Skip to content

ପ୍ରେରିତ 10

10
କର୍ଣ୍ଣଲିଅସ୍-ପ୍ରଥମ ଅଣଯିହୁଦୀ ଖ୍ରୀଷ୍ଟବିଶ୍ୱାସୀ
1କାଇସରିଆରେ କର୍ଣ୍ଣଲିଅସ୍ ନାମକ ଜଣେବ୍ୟକ୍ତି ଥିଲେ, ସେ ଇଟାଲୀୟ ସେନାଦଳର ଶତ-ସେନାପତି ଥିଲେ। 2ସେ ଓ ତାଙ୍କ ପରିବାରର ସମସ୍ତେ ଧର୍ମନିଷ୍ଠ ଓ ଈଶ୍ୱରଭକ୍ତ ଥିଲେ; କର୍ଣ୍ଣଲିଅସ୍ ଅଭାବଗ୍ରସ୍ତ ଲୋକଙ୍କୁ ଉଦାର ମନରେ ଦାନ କରୁଥିଲେ ଏବଂ ନିୟମିତଭାବେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। 3ଦିନେ ଅପରାହ୍ନ ପ୍ରାୟ ତିନିଟା ବେଳେ ସେ ଏକ ଦିବ୍ୟଦର୍ଶନ ପାଇଲେ। ସେ ସ୍ପଷ୍ଟ ରୂପେ ଦେଖିଲେ ଯେ ଈଶ୍ୱରଙ୍କ ଜଣେ ଦୂତ, ତାଙ୍କ ନିକଟକୁ ଆସି ଡାକୁଛନ୍ତି “କର୍ଣ୍ଣଲିଅସ୍!”
4ଭୟରେ ସେ ତାଙ୍କୁ ଅନାଇ ପଚାରିଲେ, “କଅଣ କହୁଛନ୍ତି, ପ୍ରଭୁ?”
ଦୂତ ଉତ୍ତର ଦେଲେ, “ତୁମର ପ୍ରାର୍ଥନା ଓ ଦରିଦ୍ରମାନଙ୍କୁ ତୁମର ଦାନସବୁ ସ୍ମରଣୀୟ ରୂପେ ଈଶ୍ୱରଙ୍କ ନିକଟକୁ ଉଠିଅଛି। 5ଏବେ ତୁମେ ଯୋପ୍‌ପାକୁ ଲୋକ ପଠାଇ ପିତର ନାମରେ ସୁପରିଚିତ ଶିମୋନଙ୍କୁ ଡକାଇ ଆଣ। 6ଯେଉଁ ଚର୍ମକାର ଶିମୋନଙ୍କ ଘର ସମୁଦ୍ର କୂଳରେ, ସେ ତାଙ୍କ ପାଖେ ରହୁଛନ୍ତି।”
7କର୍ଣ୍ଣୀଲିଅସ୍‌ଙ୍କ ସଙ୍ଗେ କଥା କହୁଥିବା ଦୂତ ଚାଲିଗଲା ପରେ, ସେ ତାଙ୍କ ଦାସମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଓ ତାଙ୍କ ସୈନିକମାନଙ୍କ ମଧ୍ୟରୁ ଜଣେ ଧର୍ମନିଷ୍ଠ ସୈନିକକୁ ଡାକିଲେ। 8ଯାହାସବୁ ଘଟିଥିଲା ସେସବୁ କହି ସେ ସେମାନଙ୍କୁ ଯୋପ୍‌ପାକୁ ପଠାଇଲେ।
ପିତରଙ୍କ ପ୍ରତି ପ୍ରକାଶିତ ଦିବ୍ୟଦର୍ଶନ
9ପରବର୍ତ୍ତୀ ଦିନ ପ୍ରାୟ ମଧ୍ୟାହ୍ନ ସମୟରେ ସେମାନେ ଯେତେବେଳେ ନଗରର ନିକଟବର୍ତ୍ତୀ ହେଉଥିଲେ, ସେତେବେଳେ ପିତର ପ୍ରାର୍ଥନା କରିବା ପାଇଁ ଛାତ ଉପରକୁ ଗଲେ। 