Skip to content

ପ୍ରେରିତ 25

25
ଫେଷ୍ଟସ୍‌ଙ୍କ ସମ୍ମୁଖରେ ପାଉଲଙ୍କ ବିଚାର
1ରାଜ୍ୟପାଳ ରୂପେ ନିଯୁକ୍ତ ହେବାର ତିନିଦିନ ଉତ୍ତାରେ, ଫେଷ୍ଟସ୍ କାଇସରିଆରୁ ଯିରୂଶାଲମକୁ ଗଲେ, 2ସେଠାରେ ପ୍ରଧାନ ଯାଜକମାନେ ଓ ଯିହୁଦୀୟ ନେତୃବର୍ଗ ତାଙ୍କ ପାଖକୁ ଯାଇ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗମାନ ଉପସ୍ଥାପିତ କଲେ। 3ସେମାନଙ୍କ ପ୍ରତି ଅନୁଗ୍ରହ ଦେଖାଇ, ପାଉଲଙ୍କୁ ଯିରୂଶାଲମକୁ ସ୍ଥାନାନ୍ତରିତ କରିବା ପାଇଁ, ସେମାନେ ଫେଷ୍ଟସ୍‌ଙ୍କୁ ଗୁହାରି କଲେ, କାରଣ ଗୋପନରେ ଛକି ରହି ବାଟରେ ତାଙ୍କୁ ହତ୍ୟା କରିବାକୁ ସେମାନେ ପ୍ରସ୍ତୁତ ହେଉଥିଲେ। 4ଫେଷ୍ଟସ୍ ଉତ୍ତର ଦେଲେ, “ପାଉଲ କାଇସରିଆରେ ଅଟକ ବନ୍ଦୀ ଅଛନ୍ତି, ଓ ମୁଁ ନିଜେ ସେଠାକୁ ଶୀଘ୍ର ଯାଉଛି। 5ତୁମର ନେତାମାନଙ୍କ ମଧ୍ୟରୁ କେତେଜଣ ମୋ ସଙ୍ଗରେ ଆସନ୍ତୁ, ଓ ସେହି ବ୍ୟକ୍ତି ଯଦି କିଛି ଦୋଷ କରିଥାଏ, ତେବେ ତା ବିରୁଦ୍ଧରେ ସେହିଠାରେ ଅଭିଯୋଗ ଆଗତ କରନ୍ତୁ।”
6ସେମାନଙ୍କ ସହିତ ଆଠ କି ଦଶ ଦିନ ରହିବା ପରେ, ଫେଷ୍ଟସ୍ କାଇସରିଆକୁ ଫେରିଗଲେ। ଏବଂ ପରବର୍ତ୍ତୀ ଦିନ ସେ ବିଚାରାସନରେ ବସି ପାଉଲଙ୍କୁ ତାଙ୍କ ସମ୍ମୁଖରେ ହାଜର କରାଇବା ପାଇଁ ଆଦେଶ ଦେଲେ। 7ପାଉଲ ହାଜର ହୁଅନ୍ତେ, ଯିରୂଶାଲମରୁ ଆସିଥିବା ଯିହୁଦୀମାନେ ତାଙ୍କ ଚାରିପଟେ ଠିଆ ହେଲେ। ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିଲେ, କିନ୍ତୁ ପ୍ରମାଣ କରିପାରିଲେ ନାହିଁ।
8ଏହାପରେ ପାଉଲ ଆତ୍ମସମର୍ଥନ କରି କହିଲେ: “ମୁଁ ଯିହୁଦୀମାନଙ୍କର ବିଧିବ୍ୟବସ୍ଥା ବିରୁଦ୍ଧରେ କିମ୍ବା ମନ୍ଦିର ବିରୁଦ୍ଧରେ କିମ୍ବା ସିଜାରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9କିନ୍ତୁ ଫେଷ୍ଟସ୍, ଯିହୁଦୀମାନଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିବା ଇଚ୍ଛାରେ, ପାଉଲଙ୍କୁ କହିଲେ, “ତୁମେ ଯିରୂ-ଶାଲମକୁ ଯାଇ ସେଠାରେ ମୋ ସମ୍ମୁଖରେ ଏହିସବୁ ଅଭିଯୋଗର ବିଚାର ପାଇଁ ରାଜି ଅଛ କି?”
10ପାଉଲ ଉତ୍ତର ଦେଲେ: “ମୁଁ ଏବେ ସିଜାରଙ୍କ ନ୍ୟାୟାଳୟରେ ଠିଆ ହୋଇଛି, ସେହିଠାରେ ହିଁ ମୋର ବିଚାର ହେବା ଉଚିତ୍। ଆପଣ ନିଜେ ଭଲ ରୂପେ ଜାଣନ୍ତି ଯେ, ମୁଁ ଯିହୁଦୀମାନଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ। 11ତଥାପି, ମୁଁ ଯଦି, ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ କରିଥାଏ, ମୁଁ ମୃତ୍ୟୁରୁ ନିଷ୍କୃତି ଚାହେଁ ନାହିଁ। କିନ୍ତୁ ଏହି ଯିହୁଦୀମାନେ ମୋ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକ ଯଦି ସତ୍ୟ ହୋଇ ନ ଥାଏ, ତେବେ ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିଦେବାକୁ କାହାରି ଅଧିକାର ନାହିଁ। ମୁଁ ସିଜାରଙ୍କ ନିକଟରେ ଗୁହାରି କରୁଛି!”
12ଫେଷ୍ଟସ୍ ତାଙ୍କର ସଭାସଦ୍‌ମାନଙ୍କ ସହିତ ପରାମର୍ଶ କଲାପରେ, ଘୋଷଣା କଲେ: “ତୁମେ ସିଜାରଙ୍କ ନିକଟରେ ଅପିଲ୍ କରିଛ। ସିଜାରଙ୍କ ନିକଟକୁ ହିଁ ଯିବ!”
ରାଜା ଆଗ୍ରୀପାଙ୍କ ସହ ଫେଷ୍ଟସ୍‌ଙ୍କ ପରାମର୍ଶ
13କିଛିଦିନ ପରେ ରାଜା ଆଗ୍ରୀପା ଓ ବର୍ଣ୍ଣିସ୍ ଫେଷ୍ଟସ୍‌ଙ୍କୁ ସମ୍ବର୍ଦ୍ଦନା ଜଣାଇବାକୁ କାଇସରିଆରେ ପହଞ୍ଚିଲେ। 14ସେଠାରେ ସେମାନଙ୍କର ଅନେକ ଦିନ ରହିବାର ଥିଲା, ତେଣୁ ଫେଷ୍ଟସ୍ ରାଜାଙ୍କ ସଙ୍ଗେ ପାଉଲଙ୍କ ବିଷୟ ଆଲୋଚନା କଲେ। ସେ କହିଲେ: “ଏଠାରେ ଜଣେ ଲୋକ ଅଛି ଯାହାକୁ ଫେଲିକ୍‌ସ ବନ୍ଦୀ ରୂପେ ଛାଡ଼ି ଯାଇଛନ୍ତି। 15ମୁଁ ଯେତେବେଳେ ଯିରୂଶାଲମକୁ ଗଲି, ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ଓ କୁଳବୃଦ୍ଧମାନେ ତା ବିରୁଦ୍ଧରେ ଅଭିଯୋଗ ଆଗତ କରି ତାହାର ଦଣ୍ଡବିଧାନ ପାଇଁ ଆବେଦନ କଲେ।
16“ମୁଁ ସେମାନଙ୍କୁ ଜଣାଇ ଦେଲି ଯେକୌଣସି ବ୍ୟକ୍ତିକୁ ତାହାର ଅଭିଯୋଗକାରୀମାନଙ୍କ ସମ୍ମୁଖୀନ ହେବା ପୂର୍ବରୁ ଓ ତା ବିରୁଦ୍ଧରେ ଆଗତ ଅଭିଯୋଗ ସମ୍ବନ୍ଧରେ ଆତ୍ମସମର୍ଥନ କରିବାକୁ ସୁଯୋଗ ଦେବା ପୂର୍ବରୁ ତାହାକୁ ଦଣ୍ଡ ପାଇଁ ସମର୍ପଣ କରିଦେବା ରୋମୀୟମାନଙ୍କର ରୀତି ନୁହେଁ। 17ସେମାନେ ଯେତେବେଳେ ମୋ ସଙ୍ଗେ ଏଠାକୁ ଆସିଲେ, ମୁଁ ମକଦ୍ଦମା ବିଳମ୍ବ ନ କରି, ପରବର୍ତ୍ତୀ ଦିନ ବିଚାରାସନରେ ବସି ସେହି ଲୋକକୁ ହାଜର କରାଇବାକୁ ଆଦେଶ ଦେଲି। 18ତାହାର ଅଭିଯୋଗକାରୀମାନେ ଯେତେବେଳେ କହିବାକୁ ଉଠିଲେ, ସେମାନେ ଯେଉଁ ପ୍ରକାର ଅପରାଧରେ ତାକୁ ଅଭିଯୁକ୍ତ କରିବେ ବୋଲି ମୁଁ ଭାବିଥିଲି ସେପରି କିଛି କଲେ ନାହିଁ। 