Skip to content
Bible App logo

ପ୍ରେରିତ 5

5
ହନନୀୟ ଓ ସଫୀରା
1ହନନୀୟ ନାମକ ଜଣେବ୍ୟକ୍ତି, ଓ ତାଙ୍କ ଭାର୍ଯ୍ୟା ସଫୀରା ମଧ୍ୟ ସେମାନଙ୍କ ଭୂସମ୍ପତ୍ତିର କିଛି ବିକ୍ରୟ କଲେ। 2ସେ ନିଜ ଭାର୍ଯ୍ୟାର ଜ୍ଞାତସାରରେ କିଛି ଅଂଶ ନିଜ ପାଇଁ ରଖି ନେଇ, ଅବଶିଷ୍ଟ ଧନ ଆଣି ପ୍ରେରିତଶିଷ୍ୟମାନଙ୍କ ପାଦତଳେ ଥୋଇଲେ।
3ତତ୍ପରେ ପିତର କହିଲେ, “ହନନୀୟ, ଶୟତାନ ତୁମ ହୃଦୟକୁ କିପରି ଏତେଦୂର ଅଧିକାର କଲା ଯେ ତୁମେ ପବିତ୍ରଆତ୍ମଙ୍କୁ ମିଥ୍ୟା କହିଲ ଓ ଜମିର ମୂଲ୍ୟ ସ୍ଵରୂପେ ପାଇଥିବା ଅର୍ଥରୁ କିଛି ନିଜ ପାଇଁ ରଖି ପକାଇଲ? 4ବିକ୍ରୀ ହେବା ପୂର୍ବରୁ ତାହା କଅଣ ତୁମ ନିଜର ନ ଥିଲା? ପୁଣି ବିକ୍ରୀ ହେବା ପରେ, ସେହି ଅର୍ଥ ଉପରେ ତୁମର କଅଣ ପୂର୍ଣ୍ଣ ଅଧିକାର ନ ଥିଲା? ତେବେ ତୁମେ ଏପ୍ରକାର କାର୍ଯ୍ୟ କରିବାକୁ କିପରି ଭାବି ପାରିଲ? ତୁମେ ଯେ ମନୁଷ୍ୟକୁ ମିଥ୍ୟା କହିଲ ତା ନୁହେଁ ମାତ୍ର ଈଶ୍ୱରଙ୍କୁ ମିଥ୍ୟା କହିଛ।”
5ହନନୀୟ ତାହା ଶୁଣି, ତଳେ ପଡ଼ିଗଲେ ଓ ପ୍ରାଣତ୍ୟାଗ କଲେ। ଯେଉଁମାନେ ସେହି ଘଟଣା ଶୁଣିଲେ ସେସମସ୍ତଙ୍କ ମଧ୍ୟରେ ମହା ଆତଙ୍କ ଖେଳିଗଲା। 6ଏହାପରେ ଯୁବକମାନେ ଆସି, ତାଙ୍କ ଶରୀରକୁ ଲୁଗାରେ ଗୁଡ଼ାଇଲେ, ଓ ବାହାରକୁ ନେଇଯାଇ ସମାଧି ଦେଲେ।
7ପ୍ରାୟ ତିନି ଘଣ୍ଟା ଉତ୍ତାରେ ହନନୀୟଙ୍କ ସ୍ତ୍ରୀ ଆସି ପହଞ୍ଚିଲା, କିନ୍ତୁ କଅଣ ଘଟିଥିଲା ତାହା ସେ କିଛି ଜାଣି ନ ଥିଲେ। 8ପିତର ତାଙ୍କୁ ପଚାରିଲେ, “ମୋତେ କୁହ ତ, ତୁମେ ଓ ହନନୀୟ କଅଣ ଏତିକି ମୂଲ୍ୟରେ ଜମି ବିକିଥିଲ?”
