Skip to content
Bible App logo

ପ୍ରେରିତ 7

7
ମହାସଭାରେ ସ୍ତିଫାନଙ୍କ ଉଦ୍‌ବୋଧନ
1ଏଉତ୍ତାରେ ମହାଯାଜକ ସ୍ତିଫାନଙ୍କୁ ପ୍ରଶ୍ନ କଲେ, “ଏହି ଅଭିଯୋଗଗୁଡ଼ିକ କଅଣ ସତ୍ୟ?”
2ଏହାର ଉତ୍ତରରେ ସେ କହିଲେ: “ଭ୍ରାତୃବୃନ୍ଦ ଓ ପିତୃବର୍ଗ, ମୋ କଥା ଶୁଣନ୍ତୁ! ଆମର ପିତୃପୁରୁଷ ଅବ୍ରହାମ ହାରଣରେ ବାସ କରିବା ପୂର୍ବରୁ ଯେତେବେଳେ ସେ ମେସପଟମିଆରେ ଥିଲେ, ସେତେବେଳେ ଗୌରବମୟ ଈଶ୍ୱର ତାଙ୍କୁ ଦର୍ଶନ ଦେଲେ। 3ଈଶ୍ୱର କହିଲେ, ‘ତୁମେ ସ୍ଵଦେଶ ଓ ସ୍ଵଜନମାନଙ୍କୁ ଛାଡ଼ି, ମୁଁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଚାଲିଯାଅ।’
4“ଅତଏବ ସେ କଲଦୀୟମାନଙ୍କ ଦେଶ ପରିତ୍ୟାଗ କରି ହାରଣରେ ବସବାସ କଲେ। ତାଙ୍କର ପିତାଙ୍କ ମୃତ୍ୟୁ ପରେ, ଏହି ଯେଉଁ ଦେଶରେ ଆପଣମାନେ ବର୍ତ୍ତମାନ ବାସ କରୁଛନ୍ତି ଈଶ୍ୱର ତାଙ୍କୁ ସେହି ଦେଶକୁ ପଠାଇଲେ। 5କିନ୍ତୁ ଅଧିକାର ସ୍ଵରୂପେ ଈଶ୍ୱର ତାଙ୍କୁ ଏଠାରେ କୌଣସି ଭୂସମ୍ପତ୍ତି, ଏପରିକି ପାଦେ ଭୂମି ସୁଦ୍ଧା ଦେଲେ ନାହିଁ। କିନ୍ତୁ ଅବ୍ରହାମ ସେତେବେଳେ ନିଃସନ୍ତାନ ଥିଲେ ସୁଦ୍ଧା, ସେ ଓ ତାଙ୍କ ପରେ ତାଙ୍କର ବଂଶଧରମାନେ ସେହି ଦେଶ ଅଧିକାର କରିବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ। 6ଈଶ୍ୱର ତାଙ୍କୁ ଏହିପରି କହିଥିଲେ: ‘ତୁମର ବଂଶଧରମାନେ ବିଦେଶରେ ବାସ କରିବେ, ଏବଂ ସେଠାର ଲୋକେ ଚାରିଶହ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ କ୍ରୀତଦାସ କରି ଦୁର୍ବ୍ୟବହାର କରିବେ। 7ଈଶ୍ୱର କହିଲେ, କିନ୍ତୁ ସେମାନେ ଯେଉଁ ଜାତିର ଦାସ ହେବେ ମୁଁ ସେହି ଜାତିର ବିଚାର କରିବି, ପୁଣି, ତା ଉତ୍ତାରେ ସେମାନେ ସେହି ଦେଶରୁ ବାହାରି ଆସି ଏହି ସ୍ଥାନରେ ମୋର ଉପାସନା କରିବେ।’ 8ତହୁଁ ସେ ଅବ୍ରହାମଙ୍କୁ ସୁନ୍ନତ-ବିଧି ପ୍ରଦାନ କଲେ। ଆଉ ଅବ୍ରହାମ ଇସ୍‌ହାକଙ୍କର ପିତା ହେଲେ ଓ ଇସ୍‌ହାକଙ୍କ ଜନ୍ମର ଆଠ ଦିନ ପରେ ତାଙ୍କୁ ସୁନ୍ନତ କଲେ। ପରେ ଇସ୍‌ହାକ ଯାକୁବଙ୍କ ପିତା, ଏବଂ ଯାକୁବ ବାର ପିତୃପ୍ରଧାନଙ୍କର ପିତା ହେଲେ।
