯାଜକଙ୍କ ନିକଟକୁ ଗଲେ। 2ପୁଣି ଦାମାସ୍କସ୍ରେ ସେହି ମାର୍ଗର ଅନୁଗାମୀ ପୁରୁଷ, କି ସ୍ତ୍ରୀକୁ ପାଇଲେ, ସେମାନଙ୍କୁ ଯେପରି ବନ୍ଦୀ କରି ଯିରୂଶାଲମକୁ ଆଣିପାରିବେ, ଏଥିନିମନ୍ତେ ସେଠାର ଉପାସନାଗୃହଗୁଡ଼ିକ ପାଇଁ ପତ୍ର ମାଗିଲେ। 3ଯାତ୍ରା ପଥରେ ସେ ଦାମାସ୍କସ୍ର ନିକଟବର୍ତ୍ତୀ ହେଉଥିବା ବେଳେ, ହଠାତ୍ ତାଙ୍କ ଚାରିପଟେ ଆକାଶରୁ ଏକ ଆଲୋକ ଝଲସି ଉଠିଲା। 4ସେ ଭୂମିରେ ପଡ଼ିଗଲେ ଏବଂ ଏକ ସ୍ଵର ତାଙ୍କୁ ଏହି କଥା କହୁଥିବାର ଶୁଣିଲେ, “ଶାଉଲ, ଶାଉଲ, ମୋତେ କାହିଁକି ତାଡନା କରୁଛ?”
5ଶାଉଲ ପଚାରିଲେ। “ପ୍ରଭୁ, ଆପଣ କିଏ?”
ସେ ଉତ୍ତର ଦେଲେ, “ଯାହାଙ୍କୁ ତୁମେ ତାଡନା କରୁଛ, ମୁଁ ସେହି ଯୀଶୁ,” 6“ଏବେ ଉଠି ନଗର ଭିତରକୁ ଯାଅ, ଏବଂ କଅଣ କରିବାକୁ ହେବ ତୁମକୁ କୁହାଯିବ।”
7ଶାଉଲଙ୍କ ସହ ଯାତ୍ରା କରୁଥିବା ଲୋକମାନେ ସେଠାରେ ନିର୍ବାକ୍ ହୋଇ ଠିଆ ହୋଇଥିଲେ; ସେମାନେ ସ୍ଵର ଶୁଣିଲେ ଅଥଚ କାହାକୁ ଦେଖିଲେ ନାହିଁ। 8ଶାଉଲ ଭୂମିରୁ ଉଠି ଯେତେବେଳେ ଆଖି ଖୋଲିଲେ, ସେ କିଛି ଦେଖିପାରିଲେ ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍କୁ କଢ଼ାଇ ନେଲେ। 9ସେ ତିନିଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ଏବଂ କିଛି ଭୋଜନପାନ କଲେ ନାହିଁ।
10ଦାମାସ୍କସ୍ରେ ହନନୀୟ ନାମକଜଣେ ଶିଷ୍ୟ ଥିଲେ। ପ୍ରଭୁ ତାଙ୍କୁ ଏକ ଦିବ୍ୟଦର୍ଶନ ଦେଇ ଡାକିଲେ, “ହନନୀୟ!”