ସେ କହିଲେ, “ହଁ, ଏତିକି ତାହାର ମୂଲ୍ୟ।”
9ପିତର ତାଙ୍କୁ କହିଲେ, “ପ୍ରଭୁଙ୍କର ଆତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଦୁହେଁ କିପରି ଏକମତ ହୋଇପାରିଲ? ଦେଖ! ଯେଉଁମାନେ ତୁମର ସ୍ୱାମୀକୁ ସମାଧି ଦେଲେ ସେମାନଙ୍କ ପାଦ ଦ୍ଵାର ପାଖରେ ହେଲାଣି, ସେମାନେ ତୁମକୁ ମଧ୍ୟ ବାହାରକୁ ବହି ନେବେ।”
10ସେହି ମୁହୂର୍ତ୍ତରେ ସେ ପିତରଙ୍କ ପାଦ ପାଖେ ପଡ଼ି ପ୍ରାଣତ୍ୟାଗ କଲେ। ତହୁଁ ଯୁବକମାନେ ଆସି, ତାଙ୍କୁ ମୃତ ଦେଖି, ବାହାରକୁ ବହି ନେଲେ ଓ ତାଙ୍କ ସ୍ୱାମୀ ପାଖେ କବର ଦେଲେ। 11ସମଗ୍ର ମଣ୍ଡଳୀ ଓ ଯେଉଁମାନେ ଏହିସବୁ ଘଟଣା ଶୁଣିଲେ ସେସମସ୍ତଙ୍କ ମଧ୍ୟରେ ମହା ଆତଙ୍କ ଖେଳିଗଲା।
ପ୍ରେରିତଶିଷ୍ୟମାନଙ୍କ ଦ୍ଵାରା ଅନେକେ ସୁସ୍ଥ ହେଲେ
12ପ୍ରେରିତ ଶିଷ୍ୟମାନେ ଲୋକମାନଙ୍କ ମଧ୍ୟରେ ଅନେକ ଅଲୌକିକ କର୍ମ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କଲେ। ପୁଣି ସବୁ ବିଶ୍ୱାସୀ ଶଲୋମନ ମଣ୍ଡପରେ ସମବେତ ହେଉଥିଲେ। 13ଅନ୍ୟ କେହି ସେମାନଙ୍କ ସଙ୍ଗେ ଯୋଗ ଦେବାକୁ ସାହସ କରୁ ନ ଥିଲେ, ତଥାପି ଲୋକେ ସେମାନଙ୍କୁ ଅତ୍ୟନ୍ତ ମାନ୍ୟ କରୁଥିଲେ। 14ଏହାସତ୍ତ୍ୱେ, ଅଧିକରୁ ଅଧିକ ପୁରୁଷ ଓ ସ୍ତ୍ରୀ ପ୍ରଭୁଙ୍କଠାରେ ବିଶ୍ୱାସ କରି ମଣ୍ଡଳୀଭୁକ୍ତ ହେଲେ। 15ଫଳତଃ, ଲୋକମାନେ ରୋଗୀମାନଙ୍କୁ ଦାଣ୍ଡକୁ ବହି ଆଣି ଖଟ ଓ ମସିଣାରେ ଶୁଆଇ ଦେଉଥିଲେ ଯେପରି ପିତର ସେହିବାଟେ ଗଲାବେଳେ ଅନ୍ତତଃ ତାଙ୍କର ଛାଇ ସେମାନଙ୍କ ମଧ୍ୟରୁ କେତେକଙ୍କ ଉପରେ ପଡ଼ିବ। 16ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ସହରଗୁଡ଼ିକରୁ ବହୁସଂଖ୍ୟକ ଲୋକ, ସେମାନଙ୍କ ରୋଗୀମାନଙ୍କୁ ଓ ଭୂତାତ୍ମା ଦ୍ଵାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଜମା ହେଲେ, ପୁଣି ସମସ୍ତେ ଆରୋଗ୍ୟତା ଲାଭ କଲେ।
ପ୍ରେରିତଶିଷ୍ୟମାନଙ୍କ ପ୍ରତି ନିର୍ଯ୍ୟାତନା