10ସେ କ୍ଷୁଧିତ ହୋଇପଡ଼ିଲେ ଓ କିଛି ଭୋଜନ କରିବାକୁ ଚାହୁଁଥିଲେ, ଏବଂ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ, ସେ ଭାବାବିଷ୍ଟ ହୋଇପଡ଼ିଲେ। 11ସେ ଦେଖିଲେ ଆକାଶ ଉନ୍ମୁକ୍ତ ହୋଇଛି ଓ ଗୋଟାଏ ବଡ଼ ଚାଦର ଭଳି ଆଧାର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଓହ୍ଲାଇ ଦିଆଯାଉଛି। 12ତହିଁ ମଧ୍ୟରେ ଥିଲା ପୃଥିବୀର ସବୁପ୍ରକାର ଚତୁଷ୍ପଦ ପଶୁ, ସରୀସୃପ ଓ ଆକାଶର ପକ୍ଷୀ। 13ତା ପରେ ତାହାଙ୍କ ପ୍ରତି ଏହି ବାଣୀ ହେଲା, “ପିତର, ଉଠ, ମାର ଓ ଖାଅ।”
14ପିତର ଉତ୍ତର ଦେଲେ, “କଦାପି ନୁହେଁ, ପ୍ରଭୁ! ମୁଁ କେବେହେଲେ କୌଣସି ଅପବିତ୍ର କି ଅଶୁଚି ପଦାର୍ଥ ଭୋଜନ କରି ନାହିଁ।”
15ଦ୍ୱିତୀୟ ଥର ତାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ୱର ଯାହା ଶୁଚି କରିଛନ୍ତି ଏପରି କୌଣସି ପଦାର୍ଥକୁ ଅପବିତ୍ର ବୋଲି କୁହ ନାହିଁ।”
16ଏହିପ୍ରକାର ତିନିଥର ଘଟିବା ପରେ, ସଙ୍ଗେସଙ୍ଗେ ଚାଦରଟି ଆକାଶକୁ ପୁଣି ଉଠାଇ ନିଆଗଲା।
17ସେହି ଦିବ୍ୟଦର୍ଶନର ଅର୍ଥ କଅଣ ହୋଇପାରେ ବୋଲି ପିତର ଆଶ୍ଚର୍ଯ୍ୟବୋଧ କରୁଥିବା ବେଳେ, କର୍ଣ୍ଣଲିଅସ୍ ପଠାଇଥିବା ଲୋକମାନେ ଶିମୋନଙ୍କ ଗୃହର ସନ୍ଧାନ ପାଇ ଫାଟକ ପାଖେ ଆସି ଠିଆ ହେଲେ। 18ସେମାନେ ପିତର ନାମରେ ପରିଚିତ ଶିମୋନ ସେଠାରେ ରହୁଛନ୍ତି, କି ନାହିଁ ଡାକି ପଚାରିଲେ।
19ପିତର ସେହି ଦିବ୍ୟଦର୍ଶନ କଥା ଆହୁରି ଭାବୁଥିବା ସମୟରେ, ଆତ୍ମା ତାଙ୍କୁ କହିଲେ, “ଶିମୋନ, ତିନିଜଣ ବ୍ୟକ୍ତି ତୁମକୁ ଖୋଜୁଛନ୍ତି। 20ତେଣୁ ଉଠି ତଳକୁ ଯାଅ। ସେମାନଙ୍କ ସଙ୍ଗରେ ଯିବା ପାଇଁ ଦ୍ୱିଧା କର ନାହିଁ, କାରଣ ମୁଁ ସେମାନଙ୍କୁ ପଠାଇଅଛି।”
21ପିତର ତଳକୁ ଯାଇ ସେହି ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଯାହାକୁ ଖୋଜୁଛ, “ମୁଁ ସେହି। ତୁମ୍ଭମାନଙ୍କର ଆସିବାର କାରଣ କଅଣ?”