ସେ ଉତ୍ତର ଦେଲେ, “ପ୍ରଭୁ, ଆଜ୍ଞା କରନ୍ତୁ।”
11ପ୍ରଭୁ ତାଙ୍କୁ କହିଲେ, “ସଳଖ ନାମକ ମାର୍ଗରେ ରହୁଥିବା ଯିହୁଦାର ଘରକୁ ଯାଅ ଏବଂ ସେଠାରେ ତାର୍ଷସ ନଗରୀର ଶାଉଲ ବୋଲି ଜଣେ ବ୍ୟକ୍ତିଙ୍କର ସନ୍ଧାନ ନିଅ, କାରଣ ଦେଖ ସେ ପ୍ରାର୍ଥନା କରୁଅଛି। 12ସେ ଯେପରି ଦୃଷ୍ଟିଶକ୍ତି ଫେରି ପାଇବ ସେଥିପାଇଁ ହନନୀୟ ନାମକ ଜଣେବ୍ୟକ୍ତି ଆସି ତା ଉପରେ ହସ୍ତାର୍ପଣ କରୁଛି ବୋଲି ସେ ଏକ ଦର୍ଶନରେ ଦେଖିଅଛି।”
13ହନନୀୟ ଉତ୍ତର ଦେଲେ, “ପ୍ରଭୁ, ମୁଁ ଏହି ଲୋକ ବିଷୟରେ ପୁଣି ଯିରୂଶାଲମରେ ତୁମ୍ଭ ଭକ୍ତ-ମାନଙ୍କର ସେ ଯେଉଁ ସମସ୍ତ କ୍ଷତି ସାଧନ କରିଛି ସେବିଷୟରେ ଅନେକ କଥା ଶୁଣିଛି। 14ଆହୁରି ମଧ୍ୟ ଯେତେ ଲୋକ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ସେସମସ୍ତଙ୍କୁ ବନ୍ଦୀ କରି ନେବାକୁ ସେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତାପ୍ରାପ୍ତ ହୋଇ ଏଠାକୁ ଆସିଛି।”
15କିନ୍ତୁ ପ୍ରଭୁ ହନନୀୟଙ୍କୁ କହିଲେ, “ଯାଅ! ଅଣଯିହୁଦୀ ଓ ସେମାନଙ୍କର ରାଜବର୍ଗ ଏବଂ ଇସ୍ରାଏଲୀୟ ଲୋକଙ୍କ ଆଗରେ ମୋର ନାମ ବହନ କରିବାକୁ ସେ ମୋର ମନୋନୀତ ପାତ୍ର। 16ମୋର ନାମ ସକାଶେ ତାକୁ କେତେ ଦୁଃଖ ସହିବାକୁ ହେବ ତାହା ମୁଁ ତାକୁ ଦର୍ଶାଇବି।”
17ତତ୍ପରେ ହନନୀୟ ଯାଇ ସେହି ଗୃହରେ ପ୍ରବେଶ କଲେ। ସେ ଶାଉଲଙ୍କ ଉପରେ ହାତ ରଖି କହିଲେ, “ଭାଇ ଶାଉଲ, ତୁମେ ଯେପରି ଦୃଷ୍ଟି ଫେରି ପାଇବ ଓ ପବିତ୍ରଆତ୍ମରେ ପୂର୍ଣ୍ଣ ହେବ, ଏଥିପାଇଁ ତୁମେ ଏଠାକୁ ଆସିବା ବେଳେ ବାଟରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି।” 18ତତ୍କ୍ଷଣାତ୍, ଶାଉଲଙ୍କ ଆଖିରୁ କାତି ଭଳି କଅଣ ଖସି ପଡ଼ିଲା, ଏବଂ ସେ ପୁନର୍ବାର ଦେଖିପାରିଲେ। ସେ ଉଠି ଡୁବନ ନେଲେ, 19ଏବଂ ଭୋଜନ କରିବାପରେ, ବଳ ପାଇଲେ।
ଶାଉଲଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ
ଶାଉଲ ଦାମାସ୍କସ୍ରେ ଥିବା ଶିଷ୍ୟମାନଙ୍କ ସହିତ ଅନେକ ଦିନ କ୍ଷେପଣ କଲେ। 20ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ଏହା ସେ ଅବିଳମ୍ୱେ ଉପାସନାଗୃହଗୁଡ଼ିକରେ ପ୍ରଚାର କରିବାକୁ ଆରମ୍ଭ କଲେ। 