ପ୍ରେରିତ 27
27
ରୋମକୁ ପାଉଲଙ୍କ ଜଳଯାତ୍ରା
1ଆମେ ଇଟାଲୀକୁ ଜାହାଜରେ ଯାତ୍ରା କରିବୁ ବୋଲି ଯେତେବେଳେ ସ୍ଥିର ହେଲା, ପାଉଲ ଓ ଅନ୍ୟ କେତେକ ବନ୍ଦୀଙ୍କର ଦାୟିତ୍ଵ, ରାଜସେନାଦଳର ଜୁଲିଅସ୍ ନାମକଜଣେ ଶତସେନାପତିଙ୍କ ହାତରେ ଦିଆଗଲା। 2ଆମେ ଆଦ୍ରାମିତ୍ତିୟମରୁ ଆସିଥିବା ଗୋଟିଏ ଜାହାଜରେ ଚଢ଼ିଲୁ, ତାହା ଏସିଆ ପ୍ରଦେଶରେ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିଲା, ଏବଂ ଆମ ଜାହାଜ ବନ୍ଦର ଛାଡ଼ିଲା। ଥେସଲନୀକାର ଆରିସ୍ତାର୍ଖସ୍ ନାମକଜଣେ, ମାସିଦୋନୀୟ ଲୋକ ଆମ ସଙ୍ଗରେ ଥିଲେ।
3ପରବର୍ତ୍ତୀ ଦିନ ଆମେ ସୀଦୋନରେ ପହଞ୍ଚିଲୁ; ଜୁଲିଅସ୍, ପାଉଲଙ୍କ ପ୍ରତି ସଦୟ ହୋଇ ତାଙ୍କ ବନ୍ଧୁମାନଙ୍କ ନିକଟକୁ ଯିବା ପାଇଁ ଅନୁମତି ଦେଲେ, ଯେପରିକି ସେମାନେ ପାଉଲଙ୍କର ଆବଶ୍ୟକୀୟ ବିଷୟ ଯୋଗାଇ ଦେଇ ପାରିବେ। 4ସେଠାରୁ ଆମେ ପୁନର୍ବାର ସମୁଦ୍ରରେ ଯାତ୍ରା କରି ପ୍ରତିକୂଳ ପବନ ହେତୁ ସାଇପ୍ରସ୍ ଦ୍ୱୀପର ଆଢ଼ୁଆଳରେ ଜାହାଜ ଚଳାଇଲୁ। 5ଆମେ ସିଲିସିଆ ଓ ପାମ୍ପିଲିଆ ସମ୍ମୁଖସ୍ଥ ସାଗର ପାରି ହୋଇ, ଲିସିଆର ମାଇରାରେ ପହଞ୍ଚିଲୁ। 6ସେଠାରେ ଇଟାଲୀକୁ ଯାଉଥିବା ଆଲେକଜାଣ୍ଡ୍ରିଆର ଗୋଟିଏ ଜାହାଜ ପାଇ ଶତସେନାପତି ଆମକୁ ସେଥିରେ ଚଢ଼ାଇଲେ। 7ଅନେକ ଦିନ ଧରି ଆମେ ମନ୍ଥର ଗତିରେ ଅଗ୍ରସର ହେଲୁ, ଏବଂ କଷ୍ଟରେ ନିଦାସ୍ର ନିକଟବର୍ତ୍ତୀ ହେଲୁ। ପବନ ଯୋଗୁ ଆମେ ଗତିପଥରେ ଆଗେଇ ନ ପାରିବାରୁ, ସାଲ୍ମୋନୀର ବିପରୀତରେ କ୍ରୀତିର ଆଢ଼ୁଆଳରେ ଯାତ୍ରା କଲୁ। 8ଆମେ କୂଳେ କୂଳେ କଷ୍ଟ ସହକାରେ ଗତି କରି ଲାସିଆ ସହରର ନିକଟବର୍ତ୍ତୀ ସୁନ୍ଦର ବନ୍ଦର ନାମ, ଏକ ସ୍ଥାନରେ ପହଞ୍ଚିଲା।
