Skip to content
Bible App logo

ରୋମୀୟ 1

1
1ମୁଁ ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଦାସ ଓ ପ୍ରେରିତଶିଷ୍ୟ ହେବାକୁ ଆହୂତ ଏବଂ ଈଶ୍ୱରଙ୍କ ସୁସମାଚାର ପାଇଁ ପୃଥକୀକୃତ, 2ଏହି ସୁସମାଚାର ଈଶ୍ୱର ଆପଣାର ଭାବବାଦୀମାନଙ୍କ ଦ୍ଵାରା ପବିତ୍ର ଧର୍ମଶାସ୍ତ୍ରରେ ପୁରାକାଳରୁ ପ୍ରତିଜ୍ଞା କରିଥିଲେ 3ଏହା ତାହାଙ୍କ ପୁତ୍ରଙ୍କ ସମ୍ଭନ୍ଧୀୟ, ଶାରୀରିକ ରୀତି ଅନୁଯାୟୀ ସେ ଥିଲେ ଦାଉଦଙ୍କ ବଂଶଧର। 4ପବିତ୍ରଆତ୍ମା ଅନୁଯାୟୀ ସେ ଥିଲେ ଈଶ୍ୱରଙ୍କ ପୁତ୍ର। ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେବା ଦ୍ଵାରା ଏହା ଶକ୍ତିର ସହ ପ୍ରତିପାଦିତ ହେଲା: ସେହି ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ ଅଟନ୍ତି। 5ଅଣଯିହୁଦୀ ଜାତିଗୁଡ଼ିକ ମଧ୍ୟରୁ ଲୋକମାନେ ଯେପରି ବିଶ୍ୱାସ କରି ଆଜ୍ଞାବହ ହେବେ ଏଥିପାଇଁ ସେମାନଙ୍କୁ ଆହ୍ଵାନ କରିବାକୁ ଆମେ ତାହାଙ୍କ ଦ୍ଵାରା ଓ ତାହାଙ୍କ ନାମ ହେତୁ ଅନୁଗ୍ରହ ଓ ପ୍ରେରିତପଦ ଲାଭ କରିଛୁ। 6ପୁଣି ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ନିଜସ୍ଵ ହେବାକୁ ଆହ୍ଵାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛ।
7ରୋମରେ ଈଶ୍ୱରଙ୍କ ପ୍ରିୟପାତ୍ର ଓ ତାହାଙ୍କ ଦ୍ଵାରା ଆହୂତ ସମସ୍ତ ସାଧୁଙ୍କ ପ୍ରତି
ଆମର ପିତା ଈଶ୍ୱରଙ୍କଠାରୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
ରୋମ ଯିବାକୁ ପାଉଲଙ୍କ ଆକାଂକ୍ଷା
8ପ୍ରଥମତଃ, ମୁଁ ତୁମ ସମସ୍ତଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୋର ଈଶ୍ୱରଙ୍କ ଧନ୍ୟବାଦ କରୁଛି, କାରଣ ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ଜଗତର ସର୍ବତ୍ର ଶୁଣାଯାଉଛି। 9ମୁଁ ଈଶ୍ୱରଙ୍କ ପୁତ୍ରଙ୍କର ସୁସମାଚାର ପ୍ରଚାର କରି ସର୍ବାନ୍ତଃକରଣରେ ଯାହାଙ୍କର ସେବା କରେ, ସେହି ଈଶ୍ୱର ଏ ବିଷୟରେ ମୋର ସାକ୍ଷୀ ଯେ, ମୁଁ ସର୍ବଦା ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ନିରନ୍ତର ସ୍ମରଣ କରିଥାଏ 10ଆହୁରି ମଧ୍ୟ ଈଶ୍ୱରଙ୍କ ଇଚ୍ଛା ହେଲେ; ଅବଶେଷରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଏବେ ଯେପରି ସୁଯୋଗର ଦ୍ଵାର ଖୋଲିବ ଏଥିପାଇଁ ମୁଁ ପ୍ରାର୍ଥନା କରୁଛି।
