ପ୍ରେରିତ 23
23
1ପାଉଲ ମହାସଭା ଆଡ଼କୁ ଏକଦୃଷ୍ଟିରେ ଅନାଇ କହିଲେ, “ମୋର ଭାଇମାନେ, ମୁଁ ଆଜି ଦିନ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସରଳ ବିବେକରେ ଈଶ୍ୱରଙ୍କ ପ୍ରତି ମୋର କର୍ତ୍ତବ୍ୟ ସାଧନ କରିଛି।” 2ଏଥିରେ ପାଉଲଙ୍କ ମୁଖରେ ଆଘାତ କରିବା ପାଇଁ ତାଙ୍କ ପାଖରେ ଠିଆ ହୋଇଥିବା ଲୋକଙ୍କୁ ମହାଯାଜକ ହନାନୀୟ ଆଦେଶ ଦେଲେ। 3ତହୁଁ ପାଉଲ ତାଙ୍କୁ କହିଲେ, “ହେ ସଫେତି କରା ପ୍ରାଚୀର, ଈଶ୍ୱର ତୁମକୁ ଆଘାତ କରିବେ! ବିଧିବ୍ୟବସ୍ଥା ଅନୁସାରେ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବାକୁ ଆଦେଶ ଦେଇ ନିଜେ ବିଧିବ୍ୟବସ୍ଥା ଲଘଂନ କରୁଛ!”
4ପାଉଲଙ୍କ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମେ ଈଶ୍ୱରଙ୍କ ମହାଯାଜକଙ୍କୁ ଅପ-ମାନ କରିବାକୁ କେମିତି ଦୁଃସାହସ କରୁଛ!”
5ପାଉଲ ଉତ୍ତର ଦେଲେ, “ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲେଖାଅଛି: ‘ତୁମ୍ଭ ଲୋକମାନଙ୍କର ଶାସନକର୍ତ୍ତାଙ୍କର ନିନ୍ଦା କର ନାହିଁ।’ ”
6ତତ୍ପରେ, ସେମାନଙ୍କ ମଧ୍ୟରେ କେତେକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ଥିବାର ଜାଣି, ପାଉଲ ମହାସଭାରେ ଉଚ୍ଚସ୍ଵରରେ କହିଲେ, “ମୋର ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର। ମୃତଲୋକଙ୍କର ପୁନରୁତ୍ଥାନରେ ମୋର ଭରସା ଥିବା ହେତୁ ଆଜି ମୁଁ ବିଚାରର ସମ୍ମୁଖୀନ ହୋଇଛି।” 7ସେ ଏହା କହିବାରୁ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଲା, ଏବଂ ସଭା ବିଭକ୍ତ ହୋଇଗଲା। 8(ସାଦ୍ଦୂକୀମାନେ କହନ୍ତି ପୁନରୁତ୍ଥାନ ନାହିଁ, ଏବଂ ସ୍ଵର୍ଗଦୂତ କିମ୍ବା ଆତ୍ମାମାନେ ମଧ୍ୟ ନାହାନ୍ତି, କିନ୍ତୁ ଫାରୂଶୀମାନେ ଏ ସମସ୍ତର ଅସ୍ତିତ୍ଵ ସ୍ୱୀକାର କରନ୍ତି।)
9ଏଥିରେ ମହା କୋଳାହଳ ହେଲା, ଏବଂ ଫାରୂଶୀମାନଙ୍କ ମଧ୍ୟରେ ଯେଉଁମାନେ ଶାସ୍ତ୍ରବିଦ୍ ଥିଲେ ସେମାନେ ଠିଆ ହୋଇ ଭୀଷଣ ଯୁକ୍ତିତର୍କ କରି କହିଲେ, “ଏହି ଲୋକଠାରେ ଆମେ କୌଣସି ଦୋଷ ପାଉ ନାହୁଁ, ହୁଏତ କୌଣସି ଆତ୍ମା ବା ସ୍ଵର୍ଗଦୂତ ତା ସଙ୍ଗେ କଥା କହିଛନ୍ତି?” 10ବିବାଦ ଏଡ଼େ ହିଂସାମୁଖୀ ହେଲା ଯେ ପାଉଲଙ୍କୁ କାଳେ ସେମାନେ ଟାଣି ଖଣ୍ଡ ଖଣ୍ଡ କରିଦେବେ ବୋଲି ସେନାଧ୍ୟକ୍ଷ ଆଶଙ୍କା କଲେ। ସେମାନଙ୍କ ନିକଟରୁ ପାଉଲଙ୍କୁ ବଳପୂର୍ବକ ଛଡ଼ାଇ ଆଣି ସେନାନିବାସ ଭିତରକୁ ନେଇଯିବା ପାଇଁ ସେ ସେନାଦଳକୁ ଆଦେଶ ଦେଲେ।
11ପରବର୍ତ୍ତୀ ରାତ୍ରିରେ ପ୍ରଭୁ ପାଉଲଙ୍କ ନିକଟରେ ଠିଆ ହୋଇ କହିଲେ, “ସାହସ ଧର! ଯିରୂଶାଲମରେ ତୁମେ ମୋ ବିଷୟରେ ଯେପରି ସାକ୍ଷ୍ୟ ଦେଇଛ, ରୋମରେ ମଧ୍ୟ ସେହିପରି ତୁମକୁ ସାକ୍ଷ୍ୟ ଦେବାକୁ ହେବ।”
ପାଉଲଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର
12ପରଦିନ ସକାଳେ ଯିହୁଦୀମାନେ ଏକ ଚକ୍ରାନ୍ତ କଲେ ଏବଂ ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା ବଦ୍ଧ ହେଲେ। 13ଚାଳିଶରୁ ଅଧିକ ଲୋକ ଏହି ଚକ୍ରାନ୍ତରେ ସଂପୃକ୍ତ ଥିଲେ। 14ସେମାନେ ପ୍ରଧାନଯାଜକ ଓ କୁଳବୃଦ୍ଧମାନଙ୍କ ନିକଟକୁ ଯାଇ କହିଲେ, “ଆମେ ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ହିଁ ଭୋଜନ କରିବୁ ନାହିଁ ବୋଲି ଏକ ଦୃଢ଼ ଶପଥ ଗ୍ରହଣ କରିଛୁ। 15ତେଣୁ, ଏବେ ତାହାର ମାମଲାରେ ଆହୁରି ସଠିକ ତଥ୍ୟ ଜାଣିବା ଆଳରେ ତାକୁ ଆପଣମାନଙ୍କ ସମ୍ମୁଖକୁ ଆଣିବା ପାଇଁ ଆପଣମାନେ ଓ ମହାସଭାର ସମସ୍ତେ ସେନାଧ୍ୟକ୍ଷଙ୍କ ନିକଟକୁ ଆବେଦନ କରନ୍ତୁ। ସେ ଏଠାରେ ପହଞ୍ଚିବା ପୂର୍ବରୁ ଆମେ ତାକୁ ମାରିଦେବାକୁ ପ୍ରସ୍ତୁତ ଅଛୁ।”
16କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ ବିଷୟ ଶୁଣିପାରି, ସେନାନିବାସକୁ ଗଲା ଓ ପାଉଲଙ୍କୁ ଏ କଥା ଜଣାଇଲା।
17ତହୁଁ ପାଉଲ ଜଣେ ଶତସେନାପତିଙ୍କୁ ଡାକି କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇ ଯାଆନ୍ତୁ; ତାଙ୍କୁ ଏହାର କିଛି କହିବାର ଅଛି।” 18ତେଣୁ ସେ ତାହାକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇଗଲେ।
ଶତସେନାପତି କହିଲେ, “ବନ୍ଦୀ, ପାଉଲ, ମୋତେ ଡକାଇ ଏହି ଯୁବକକୁ ଆପଣଙ୍କ ପାଖକୁ ନେଇ ଯିବାକୁ କହିଲେ କାରଣ ଆପଣଙ୍କୁ ଏହାର କିଛି କହିବାର ଅଛି।”
19ସେନାଧ୍ୟକ୍ଷ ଯୁବକର ହାତ ଧରି, ତାକୁ ଅଲଗା ଡାକି ନେଇ ପଚାରିଲେ, “ତୁମେ ମୋତେ କଅଣ କହିବାକୁ ଚାହଁ?”
20ସେ କହିଲା: “ପାଉଲଙ୍କ ବିଷୟରେ ଆହୁରି ସଠିକ୍ ତଥ୍ୟ ଜାଣିବା ଆଳରେ ଯିହୁଦୀମାନେ ତାଙ୍କୁ କାଲି ମହାସଭାକୁ ନେବା ପାଇଁ ଆପଣଙ୍କୁ ଅନୁରୋଧ କରିବାକୁ ଏକମତ ହୋଇଛନ୍ତି। 21ଆପଣ ସେମାନଙ୍କ କଥାରେ ଆଦୌ ସମ୍ମତ ହେବେ ନାହିଁ, କାରଣ ଚାଳିଶରୁ ଅଧିକ ଲୋକ ତାଙ୍କୁ ମାରିବା ପାଇଁ ଗୋପନରେ ଛକି ରହିଛନ୍ତି। ତାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ସେମାନେ ଶପଥ ନେଇଛନ୍ତି। ସେମାନେ ଏବେହେଁ ପ୍ରସ୍ତୁତ, କେବଳ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରୁଛନ୍ତି।”
22ସେନାଧ୍ୟକ୍ଷ ଯୁବକକୁ ବିଦାୟ ଦେଇ ସତର୍କ କରି କହିଲେ: “ତୁମେ ମୋତେ ଏ କଥା ଜଣାଇଛ ବୋଲି କାହାକୁ କୁହ ନାହିଁ।”