9“କିନ୍ତୁ ପିତୃପ୍ରଧାନମାନେ ଯୋସେଫଙ୍କ ପ୍ରତି ଈର୍ଷାନ୍ୱିତ ହୋଇ, ତାଙ୍କୁ କ୍ରୀତଦାସ ରୂପେ ମିଶରକୁ ବିକ୍ରୟ କଲେ। ମାତ୍ର ଈଶ୍ୱର ତାଙ୍କର ସହିତ ଥିଲେ 10ଏବଂ ତାଙ୍କର ସବୁ ଦୁର୍ଗତିରୁ ତାଙ୍କୁ ରକ୍ଷା କଲେ। ମିଶରର ରାଜା ଫାରୋଙ୍କର କରୁଣା ଲାଭ କରିବାକୁ ଈଶ୍ୱର ତାଙ୍କୁ ଜ୍ଞାନ ପ୍ରଦାନ କଲେ। ତେଣୁ ଫାରୋ ତାଙ୍କୁ ମିଶର ଦେଶରେ ତଥା ତାଙ୍କର ସମଗ୍ର ପ୍ରାସାଦରେ କର୍ତ୍ତା ରୂପେ ନିଯୁକ୍ତ କଲେ।
11“ଏଉତ୍ତାରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ି, ଘୋର ଦୁଃଖକ୍ଳେଶ ଆସିଲା, ଏବଂ ଆମ ପିତୃପୁରୁଷମାନେ ଖାଦ୍ୟ ପାଇଲେ ନାହିଁ। 12ମିଶରରେ ଖାଦ୍ୟଶସ୍ୟ ମିଳୁଛି ବୋଲି ଶୁଣିପାରି ଯାକୁବ ଆମର ପିତୃପୁରୁଷମାନଙ୍କୁ ପଠାଇଲେ, ଏହା ଥିଲା ସେମାନଙ୍କର ପ୍ରଥମ ଯାତ୍ରା। 13ସେମାନେ ଦ୍ୱିତୀୟ ଥର ଗଲାବେଳେ, ଯୋସେଫ ଭାଇମାନଙ୍କୁ ନିଜର ପରିଚୟ ଦେଲେ, ପୁଣି ଯୋସେଫଙ୍କ ପରିବାର ବିଷୟରେ ଫାରୋ ଅବଗତ ହେଲେ। 14ଏହାପରେ, ଯୋସେଫ ନିଜ ପିତାଙ୍କୁ ଓ ତାଙ୍କର ସମୁଦାୟ ପରିବାରକୁ ନେଇ ଆସିବା ପାଇଁ ଲୋକ ପଠାଇଲେ, ସେମାନେ ସର୍ବମୋଟ ପଞ୍ଚସ୍ତରି ଜଣ ଥିଲେ। 15ତହିଁରେ ଯାକୁବ ମିଶର ଦେଶକୁ ଗଲେ, ଓ ସେହିଠାରେ ମଧ୍ୟ ସେ ଓ ଆମର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ। 16ସେମାନଙ୍କ ମରଶରୀରଗୁଡ଼ିକ ଶିଖିମକୁ ଅଣାଗଲା ଏବଂ ହାମୋରର ପୁତ୍ରମାନଙ୍କ ନିକଟରୁ ଅବ୍ରହାମ ମୂଲ୍ୟ ଦେଇ କିଣିଥିବା ସମାଧିରେ ରଖାଗଲା।
17“ଈଶ୍ୱର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସଫଳ ହେବାର ସମୟ ନିକଟ ହୋଇ ଆସିଲା ବେଳକୁ ମିଶରରେ ଆମ ଲୋକମାନଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଥିଲା। 18ତତ୍ପରେ, ଯୋସେଫଙ୍କ ବିଷୟ ଜାଣି ନ ଥିବା, ‘ଜଣେ ରାଜା ମିଶରର ଶାସକ ହେଲେ।’ 19ସେ ଆମ ଲୋକଙ୍କ ସଙ୍ଗରେ ଖଳ ବ୍ୟବହାର କଲେ ଏବଂ ନବଜାତ ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକାଇ ଦେବାକୁ ବାଧ୍ୟ କରି ସେମାନଙ୍କ ପ୍ରତି ଅତ୍ୟାଚାର କଲେ।
