Skip to content
Bible App logo

ପ୍ରେରିତ 6

6
ପ୍ରଥମ ସାତ ଦୀକନମାନଙ୍କର ମନୋନୟନ
1ସେହି ସମୟରେ ଯେତେବେଳେ ଶିଷ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ ଭାଷାଭାଷୀ ଯିହୁଦୀମାନେ ହିବ୍ରୁ ଭାଷାଭାଷୀ ଯିହୁଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଯେ ଦୈନିକ ଖାଦ୍ୟ ବିତରଣରେ ସେମାନଙ୍କ ବିଧବାମାନଙ୍କୁ ଅବହେଳା କରାଯାଉଛି। 2ତେଣୁ ଦ୍ଵାଦଶ ଶିଷ୍ୟ ସବୁ ଶିଷ୍ୟଙ୍କୁ ଏକତ୍ର କରି କହିଲେ, “ଖାଦ୍ୟ ପରିବେଷଣ କରିବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କାର୍ଯ୍ୟକୁ ହେଳା କରିବା ଆମର ଉଚିତ ନୁହେଁ। 3ଅତଏବ ଭାଇମାନେ, ତୁମମାନଙ୍କ ମଧ୍ୟରୁ ଏପରି ସାତ ଜଣ ବ୍ୟକ୍ତିଙ୍କୁ ମନୋନୀତ କର, ଯେଉଁମାନେ ଆତ୍ମାରେ ଓ ଜ୍ଞାନରେ ପରିପୂର୍ଣ୍ଣ ବୋଲି ସୁପରିଚିତ ହୋଇଥିବେ। ଆମେ ସେମାନଙ୍କୁ ଏହି କାର୍ଯ୍ୟର ଦାୟିତ୍ଵ ଅର୍ପଣ କରିବୁ 4କିନ୍ତୁ ଆମେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର କାର୍ଯ୍ୟରେ ମନୋନିବେଶ କରିବୁ।”
5ଏହି ପ୍ରସ୍ତାବ ଦଳର ସମସ୍ତଙ୍କୁ ସନ୍ତୁଷ୍ଟ କଲା। ସେମାନେ ବିଶ୍ୱାସରେ ଓ ପବିତ୍ରଆତ୍ମରେ ପୂର୍ଣ୍ଣ; ସ୍ତିଫାନ ନାମକଜଣେ ବ୍ୟକ୍ତିଙ୍କୁ, ଫିଲିପ, ପ୍ରଖୋରସ୍, ନିକାନୋର, ତୀମୋନ, ପର୍ମୋନାସ୍, ଏବଂ ଆଗରୁ ଯିହୁଦୀ ଧର୍ମରେ ଦୀକ୍ଷିତ ହୋଇଥିବା ଆଣ୍ଟିୟୋଖ ର, ନିକୋଲାସଙ୍କୁ ମନୋନୀତ କଲେ। 6ସେମାନେ ଏହି ବ୍ୟକ୍ତିମାନଙ୍କୁ ପ୍ରେରିତ-ଶିଷ୍ୟମାନଙ୍କ ସମ୍ମୁଖକୁ ଆଣିଲେ, ଏବଂ ପ୍ରେରିତ ଶିଷ୍ୟମାନେ ପ୍ରାର୍ଥନା ପୂର୍ବକ ଏମାନଙ୍କ ଉପରେ ହସ୍ତାର୍ପଣ କଲେ।
7ଏହିରୂପେ ଈଶ୍ୱରଙ୍କ ବାକ୍ୟ ପ୍ରସାର ଲାଭ କଲା। ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଲା, ଏବଂ ବହୁସଂଖ୍ୟକ ଯାଜକ ଏହି ଧର୍ମବିଶ୍ୱାସର ଅନୁଗତ ହେଲେ।
ସ୍ତିଫାନ ଧରାପଡିଲେ
8ସ୍ତିଫାନ, ଈଶ୍ୱରଙ୍କ ଅନୁଗ୍ରହ ଓ ଶକ୍ତିରେ ପୂର୍ଣ୍ଣ ହୋଇ, ଲୋକମାନଙ୍କ ମଧ୍ୟରେ ମହା ଆଶ୍ଚର୍ଯ୍ୟ କାର୍ଯ୍ୟ ଓ ଅଲୌକିକ କର୍ମମାନ ସାଧନ କଲେ। 9କିନ୍ତୁ ଯାହାକୁ ମୁକ୍ତ ଲୋକଙ୍କର ଉପାସନାଗୃହ କୁହାଯାଉଥିଲା, ତାହାର ସଭ୍ୟମାନେ ଏବଂ ସାଇରିନି, ଆଲେକ-ଜାଣ୍ଡ୍ରିଆ ଏବଂ ସିଲିସିଆ ଓ ଏସିଆ ପ୍ରଦେଶରେ ଯିହୁଦୀମାନେ ବିରୋଧ କରି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କରିବାକୁ ଆରମ୍ଭ କଲେ। 10ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ ସେମାନେ ତାହା ପ୍ରତିରୋଧ କରିପାରିଲେ ନାହିଁ।
11ତହୁଁ ସେମାନେ ଗୋପନରେ କେତେଜଣ ଲୋକଙ୍କୁ ଏହି କଥା କହିବାକୁ ମଣାଇଲେ, “ସ୍ତିଫାନ ମୋଶାଙ୍କ ବିରୁଦ୍ଧରେ ଓ ଈଶ୍ୱରଙ୍କ ବିରୁଦ୍ଧରେ ନିନ୍ଦାର କଥା କହିବାର ଆମେ ଶୁଣିଛୁ।”
12ଏହିରୂପେ ସେମାନେ ଲୋକଙ୍କୁ କୁଳବୃଦ୍ଧମାନଙ୍କୁ ଓ ବିଧିବ୍ୟବସ୍ଥାର ଉପାଧ୍ୟାୟମାନଙ୍କୁ ମତାଇଲେ। ଓ ସ୍ତିଫାନଙ୍କୁ ଧରି ମହାସଭାକୁ ଆଣିଲେ। 13ସେମାନେ ମିଥ୍ୟା ସାକ୍ଷୀମାନଙ୍କୁ ଉପସ୍ଥିତ କରାଇଲେ, ଓ ଏମାନେ ସାକ୍ଷ୍ୟ ଦେଇ କହିଲେ, “ଏହି ଲୋକ ପୁଣ୍ୟଧାମ ଓ ବିଧିବ୍ୟବସ୍ଥା ବିରୁଦ୍ଧରେ କଥା କହିବାରୁ କେବେ କ୍ଷାନ୍ତ ହୁଏ ନାହିଁ। 14କାରଣ ନାଜରିତର ଯୀଶୁ ଏହି ସ୍ଥାନକୁ ଧ୍ୱଂସ କରିଦେବେ ଓ ମୋଶା ଆମକୁ ଦେଇଥିବା ରୀତିନୀତିସବୁ ବଦଳାଇ ଦେବେ ବୋଲି ଏହି ଲୋକ କହୁଥିବାର ଆମେ ଶୁଣିଛୁ।”
15ଯେତେଜଣ ମହାସଭାରେ ବସିଥିଲେ ସମସ୍ତେ ସ୍ତିଫାନଙ୍କୁ ଏକଦୃଷ୍ଟିରେ ଚାହିଁଲେ, ଓ ଦେଖିଲେ ଯେ ତାଙ୍କର ମୁଖମଣ୍ଡଳ ସ୍ଵର୍ଗଦୂତଙ୍କ ମୁଖ ସଦୃଶ ହୋଇଥିଲା।