21ଯେତେ ଲୋକ ତାଙ୍କ କଥା ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଯିଏ ଯିରୂଶାଲମରେ ଏହି ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଧ୍ୱଂସଲୀଳା ସୃଷ୍ଟି କରୁଥିଲା ଏ କଅଣ ସେହି ନୁହେଁ? ପୁଣି ଏବେ ସେମାନଙ୍କୁ ବନ୍ଦୀ କରି ପ୍ରଧାନ ଯାଜକମାନଙ୍କ ନିକଟକୁ ନେବା ପାଇଁ ସେ କଅଣ ଏଠାକୁ ଆସି ନାହିଁ?” 22ତଥାପି ଶାଉଲ ଅଧିକରୁ ଅଧିକ ଶକ୍ତିମନ୍ତ ହୋଇ ଯୀଶୁ ଯେ ଖ୍ରୀଷ୍ଟ ଏହା ପ୍ରମାଣ କରି ଦାମାସ୍କସ୍ବାସୀ ଯିହୁଦୀମାନଙ୍କୁ ହତବୁଦ୍ଧି କଲେ।
23ଅନେକ ଦିନ ବିତିଗଲା ପରେ, ଯିହୁଦୀମାନେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ, 24ମାତ୍ର ଶାଉଲ ସେମାନଙ୍କର ଅଭିସନ୍ଧି ଜାଣିପାରିଲେ। ତାଙ୍କୁ ହତ୍ୟା କରିବା ପାଇଁ ସେମାନେ ଦିନରାତି ନଗରଦ୍ଵାରଗୁଡ଼ିକ ଉପରେ ତୀଖ୍ନ ଦୃଷ୍ଟି ରଖିଲେ। 25କିନ୍ତୁ ଶିଷ୍ୟମାନେ ରାତ୍ରିରେ ତାଙ୍କୁ ନେଇ ଏକ ଟୋକାଇରେ ପୂରାଇଲେ ଏବଂ ପ୍ରାଚୀର ବାଟେ ତଳକୁ ଓହ୍ଲାଇ ଦେଲେ।
26ସେ ଯେତେବେଳେ ଯିରୂଶାଲମକୁ ଗଲେ, ସେତେବେଳେ ଶିଷ୍ୟମାନଙ୍କ ସହିତ ଯୋଗ ଦେବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାଙ୍କୁ ଭୟ କଲେ, କାରଣ ସେ ପ୍ରକୃତରେ ଜଣେ ଶିଷ୍ୟ ହୋଇଛନ୍ତି ବୋଲି ସେମାନେ ବିଶ୍ୱାସ କଲେ ନାହିଁ। 27କିନ୍ତୁ ବର୍ଣ୍ଣବା ତାଙ୍କୁ ସଙ୍ଗରେ ନେଇ ପ୍ରେରିତଶିଷ୍ୟମାନଙ୍କ ନିକଟକୁ ଆଣିଲେ। ଯାତ୍ରା ପଥରେ ଶାଉଲ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ପ୍ରଭୁ କିପରି ତାଙ୍କ ସହିତ କଥା କହିଥିଲେ, ଏବଂ ସେ କିପରି ଦାମାସ୍କସ୍ରେ ଯୀଶୁଙ୍କ ନାମରେ ନିର୍ଭୀକଭାବେ ପ୍ରଚାର କରିଥିଲେ ଏସମସ୍ତ କଥା ବର୍ଣ୍ଣବା ପ୍ରେରିତଶିଷ୍ୟମାନଙ୍କୁ ଜଣାଇଲେ। 28ତେଣୁ ଶାଉଲ ସେମାନଙ୍କ ସଙ୍ଗେ ରହିଲେ ଏବଂ ଯିରୂଶାଲମରେ ଅବାଧରେ ଯାତାୟତ କରି, ପ୍ରଭୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ। 29ସେ ଗ୍ରୀକ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ। 30ବିଶ୍ୱାସୀ ଭାଇମାନେ ଏ କଥା ଶୁଣି, ଶାଉଲଙ୍କୁ କାଇସରିଆକୁ ନେଇଗଲେ ଏବଂ ସେଠାରୁ ତାର୍ଷସକୁ ପଠାଇଦେଲେ।
31ଏହାପରେ ସମଗ୍ର ଯିହୁଦା, ଗାଲିଲୀ ଓ ଶମରିଆରେ ଖ୍ରୀଷ୍ଟ ମଣ୍ଡଳୀ ଶାନ୍ତି ଭୋଗ କଲା। ତାହା ଶକ୍ତିଯୁକ୍ତ ହେଲା ପୁଣି ପବିତ୍ରଆତ୍ମାଙ୍କ ପ୍ରେରଣାରେ, ପ୍ରଭୁଙ୍କ ପ୍ରତି ଭୟଭକ୍ତିରେ ଜୀବନଯାପନ କରି ସଂଖ୍ୟାରେ ବୃଦ୍ଧି ଲାଭ କଲା।
ଏନିୟ ଓ ଦର୍କାସ
