Skip to content
Bible App logo

ପ୍ରେରିତ 22

22
1“ଭ୍ରାତୃ ଓ ପିତୃଗଣ, ମୁଁ ସମର୍ଥନ କରି ମୁଁ ଯାହା କହୁଛି ତାହା ଏବେ ଶୁଣନ୍ତୁ।”
2ସେ ସେମାନଙ୍କୁ ହିବ୍ରୁ ଭାଷାରେ କହୁଥିବାର ଶୁଣି, ସେମାନେ ଅଧିକତର ନୀରବ ହେଲେ।
ତହୁଁ ପାଉଲ କହିଲେ: 3“ମୁଁ ଜଣେ ଯିହୁଦୀ, ସିଲିସିଆର ତାର୍ଷସ୍‌ରେ ମୋର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ପ୍ରତିପାଳିତ ହୋଇଥିଲି। ମୁଁ ଗାମାଲୀଏଲଙ୍କ ପାଦତଳେ ବସି ଆମ ପିତୃପୁରୁଷମାନଙ୍କର ବିଧିବ୍ୟବସ୍ଥାରେ ସମ୍ପୁର୍ଣ୍ଣ ତାଲିମପ୍ରାପ୍ତ ହୋଇଥିଲି। ଏବଂ ଆଜି ଆପଣମାନେ ଯେପରି ଈଶ୍ୱରଙ୍କ ନିମନ୍ତେ ଉଦ୍‌ଯୋଗୀ ମୁଁ ମଧ୍ୟ ସେହିପରି ଥିଲି। 4ମୁଁ ଏହି ମାର୍ଗର ଅନୁଗାମୀମାନଙ୍କୁ ସେମାନଙ୍କ ପ୍ରାଣ ନାଶ ପର୍ଯ୍ୟନ୍ତ ନିର୍ଯ୍ୟାତନା କରୁଥିଲି, ଏବଂ ଉଭୟେ ପୁରୁଷ ତଥା ସ୍ତ୍ରୀଲୋକଙ୍କୁ ବାନ୍ଧି କାରାଗାରରେ ନିକ୍ଷେପ କରୁଥିଲି, 5ଏ ବିଷୟରେ ମହାଯାଜକ ଏବଂ ବିଚାରସଭାର ସମସ୍ତେ ସାକ୍ଷ୍ୟ ଦେଇ ପାରିବେ। ଏପରିକି ମୁଁ ସେମାନଙ୍କଠାରୁ ଦାମାସ୍କସ୍‌ରେ ଥିବା, ସେମାନଙ୍କ ଭ୍ରାତୃବର୍ଗଙ୍କ ନିକଟକୁ ପତ୍ର ନେଇ ଏହି ଲୋକମାନଙ୍କୁ ଦଣ୍ଡ ଦେବାକୁ ବନ୍ଦୀ କରି ଯିରୂଶାଲମକୁ ଆଣିବା ପାଇଁ ଦାମାସ୍କସ୍‌କୁ ଯାତ୍ରା କଲି।
6“ପ୍ରାୟ ମଧ୍ୟାହ୍ନ ବେଳକୁ ମୁଁ ଦାମାସ୍କସ୍‌ର ନିକଟବର୍ତ୍ତୀ ହେଉଥିଲି, ଏପରି ସମୟରେ ହଠାତ୍ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକ ମୋର ଚତୁର୍ଦ୍ଦିଗରେ ଝଲସି ଉଠିଲା। 7ମୁଁ ଭୂମିରେ ପଡ଼ିଗଲି ଓ ଏକ ସ୍ଵର ମୋତେ ଏହା କହୁଥିବାର ଶୁଣିଲି, ‘ଶାଉଲ! ଶାଉଲ! କାହିଁକି ତୁମେ ମୋତେ ନିର୍ଯ୍ୟାତନା କରୁଛ?’
8“ମୁଁ ପଚାରିଲି, ‘ଆପଣ କିଏ, ପ୍ରଭୁ?’
“ସେ ଉତ୍ତର ଦେଲେ, ‘ଯାହାଙ୍କୁ ତୁମେ ତାଡନା କରୁଛ, ମୁଁ ସେହି ନାଜରିତୀୟ ଯୀଶୁ।’ 9ମୋର ସଙ୍ଗୀମାନେ ସେହି ଆଲୋକ ଦେଖିଲେ, କିନ୍ତୁ ଯେ ମୋ ସଙ୍ଗେ କଥା କହୁଥିଲେ ତାହାଙ୍କର ସ୍ଵରରୁ କିଛି ବୁଝିଲେ ନାହିଁ।
10“ ‘ମୁଁ ପଚାରିଲି, ପ୍ରଭୁ, ମୋତେ କଣ କରିବାକୁ ହେବ?’