17ତତ୍ପରେ ମହାଯାଜକ ଓ ତାଙ୍କର ଯେଉଁ ସହଯୋଗୀମାନେ, ସାଦ୍ଦୂକୀଦଳର ସଭ୍ୟ ଥିଲେ, ସେମାନେ ସମସ୍ତେ ଈର୍ଷାରେ ଜର୍ଜରିତ ହେଲେ। 18ସେମାନେ ପ୍ରେରିତଶିଷ୍ୟମାନଙ୍କୁ ଗିରଫ କରି ସାଧାରଣ ବନ୍ଦୀଶାଳାରେ ରଖିଲେ। 19କିନ୍ତୁ ରାତ୍ରିରେ ପ୍ରଭୁଙ୍କର ଜଣେ ଦୂତ କାରାଗାରର ଦ୍ଵାରସବୁ ଖୋଲିଦେଇ ସେମାନଙ୍କୁ ବାହାର କରି ଆଣିଲେ। 20ସେ କହିଲେ, “ଯାଅ, ମନ୍ଦିରପ୍ରାଙ୍ଗଣରେ ଠିଆ ହୋଇ, ଏହି ନୂତନ ଜୀବନ ସମ୍ଭନ୍ଧୀୟ ସବୁ କଥା ଲୋକମାନଙ୍କୁ କୁହ।”
21ସକାଳ ହେଲା ବେଳକୁ ସେମାନେ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କରି, ସେମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ଲୋକମାନଙ୍କୁ ଶିକ୍ଷାଦେବାକୁ ଆରମ୍ଭ କଲେ।
ଇତିମଧ୍ୟରେ ମହାଯାଜକ ଓ ତାଙ୍କର ସହଯୋଗୀମାନେ ଆସି, ମହାସଭା ଅର୍ଥାତ୍ ଇସ୍ରାଏଲର କୁଳବୃଦ୍ଧମାନଙ୍କର ପୂର୍ଣ୍ଣ ଅଧିବେଣନ ଡକାଇଲେ ସେମାନେ ପ୍ରେରିତଶିଷ୍ୟମାନଙ୍କୁ ଆଣିବା ପାଇଁ କାରାଗାରକୁ ଲୋକ ପଠାଇଲେ। 22କିନ୍ତୁ କାରାଗାରରେ ପହଞ୍ଚିଲାବେଳେ ଅଧିକାରୀମାନେ, ସେମାନଙ୍କୁ ସେଠାରେ ପାଇଲେ ନାହିଁ। ଅତଏବ ସେମାନେ ଫେରିଯାଇ ଏହି ଖବର ଦେଲେ, 23“ଆମେ ଦେଖିଲୁ ବନ୍ଦୀଶାଳା ଦୃଢ଼ଭାବେ ରୁଦ୍ଧ ଅଛି, ପ୍ରହରୀମାନେ ଦ୍ଵାର ପାଖେ ଠିଆ ହୋଇଛନ୍ତି; କିନ୍ତୁ ଦ୍ଵାର ଖୋଲି, ଭିତରେ କାହାକୁ ପାଇଲୁ ନାହିଁ।” 24ଏ ସମ୍ବାଦ ପାଇ ମନ୍ଦିର ପ୍ରହରୀଦଳର ଅଧ୍ୟକ୍ଷ ଓ ପ୍ରଧାନ ଯାଜକମାନେ ହତବୁଦ୍ଧି ହେଲେ ଓ ଏହାର ପରିଣାମ କଅଣ ହେବ, ସେହିବିଷୟ ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ଲାଗିଲେ।
25ଏପରି ସମୟରେ କେହି ଜଣେ ଆସି କହିଲା, “ଦେଖନ୍ତୁ! ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ ସେମାନେ ମନ୍ଦିରପ୍ରାଙ୍ଗଣରେ ଠିଆ ହୋଇ ଲୋକଙ୍କୁ ଶିକ୍ଷା ଦେଉଛନ୍ତି।” 26ତହିଁରେ, ସେହି ଅଧ୍ୟକ୍ଷ ତାଙ୍କର କର୍ମଚାରୀମାନଙ୍କ ସହିତ ଯାଇ ପ୍ରେରିତଶିଷ୍ୟମାନଙ୍କୁ ଆଣିଲେ। ସେମାନେ ବଳ ପ୍ରୟୋଗ କରି ନ ଥିଲେ, କାରଣ ଲୋକେ କାଳେ ସେମାନଙ୍କ ଉପରକୁ ପଥର ପକାଇବେ ଏହା ସେମାନଙ୍କର ଭୟ ଥିଲା।