20“ସେହି ସମୟରେ ମୋଶା ଜନ୍ମଗ୍ରହଣ କଲେ, ଏବଂ ସେ ଦିବ୍ୟ ସୁନ୍ଦର ଥିଲେ। ନିଜ ପିତାଙ୍କ ଗୃହରେ ସେ ତିନିମାସ ପର୍ଯ୍ୟନ୍ତ ପ୍ରତିପାଳିତ ହେଲେ। 21ପରେ ଯେତେବେଳେ ତାଙ୍କୁ ବାହାରେ ରଖି ଦିଆଗଲା, ଫାରୋଙ୍କର କନ୍ୟା ତାଙ୍କୁ ଉଠାଇ ନେଇ ନିଜ ପୁତ୍ର ରୂପେ ପ୍ରତିପାଳନ କଲେ। 22ମୋଶା ମିଶରୀୟମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇଥିଲେ ଏବଂ ବାକ୍ୟରେ ଓ କର୍ମରେ ବିକ୍ରମୀ ଥିଲେ।
23“ମୋଶାଙ୍କୁ ଯେତେବେଳେ ଚାଳିଶ ବର୍ଷ ହୋଇଥିଲା, ସେତେବେଳେ ସେ ନିଜ ଜାତିଭାଇ, ଇସ୍ରାଏଲୀୟମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କଲେ। 24ସେମାନଙ୍କ ମଧ୍ୟରୁ ଜଣକ ପ୍ରତି ଏକ ମିଶରୀୟ ଦୁର୍ବ୍ୟବହାର କରୁଥିବାର ଦେଖି, ସେ ତାହାର ସପକ୍ଷ ହେଲେ ଏବଂ ମିଶରୀୟକୁ ହତ୍ୟା କରି ପ୍ରତିଶୋଧ ନେଲେ। 25ଈଶ୍ୱର ଯେ ତାଙ୍କ ନିଜ ଲୋକମାନଙ୍କୁ ଉଦ୍ଧାର କରିବାକୁ ମୋଶାଙ୍କୁ ବ୍ୟବହାର କରୁଛନ୍ତି ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ। 26ପରବର୍ତ୍ତୀ ଦିନ ଦୁଇଜଣ ଇସ୍ରାଏଲୀୟ ଝଗଡା ହେଉଥିବାର ମୋଶା ଦେଖିଲେ। ସେ ସେମାନଙ୍କ ମଧ୍ୟରେ ମିଳାମିଶା କରିବାକୁ ଚେଷ୍ଟା କରି କହିଲେ, ‘ହେ ଲୋକମାନେ, ତୁମେମାନେ ପରା ଭାଇ; କାହିଁକି ପରସ୍ପରକୁ ଆଘାତ କରିବାକୁ ଚାହୁଁଛ?’
27“କିନ୍ତୁ ଯେଉଁ ଲୋକ ଅନ୍ୟଜଣଙ୍କ ପ୍ରତି ଦୁର୍ବ୍ୟବହାର କରୁଥିଲା ସେ ମୋଶାଙ୍କୁ ଠେଲି ଦେଇ କହିଲା, ‘କିଏ ତୁମକୁ ଆମ ଉପରେ ଶାସକ ଓ ବିଚାରକ ରୂପେ ନିଯୁକ୍ତ କଲା? 28ଗତକାଲି ଯେପରି ସେହି ମିଶରୀୟକୁ ହତ୍ୟା କଲ ମୋତେ କଅଣ ସେପରି ହତ୍ୟା କରିବାକୁ ଚାହୁଁଛ?’ 29ମୋଶା ଏ କଥା ଶୁଣିବା ପରେ, ମିଦିୟନ ଦେଶକୁ ପଳାଇଗଲେ, ଓ ସେଠାରେ ବିଦେଶୀ ଭାବରେ ବାସ କରୁଥିବା ବେଳେ ତାଙ୍କର ଦୁଇ ପୁତ୍ର ଜନ୍ମ ହୋଇଥିଲେ।
30“ଚାଳିଶ ବର୍ଷ ବିତିଗଲା ପରେ, ସିନାଇ ପର୍ବତ ନିକଟସ୍ଥ ମରୁପ୍ରାନ୍ତରରେ ଜଣେ ସ୍ଵର୍ଗଦୂତ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31ସେହି ଦୃଶ୍ୟ ଦେଖି ମୋଶା ଆଚମ୍ବିତ ହେଲେ। ଆଉଟିକେ ଭଲ ରୂପେ ଦେଖିବା ପାଇଁ ସେ ଯେତେବେଳେ ନିକଟକୁ ଗଲେ, ପ୍ରଭୁଙ୍କର ସ୍ଵର ଶୁଣିଲେ: 32‘ମୁଁ ତୁମ ପିତୃପୁରୁଷମାନଙ୍କର ଈଶ୍ୱର, ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ୱର।’ ଭୟରେ ଥରହର ହୋଇ ମୋଶା ଅନାଇବାକୁ ସାହସ କଲେ ନାହିଁ।
