ପ୍ରେରିତ 28
28
ମାଲ୍ଟା ଦ୍ୱୀପରେ ଆଶ୍ରୟ ଲାଭ
1ଆମେ ନିରାପଦରେ କୂଳରେ ପହଞ୍ଚି, ସେହି ଦ୍ୱୀପର ନାମ ମାଲ୍ଟା ବୋଲି ଜାଣିଲୁ। 2ଦ୍ୱୀପର ଅଧିବାସୀମାନେ ଆମ ପ୍ରତି ଅସାଧାରଣ ଦୟା ଦେଖାଇଲେ। ବର୍ଷା ଓ ଶୀତ ହେଉଥିବାରୁ ସେମାନେ ନିଆଁ ଜାଳି ଆମକୁ ସ୍ୱାଗତ କଲେ। 3ପାଉଲ ଗୋଛାଏ କାଠ ଗୋଟାଇଲେ, ଏବଂ ସେଗୁଡ଼ିକ ନିଆଁରେ ପକାଇଲାବେଳକୁ, ନିଆଁର ଉତ୍ତାପ ହେତୁ, ଗୋଟାଏ ବିଷାକ୍ତ ସାପ, ବାହାରି ଆସି ତାଙ୍କ ହାତକୁ ଆଙ୍କୁଡ଼ି ଧରିଲା। 4ଦ୍ୱୀପବାସୀ ସାପଟା ତାଙ୍କ ହାତରୁ ଝୁଲୁଥିବାର ଦେଖି, ପରସ୍ପରକୁ କହିଲେ, “ଏ ଲୋକ ନିଶ୍ଚୟ ଜଣେ ନରହନ୍ତା; ସେ ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା, ନ୍ୟାୟଦେବୀ ତାକୁ ବଞ୍ଚିବାକୁ ଦେଲା ନାହିଁ।” 5କିନ୍ତୁ ପାଉଲ ସାପଟାକୁ ନିଆଁ ଉପରକୁ ଛିଞ୍ଚାଡ଼ି ଦେଲେ ତାଙ୍କର କିଛି କ୍ଷତି ହେଲା ନାହିଁ। 6ସେ ଫୁଲି ଯାଇ ହଠାତ୍ ମରି ପଡ଼ିଯିବେ ବୋଲି ଲୋକେ ଅପେକ୍ଷା କରୁଥିଲେ; କିନ୍ତୁ ଅନେକ ସମୟ ଅପେକ୍ଷା କଲାପରେ ତାଙ୍କ ପ୍ରତି କିଛି ଅସ୍ଵଭାବିକ ନ ଘଟିବାର ଦେଖି, ସେମାନେ ମତ ବଦଳାଇ କହିଲେ ଯେ ସେ ଜଣେ ଦେବତା।
7ଅନତିଦୂରରେ ସେହି ଦ୍ୱୀପର ମୁଖିଆ, ପବ୍ଲିୟସ୍ଙ୍କର ଜମିବାଡ଼ି ଥିଲା। ସେ ଆମକୁ ତାଙ୍କ ଘରକୁ ସ୍ୱାଗତ କରି ତିନିଦିନ ପର୍ଯ୍ୟନ୍ତ ସାଦରେ ଆମର ଆତିଥ୍ୟ କଲେ। 8ତାଙ୍କର ପିତା ଜ୍ୱର, ଓ ଆମାଶୟ ରୋଗରେ ପୀଡ଼ିତ ଥିଲେ। ପାଉଲ ତାଙ୍କୁ ଦେଖିବାକୁ ଗଲେ, ଓ ପ୍ରାର୍ଥନା କଲାପରେ, ତାଙ୍କ ଉପରେ ହାତ ଥୋଇ ତାଙ୍କୁ ସୁସ୍ଥ କଲେ। 9ଏହି ଘଟନା ପରେ, ସେହି ଦ୍ୱୀପରେ ଆଉ ଯେତେ ପୀଡ଼ିତ ଲୋକ ଥିଲେ ସେମାନେ ମଧ୍ୟ ଆସି ସୁସ୍ଥ ହେଲେ। 10ସେମାନେ ନାନା ଭାବରେ ଆମକୁ ସମ୍ମାନ୍ୱିତ କଲେ; ଓ ଆମେ ଜଳଯାତ୍ରା କରିବାକୁ ଯେତେବେଳେ ପ୍ରସ୍ତୁତ ହେଲୁ, ଆମର ପ୍ରୟୋଜନୀୟ ସାମଗ୍ରୀ ସବୁ ଯୋଗାଇ ଦେଲେ।
ରୋମ୍କୁ ଆଗମନ
11ତିନିମାସ ପରେ ଆମେ ଯେଉଁ ଜାହାଜରେ ଯାତ୍ରା ଆରମ୍ଭ କଲୁ ତାହା ସେହି ଦ୍ୱୀପରେ ଶୀତକାଳ କଟାଇଥିଲା ତାହା ଥିଲା ଆଲେକଜାଣ୍ଡ୍ରିଆର ଏକ ଜାହାଜ ଏହାର ଅଗ୍ରଭାଗରେ ଯମଜ ଭ୍ରାତାର ପ୍ରତିକୃତି ଥିଲା। 12ଆମେ ସିରାକ୍ୟୁସ୍ରେ ପହଞ୍ଚି ସେଠାରେ ତିନିଦିନ ରହିଲୁ। 13ସେଠାରୁ ଯାତ୍ରା କରି ଆମେ ରିଜିୟମରେ ପହଞ୍ଚିଲୁ। ତହିଁ ଆର ଦିନ ଦକ୍ଷିଣା ପବନ ବହିଲା, ଓ ଆମେ ପରବର୍ତ୍ତୀ ଦିନ ପୁତିଓଲିରେ ପହଞ୍ଚିଲୁ। 14ସେଠାରେ ଆମେ କେତେକ ଭାଇଙ୍କୁ ଭେଟିଲୁ ଓ ସେମାନଙ୍କ ସହିତ ଏକ ସପ୍ତାହ କଟାଇବାକୁ ସେମାନେ ଆମକୁ ନିମନ୍ତ୍ରଣ କଲେ। ଏହିରୂପେ ଆମେ ରୋମକୁ ଗଲୁ। 15ସେଠିକାର ଭାଇମାନେ ଆମର ଆସିବା ଖବର ପାଇ ଆମକୁ ଭେଟିବା ପାଇଁ, ଆପିୟା ବଜାର ଓ ତିନି ସରାଇ ପର୍ଯ୍ୟନ୍ତ ଆସିଲେ। ଏମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହ ଲାଭ କଲେ। 16ଆମେ ରୋମରେ ପହଞ୍ଚିବା ପରେ, ପାଉଲ ନିଜ ଇଚ୍ଛାନୁଯାୟୀ ବାସ କରିବାକୁ ଅନୁମତି ପାଇଲେ, କିନ୍ତୁ ତାଙ୍କୁ ଜଗିବା ପାଇଁ ଜଣେ ସୈନିକ ରଖାଗଲା।
ରୋମରେ ବନ୍ଦୀ ପାଉଲଙ୍କ ପ୍ରଚାର
17ତିନିଦିନ ପରେ ପାଉଲ ଯିହୁଦୀମାନଙ୍କର ନେତୃବର୍ଗଙ୍କୁ ଏକତ୍ର ଡାକିଲେ। ସେମାନେ ସମବେତ ହେବା ପରେ, ପାଉଲ ସେମାନଙ୍କୁ କହିଲେ: “ମୋର ଭାଇମାନେ, ମୁଁ ଆମ ଲୋକଙ୍କ ବିରୁଦ୍ଧରେ କିମ୍ବା ଆମ ପୂର୍ବପୁରୁଷମାନଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲେ ମଧ୍ୟ, ମୋତେ ଯିରୂଶାଲମରେ ଗିରଫ କରି ରୋମୀୟମାନଙ୍କ ହାତରେ ସମର୍ପଣ କରାଗଲା। 18ଏମାନେ ମୋତେ ଜେରା କରିବାପରେ ମୁକ୍ତି ଦେବାକୁ ଇଚ୍ଛା କରିଥିଲେ, କାରଣ ମୁଁ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଅପରାଧ କରି ନ ଥିଲି। 19କିନ୍ତୁ ଯିହୁଦୀମାନେ ପ୍ରତିବାଦ କରିବାରୁ, ମୁଁ ସିଜାରଙ୍କ ନିକଟରେ ଅପିଲ୍ କରିବାକୁ ବାଧ୍ୟ ହେଲି। ସ୍ଵଜାତି ବିରୁଦ୍ଧରେ ମୋର ଯେକୌଣସି ଅଭିଯୋଗ ଥିଲା ତା ନୁହେଁ। 20ଏହି କାରଣରୁ ମୁଁ ତୁମମାନଙ୍କ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଇଚ୍ଛା କଲି। ଇସ୍ରାଏଲର ଭରସା ଯୋଗୁଁ ମୁଁ ଆଜି ଏହି ଶିକୁଳିରେ ବନ୍ଧନଗ୍ରସ୍ତ।”
21ସେମାନେ ଉତ୍ତର ଦେଲେ, “ଆମେ ତୁମ ସମ୍ବନ୍ଧରେ ଯିହୁଦାରୁ କୌଣସି ପତ୍ର ପାଇ ନାହୁଁ, କିମ୍ବା ସେଠାରୁ ଆସିଥିବା ଭାଇମାନଙ୍କ ମଧ୍ୟରୁ କେହି ତୁମ ବିଷୟରେ କୌଣସି ନିନ୍ଦାର କଥା ଜଣାଇ ନାହାନ୍ତି କି କହିନାହାନ୍ତି। 22କିନ୍ତୁ ସବୁଆଡ଼େ ଲୋକେ ଏହି ଦଳ ବିରୁଦ୍ଧରେ କଥା କହୁଛନ୍ତି ବୋଲି ଆମେ ଜାଣୁ, ତେଣୁ ତୁମର ମତାମତ ଆମେ ଶୁଣିବାକୁ ଚାହୁଁଛୁ।”
23ଏକ ନିର୍ଦ୍ଦିଷ୍ଟ ଦିନରେ ପାଉଲଙ୍କୁ ଭେଟିବାକୁ ସେମାନେ ସ୍ଥିର କଲେ, ଓ ଆହୁରି ଅଧିକ ସଂଖ୍ୟାରେ ତାଙ୍କର ବସାଘରକୁ ଆସିଲେ। ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଏବଂ ମୋଶାଙ୍କ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରୁ ଯୀଶୁଙ୍କ ବିଷୟକ ପ୍ରମାଣ ଦେଖାଇ, ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 24କେତେଜଣ ତାଙ୍କ କଥା ନିଃସନ୍ଦେହରେ ବିଶ୍ୱାସ କଲେ, କିନ୍ତୁ ଅନ୍ୟମାନେ ବିଶ୍ୱାସ କଲେ ନାହିଁ। 25ସେମାନଙ୍କ ମଧ୍ୟରେ ମତଭେଦ ଘଟିଲା ଏବଂ ସେମାନେ ଚାଲିଯିବା ପୂର୍ବରୁ ପାଉଲ ସେମାନଙ୍କୁ ଏହି ଶେଷ କଥା ଶୁଣାଇ ଦେଲେ: “ତୁମମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ଵାରା ପବିତ୍ରଆତ୍ମା ଯଥାର୍ଥରେ କହିଥିଲେ:
26“ ‘ଏହି ଲୋକମାନଙ୍କ ନିକଟକୁ ଯାଇ କୁହ,
“ତୁମ୍ଭେମାନେ ଶୁଣୁଥିବ କିନ୍ତୁ କେବେ ବୁଝିବ ନାହିଁ;
ଦେଖିବ ମାତ୍ର ଜାଣିବ ନାହିଁ।”
27ଏହି ଲୋକମାନଙ୍କର ହୃଦୟ ଜଡ଼ ହୋଇଛି;
ସେମାନଙ୍କର କର୍ଣ୍ଣ ବଧିର ହୋଇଛି,
ଏବଂ ସେମାନେ ଚକ୍ଷୁ ବୁଜି ଦେଇଛନ୍ତି।
ତା ନହେଲେ ସେମାନେ ଆପଣା ଚକ୍ଷୁରେ ଦେଖିପାରନ୍ତେ,
କର୍ଣ୍ଣରେ ଶୁଣିପାରନ୍ତେ,
ହୃଦୟରେ ବୁଝି ପାରନ୍ତେ
ଏବଂ ମୁଁ ଯେପରି ସୁସ୍ଥ କରିବି, ସେଥିପାଇଁ ଫେରି ଆସନ୍ତେ।’
28“ଅତଏବ ମୁଁ ଚାହେଁ ତୁମେମାନେ ଏହା ଜାଣିରଖ ଯେ ଈଶ୍ୱରଙ୍କ ପରିତ୍ରାଣ ଅଣଯିହୁଦୀଜାତିର ଲୋକଙ୍କ ନିକଟକୁ ପ୍ରେରିତ ହୋଇଛି, ଏବଂ ସେମାନେ କର୍ଣ୍ଣପାତ କରିବେ!” 29ସେ ଏହା କହିବା ପରେ ଯିହୁଦୀମାନେ ପରସ୍ପର ମଧ୍ୟରେ ତୀବ୍ର ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।
30ସମ୍ପୁର୍ଣ୍ଣ ଦୁଇବର୍ଷ କାଳ ପାଉଲ ନିଜର ଭଡ଼ା ଘରେ ରହିଲେ ଓ ଯେତେ ଲୋକ ତାଙ୍କୁ ସାକ୍ଷାତ କରିବାକୁ ଆସିଲେ ସେସମସ୍ତଙ୍କୁ ସ୍ୱାଗତ କଲେ। 31ସେ ନିର୍ଭୟରେ ଓ ନିର୍ବିଘ୍ନରେ ଈଶ୍ୱରଙ୍କ ରାଜ୍ୟ ବିଷୟ ପ୍ରଚାର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଶିକ୍ଷାଦେବାକୁ ଲାଗିଲେ!
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.