ପ୍ରେରିତ 8
8
ମଣ୍ଡଳୀ ପ୍ରତି ନିର୍ଯ୍ୟାତନା
1ଶାଉଲ ସେଠାରେ ରହି ସ୍ତିଫାନଙ୍କ ପ୍ରାଣନାଶକୁ ସମର୍ଥନ ଜଣାଉଥିଲେ।
ସେହିଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଘୋର ନିର୍ଯ୍ୟାତନା ଆସିଲା, ଏବଂ ପ୍ରେରିତଶିଷ୍ୟମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସମଗ୍ର ଯିହୁଦା ଓ ଶମରିଆରେ ଛିନ୍ନଭିନ୍ନ ହେଲେ। 2କେତେକ ଈଶ୍ୱରପରାୟଣ ବ୍ୟକ୍ତି ସ୍ତିଫାନଙ୍କୁ କବର ଦେଲେ ଏବଂ ତାଙ୍କ ପାଇଁ ଗଭୀର ଶୋକ କଲେ। 3କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଆରମ୍ଭ କଲେ। ସେ ଘରେ ଘରେ ପଶି, ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣି ନେଇ କାରାଗାରରେ ନିକ୍ଷେପ କଲେ।
ଶମରିଆରେ ଫିଲିପ
4ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ ସେମାନେ ଯେଉଁଆଡ଼େ ଗଲେ ସେହି ଆଡ଼େ ବାକ୍ୟ ପ୍ରଚାର କଲେ। 5ଫିଲିପ ଶମରିଆର ଏକ ନଗରକୁ ଯାଇ ସେଠାରେ ଖ୍ରୀଷ୍ଟଙ୍କ ବିଷୟ ଘୋଷଣା କଲେ। 6ଯେତେବେଳେ ଲୋକସମୂହ ଫିଲିପଙ୍କ କଥା ଶୁଣିଲେ ଓ ତାଙ୍କ ଦ୍ଵାରା ସାଧିତ ଆଲୌକିକ କର୍ମସବୁ ଦେଖିଲେ, ସେମାନେ ତାଙ୍କ କଥାରେ ମନୋଯୋଗ କଲେ। 7ଅନେକଙ୍କ ମଧ୍ୟରୁ, ଭୂତାତ୍ମାମାନେ ଚିତ୍କାର କରି ବାହାରିଗଲେ, ଏବଂ ଅନେକ ପକ୍ଷାଘାତ ରୋଗୀ ଓ ଖଞ୍ଜ ଲୋକେ ସୁସ୍ଥ ହେଲେ। 8ତେଣୁ ସେହି ନଗରରେ ମହାଆନନ୍ଦ ଖେଳିଗଲା।
ଯାଦୁକର ଶିମୋନ
9ଶିମୋନ ନାମକଜଣେ ଲୋକ କିଛିକାଳ ଧରି ସେହି ନଗରରେ ଯାଦୁବିଦ୍ୟା ଦ୍ଵାରା ଶମରିଆର ଲୋକ-ମାନଙ୍କୁ ଆଚମ୍ବିତ କରି ରଖିଥିଲା। ସେ ନିଜକୁ ଜଣେ ମହାପୁରୁଷ ବୋଲାଇ ଦର୍ପ କରୁଥିଲା, 10ପୁଣି, ଉଚ୍ଚ, ନୀଚ ସବୁଲୋକ ତାକୁ ମାନ୍ୟ କରି କହୁଥିଲେ, “ଏ ହେଉଛି ସେହି ଦିବ୍ୟ ଶକ୍ତି ଯାହାକୁ ମହାଶକ୍ତି କୁହାଯାଏ।” 11ସେ ନିଜ କୁହୁକ ବଳରେ ବହୁକାଳ ଧରି ଲୋକମାନଙ୍କୁ ଆଚମ୍ବିତ କରି ରଖିଥିବାରୁ ସେମାନେ ତାକୁ ମାନ୍ୟ କରୁଥିଲେ। 12କିନ୍ତୁ ଫିଲିପ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ପ୍ରଚାର କରିବାରୁ ସେମାନେ ତାଙ୍କ କଥା ବିଶ୍ୱାସ କଲେ, ଏବଂ ପୁରୁଷ ଓ ସ୍ତ୍ରୀ ଉଭୟେ, ଡୁବନ ନେଲେ। 13ଶିମୋନ ନିଜେ ମଧ୍ୟ ବିଶ୍ୱାସ କଲା ଏବଂ ଡୁବନ ନେଲା। ଫିଲିପ ଯେଉଁଆଡ଼େ ଗଲେ ସେ ତାଙ୍କର ପଛେ ପଛେ ଗଲା, ଓ ଯେଉଁସବୁ ମହତ୍ ଚିହ୍ନ ଓ ଅଲୌକିକ କର୍ମ ଦେଖିଲା ସେଥିରେ ଚମତ୍କୃତ ହେଲା।