22ସେହି ଲୋକମାନେ ଉତ୍ତର ଦେଲେ, “ଆମେ ଶତସେନାପତି କର୍ଣ୍ଣୀଲିଅସ୍‌ଙ୍କ ନିକଟରୁ ଆସିଛୁ। ସେ ଜଣେ ଧାର୍ମିକ ଓ ଈଶ୍ୱରପରାୟଣ ବ୍ୟକ୍ତି, ପୁଣି ସବୁ ଯିହୁଦୀ ଲୋକଙ୍କର ଶ୍ରଦ୍ଧାଭାଜନ। ଆପଣଙ୍କୁ ତାଙ୍କ ଘରକୁ ଡକାଇ ଆପଣଙ୍କର ବକ୍ତବ୍ୟ ଶୁଣିବା ପାଇଁ ସେ ଜଣେ ପବିତ୍ର ଦୂତଙ୍କଠାରୁ ପ୍ରତ୍ୟାଦେଶ ପାଇଛନ୍ତି।” 23ତତ୍ପରେ ପିତର ସେମାନଙ୍କୁ ଘର ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ।
କର୍ଣ୍ଣିଲିଅସଙ୍କ ଗୃହରେ ପିତର
ପରବର୍ତ୍ତୀ ଦିନ ପିତର ସେମାନଙ୍କ ସଙ୍ଗେ ବାହାରିଲେ, ଯୋପ୍‌ପାର କେତେକ ବିଶ୍ୱାସୀ ଭାଇ ମଧ୍ୟ ତାଙ୍କ ସଙ୍ଗରେ ଗଲେ। 24ତହିଁ ପରଦିନ ସେ କାଇସରିଆରେ ପହଞ୍ଚିଲେ। କର୍ଣ୍ଣଲିଅସ୍ ସେମାନଙ୍କ ଅପେକ୍ଷାରେ ଥିଲେ ଏବଂ ତାଙ୍କର ଆତ୍ମୀୟ ଓ ଅନ୍ତରଙ୍ଗ ବନ୍ଧୁମାନଙ୍କୁ ଡାକି ଏକତ୍ର କରିଥିଲେ। 25ପିତର ପ୍ରବେଶ କରନ୍ତେ, କର୍ଣ୍ଣଲିଅସ୍ ତାଙ୍କୁ ଭେଟି ତାଙ୍କର ପାଦବନ୍ଦନା କଲେ। 26କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, “ଠିଆ ହୁଅନ୍ତୁ, ମୁଁ ତ ଜଣେ ମନୁଷ୍ୟ ମାତ୍ର।”
27ତାଙ୍କ ସଙ୍ଗେ କଥାବାର୍ତ୍ତା କରୁ କରୁ, ପିତର ଭିତରେ ପ୍ରବେଶ କରି ଅନେକ ଲୋକ ସମବେତ ହୋଇଥିବାର ଦେଖିଲେ। 28ସେ ସେମାନଙ୍କୁ କହିଲେ: “ଆପଣମାନେ ଭଲ ରୂପେ ଜାଣନ୍ତି ଯେ ଜଣେ ଅଣଯିହୁଦୀ ସଙ୍ଗେ ମିଳାମିଶା କରିବା କିମ୍ବା ତା ଘରକୁ ଯିବା ଜଣେ ଯିହୁଦୀ ପକ୍ଷରେ ବିଧିବିରୁଦ୍ଧ କାର୍ଯ୍ୟ। କିନ୍ତୁ କୌଣସି ମନୁଷ୍ୟକୁ ଅପବିତ୍ର ବା ଅଶୁଚି ନ କହିବାକୁ ଈଶ୍ୱର ମୋତେ ଦେଖାଇଛନ୍ତି। 29ସେଥିପାଇଁ ମୋତେ ଯେତେବେଳେ ଡକାଗଲା, ମୁଁ କୌଣସି ଆପତ୍ତି ନ କରି ଚାଲି ଆସିଲି। ମୁଁ ପଚାରୁଛି ଆପଣମାନେ ମୋତେ କାହିଁକି ଡକାଇଛନ୍ତି?”
30କର୍ଣ୍ଣଲିଅସ୍ ଉତ୍ତର ଦେଲେ: “ଚାରି ଦିନ ପୂର୍ବୋ ମୁଁ ଏହି ସମୟରେ ଅପରାହ୍ନ ତିନି ଘଣ୍ଟା ବେଳେ, ମୋ ଘରେ ପ୍ରାର୍ଥନା କରୁଥିଲି। ହଠାତ୍ ଉଜ୍ଜ୍ୱଳ ବସ୍ତ୍ର ପରିହିତ ଜଣେବ୍ୟକ୍ତି ମୋ ସମ୍ମୁଖରେ ଉଭା ହେଲେ 31ସେ କହିଲେ, ‘କର୍ଣ୍ଣଲିଅସ୍, ଈଶ୍ୱର ତୁମର ପ୍ରାର୍ଥନା ଶୁଣିଛନ୍ତି ଏବଂ ତୁମର ଦାନସବୁ ସ୍ମରଣ କରିଛନ୍ତି। 32ତେଣୁ ଯୋପ୍‌ପାକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଡକାଇ ଆଣ। ସମୁଦ୍ର କୂଳରେ ବାସ କରୁଥିବା ଶିମୋନ ଚର୍ମକାର ଘରେ, ସେ ଅତିଥି ହୋଇ ରହୁଛନ୍ତି।’ 33ତେଣୁ ମୁଁ ସଙ୍ଗେସଙ୍ଗେ ଆପଣଙ୍କୁ ଆଣିବା ପାଇଁ ଲୋକ ପଠାଇଲି, ଓ ଆପଣ ଦୟାକରି ଆସିଛନ୍ତି। ଏବେ ଆମକୁ କହିବା ପାଇଁ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଛନ୍ତି ତାହା ଶୁଣିବାକୁ ଆମେ ଏଠାରେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହୋଇଅଛୁ।”
34ତତ୍ପରେ ପିତର କହିବାକୁ ଆରମ୍ଭ କଲେ: “ଈଶ୍ୱର ଯେ ପକ୍ଷପାତିତା କରନ୍ତି ନାହିଁ 35କିନ୍ତୁ ପ୍ରତ୍ୟେକ ଜାତିରେ ଯେକେହି ତାହାଙ୍କୁ ଭୟ ଓ ସଦାଚରଣ କରେ ସେ ଯେ ତାହାକୁ ଗ୍ରହଣ କରନ୍ତି ଏ କଥା କେଡ଼େ ସତ୍ୟ ତାହା ମୁଁ ଏବେ ବୁଝି ପାରୁଛି। 36ଯେଉଁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ, ତାହାଙ୍କ ଦ୍ଵାରା ଈଶ୍ୱର ଶାନ୍ତିର ଶୁଭବାର୍ତ୍ତା ଇସ୍ରାଏଲୀୟ ଲୋକମାନଙ୍କ ନିକଟରେ ପ୍ରଚାର କଲେ, ଏହା ସେହି ବାର୍ତ୍ତା। 37ଯୋହନଙ୍କ ଦ୍ଵାରା ଡୁବନ ପ୍ରଚାରିତ ହେବା ପରେ ଗାଲିଲୀଠାରୁ ଆରମ୍ଭ କରି, ସମଗ୍ର ଯିହୁଦା ଦେଶରେ ଯାହାସବୁ ଘଟିଯାଇଛି 38ଅର୍ଥାତ୍ ନାଜରିତୀୟ ଯୀଶୁଙ୍କୁ ଈଶ୍ୱର କିପରି ପବିତ୍ରଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଏବଂ ଈଶ୍ୱର ତାହାଙ୍କ ସହିତ ଥିବାରୁ ଶୟତାନଦ୍ଵାରା ଉତ୍ପୀଡ଼ିତ ସମସ୍ତଙ୍କୁ ସେ କିପରି ସୁସ୍ଥ କଲେ ଓ ସମସ୍ତଙ୍କର ମଙ୍ଗଳ ସାଧନ କରି ବୁଲିଲେ, ଏହା ଆପଣ ଜାଣନ୍ତି।