27ପ୍ରେରିତଶିଷ୍ୟମାନଙ୍କୁ ଆଣି ସେମାନେ ମହାସଭା ସମ୍ମୁଖରେ ଉପସ୍ଥିତ କରାଇଲେ ମହାଯାଜକ ସେମାନଙ୍କୁ ପ୍ରଶ୍ନ କଲେ। 28“ଏହି ନାମରେ ଶିକ୍ଷା ନ ଦେବାକୁ ଆମେ ତୁମ୍ଭମାନଙ୍କୁ ଦୃଢ଼ ଆଦେଶ ଦେଇଥିଲୁ, ତଥାପି ତୁମମାନଙ୍କ ଶିକ୍ଷା ଦ୍ଵାରା ତୁମେମାନେ ଯିରୂଶାଲମକୁ ପୂର୍ଣ୍ଣ କରିଛ ଏବଂ ସେହି ମନୁଷ୍ୟର ରକ୍ତପାତ ପାଇଁ ଆମକୁ ଦୋଷୀ କରିବାକୁ ଦୃଢ଼ସଂକଳ୍ପ ହୋଇଛ।”
29ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନେ ଉତ୍ତର ଦେଲେ: “ମନୁଷ୍ୟର ଆଜ୍ଞାବହ ହେବା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞାବହ ହେବା ଆମର କର୍ତ୍ତବ୍ୟ! 30ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କଲେ ତାହାଙ୍କୁ ଆମ ପିତୃପୁରୁଷମାନଙ୍କ ଈଶ୍ୱର ମୃତ୍ୟୁ ଲୋକଙ୍କ ମଧ୍ୟରୁ ଉଠାଇଅଛନ୍ତି। 31ଇସ୍ରାଏଲକୁ ଅନୁତପ୍ତ ହୃଦୟ ଓ ପାପକ୍ଷମା ଦେବାକୁ ଈଶ୍ୱର ତାହାଙ୍କୁ ରାଜା ଓ ତ୍ରାଣକର୍ତ୍ତା ରୂପେ ଆପଣାର ଦକ୍ଷିଣ ପାର୍ଶ୍ୱକୁ ଉନ୍ନୀତ କରିଛନ୍ତି। 32ଆମେ ଏସମସ୍ତ ବିଷୟର ସାକ୍ଷୀ, ପୁଣି ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ସେମାନଙ୍କୁ ସେ ଯେଉଁ ପବିତ୍ରଆତ୍ମଙ୍କୁ ଦେଇଛନ୍ତି ସେ ମଧ୍ୟ ଏହାର ସାକ୍ଷୀ।”
33ଏହା ଶୁଣି ସେମାନେ, କ୍ରୋଧାନ୍ଧ ହେଲେ ଏବଂ ସେମାନଙ୍କୁ ପ୍ରାଣଦଣ୍ଡ ଦେବାକୁ ଇଚ୍ଛା କଲେ। 34କିନ୍ତୁ ଗାମାଲୀଏଲ ନାମକଜଣେ ଫାରୂଶୀ, ଯେ କି ବିଧିବ୍ୟବସ୍ଥାର ଉପାଧ୍ୟାୟ, ଓ ସବୁ ଲୋକଙ୍କର ସମ୍ମାନାସ୍ପଦ ଥିଲେ, ସେ ମହାସଭାରେ ଉଠି ଠିଆ ହେଲେ ଏବଂ କିଛି ସମୟ ପାଇଁ ପ୍ରେରିତଶିଷ୍ୟମାନଙ୍କୁ ବାହାରକୁ ନେଇ ଯିବାକୁ ଆଦେଶ ଦେଲେ। 