14ଶମରିଆବାସୀ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମର ପ୍ରେରିତ ଶିଷ୍ୟମାନେ ଯେତେବେଳେ ଶୁଣିଲେ, ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। 15ସେମାନେ ଯାଇ ସେଠାର ଲୋକମାନେ ଯେପରି ପବିତ୍ରଆତ୍ମଙ୍କୁ ପାଇବେ, ଏଥିନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, 16କାରଣ ସେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ପବିତ୍ରଆତ୍ମା ଅବତୀର୍ଣ୍ଣ ହୋଇ ନ ଥିଲେ; ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ଡୁବନ ଗ୍ରହଣ କରିଥିଲେ। 17ଏଉତ୍ତାରେ ପିତର ଓ ଯୋହନ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ସେମାନେ ପବିତ୍ରଆତ୍ମଙ୍କୁ ଲାଭ କଲେ।
18ଶିମୋନ ଯେତେବେଳେ ଦେଖିଲା ଯେ ପ୍ରେରିତ ଶିଷ୍ୟମାନେ ହସ୍ତାର୍ପଣ କରିବାରୁ ଆତ୍ମା ଦତ୍ତ ହେଉଛନ୍ତି, ସେ ସେମାନଙ୍କୁ ଟଙ୍କା ଯାଚି କହିଲା 19“ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯାହା ଉପରେ ହସ୍ତାର୍ପଣ କରିବି ସେ ପବିତ୍ରଆତ୍ମଙ୍କୁ ପାଇବ।”
20ପିତର ଉତ୍ତର ଦେଲେ: “ତୁମ ଟଙ୍କା ତୁମ ସହିତ ନଷ୍ଟ ହେଉ, କାରଣ ତୁମେ ଈଶ୍ୱରଙ୍କ ଦାନ ଟଙ୍କା ଦେଇ କିଣି ପାରିବ ବୋଲି ଭାବିଲ! 21ଏହି ସେବାକାର୍ଯ୍ୟରେ ତୁମର କୌଣସି ଅଂଶ କି ଭାଗ ନାହିଁ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ତୁମର ହୃଦୟ ଯଥାର୍ଥ ନୁହେଁ। 22ଅତଏବ ତୁମର ଏହି ଦୁଷ୍ଟ ବୁଦ୍ଧି ପାଇଁ ଅନୁତାପ କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ତା ହେଲେ ତୁମ ହୃଦୟର ଏପ୍ରକାର ଚିନ୍ତା ପାଇଁ ସେ ହୁଏତ ତୁମକୁ କ୍ଷମା କରିବେ। 23କାରଣ ମୁଁ ଦେଖୁଅଛି ଯେ ତୁମ ହୃଦୟରେ ତିକ୍ତଭାବ ପୂର୍ଣ୍ଣମାତ୍ରାରେ ଅଛି ଓ ତୁମେ ପାପର ବନ୍ଧନରେ ଆବଦ୍ଧ ରହିଅଛ।”