19ତା ପରିବର୍ତ୍ତେ, ନିଜ ଧର୍ମ ସଂକ୍ରାନ୍ତୀୟ କେତେକ ବିଷୟରେ ଓ ଯୀଶୁ ନାମକଜଣେ ମୃତବ୍ୟକ୍ତିକୁ ପାଉଲ ଜୀବିତ ବୋଲି ଦାବୀ କରୁଥିବା ବିଷୟରେ ତା ସହିତ ସେମାନଙ୍କର ବିବାଦ ଥିଲା। 20ଏପ୍ରକାର ସମସ୍ୟା କିପରି ଅନୁସନ୍ଧନ କରିବି; ସେବିଷୟରେ ମୁଁ ହତବୁଦ୍ଧି ହେଲି ତେଣୁ ସେ ଯିରୂଶାଲମକୁ ଯାଇ ସେଠାରେ ଏହି ଅଭିଯୋଗଗୁଡ଼ିକ ପାଇଁ ବିଚାରର ସମ୍ମୁଖୀନ ହେବାକୁ ସମ୍ମତ କି ନାହିଁ ତାହା ମୁଁ ତାକୁ ପଚାରିଲି। 21କିନ୍ତୁ ପାଉଲ ଯେତେବେଳେ ସମ୍ରାଟଙ୍କ ବିଚାର ନିଷ୍ପତ୍ତି ପାଇଁ ଅଟକ ରହିବାକୁ ଆବେଦନ କଲା, ମୁଁ ତାକୁ ସିଜାରଙ୍କ ନିକଟକୁ ପଠାଇବା ପର୍ଯ୍ୟନ୍ତ ଅଟକ ରଖିବାକୁ ଆଦେଶ ଦେଲି।”
22ତତ୍ପରେ ଆଗ୍ରୀପା ଫେଷ୍ଟସ୍‌ଙ୍କୁ କହିଲେ, “ମୁଁ ନିଜେ ତା ପାଖରୁ ଶୁଣିବାକୁ ଇଚ୍ଛା କରୁଛି।”
ସେ ଉତ୍ତର ଦେଲେ, “କାଲି ଆପଣ ତାହାର କଥା ଶୁଣିବେ।”
ଆଗ୍ରୀପାଙ୍କ ସମ୍ମୁଖରେ ପାଉଲ
23ପରବର୍ତ୍ତୀ ଦିନ ଆଗ୍ରୀପା ଓ ବର୍ଣ୍ଣିସ୍ ମହା ଆଡ଼ମ୍ବରରେ ଆସିଲେ ଓ ଉଚ୍ଛପଦସ୍ଥ କର୍ମଚାରୀ ତଥା ନଗରର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଗହଣରେ ଦରବାର କକ୍ଷରେ ପ୍ରବେଶ କଲେ। ଫେଷ୍ଟସ୍‌ଙ୍କ ଆଦେଶରେ, ପାଉଲଙ୍କୁ ଅଣାଗଲା। 24ଫେଷ୍ଟସ୍ କହିଲେ: “ରାଜା ଆଗ୍ରୀପା, ଓ ଆମ ସହିତ ଉପସ୍ଥିତ ବ୍ୟକ୍ତିଗଣ, ଆପଣମାନେ ଏହି ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି! ତା ବିଷୟରେ ସମୁଦାୟ ଯିହୁଦୀୟ ସମାଜ ଯିରୂଶାଲମରେ ଓ ଏଠାରେ ମୋ ନିକଟରେ ପାଟିତୁଣ୍ଡ କରି ଆବେଦନ କଲେ ଯେ, ସେ ଆଉ ବଞ୍ଚି ରହିବା ଉଚିତ ନୁହେଁ। 25ମୁଁ ଦେଖିଲି ଯେ ସେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରି ନାହିଁ, ମାତ୍ର ସେ ସମ୍ରାଟଙ୍କ ନିକଟରେ ଅପିଲ୍ କରିଥିବାରୁ ମୁଁ ତାକୁ ରୋମକୁ ପଠାଇବାର ସ୍ଥିର କଲି। 26କିନ୍ତୁ ତା ସମ୍ବନ୍ଧରେ ମଣିମାଙ୍କ ନିକଟକୁ ଲେଖିବା ପାଇଁ ମୋର ନିର୍ଦ୍ଦିଷ୍ଟ ବିଷୟ କିଛି ନାହିଁ। ସେଥିପାଇଁ ମୁଁ ତାହାକୁ ଆପଣ ସମସ୍ତଙ୍କ ସମ୍ମୁଖକୁ, ବିଶେଷତଃ ହେ ରାଜା ଆଗ୍ରୀପା, ଆପଣଙ୍କ ସମ୍ମୁଖକୁ ଅଣାଇଛି, ଯେପରିକି ଏହି ଅନୁସନ୍ଧାନ ଫଳରେ ମୁଁ ଲେଖି ପାରିବା ଭଳି କିଛି ପାଇବି। 27କାରଣ ଜଣେ ବନ୍ଦୀ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଉଲ୍ଲେଖ ନ କରି ତାକୁ ପଠାଇବା ଯୁକ୍ତିସଂଗତ ବୋଲି ମୋର ମନେ ହେଉ ନାହିଁ।”