11ତୁମ୍ଭମାନଙ୍କୁ ଦେଖିବାକୁ ମୁଁ ଆକାଂକ୍ଷିତ ଯଦ୍ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିମନ୍ତ କରିବାକୁ ମୁଁ କିଛି ଆଧ୍ୟାତ୍ମିକ ଦାନ ଦେଇପାରିବି 12ଅର୍ଥାତ୍, ପରସ୍ପରର ବିଶ୍ୱାସ ଦ୍ଵାରା ତୁମ୍ଭେମାନେ ଓ ମୁଁ ଉଭୟେ ଉତ୍ସାହ ଲାଭ କରିପାରିବୁ। 13ଭାଇମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ କେତେ ଥର ପରିକଳ୍ପନା କରିଛି, (କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି) ଏ ବିଷୟ ତୁମ୍ଭେମାନେ ଜାଣ ବୋଲି ମୁଁ ଇଚ୍ଛା କରେ, ତା ହେଲେ ଅନ୍ୟ ଅଣଯିହୁଦୀଜାତିର ଲୋକଙ୍କ ମଧ୍ୟରେ ମୁଁ ଯେପରି ପ୍ରଚୁର ଫଳ ପାଇଛି, ତୁମ୍ଭମାନଙ୍କମଧ୍ୟରେ ସୁଦ୍ଧା ସେହିପରି ଫଳ ପାଇବି।
14ଗ୍ରୀକ କି ଅଣଗ୍ରୀକ୍ ଜ୍ଞାନୀ ଓ ନିର୍ବୋଧ, ସମସ୍ତଙ୍କ ନିକଟରେ ମୁଁ ଋଣୀ। 15ସେଥିପାଇଁ ରୋମରେ ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଏତେ ଉତ୍ସୁକ ଅଟେ।
16ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, କାରଣ ପ୍ରଥମେ ଯିହୁଦୀ ଓ ତା ପରେ ଗ୍ରୀକ, ଏହିପରି ପ୍ରତ୍ୟେକ ବିଶ୍ୱାସକାରୀର ପରିତ୍ରାଣ ପାଇଁ ଏହା ଈଶ୍ୱରଙ୍କ ଶକ୍ତି ଅଟେ। 17କାରଣ ସୁସମାଚାରରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହୋଇଛି ଏହି ଧାର୍ମିକତା ଆମୂଳଚୂଳ ବିଶ୍ୱାସ ଉପରେ ହିଁ ପର୍ଯ୍ୟବସିତ ଯେପରି ଲେଖାଅଛି “ଧାର୍ମିକ ଲୋକ ବିଶ୍ୱାସ ଦ୍ଵାରା ବଞ୍ଚିବ।”
ଅଧାର୍ମିକମାନଙ୍କ ଉପରେ ଈଶ୍ୱରଙ୍କ କୋପ
18ଯେଉଁମାନେ ନିଜର ପାପାଚାର ଦ୍ଵାରା ସତ୍ୟର ବିରୋଧ କରନ୍ତି, ସେମାନଙ୍କର ସମସ୍ତ ଅଧର୍ମ ଓ ପାପାଚାର ବିରୁଦ୍ଧରେ ଈଶ୍ୱରଙ୍କ କୋପ ସ୍ଵର୍ଗରୁ ପ୍ରକାଶିତ ହେଉଛି, 19କାରଣ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ନିକଟରେ ସୁସ୍ପଷ୍ଟ, ଯେହେତୁ ଈଶ୍ୱର ସେମାନଙ୍କ ନିକଟରେ ତାହା ପ୍ରକାଶ କରିଛନ୍ତି। 20ଜଗତର ସୃଷ୍ଟି କାଳରୁ ଈଶ୍ୱରଙ୍କ ଅଦୃଶ୍ୟ ଗୁଣାବଳୀ ଅର୍ଥାତ୍ ତାହାଙ୍କର ଅନାଦିଅନନ୍ତ ଶକ୍ତି, ଓ ଐଶ୍ୱରିକ ପ୍ରକୃତି ସୃଷ୍ଟ ବିଷୟଗୁଡ଼ିକ ଦ୍ଵାରା ବୋଧଗମ୍ୟ ହେଉଛି ଓ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଛି, ତେଣୁ ମନୁଷ୍ୟମାନଙ୍କର ବାହାନା କରିବାର ଆଉ ଅବକାଶ ନାହିଁ।
21କାରଣ ସେମାନେ ଈଶ୍ୱରଙ୍କୁ ଜାଣିଲେ ସୁଦ୍ଧା, ତାହାଙ୍କୁ ଈଶ୍ୱର ରୂପେ ଗୌରବ ଦେଲେ ନାହିଁ, କିମ୍ବା ଧନ୍ୟବାଦ ଅର୍ପଣ କଲେ ନାହିଁ କିନ୍ତୁ ସେମାନଙ୍କର ଚିନ୍ତାଧାରା ଅସାରତାରେ ପରିଣତ ହେଲା ଏବଂ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରମୟ ହେଲା। 22ସେମାନେ ନିଜ ନିଜକୁ ଜ୍ଞାନୀ ମନେ କଲେ ସୁଦ୍ଧା ଅଧମ ମୂର୍ଖ ହେଲେ, 23ପୁଣି ସେମାନେ ଅମର ଈଶ୍ୱରଙ୍କୁ ଗୌରବ ଦେବା ପରିବର୍ତ୍ତେ ମରଣଶିଳ ମନୁଷ୍ୟ ପକ୍ଷୀ ପଶୁ ଓ ସରୀସୃପାଦିର ପ୍ରତିମୂର୍ତ୍ତିକୁ ତାହା ଦେଲେ।