24ଶିମୋନ ଉତ୍ତର ଦେଲା, “ମୋ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଆପଣମାନେ ଯାହା ଯାହା କହିଲେ ତାହା ଯେପରି ମୋ ପ୍ରତି ନ ଘଟେ।”
25ପିତର ଓ ଯୋହନ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କର ବାକ୍ୟ ଘୋଷଣା କରି, ଯିରୂଶାଲମକୁ ଫେରିଯିବା ସମୟରେ, ଶମରିଆର ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ଫିଲିପ ଓ ଇଥିଓପିଆର କୋଷାଧ୍ୟକ୍ଷ
26ଏହାପରେ ପ୍ରଭୁଙ୍କର ଜଣେ ଦୂତ ଫିଲିପଙ୍କୁ କହିଲେ, “ଦକ୍ଷିଣରେ ଯେଉଁ ରାସ୍ତା ଯିରୂଶାଲମରୁ ଗାଜା ଆଡ଼କୁ ଯାଇଛି, ସେହି ମରୁଭୂମି ରାସ୍ତାରେ ଯାଅ।” 27ଅତଏବ ସେ ବାହାରିଲେ, ଏବଂ ବାଟରେ ଜଣେ ଇଥିଓପୀୟ ନପୁଂସକଙ୍କର ଦେଖା ପାଇଲେ, ଏହି ବ୍ୟକ୍ତି ଇଥିଓପିଆର ରାଣୀ କାଣ୍ଡାସିଙ୍କର ସମଗ୍ର ରାଜକୋଷର ଦାୟିତ୍ଵରେ ଥିବା, ଜଣେ ଉଚ୍ଚପଦସ୍ଥ ରାଜକର୍ମଚାରୀ ଥିଲେ। ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଯାଇଥିଲେ, 28ଏବଂ ଘରକୁ ବାହୁଡ଼ିବା ସମୟରେ ନିଜ ରଥରେ ବସି ଭାବବାଦୀ ଯିଶାଇୟଙ୍କ ପୁସ୍ତକ ପାଠ କରୁଥିଲେ। 29ସେତିକିବେଳେ ଆତ୍ମା ଫିଲିପଙ୍କୁ କହିଲେ, “ସେହି ରଥ ନିକଟକୁ ଯାଅ ଓ ତାହାର ପାଖେ ପାଖେ ଚାଲ।”
30ତହୁଁ ଫିଲିପ ରଥ ନିକଟକୁ ଦୈଡ଼ିଗଲେ ଓ ସେହି ବ୍ୟକ୍ତି ଭାବବାଦୀ ଯିଶାଇୟଙ୍କ ପୁସ୍ତକ ପାଠ କରୁଥିବାର ଶୁଣିଲେ। ଫିଲିପ ପଚାରିଲେ, “ଆପଣ ଯାହା ପଢ଼ୁଛନ୍ତି ତାହା କଅଣ ବୁଝି ପାରୁଛନ୍ତି?”
31ସେ କହିଲେ, “କେହି ମୋତେ ବୁଝାଇ ନ ଦେଲେ, ମୁଁ କିପରି ବୁଝିବି?” ତେଣୁ ରଥ ଉପରକୁ ଯାଇ ତାଙ୍କ ସହିତ ବସିବାକୁ ସେ ଫିଲିପଙ୍କୁ ଡାକିଲେ।
32ସେହି ନପୁଂସକ ଧର୍ମଶାସ୍ତ୍ରର ଏହି ଅଂଶଟି ପାଠ କରୁଥିଲେ:
“ବଧସ୍ଥଳୀକୁ ନିଆ ଯିବା ମେଷ ପରି ସେ ନିଆଗଲେ,
ଓ ଲୋମ ଚ୍ଛେଦକମାନଙ୍କ ସମ୍ମୁଖରେ ମେଷଶାବକ ଯେପରି ନୀରବ,
ସେ ସେହିପରି ମୁଖ ଫିଟାଇଲେ ନାହିଁ।
33ସେ ଅପମାନିତ ହେଲେ ଓ ନ୍ୟାୟରୁ ବଞ୍ଚିତ ହେଲେ।
ତାହାଙ୍କ ସମୟର ଲୋକମାନଙ୍କ ବିଷୟ କିଏ ବର୍ଣ୍ଣନା କରିପାରେ?