9ଏହିରୂପେ, ବହୁତ ସମୟ ନଷ୍ଟ ହୋଇ ଯାଇଥିଲା ଏବଂ ସେତେବେଳକୁ ପ୍ରାୟଶ୍ଚିତ୍ତ ପର୍ବ ଶେଷ ହୋଇ ଯାଇଥିବାରୁ ଜଳଯାତ୍ରା କରିବା ବିପଜ୍ଜନକ ଥିଲା। ତେଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ, 10“ମହାଶୟଗଣ, ମୁଁ ଦେଖୁଛି ଆମର ଜଳଯାତ୍ରା ସଂକଟପୂର୍ଣ୍ଣ ହେବ ଏବଂ ଜାହାଜର ଓ ମାଲପତ୍ରର, ଏପରିକି ଆମ ଜୀବନର ମଧ୍ୟ ଘୋର କ୍ଷତି ସାଧନ କରିବ।” 11ମାତ୍ର ଶତସେନାପତି, ପାଉଲଙ୍କ କଥା ଶୁଣିବା ପରିବର୍ତ୍ତେ, ଜାହାଜର ଚାଳକ ଓ ମାଲିକଙ୍କ ପରାମର୍ଶରେ ଅଧିକ ମନୋଯୋଗ କଲେ। 12ସେହି ପୋତାଶ୍ରୟ ଶୀତକାଳ କଟାଇବା ପାଇଁ ଅନୁପଯୁକ୍ତ ଥିବାରୁ, ଆହୁରି ଆଗକୁ ଯାତ୍ରା କରି, କୌଣସିମତେ ଆମେ ଫିନିକ୍ସରେ ପହଞ୍ଚି ସେଠାରେ ଶୀତକାଳ କ୍ଷେପଣ କରିବୁ ବୋଲି ଅଧିକାଂଶ ଲୋକ ସ୍ଥିର କଲେ। ଏହା କ୍ରୀତିର ଏକ ପୋତାଶ୍ରୟ, ଏବଂ ଉଭୟେ ଦକ୍ଷିଣପଶ୍ଚିମ ଓ ଉତ୍ତରପଶ୍ଚିମ ଅଭିମୁଖେ ଥିଲା।
ଜାହାଜ ଝଡ଼ର ସମ୍ମୁଖୀନ ହେଲା
13ଯେତେବେଳେ ମୃଦୁ ଦକ୍ଷିଣା ପବନ ବହିବାକୁ ଲାଗିଲା, ସେମାନେ ଯାହା ଚାହିଁଥିଲେ; ତାହା ମିଳିଗଲା ବୋଲି ମନେ କରି ଲଙ୍ଗର ଉଠାଇ ଦେଲେ ଓ କ୍ରୀତିର କୂଳେ କୂଳେ ଜାହାଜ ଚଳାଇଲେ। 14ଅଳ୍ପ ସମୟ ଉତ୍ତାରେ, ଦ୍ୱୀପ ଆଡୁ, ଉତ୍ତର-ପୂର୍ବୀୟ ନାମକ, ପ୍ରଚଣ୍ଡ ଝଡ଼ପବନ ମାଡ଼ି ଆସିଲା। 15ଜାହାଜଟି ଝଡ଼ ତୋଫାନରେ ପଡ଼ି ପବନ ହେତୁ ଆଗକୁ ଯାଇ ପାରିଲା ନାହିଁ; ତେଣୁ ଆମେ ଆଉ ଚେଷ୍ଟା ନ କରି ପବନରେ ଚାଳିତ ହେବାକୁ ଛାଡ଼ିଦେଲୁ। 16କାଉଦା ନାମକ ଗୋଟିଏ ଛୋଟ ଦ୍ୱୀପର ଆଢ଼ୁଆଳରେ ଯାତ୍ରା କରି, ଆମେ ଅତି କଷ୍ଟରେ ଜୀବନରକ୍ଷୀ ନୌକାଟିକୁ ଆୟତ୍ତରେ ରଖିବାକୁ ସକ୍ଷମ ହେଲୁ, 17ତାକୁ ଜାହାଜ ଉପରକୁ ଉଠାଇ ନେବା ପରେ। ଲୋକମାନେ ଜାହାଜକୁ ଧରି ରଖିବାକୁ ଦଉଡ଼ିରେ ଶକ୍ତ କରି ବାନ୍ଧିଲେ। ସାର୍ଟିସ୍ର ବାଲିଚଡ଼ାରେ ଜାହାଜ କାଳେ ଲାଗିଯିବ ବୋଲି ଆଶଙ୍କା କରି ସେମାନେ ପାଲ ତଳକୁ ଖସାଇ ଦେଇ, ଜାହାଜକୁ ପବନ ମୁହଁରେ ଭାସିବାକୁ ଛାଡ଼ିଦେଲେ। 18ଆମେ ପ୍ରଚଣ୍ଡ ପବନର ଏମିତି ଧକ୍କା ଖାଇଲୁ ଯେ ତହିଁ ଆର ଦିନ ସେମାନେ ଜାହାଜରୁ ମାଲସବୁ ପକାଇବାକୁ ଲାଗିଲେ। 19ତୃତୀୟ ଦିନ, ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପକାଇଦେଲେ। 20ଯେତେବେଳେ ଅନେକ ଦିନ ଧରି ସୂର୍ଯ୍ୟ କି ନକ୍ଷେତ୍ର ଦେଖାଗଲେ ନାହିଁ ଓ ଝଡ଼ପବନ ଅବିଶ୍ରାନ୍ତଭାବେ ବହିବାକୁ ଲାଗିଲା, ଆମେ ଅବଶେଷରେ ଉଦ୍ଧାର ପାଇବାର ସମସ୍ତ ଆଶା ଛାଡ଼ିଦେଲୁ।
21ସମସ୍ତେ ଅନେକ ଦିନ ଯାଏ ଅନାହାରରେ ରହିବା ପରେ, ପାଉଲ ସେମାନଙ୍କ ସମ୍ମୁଖରେ ଠିଆ ହୋଇ କହିଲେ: “ମହାଶୟମାନେ, କ୍ରୀତିରୁ ଜାହାଜ ନ ଛାଡ଼ିବା ବିଷୟରେ ମୋର ପରାମର୍ଶ ଆପଣମାନେ ଗ୍ରହଣ କରିବା ଉଚିତ ଥିଲା; ତା ହେଲେ ଏହି କ୍ଷତି ଓ ଅନିଷ୍ଟରୁ ନିଜକୁ ରକ୍ଷା କରିପାରି ଥାଆନ୍ତେ। 22କିନ୍ତୁ ଏବେ ସାହସ ଧରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, କାରଣ ଆପଣମାନଙ୍କ ମଧ୍ୟରୁ ଜଣକର ସୁଦ୍ଧା ପ୍ରାଣହାନି ଘଟିବ ନାହିଁ; କେବଳ ଜାହାଜଟି ନଷ୍ଟ ହୋଇଯିବ। 23କାରଣ ମୁଁ ଯେଉଁ ଈଶ୍ୱରଙ୍କ ଲୋକ ଓ ଯାହାଙ୍କର ସେବା କରେ ତାହାଙ୍କର ଜଣେ ଦୂତ ଗତ ରାତ୍ରି ମୋ ନିକଟରେ ଠିଆ ହୋଇ କହିଲେ, 24ପାଉଲ ‘ଭୟ କର ନାହିଁ, ତୁମେ ନିଶ୍ଚୟ ସିଜାରଙ୍କ ସମ୍ମୁଖରେ ବିଚାର ପାଇଁ ଠିଆ ହେବ; ଆହୁରି ମଧ୍ୟ ଈଶ୍ୱର ଅନୁଗ୍ରହ କରି ତୁମର ସବୁ ସହଯାତ୍ରୀଙ୍କର ଜୀବନ ତୁମକୁ ଦେଇଛନ୍ତି।’ 25ଅତଏବ ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ୱରଙ୍କଠାରେ ମୋର ବିଶ୍ୱାସ ଅଛି ଯେ ସେ ମୋତେ ଯେପରି କହିଛନ୍ତି ଠିକ ସେହିପରି ଘଟିବ। 26କିନ୍ତୁ, ଜାହାଜ କୌଣସି ଏକ ଦ୍ୱୀପରେ ଲାଗି ରହିଯିବ।”
ଜାହାଜ ଭାଙ୍ଗିଲା
27ଚତୁର୍ଦ୍ଦଶ ରାତ୍ରିରେ ଆମେ ଆଡ଼୍ରିଆଟିକ୍ ସମୁଦ୍ରରେ ଆହୁରି ଇତସ୍ତତଃ ଭାସି ଚାଲିଥିଲୁ, ପ୍ରାୟ ଅର୍ଦ୍ଧରାତ୍ରି ବେଳକୁ ନାବିକମାନେ ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ। 28ସେମାନେ ମାପ କରି ଜଳର ଗଭୀରତା ଶହେ କୋଡିଏ ଫୁଟ ବୋଲି ଜାଣିଲେ। କିଛି ସମୟପରେ ସେମାନେ ଆଉ ଥରେ ମାପ କରି ନବେ ଫୁଟ ବୋଲି ଜାଣିଲେ। 29କାଳେ ଆମେ ପଥୁରିଆ ସ୍ଥାନରେ ପିଟି ହୋଇଯିବୁ, ଏହି ଭୟରେ ସେମାନେ ପଛପଟେ ଚାରୋଟି ଲଙ୍ଗର ପକାଇ ସକାଳର ଆଲୁଅ ଅପେକ୍ଷାରେ ରହିଲେ। 30ଜାହାଜର ସାମନାପଟୁ ଲଙ୍ଗର ପକାଇବା ଛଳନା କରି, ନାବିକମାନେ ଜୀବନରକ୍ଷୀ ନୌକାକୁ ସମୁଦ୍ରରେ ଓହ୍ଲାଇ, ପଳାଇବାର ଚେଷ୍ଟା କଲେ। 31ତହୁଁ ପାଉଲ ଶତସେନାପତିଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏହି ଲୋକମାନେ ଯଦି ଜାହାଜରେ ନ ରହନ୍ତି, ଆପଣମାନେ ରକ୍ଷା ପାଇ ପାରିବେ ନାହିଁ।” 32ତେଣୁ ସୈନିକମାନେ ନୌକାକୁ ଧରି ରଖିଥିବା ଦଉଡ଼ିସବୁ କାଟି ଦେଇ ତଳେ ପଡ଼ିବାକୁ ଛାଡ଼ିଦେଲେ।
33ସକାଳ ହେବା ପୂର୍ବରୁ କିଛି ଭୋଜନ କରିବା ପାଇଁ ପାଉଲ ସମସ୍ତଙ୍କୁ ମଣାଇ କହିଲେ, “ଗତ ଚଉଦ ଦିନ ହେଲା, ଆପଣମାନେ ଅନିଶ୍ଚିତ ଅବସ୍ଥାରେ ରହି କିଛି ହିଁ ଭୋଜନ କରିନାହାନ୍ତି, ଅନାହାରରେ ରହିଛନ୍ତି। 34ଏବେ କିଛି ଟିକେ ଖାଆନ୍ତୁ ବୋଲି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ବଞ୍ଚି ରହିବାକୁ ଏହା ଆପଣମାନଙ୍କ ପାଇଁ ପ୍ରୟୋଜନ। ଆପଣମାନଙ୍କ ମଧ୍ୟରୁ କାହାରି ମସ୍ତକର କେଶଟିଏ ସୁଦ୍ଧା ନଷ୍ଟ ହେବ ନାହିଁ।” 35ଏହା କହି, ପାଉଲ କିଛି ରୋଟୀ ନେଲେ ଓ ସମସ୍ତଙ୍କ ସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପରେ ତାହା ଭାଙ୍ଗି ଖାଇବାକୁ ଲାଗିଲେ। 36ଏଥିରେ ସମସ୍ତେ ଉତ୍ସାହ ଲାଭକରି କିଛି କିଛି ଖାଦ୍ୟ ଖାଇଲେ। 37ଜାହାଜରେ ଆମେ ସର୍ବସୁଦ୍ଧା ଦୁଇଶହ ଛଅସ୍ତରି ଜଣ ଥିଲୁ। 38ସେମାନେ ନିଜର ଆବଶ୍ୟକ ଅନୁସାରେ ଭୋଜନ କଲାପରେ, ଗହମସବୁ ସମୁଦ୍ରରେ ପକାଇ ଦେଇ ଜାହାଜକୁ ହାଲୁକା କଲେ।
39ଦିନ ହେବାରୁ ତାହା କେଉଁ ସ୍ଥାନ, ସେମାନେ ଚିହ୍ନ ପାରିଲେ ନାହିଁ, କିନ୍ତୁ ଗୋଟିଏ ଉପସାଗରର ବାଲିତଟ ଦେଖିବାକୁ ପାଇଲେ, ଏବଂ ସମ୍ଭବ ହେଲେ ଜାହାଜକୁ ସେହିଠାରେ ଲଗାଇବାକୁ ସ୍ଥିର କଲେ। 40ସେମାନେ ଲଙ୍ଗରଗୁଡ଼ିକ କାଟି ଦେଇ ସମୁଦ୍ରରେ ଛାଡ଼ିଦେଲେ, ଓ ମଙ୍ଗକୁ ଧରିଥିବା ଦଉଡ଼ିସବୁ ଫିଟାଇ ଦେଲେ। ତା ପରେ ସେମାନେ ପବନ ଆଡ଼କୁ ଆଗ ପାଲ ଟାଣି ସେହି ବେଳାଭୂମି ଆଡ଼କୁ ଗତି କରିବାକୁ ଲାଗିଲେ। 41କିନ୍ତୁ ଜାହାଜଟି ଯାଇ ଗୋଟିଏ ବାଲିଚଡ଼ାରେ ଧକ୍କା ଖାଇ ଲାଗିଗଲା। ଜାହାଜର ସମ୍ମୁଖ ଭାଗ ଦୃଢ଼ ରୂପେ ଲାଗିରହି ଆଉ ଘୁଞ୍ଚିଲା ନାହିଁ, ଏବଂ ପଶ୍ଚାତ୍ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହେବାକୁ ଲାଗିଲା।
42ବନ୍ଦୀମାନଙ୍କ ମଧ୍ୟରୁ କେହି ଯେପରି ପହଁରି ପଳାଇ ନ ଯାଏ ଏଥିପାଇଁ ସୈନ୍ୟମାନେ ସେମାନଙ୍କୁ ମାରିଦେବାକୁ ସଂକଳ୍ପ କଲେ। 43କିନ୍ତୁ ଶତସେନାପତି ପାଉଲଙ୍କ ଜୀବନ ରକ୍ଷା କରିବାକୁ ଇଚ୍ଛା କରି ସେମାନଙ୍କୁ ସେହି ସଂକଳ୍ପରୁ କ୍ଷାନ୍ତ କଲେ। ସେ ଆଦେଶ ଦେଲେ ଯେଉଁମାନେ ପହଁରି ଜାଣନ୍ତି ସେମାନେ ଜାହାଜରୁ ପ୍ରଥମେ ଡେଇଁପଡ଼ି କୂଳକୁ ଚାଲି ଯାଆନ୍ତୁ। 44ଅବଶିଷ୍ଟ ଲୋକମାନେ କାଠତକ୍ତା କିମ୍ବା ଜାହାଜର ଭଙ୍ଗା ଖଣ୍ଡ ଧରି ଯାଆନ୍ତୁ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ପହଞ୍ଚିଲୁ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.