“ପ୍ରଭୁ କହିଲେ, ‘ଉଠ, ଦାମାସ୍କସ୍‌କୁ ଯାଅ। ତୁମ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରାଯାଇଛି ତାହା ସେଠାରେ ତୁମକୁ କୁହାଯିବ।’ 11ସେହି ଆଲୋକର ତେଜ ହେତୁ ମୁଁ ଅନ୍ଧ ହୋଇ ଯାଇଥିଲି, ତେଣୁ ମୋର ସଙ୍ଗୀମାନେ ମୋତେ ହାତ ଧରି ଦାମାସ୍କସ୍‌କୁ ବାଟ କଢ଼ାଇ ନେଲେ।
12“ହନନୀୟ ନାମକ ଜଣେବ୍ୟକ୍ତି ମୋତେ ଦେଖିବାକୁ ଆସିଲେ। ସେ ବିଧିବ୍ୟବସ୍ଥା ପାଳନରେ ଜଣେ ନିଷ୍ଠାପର ବ୍ୟକ୍ତି ଥିଲେ ଓ ସ୍ଥାନୀୟ ଯିହୁଦୀମାନଙ୍କର ଆଦରଣୀୟ ଥିଲେ। 13ସେ ମୋ ନିକଟରେ ଠିଆ ହୋଇ କହିଲେ, ‘ଭାଇ ଶାଉଲ, ତୁମେ ଦୃଷ୍ଟି ଲାଭ କର!’ ସେହି ମୁହୂର୍ତ୍ତରେ ମୁଁ ତାଙ୍କୁ ଦେଖି ପାରିଲି।
14“ତା ପରେ ସେ ମୋତେ କହିଲେ: ‘ଆମ ପିତୃପୁରୁଷମାନଙ୍କର ଈଶ୍ୱର ତାଙ୍କର ଅଭିମତ ଜାଣିବା ପାଇଁ ଧାର୍ମିକ ଜନଙ୍କୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଓ ତାହାଙ୍କର ମୁଖନିଃସୃତ କଥା ଶୁଣିବା ପାଇଁ ତୁମକୁ ମନୋନୀତ କରିଛନ୍ତି। 15କାରଣ ତୁମେ ଯାହା ଦେଖିଛ ଓ ଶୁଣିଛ ସେହି ବିଷୟରେ ସବୁ ଲୋକଙ୍କ ନିକଟରେ ତାହାଙ୍କର ସାକ୍ଷୀ ହେବ। 16ଏବେ ଆଉ କାହିଁକି ବିଳମ୍ବ କରୁଛ? ଉଠ, ଡୁବନ ନିଅ ଓ ତାହାଙ୍କ ନାମରେ ପ୍ରାର୍ଥନା କରି, ନିଜର ପାପ ପ୍ରକ୍ଷାଳନ କର।’
17“ମୁଁ ଯେତେବେଳେ ଯିରୂଶାଲମକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିଲି, ସେତେବେଳେ ଭାବାବିଷ୍ଟ ହୋଇ ପଡ଼ିଲି 18ଏବଂ ପ୍ରଭୁଙ୍କୁ ଦର୍ଶନ କଲି ସେ ମୋତେ କହିଲେ। ‘ବିଳମ୍ବ କର ନାହିଁ! ଏହିକ୍ଷଣି ଯିରୂଶାଲମ ପରିତ୍ୟାଗ କର, କାରଣ ସେମାନେ ମୋ ସମ୍ବନ୍ଧରେ ତୁମର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।’
19“ମୁଁ ଉତ୍ତର ଦେଲି, ‘ପ୍ରଭୁ, ମୁଁ ଯେ ତୁମ୍ଭର ବିଶ୍ୱାସୀମାନଙ୍କୁ ବନ୍ଦୀ କରି ପ୍ରହାର କରିବାକୁ ଗୋଟିକ ପରେ ଗୋଟିଏ ଉପାସନାଗୃହକୁ ଯାଉଥିଲି ତାହା ଏହି ଲୋକମାନେ ଜାଣନ୍ତି। 20ଆହୁରି ମଧ୍ୟ ଯେତେବେଳେ ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ କରାଗଲା, ସେତେବେଳେ ମୁଁ ମୋର ସମର୍ଥନ ଜଣାଇ ତାଙ୍କୁ ହତ୍ୟା କରୁଥିବା ଲୋକଙ୍କର ବସ୍ତ୍ର ଜଗି ସେଠାରେ ଠିଆ ହୋଇଥିଲି।’
21“ତତ୍ପରେ ପ୍ରଭୁ ମୋତେ କହିଲେ, ‘ଯାଅ; ମୁଁ ତୁମକୁ ସୁଦୂରକୁ ଅଣଯିହୁଦୀ ଲୋକଙ୍କ ନିକଟକୁ ପଠାଇବି।’ ”
22ଏହା କହିବା ପର୍ଯ୍ୟନ୍ତ ଲୋକେ ପାଉଲଙ୍କ କଥା ଶୁଣୁଥିଲେ। ତା ପରେ ସେମାନେ ଉଚ୍ଚସ୍ଵରରେ ଚିତ୍କାର କରି ଉଠିଲେ, “ଏ ଲୋକକୁ ପୃଥିବୀରୁ ଅନ୍ତର କର! ସେ ବଞ୍ଚି ରହିବା ଯୋଗ୍ୟ ନୁହେଁ!”
23ସେମାନେ ଯେତେବେଳେ ଚିତ୍କାର କରୁଥିଲେ ଓ ନିଜ ନିଜ ପୋଷାକ ଫୋପାଡ଼ି ଉପରକୁ ଧୂଳି ପକାଉ-ଥିଲେ, 24ସେତେବେଳେ ସେନାଧ୍ୟକ୍ଷ ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପରି ଚିତ୍କାର କରୁଥିଲେ ତାହା ