ପ୍ରେରିତ 24
24
ଫେଲିକ୍ସଙ୍କ ସମ୍ମୁଖରେ ପାଉଲଙ୍କ ବିଚାର
1ପାଞ୍ଚ ଦିନ ପରେ ମହାଯାଜକ ହନାନୀୟ କେତେଜଣ କୁଳବୃଦ୍ଧ ଓ ତର୍ତ୍ତୁଲ୍ଲସ୍ ନାମକଜଣେ ଆଇନଜ୍ଞଙ୍କ ସଙ୍ଗେ କାଇସରିଆକୁ ଗଲେ, ଏବଂ ସେମାନେ ରାଜ୍ୟପାଳଙ୍କ ସମ୍ମୁଖରେ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 2ପାଉଲଙ୍କୁ ଯେତେବେଳେ ଡକାଗଲା, ଫେଲିକ୍ସଙ୍କ ସମ୍ମୁଖରେ ତର୍ତ୍ତୁଲ୍ଲସ୍ ତାଙ୍କର ଅଭିଯୋଗ ଉପସ୍ଥାପନ କରି କହିଲେ: “ହେ ମହାମାନ୍ୟ ଫେଲିକ୍ସ ଆମେ ଆପଣଙ୍କ ଶାସନାଧୀନରେ ବହୁକାଳ ଶାନ୍ତି ଉପଭୋଗ କରିଛୁ, ଏବଂ ଆପଣଙ୍କ ଦୂରଦର୍ଶିତା ହେତୁ ଏହି ଜାତିରେ ଅନେକ ସଂସ୍କାର ସାଧିତ ହୋଇଛି। 3ସର୍ବତ୍ର ଓ ସର୍ବ ବିଷୟରେ, ଗଭୀର କୃତଜ୍ଞତା ସହ, ରାଜ୍ୟପାଳ ଫେଲିକ୍ସ ଏହା ଆମେ ସ୍ୱୀକାର କରୁଛୁ। 4ଆପଣଙ୍କର ଆଉ ଅଧିକ କ୍ଳାନ୍ତି ନ ଜନ୍ମାଇ, ମୁଁ ଅନୁରୋଧ କରୁଛି ଆମର ସଂକ୍ଷିପ୍ତ ବକ୍ତବ୍ୟ ଆପଣ ଦୟା ପୂର୍ବକ ଶୁଣିବା ହେଉନ୍ତୁ।
5“ଏହି ଲୋକ ଗଣ୍ଡଗୋଳକାରୀ ବୋଲି ଆମେ ଜାଣିଛୁ, ସେ ସାରା ଜଗତରେ ଯିହୁଦୀମାନଙ୍କ ମଧ୍ୟରେ ଦଙ୍ଗାହଙ୍ଗାମା କରାଉଛି। ସେ ନାଜରିତୀୟ ଦଳର ଜଣେ ମୁଖ୍ୟ ନେତା। 6ପୁଣି ସେ ମନ୍ଦିରକୁ ଅପବିତ୍ର କରିବାକୁ ଉଦ୍ୟମ କରୁଥିଲା; ତେଣୁ ଆମେ ତାକୁ ଧରିଲୁ। 7ଆମେ ଆମର ବିଧିବ୍ୟବସ୍ଥା ଅନୁସାରେ ତାହାର ବିଚାର କରିବାକୁ ଇଚ୍ଛା କରିଥିଲୁ। କିନ୍ତୁ ସେନାଧ୍ୟକ୍ଷ ଲିସିଅସ୍ ଆସି ଖୁବ୍ ବଳ ପ୍ରୟୋଗ କରି ଆମ ହାତରୁ ତାକୁ ଛଡ଼ାଇ ନେଲେ। ପୁଣି ତାହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ନିକଟକୁ ଆସିବା ପାଇଁ ଆଦେଶ ଦେଲେ। 8ଆମେ ତା ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକର ସତ୍ୟା ସତ୍ୟ ଆପଣ ନିଜେ ତାକୁ ଜେରା କରିବା ଦ୍ଵାରା ଜାଣିପାରିବେ।”
9ଏହି ଅଭିଯୋଗରେ, ଯିହୁଦୀମାନେ ଯୋଗ ଦେଇ ସେହି ସମସ୍ତ ବିଷୟ ସତ୍ୟ ବୋଲି ଦୃଢ଼ ସମର୍ଥନ ଜଣାଇଲେ।