33“ତତ୍ପରେ ପ୍ରଭୁ ତାଙ୍କୁ କହିଲେ, ‘ତୁମର ପାଦୁକା କାଢ଼, ତୁମେ ଯେଉଁ ସ୍ଥାନରେ ଠିଆ ହୋଇଛ ତାହା ପବିତ୍ର ଭୂମି। 34ମିଶରରେ ମୁଁ ମୋର ଲୋକମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଅବଶ୍ୟ ଦେଖିଛି। ମୁଁ ସେମାନଙ୍କର ଆର୍ତ୍ତନାଦ ଶୁଣିଛି ଓ ସେମାନଙ୍କୁ ମୁକ୍ତ କରିବାକୁ ଓହ୍ଲାଇ ଆସିଛି। ଏବେ ଆସ, ମୁଁ ତୁମକୁ ପୁନର୍ବାର ମିଶର ଦେଶକୁ ପଠାଇବି।’
35“ଏ ହେଉଛନ୍ତି ସେହି ମୋଶା ଯାହାଙ୍କୁ ସେମାନେ ଅଗ୍ରାହ୍ୟ କରି ଏହି କଥା କହିଥିଲେ, ‘କିଏ ତୁମକୁ ଶାସକ ଓ ବିଚାରକ କରି ନିଯୁକ୍ତ କଲା?’ ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ସ୍ଵୟଂ ଈଶ୍ୱର ତାଙ୍କୁ ହିଁ ସେମାନଙ୍କର ଶାସକ, ଓ ଉଦ୍ଧାରକର୍ତ୍ତା କରି ପଠାଇଲେ। 36ସେ ସେମାନଙ୍କୁ ମିଶରରୁ ବାହାର କରି କଢ଼ାଇ ନେଲେ ଏବଂ ମିଶରରେ, ଲୋହିତ ସାଗରରେ ଓ ଚାଳିଶ ବର୍ଷ ମରୁପ୍ରାନ୍ତରରେ ନାନାଦି ଆଶ୍ଚର୍ଯ୍ୟ କାର୍ଯ୍ୟ ଓ ଅଲୌକିକ କର୍ମ ସାଧନ କଲେ।
37“ଏହି ମୋଶା ହିଁ ଇସ୍ରାଏଲୀୟମାନଙ୍କୁ କହିଥିଲେ, ‘ତୁମ ନିଜ ଲୋକଙ୍କ ମଧ୍ୟରୁ ଈଶ୍ୱର ମୋ ସଦୃଶ ଜଣେ ଭାବବାଦୀଙ୍କୁ ପଠାଇବେ।’ 38ସେ ମରୁପ୍ରାନ୍ତରରେ ସମାଜ ମଧ୍ୟରେ ଥାଇ, ଆମ ପିତୃପୁରୁଷମାନଙ୍କ ଏବଂ ସିନାଇ ପର୍ବତରେ ତାଙ୍କ ସହିତ କଥା କହିଥିବା ଦୂତଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ, ପୁଣି ସେ ଆମକୁ ଦେବା ନିମନ୍ତେ; ଅମୃତ ବାକ୍ୟ ଗ୍ରହଣ କଲେ।
39“କିନ୍ତୁ ଆମର ପିତୃପୁରୁଷମାନେ ତାଙ୍କୁ ମାନିବାକୁ ଅସମ୍ମତ ହୋଇ ଅଗ୍ରାହ୍ୟ କଲେ। ଏବଂ, ସେମାନଙ୍କର ମନ ମିଶରକୁ ଫେରିଗଲା। 40ସେମାନେ ହାରୋଣଙ୍କୁ କହିଲେ, ‘ଆମ ଆଗେ ଆଗେ ଯିବା ପାଇଁ ଆମ ନିମନ୍ତେ ଦେବତାମାନଙ୍କୁ ଗଢ଼ି ଦିଅ। କାରଣ ଏହି ଯେଉଁ ମୋଶା ଆମକୁ ମିଶରରୁ ବାହାର କରି ଆଣିଲେ ତାଙ୍କ ପ୍ରତି କଅଣ ଘଟିଛି ଆମେ ଜାଣି ନାହୁଁ!’ 