35ତତ୍ପରେ ସେ କହିଲେ: “ହେ ଇସ୍ରାଏଲର ଲୋକବୃନ୍ଦ, ଏହି ଲୋକମାନଙ୍କ ପ୍ରତି ତୁମ୍ଭେମାନେ ଯାହା କରିବାକୁ ସଂକଳ୍ପ କରୁଛ ସେହିବିଷୟ ଯତ୍ନପୂର୍ବକ ଭାବିଚିନ୍ତି କର। 36କିଛିକାଳ ପୂର୍ବେ ଥିଉଦା ବାହାରି, ନିଜକୁ ଜଣେ ମହାପୁରୁଷ ବୋଲାଇଲା, ଏବଂ ପ୍ରାୟ ଚାରିଶହ ଲୋକ ତା ସହିତ ଯୋଗ ଦେଲେ। ସେ ନିହତ ହେଲା, ତାହାର ସବୁ ଅନୁଗାମୀ ଛିନ୍ନଭିନ୍ନ ହେଲେ, ଓ ସବୁକିଛି ବିଫଳ ହେଲା। 37ଥିଉଦା ପରେ, ଜନଗଣନା ସମୟରେ ଯିହୁଦା ନାମକଜଣେ ଗାଲିଲୀୟ ବାହାରିଲା ସେ ଦଳେ ଲୋକଙ୍କ ନେତୃତ୍ଵ ନେଇ ବିଦ୍ରୋହ କଲା। ସେ ମଧ୍ୟ ନିହତ ହେଲା, ଓ ତାହାର ସବୁ ଅନୁଗାମୀ ଛିନ୍ନଭିନ୍ନ ହେଲେ। 38ସେଥିପାଇଁ, ବର୍ତ୍ତମାନ ପରିସ୍ଥିତିରେ ମୋର ପରାମର୍ଶ ହେଉଛି: ଏହି ଲୋକମାନଙ୍କୁ ଛାଡ଼ି ଦିଅ! ସେମାନେ ଯାଆନ୍ତୁ! କାରଣ ସେମାନଙ୍କର ଉଦ୍ଦେଶ୍ୟ ବା କାର୍ଯ୍ୟକଳାପ ଯଦି ମନୁଷ୍ୟ ଆଡୁ ହୋଇଥାଏ, ତେବେ ତାହା ବିଫଳ ହେବ। 39କିନ୍ତୁ ଏହା ଯଦି ଈଶ୍ୱରଙ୍କ ଆଡୁ ହୋଇଥାଏ, ତେବେ ତୁମ୍ଭେମାନେ ଏହି ଲୋକମାନଙ୍କର ପ୍ରତିରୋଧ କରିବାକୁ ସମର୍ଥ ହେବ ନାହିଁ; ବରଂ ଦେଖିବ ଯେ ତୁମ୍ଭେମାନେ ଈଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କରୁଛ।”
40ଅତଏବ ସେମାନେ ଗାମାଲୀଏଲଙ୍କ ପରାମର୍ଶ ଗ୍ରହଣ କଲେ ଏବଂ ପ୍ରେରିତଶିଷ୍ୟମାନଙ୍କୁ ଭିତରକୁ ଡାକି ପ୍ରହାର କରାଇଲେ। ତା ପରେ ସେମାନେ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଦୃଢ଼ ଆଦେଶ ଦେଇ, ସେମାନଙ୍କୁ ଛାଡ଼ିଦେଲେ।
41ସେହି ନାମ ସକାଶେ ଅପମାନ ଭୋଗ କରିବାକୁ ଯୋଗ୍ୟ ବିବେଚିତ ହେଲେ ବୋଲି, ପ୍ରେରିତ ଶିଷ୍ୟମାନେ ଆନନ୍ଦୋଲ୍ଲାସ କରୁ କରୁ ମହାସଭାରୁ ବାହାରିଗଲେ। 42ସେମାନେ ପ୍ରତିଦିନ, ମନ୍ଦିରପ୍ରାଙ୍ଗଣରେ ଓ ଘରେ ଘରେ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହି ଶୁଭବାର୍ତ୍ତା ଶିକ୍ଷା ଦେବାରୁ ଓ ପ୍ରଚାର କରିବାରୁ ନିବୃତ୍ତ ହେଲେ ନାହିଁ।