10ରାଜ୍ୟପାଳ ପାଉଲଙ୍କୁ କହିବା ନିମନ୍ତେ ସଂକେତ ଦେବାରୁ, ସେ ଉତ୍ତର ଦେଇ କହିଲେ: “ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏ ଜାତିର ବିଚାରକର୍ତ୍ତା ରୂପେ ରହିଛନ୍ତି; ତେଣୁ ମୁଁ ଆନନ୍ଦରେ ନିଜ ପକ୍ଷସମର୍ଥନ କରି କହୁଛି। 11ମୁଁ ମାତ୍ର ବାର ଦିନ ପୂର୍ବେ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲି ଏହା ଆପଣ ସହଜରେ ଅନୁସନ୍ଧନ କରି ଜାଣିପାରିବେ। 12ମୋର ଅଭିଯୋଗକାରୀମାନେ ମୋତେ ମନ୍ଦିରରେ କାହାରି ସହିତ ଯୁକ୍ତିତର୍କ କରୁଥିବାର, କିମ୍ବା ଉପାସନାଗୃହଗୁଡ଼ିକରେ ଅବା ନଗରର ଅନ୍ୟ କୌଣସି ସ୍ଥାନରେ ଜନତାକୁ ଉତ୍ତେଜିତ କରୁଥିବାର ଦେଖିନାହାନ୍ତି। 13ପୁଣି ସେମାନେ ମୋ ବିରୁଦ୍ଧରେ ବର୍ତ୍ତମାନ ଯେଉଁସବୁ ଅଭିଯୋଗ ଆଗତ କରୁଛନ୍ତି ତାହା ସେମାନେ ଆପଣଙ୍କ ସମ୍ମୁଖରେ ପ୍ରମାଣ କରିପାରିବେ ନାହିଁ। 14କିନ୍ତୁ ମୁଁ ସ୍ୱୀକାର କରୁଛି ଯେ, ଏମାନେ ଯାହାକୁ ଏକ ବିଧର୍ମୀଦଳ ବୋଲି କହୁଛନ୍ତି, ସେହି ମାର୍ଗର ଅନୁଗାମୀ ହୋଇ ମୁଁ ଆମ ପିତୃପୁରୁଷମାନଙ୍କ ଈଶ୍ୱରଙ୍କ ଆରାଧନା କରେ। ଯାହାକିଛି ବିଧିବ୍ୟବସ୍ଥା ସମ୍ମତ ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସେସମସ୍ତେ ମୁଁ ବିଶ୍ୱାସ କରେ, 15ଆହୁରି ମଧ୍ୟ ଉଭୟେ ଧାର୍ମିକ ଓ ଅଧାର୍ମିକଙ୍କର ପୁନରୁତ୍ଥାନ ହେବ ବୋଲି ଏମାନଙ୍କର ଯେଉଁ ଭରସା ଅଛି, ଈଶ୍ୱରଙ୍କଠାରେ ମୋର ମଧ୍ୟ ସେହି ଭରସା ରହିଛି। 16ତେଣୁ ଈଶ୍ୱର ତଥା ମନୁଷ୍ୟ ସାକ୍ଷାତରେ ମୋର ବିବେକ ନିର୍ମଳ ରଖିବାକୁ ମୁଁ ସର୍ବଦା ଯଥାସାଧ୍ୟ ଚେଷ୍ଟା କରେ।
17“ବହୁବର୍ଷର ଅନୁପସ୍ଥିତି ପରେ, ମୋର ଲୋକମାନଙ୍କ ମଧ୍ୟରେ ଥିବା ଦରିଦ୍ରମାନଙ୍କ ପାଇଁ ଦାନ ଧରି ଆସିବାକୁ ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ମୁଁ ଯିରୂଶାଲମକୁ ଆସିଥିଲି। 18ସେମାନେ ମୋତେ ମନ୍ଦିରପ୍ରାଙ୍ଗଣରେ ଏହା କରୁଥିବାର ଦେଖିବା ସମୟରେ ମୁଁ ବିଧିମତେ ଶୁଚି ହୋଇ ସାରିଥିଲି। ମୋ ନିକଟରେ ଜନଗହଳି ନ ଥିଲା, କି ମୁଁ କୌଣସି ଗଣ୍ଡଗୋଳରେ ସଂପୃକ୍ତ ନ ଥିଲି। 19କିନ୍ତୁ ଏସିଆ ପ୍ରଦେଶରୁ ଆସିଥିବା କେତେକ ଯିହୁଦୀ ଥିଲେ, ସେମାନଙ୍କର ଯଦି ମୋ ବିରୁଦ୍ଧରେ କିଛି ଅଭିଯୋଗ ଅଛି ସେମାନେ ନିଜେ ଏଠାକୁ ଆସି ଆପଣଙ୍କ ସମ୍ମୁଖରେ ତାହା ଉପସ୍ଥାପିତ କରିବା ଉଚିତ ହୋଇଥାଆନ୍ତା। 20ଅଥବା ମୁଁ ମହାସଭାର ସମ୍ମୁଖୀନ ହୋଇଥିଲା ବେଳେ ମୋ ଠାରେ କି ଅପରାଧ ପାଇଥିଲେ ଏଠାରେ ଉପସ୍ଥିତ ଥିବା ଲୋକମାନେ ତାହା ବ୍ୟକ୍ତ କରନ୍ତୁ 21ସେମାନଙ୍କ ସମ୍ମୁଖରେ ଠିଆ ହୋଇଥିଲା ବେଳେ ମୁଁ କେବଳ ଏହି ଗୋଟିଏ ବିଷୟ ଉଚ୍ଚସ୍ଵରରେ କହିଥିଲି: ‘ମୃତଲୋକଙ୍କର ଯେ ପୁନରୁତ୍ଥାନ ଅଛି, ଏହି ବିଷୟ ନେଇ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଛି।’ ”
22ଫେଲିକ୍ସ, ସେହି ମାର୍ଗ ସମ୍ବନ୍ଧରେ ଉତ୍ତମ ରୂପେ ଅବଗତ ଥିବାରୁ, ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲିସିଅସ୍ ଆସିଲେ, ମୁଁ ତୁମର ମାମଲା ମୀମାଂସା କରିବି।” 23ପାଉଲଙ୍କୁ ଅଟକ ରଖିଲେ ମଧ୍ୟ ତାଙ୍କୁ କିଛି ସ୍ୱାଧୀନତା ଦେବାକୁ ଓ ତାଙ୍କର ଆବଶ୍ୟକୀୟ ବିଷୟ ଯୋଗାଇ ଦେବାକୁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବା ପାଇଁ ସେ ଶତସେନାପତିଙ୍କୁ ଆଦେଶ ଦେଲେ।
24କିଛିଦିନ ଉତ୍ତାରେ ଫେଲିକ୍ସ ନିଜର ଯିହୁଦୀୟା ପତ୍ନୀ, ଦ୍ରୁସିଲାଙ୍କ ସହିତ ଆସିଲେ। ସେ ପାଉଲଙ୍କୁ ଡକାଇଲେ ଏବଂ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ସମ୍ବନ୍ଧରେ ପାଉଲଙ୍କ ବକ୍ତବ୍ୟ ଶୁଣିଲେ। 25ପାଉଲ ଯେତେବେଳେ ଧାର୍ମିକତା, ଆମସଂଯମ ଓ ଆଗାମୀବିଚାର ବିଷୟରେ ଉପଦେଶ ଦେବାକୁ ଲାଗିଲେ, ଫେଲିକ୍ସ ଭୀତତ୍ରସ୍ତ ହୋଇପଡ଼ିଲେ ଏବଂ କହିଲେ, “ଆଜି ପାଇଁ ଏତିକି ଥାଉ! ତୁମେ ଯାଇ ପାର। ମୋର ସୁବିଧା ହେଲେ, ମୁଁ ତୁମକୁ ଡକାଇବି।” 26ଆହୁରି ମଧ୍ୟ ପାଉଲ ତାଙ୍କୁ ଟଙ୍କା ଦେବେ ବୋଲି ସେ ଆଶା କରୁଥିଲେ, ତେଣୁ ସେ ତାଙ୍କୁ ଥରକୁ ଥର ଡକାଇ କଥାବାର୍ତ୍ତା କରୁଥିଲେ।
27ଦୁଇବର୍ଷ ବିତିଗଲା ପରେ, ପର୍ସିୟସ୍ ଫେଷ୍ଟସ୍, ଫେଲିକ୍ସଙ୍କ ପଦରେ ନିଯୁକ୍ତ ହେଲେ, କିନ୍ତୁ ଫେଲିକ୍ସ ଯିହୁଦୀମାନଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିବା ଅଭିପ୍ରାୟରେ, ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.