41ସେହି ସମୟରେ ସେମାନେ ବାଛୁରୀ ଆକୄତିରେ ଏକ ମୂର୍ତ୍ତି ଗଢ଼ି ତା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଏବଂ ନିଜ ହସ୍ତନିର୍ମିତ ବସ୍ତୁରେ ଆନନ୍ଦଉତ୍ସବ କରିବାକୁ ଲାଗିଲେ। 42କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶର ଗ୍ରହନକ୍ଷେତ୍ରାଦି କୁ ପୂଜା କରିବାକୁ, ଛାଡ଼ିଦେଲେ। ଭାବବାଦୀମାନଙ୍କ ପୁସ୍ତକରେ ଯାହା ଲେଖାଅଛି ଏହା ତାଙ୍କୁ ସମର୍ଥନ କରୁଛି:
“ହେ ଇସ୍ରାଏଲୀୟ ବଂଶ, ଚାଳିଶ ବର୍ଷ ଧରି ମରୁପ୍ରାନ୍ତରରେ ତୁମ୍ଭେମାନେ
କଅଣ ମୋ ଉଦ୍ଦେଶ୍ୟରେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
43ବରଂ, ତୁମ୍ଭେମାନେ ପୂଜା କରିବାକୁ ଯେଉଁ ମୂର୍ତ୍ତି ଗୁଡ଼ିକ ଗଢ଼ିଛ
ସେହି ମୋଲେକର ପୂଜା ତମ୍ବୁ,
ଏବଂ ରେଫାନ୍ ଦେବତାର ନକ୍ଷେତ୍ରକୁ ନେଇ ମୁଣ୍ଡରେ ବସାଇଛ।
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ବାବିଲୋନର ସେ ପଟକୁ ନିର୍ବାସିତ କରିବି।
44“ମରୁପ୍ରାନ୍ତରରେ ଆମର ପିତୃପୁରୁଷମାନଙ୍କ ସହିତ ସମାଗମତମ୍ବୁ-ମନ୍ଦିର ଥିଲା। ଈଶ୍ୱର ମୋଶାଙ୍କୁ ଯେଉଁ ନିୟମ ନିର୍ଦ୍ଦେଶ ଦେଇଥିଲେ ଓ ମୋଶା ଯେଉଁ ନମୁନା ଦେଖିଥିଲେ, ତଦନୁସାରେ ତାହା ନିର୍ମିତ ହୋଇଥିଲା। 45ଆମ ପିତୃପୁରୁଷମାନେ ସମାଗମତମ୍ବୁ ପାଇଲେ, ଏବଂ ଈଶ୍ୱର ସେମାନଙ୍କ ସମ୍ମୁଖରୁ ବିତାଡ଼ିତ କରିଥିବା ଜାତି ଗୁଡ଼ିକର ଦେଶକୁ ସେମାନେ ଅଧିକାର କରି ଯିହୋଶୂୟଙ୍କ ନେତୃତ୍ଵରେ ସେଠାକୁ ନିଜ ସହିତ ନେଇଗଲେ। ଦାଉଦଙ୍କ ସମୟ ପର୍ଯ୍ୟନ୍ତ ତାହା ସେହିପରି ରହିଲା, 46ଦାଉଦ ଈଶ୍ୱରଙ୍କ ଅନୁଗ୍ରହ ଲାଭକରି ଯାକୁବଙ୍କ ଈଶ୍ୱରଙ୍କ ନିମନ୍ତେ ଏକ ନିବାସ ଯେପରି ପ୍ରସ୍ତୁତ କରିପାରିବେ ଏଥିପାଇଁ ପ୍ରାର୍ଥନା କଲେ। 47କିନ୍ତୁ ଶଲୋମନ ଈଶ୍ୱରଙ୍କ ନିମନ୍ତେ ମନ୍ଦିର ନିର୍ମାଣ କଲେ।
48“ତଥାପି ଯେ ସର୍ବୋପରିସ୍ଥ, ସେ ମନୁଷ୍ୟ ହସ୍ତନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଭାବବାଦୀ ଏହିପରି କହିଛନ୍ତି:
49“ ‘ସ୍ଵର୍ଗ ମୋର ସିଂହାସନ,
ଓ ପୃଥିବୀ ମୋର ପାଦପୀଠ।
ମୋ ପାଇଁ ତୁମ୍ଭେମାନେ କି ପ୍ରକାର ଗୃହ ନିର୍ମାଣ କରିବ?