କାରଣ ତାହାଙ୍କ ଜୀବନ ପୃଥିବୀରୁ ଅପସାରିତ ହେଲା।”
34ସେହି ନପୁଂସକ ଫିଲିପଙ୍କୁ ପଚାରିଲେ, “ଦୟାକରି ମୋତେ, କୁହନ୍ତୁ ତ, ଭାବବାଦୀ କାହା ବିଷୟରେ ଏହା କହୁଛନ୍ତି ନିଜ ବିଷୟରେ, ନା ଆଉ କାହା ବିଷୟରେ?” 35ତହୁଁ ଫିଲିପ ଧର୍ମଶାସ୍ତ୍ରର ସେହି ଅଂଶରୁ ଆରମ୍ଭ କରି ଯୀଶୁଙ୍କ ବିଷୟକ ଶୁଭବାର୍ତ୍ତା ତାଙ୍କୁ କହିଲେ।
36ସେମାନେ ରାସ୍ତାରେ ଯାତ୍ରା କରୁ କରୁ, ଏକ ଜଳାଶୟ ନିକଟରେ ପହଞ୍ଚିଲେ ଏବଂ ନପୁଂସକ କହିଲେ, “ହେଇ ଦେଖନ୍ତୁ, ଏଇଠି ଜଳ ଅଛି। ମୋର ଡୁବନ ଗ୍ରହଣ କରିବାରେ କଅଣ ବାଧା ଅଛି?” 37ଫିଲିପ କହିଲେ, “ଆପଣ ଯଦି ସର୍ବାନ୍ତଃକରଣରେ ବିଶ୍ୱାସ କରନ୍ତି ତେବେ ଗ୍ରହଣ କରିପାରନ୍ତି।” ସେହି ରାଜକର୍ମଚାରୀ କହିଲେ, “ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର ଏହା ମୁଁ ବିଶ୍ୱାସ କରୁଛି।” 38ନପୁଂସକ ରଥ ଅଟକାଇବାକୁ ଆଦେଶ ଦେଲେ। ତା ପରେ ଫିଲିପ ଓ ନପୁଂସକ ଉଭୟେ ଜଳ ମଧ୍ୟରେ ପ୍ରବେଶ କଲେ ଏବଂ ଫିଲିପ ତାଙ୍କୁ ଡୁବନ ଦେଲେ। 39ସେମାନେ ଯେତେବେଳେ ଜଳ ମଧ୍ୟରୁ ଉଠି ଆସିଲେ, ପ୍ରଭୁଙ୍କର ଆତ୍ମା ହଠାତ୍ ଫିଲିପଙ୍କୁ ନେଇଗଲେ, ଏବଂ ନପୁଂସକ ତାଙ୍କୁ ଆଉ ଦେଖିଲେ ନାହିଁ, କିନ୍ତୁ ଆନନ୍ଦ ମନରେ ନିଜ ବାଟରେ ଚାଲିଗଲେ। 40କିନ୍ତୁ ଫିଲିପ, ଆଜୋଟସ୍ରେ ଦେଖାଗଲେ, ଏବଂ କାଇସରିଆରେ ପହଞ୍ଚିବା ପର୍ଯ୍ୟନ୍ତ ବାଟରେ ଯାଉଁ ଯାଉଁ, ସବୁ ସହରରେ ସୁସମାଚାର ପ୍ରଚାର କଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.