39“ଯିହୁଦୀମାନଙ୍କ ଦେଶରେ ଓ ଯିରୂଶାଲମରେ ସେ ଯାହା ଯାହା କଲେ ଆମେ ସେହିସବୁର ସାକ୍ଷୀ, ସେମାନେ ତାହାଙ୍କୁ କ୍ରୁଶରେ ଟଙ୍ଗାଇ ହତ୍ୟା କଲେ, 40କିନ୍ତୁ ଈଶ୍ୱର ତାହାଙ୍କୁ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉଠାଇ ଦୃଷ୍ଟିଗୋଚର କରାଇଲେ। 41ସେ ଯେସବୁ ଲୋକଙ୍କର ଦୃଷ୍ଟିଗୋଚର ହେଲେ, ତା ନୁହେଁ କିନ୍ତୁ ଈଶ୍ୱର ପୂର୍ବରୁ ଯେଉଁମାନଙ୍କୁ ମନୋନୀତ କରିଥିଲେ ସେହି ସାକ୍ଷୀମାନଙ୍କର ଅର୍ଥାତ୍ ମୃତଲୋକଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲାପରେ ଆମେ ଯେଉଁମାନେ କି ତାହାଙ୍କ ସହିତ ଭୋଜନପାନ କରିଥିଲୁ, ଆମର ଦୃଷ୍ଟିଗୋଚର ହେଲେ। 42ଲୋକଙ୍କ ନିକଟରେ ପ୍ରଚାର କରିବାକୁ ଓ ଜୀବିତ ଓ ମୃତଲୋକଙ୍କର ବିଚାରକର୍ତ୍ତା ହେବାକୁ ଈଶ୍ୱର ତାଙ୍କୁ ନିଯୁକ୍ତ କରିଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମକୁ ଆଦେଶ ଦେଇଛନ୍ତି। 43ସବୁ ଭାବବାଦୀ ତାହାଙ୍କ ବିଷୟରେ ଏହି କଥା ସାକ୍ଷ୍ୟ ଦିଅନ୍ତି-ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ତାହାଙ୍କ ନାମରେ ପାପକ୍ଷମା ପାଏ।”
44ପିତର ଏହିସମସ୍ତ କଥା କହୁଥିବା ବେଳେ, ଯେତେ ଲୋକ ବାର୍ତ୍ତା ଶୁଣୁଥିଲେ ସେସମସ୍ତଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ। 45ଯେଉଁ ସୁନ୍ନତ ବିଶ୍ୱାସୀମାନେ ପିତରଙ୍କ ସହିତ ଆସିଥିଲେ ଅଣଯିହୁଦୀମାନଙ୍କ ଉପରେ ମଧ୍ୟ ପବିତ୍ରଆତ୍ମାଙ୍କ ଦାନ ବର୍ଷଣ ହେବାର ଦେଖି ଆଚମ୍ବିତ ହେଲେ। 46କାରଣ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବାର ଓ ଈଶ୍ୱରଙ୍କ ସ୍ତୁତି କରୁଥିବାର ସେମାନେ ଶୁଣିଲେ।
ଏଉତ୍ତାରେ ପିତର କହିଲେ, 47“ଏହି ଲୋକମାନେ ଜଳରେ ଡୁବନ ନେବା ବିଷୟରେ କେହି କଅଣ ବାଧା ଦେଇପାରେ। କାରଣ ସେମାନେ ତ ଠିକ ଆମ ପରି ପବିତ୍ରଆତ୍ମଙ୍କୁ ପ୍ରାପ୍ତ ହୋଇଛନ୍ତି!” 48ତେଣୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେମାନଙ୍କୁ ଡୁବନ ଦେବାକୁ ସେ ଆଦେଶ ଦେଲେ। ସେମାନଙ୍କ ସଙ୍ଗେ କିଛିଦିନ ରହିବା ପାଇଁ ସେମାନେ ପିତରଙ୍କୁ ଅନୁରୋଧ କଲେ।