ପ୍ରଭୁ କହନ୍ତି।
କିମ୍ବା ମୋର ବିଶ୍ରାମସ୍ଥଳ କେଉଁଠାରେ ହେବ?
50ଏସମସ୍ତ କଅଣ ମୋର ହସ୍ତ ନିର୍ମାଣ କରି ନାହିଁ?’
51“ହେ ଶକ୍ତଗ୍ରୀବ! ଅସୁନ୍ନତ ହୃଦୟ ଓ କର୍ଣ୍ଣବିଶିଷ୍ଟ ଲୋକମାନେ। ତୁମ୍ଭେମାନେ ଠିକ ତୁମ ପିତୃପୁରୁଷମାନଙ୍କ ପରି: ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ପ୍ରତିରୋଧ କରିଥାଅ! 52ଏପରି କୌଣସି ଭାବବାଦୀ କେବେ ଥିଲେ କି ଯାହାଙ୍କୁ ତୁମର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଏପରିକି ଧର୍ମସ୍ଵରୂପଙ୍କ ଆଗମନ ସମ୍ବନ୍ଧରେ ଯେଉଁମାନେ ଭାବବାଣୀ କହିଥିଲେ ସେମାନଙ୍କୁ ସୁଦ୍ଧା ସେମାନେ ହତ୍ୟା କଲେ। ଆଉ ଏବେ ତୁମ୍ଭେମାନେ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରି ତାହାଙ୍କୁ ବଧ କଲ। 53ତୁମ୍ଭେମାନେ ସ୍ଵର୍ଗଦୂତମାନଙ୍କ ମାଧ୍ୟମରେ ବିଧିବ୍ୟବସ୍ଥା ପାଇଥିଲେ ହେଁ ତାହା ପାଳନ କଲ ନାହିଁ।”
ପ୍ରସ୍ତରାଘାତରେ ସ୍ତିଫାନ ନିହତ
54ସେମାନେ ଯେତେବେଳେ ଏହା ଶୁଣିଲେ, କ୍ରୋଧାନ୍ଧ ହୋଇ ତାଙ୍କ ଆଡ଼େ ଅନାଇ ଦାନ୍ତ କଡ଼ମଡ଼ କଲେ। 55ମାତ୍ର ସ୍ତିଫାନ, ପବିତ୍ରଆତ୍ମରେ ପୂର୍ଣ୍ଣ ହୋଇ, ସ୍ଵର୍ଗଆଡ଼େ ଅନାଇ ଈଶ୍ୱରଙ୍କ ମହିମା, ଏବଂ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଦଣ୍ଡାୟମାନ ଦେଖିଲେ। 56ସେ କହିଲେ, “ଦେଖ, ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଦଣ୍ଡାୟମାନ ଦେଖୁଛି।”
57ତାହା ଶୁଣି ସେମାନେ କାନରେ ଆଙ୍ଗୁଳି ଦେଇ, ଖୁବ୍ ଚିତ୍କାର କରି, ସ୍ତିଫାନଙ୍କ ଆଡ଼କୁ ଦୈଡ଼ିଗଲେ। 58ତା ପରେ ତାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ଫୋପାଡ଼ିବାକୁ ଲାଗିଲେ। ଇତିମଧ୍ୟରେ, ସାକ୍ଷୀମାନେ ଶାଉଲ ନାମକଜଣେ ଯୁବକଙ୍କ ପାଦ ପାଖେ ନିଜ ନିଜର ବସ୍ତ୍ର ରଖିଥିଲେ।
59ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରିଲା ବେଳେ, ସେ ପ୍ରାର୍ଥନା କଲେ, “ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର।” 60ତତ୍ପରେ ସେ ଆଣ୍ଠୋଇ ପଡ଼ି ଉଚ୍ଚସ୍ଵରରେ କହିଲେ, “ପ୍ରଭୁ, ଏମାନଙ୍କ ଏହି ପାପ ଗଣନା ନାହିଁ।” ଏହା କହି, ସେ ଚିରନିଦ୍ରା ଲଭିଲେ।