32ପିତର ବିଭିନ୍ନ ଅଞ୍ଚଳ ଭ୍ରମଣ କରୁ କରୁ, ଲୀଦାରେ ବାସ କରୁଥିବା ସାଧୁମାନଙ୍କ ନିକଟକୁ ମଧ୍ୟ ଗଲେ। 33ସେଠାରେ ଆଠ ବର୍ଷ ଧରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ, ଏନୀୟ ନାମକଜଣେ ବ୍ୟକ୍ତିଙ୍କର ସେ ଦେଖା ପାଇଲେ। 34ପିତର ତାଙ୍କୁ କହିଲେ, “ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମକୁ ସୁସ୍ଥ କରୁଛନ୍ତି। ଉଠ ତୁମର ଶେଯ ସଜାଡ଼।” ତତ୍କ୍ଷଣାତ୍ ସେ ଉଠିଲେ। 35ଲୀଦା ଓ ଶାରୋଣନିବାସୀ ସମସ୍ତେ ତାଙ୍କୁ ଦେଖି ପ୍ରଭୁଙ୍କ ନିକଟକୁ ଫେରିଲେ।
36ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ଶିଷ୍ୟା ଥିଲେ (ଅନୁବାଦ କଲେ ଏହି ନାମର ଅର୍ଥ ଦର୍କାସ୍); ସେ ସର୍ବଦା ହିତକର କାର୍ଯ୍ୟ କରୁଥିଲେ ଓ ଦୀନଦରିଦ୍ରଙ୍କୁ ସାହାଯ୍ୟ କରୁଥିଲେ। 37ସେତିକିବେଳକୁ ସେ ପୀଡ଼ିତ ହୋଇ ପ୍ରାଣତ୍ୟାଗ କଲେ, ତାଙ୍କର ଶରୀରକୁ ସ୍ନାନ କରାଇ ସେମାନେ ଏକ ଉପର କୋଠରିରେ ରଖିଲେ। 38ଲୀଦା ଯୋପ୍ପାର ନିକଟବର୍ତ୍ତୀ; ତେଣୁ ପିତର ଲୀଦାରେ ଅଛନ୍ତି ବୋଲି ଶୁଣି, ଶିଷ୍ୟମାନେ ତାଙ୍କ ନିକଟକୁ ଦୁଇଜଣ ଲୋକଙ୍କୁ ଏହିପରି ଅନୁରୋଧ କରିବାକୁ ପଠାଇଲେ, “ଅବିଳମ୍ୱେ ଆମ ନିକଟକୁ ଆସନ୍ତୁ!”
39ପିତର ସେମାନଙ୍କ ସହିତ ଗଲେ, ଓ ସେଠାରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଉପର ମହଲାରେ ସେହି କୋଠରିକୁ ନେଇଗଲେ। ସେଠାରେ ବିଧବାମାନେ ପିତରଙ୍କ ଚାରିପାଖେ ଠିଆ ହୋଇ, କ୍ରନ୍ଦନ କରୁ କରୁ ଦର୍କାସ୍ ସେମାନଙ୍କ ସହିତ ଥିଲାବେଳେ ଯେଉଁସବୁ ପୋଷାକ ଓ ବସ୍ତ୍ର ତିଆରି କରିଥିଲେ ସେହିସବୁ ଦେଖାଇଲେ।
40ପିତର ସମସ୍ତଙ୍କୁ କୋଠରିରୁ ବାହାର କରିଦେବା ପରେ; ଜାନୁପାତି ପ୍ରାର୍ଥନା କଲେ। ମୃତା ନାରୀଙ୍କ ଆଡ଼କୁ ବୁଲିପଡ଼ି, ସେ କହିଲେ, “ଟାବିଥା, ଉଠ।” ଟାବିଥା ଆଖି ଖୋଲିଲେ, ଓ ପିତରଙ୍କୁ ଦେଖି ଉଠି ବସିଲେ। 41ପିତର ତାଙ୍କ ହାତ ଧରି ଠିଆ ହେବାକୁ ତାଙ୍କୁ ସାହାଯ୍ୟ କଲେ। ଏଉତ୍ତାରେ ପିତର ଶିଷ୍ୟମାନଙ୍କୁ, ଓ ବିଧବାମାନଙ୍କୁ ଡାକି, ସେ ଜୀବିତ ବୋଲି ଦର୍ଶାଇଲେ। 42ଏହି କଥା ଯୋପ୍ପାର ସର୍ବତ୍ର ବ୍ୟାପିଗଲା, ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। 43ପିତର ଯୋପ୍ପାରେ ଶିମୋନ ନାମକଜଣେ ଚର୍ମକାର ଘରେ କିଛିକାଳ ରହିଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.