କାଇସରିଆକୁ ପାଉଲ ସ୍ଥାନାନ୍ତରିତ ହେଲେ
23ଏହାପରେ ସେନାଧ୍ୟକ୍ଷ ତାଙ୍କର ଦୁଇଜଣ ଶତସେନାପତିଙ୍କୁ ଡାକି ଏହି ଆଦେଶ ଦେଲେ, “ଆଜି ରାତି ନଅଟାବେଳେ କାଇସରିଆକୁ ଯିବା ପାଇଁ ଦୁଇଶହ ବର୍ଚ୍ଛାଧାରୀଙ୍କୁ ନେଇ, ଏକ ସେନାଦଳ ପ୍ରସ୍ତୁତ କର। 24ପାଉଲ ଯେପରି ନିରାପଦରେ ରାଜ୍ୟପାଳ ଫେଲିକ୍ସଙ୍କ ନିକଟକୁ ନିଆଯାଇ ପାରିବେ ଏଥିପାଇଁ ତାଙ୍କ ନିମନ୍ତେ ବାହନପଶୁ ଯୋଗାଇ ଦିଅ।”
25ସେ ଏହି ମର୍ମରେ ନିମ୍ନଲିଖିତ ପତ୍ର ମଧ୍ୟ ଲେଖିଲେ:
26ମହାମାନ୍ୟ ରାଜ୍ୟପାଳ,
ଫେଲିକ୍ସଙ୍କୁ କ୍ଲଉଦିଅସ୍:
ଲିସିଅସ୍ଙ୍କର ଅଭିବାଦନ।
27ଏହି ବ୍ୟକ୍ତିକୁ ଯିହୁଦୀମାନେ ଧରି ହତ୍ୟା କରିବାକୁ ଉଦ୍ୟତ ହେଉଥିଲେ, କିନ୍ତୁ ମୁଁ ମୋର ସେନାଦଳ ସହ ଯାଇ ତାହାକୁ ରକ୍ଷା କଲି, କାରଣ ସେ ଜଣେ ରୋମୀୟ ନାଗରିକ ବୋଲି ମୁଁ ଜାଣି ପାରିଲି। 28ତା ବିରୁଦ୍ଧରେ ସେମାନଙ୍କ ଅଭିଯୋଗର କାରଣ ଜାଣିବାକୁ ଇଚ୍ଛା କରି, ମୁଁ ତାକୁ ସେମାନଙ୍କ ମହାସଭାକୁ ନେଇଗଲି। 29ମୁଁ ଦେଖିଲି ଯେ ଏହି ଅଭିଯୋଗ ସେମାନଙ୍କ ବିଧିବ୍ୟବସ୍ଥା ସଂକ୍ରାନ୍ତୀୟ, କିନ୍ତୁ ମୃତ୍ୟୁ ବା କାରାଦଣ୍ଡ ପାଇବା ଭଳି କୌଣସି ଅଭିଯୋଗ ତା ବିରୁଦ୍ଧରେ ନାହିଁ। 30ଏହି ବ୍ୟକ୍ତି ବିରୁଦ୍ଧରେ ଏକ ଷଢ଼ଯନ୍ତ୍ର କରାଯାଉଥିବା ସମ୍ବାଦ ପାଇଁ, ମୁଁ ସଙ୍ଗେସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଉଛି। ଆହୁରି ମଧ୍ୟ ତାହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସାକ୍ଷାତରେ ତା ବିରୁଦ୍ଧରେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବାକୁ ମୁଁ ଆଦେଶ ଦେଇଛି।
31ଅତଏବ, ସୈନିକମାନେ ପାଇଥିବା ଆଦେଶ ଅନୁଯାୟୀ, ରାତ୍ରିକାଳରେ ପାଉଲଙ୍କୁ ସଙ୍ଗରେ ଧରି ଆନ୍ଟିପାଟ୍ରିସ୍ ପର୍ଯ୍ୟନ୍ତ ନେଇଗଲେ। 32ପରବର୍ତ୍ତୀ ଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାଙ୍କ ସଙ୍ଗେ ଯିବାକୁ ଛାଡ଼ିଦେଇ, ନିଜେ ସେନାନିବାସକୁ ଫେରିଗଲେ। 33ଅଶ୍ୱାରୋହୀମାନେ କାଇସରିଆରେ ପହଞ୍ଚିଲେ, ରାଜ୍ୟପାଳଙ୍କୁ ପତ୍ରଟି ଦେଲେ ଓ ପାଉଲଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। 34ରାଜ୍ୟପାଳ ପତ୍ର ପାଠ କଲାପରେ ପାଉଲ କେଉଁ ପ୍ରଦେଶରେ ଲୋକ ବୋଲି ପଚାରିଲେ। ପାଉଲ ସିଲିସିଆର ଲୋକ ବୋଲି ଜାଣିଲା ପରେ, 35ସେ କହିଲେ, “ତୁମର ଅଭିଯୋଗକାରୀମାନେ ଏଠାକୁ ଆସିବା ପରେ ମୁଁ ତୁମର ମାମଲା ଶୁଣିବି।” ଏହାପରେ ହେରୋଦଙ୍କ ପ୍ରାସାଦରେ ପାଉଲଙ୍କୁ ଅଟକ ବନ୍ଦୀଭାବେ ରଖିବାକୁ ସେ ଆଦେଶ ଦେଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.