24ତେଣୁ ଈଶ୍ୱର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ଯୌନ ଅସଦାଚରଣରେ ଲିପ୍ତ ରହିବାକୁ ଛାଡ଼ିଦେଲେ ଯଦ୍ଦ୍ୱାରା ପରସ୍ପର ଦ୍ଵାରା ସେମାନଙ୍କ ଶରୀର କଳୁଷିତ ହେବ। 25ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ଅସତ୍ୟ ଗ୍ରହଣ କଲେ, ଏବଂ ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ସୃଷ୍ଟ ବିଷୟଗୁଡ଼ିକର ପୂଜା ଓ ସେବା କଲେ ସେହି ସୃଷ୍ଟିକର୍ତ୍ତା ଚିର ପ୍ରଶଂସାଭାଜନ। ଆମେନ୍।
26ଏହି କାରଣରୁ, ଈଶ୍ୱର ସେମାନଙ୍କୁ ଲଜ୍ଜାଜନକ କାମପ୍ରବୃତ୍ତିରେ ଲିପ୍ତ ହେବାକୁ ଛାଡ଼ିଦେଲେ। ଏପରିକି ସେମାନଙ୍କ ସ୍ତ୍ରୀଲୋକମାନେ ସୁଦ୍ଧା ସ୍ୱାଭାବିକ ସମ୍ପର୍କ ପରିବର୍ତ୍ତେ ଅସ୍ଵଭାବିକ ସମ୍ପର୍କରେ ଲିପ୍ତ ହେଲେ। 27ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ଛାଡ଼ି ପରସ୍ପର ପ୍ରତି କାମାନଳରେ ଦଗ୍‌ଧ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ, ଜଘନ୍ୟ କାର୍ଯ୍ୟ କଲେ ଏବଂ ସେମାନଙ୍କର ଭ୍ରଷ୍ଟାଚରଣ ପାଇଁ ନିଜ ନିଜଠାରେ ସମୁଚିତ ଦଣ୍ଡ ପାଇଲେ।
28ଆହୁରି ମଧ୍ୟ, ସେମାନେ ଈଶ୍ୱରଙ୍କୁ ସ୍ୱୀକାର କରିବା ଉପଯୁକ୍ତ ମନେ ନ କରିବାରୁ, ସେ ସେମାନଙ୍କୁ ଭ୍ରଷ୍ଟମନା ହେବାକୁ, ଓ ଅନୁଚିତ୍ କାର୍ଯ୍ୟ କରିବାକୁ ଛାଡ଼ିଦେଲେ। 29ସେମାନେ ସମସ୍ତ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ ଓ ଭ୍ରଷ୍ଟାଚାରରେ ପୂର୍ଣ୍ଣ ହେଲେ। ପୁଣି ଈର୍ଷା, ହତ୍ୟା, କଳହ, ପ୍ରତାରଣା, ବିଦ୍ୱେଷ ଓ ପରଚର୍ଚ୍ଚାରେ ପରିପୂର୍ଣ୍ଣ ହେଲେ, 30ସେମାନେ ପରନିନ୍ଦାକାରୀ, ଈଶ୍ୱରଘୃଣାକାରୀ, ଉଦ୍ଧତ, ଦାମ୍ଭିକ ଓ ଅହଂକାରୀ; ସେମାନେ ନାନା ପାପ କର୍ମର ଉପାୟ ଉଦ୍ଭାବନ କରନ୍ତି; ସେମାନେ ପିତାମାତାଙ୍କର ଅବାଧ୍ୟ; 31ସେମାନେ ନିର୍ବୋଧ, ବିଶ୍ୱାସଘାତକ, ନିର୍ଦ୍ଦୟ, ଓ ନିଷ୍ଠୁର। 32ଯେଉଁମାନେ ଏପ୍ରକାର କାର୍ଯ୍ୟ କରନ୍ତି ମୃତ୍ୟୁ ଯେ ସେମାନଙ୍କର ପ୍ରାପ୍ୟ ଈଶ୍ୱରଙ୍କର ଏହି ଧର୍ମମୟ ବିଧାନ ଜାଣି ସୁଦ୍ଧା, ସେମାନେ ସେହିସବୁ କାର୍ଯ୍ୟରେ କେବଳ ନିଜେ ଲିପ୍ତ ରହନ୍ତି ନାହିଁ ମାତ୍ର ସେହିସବୁ କାର୍ଯ୍ୟ କରୁଥିବା ଲୋକଙ୍କୁ ସମର୍ଥନ ମଧ୍ୟ କରନ୍ତି।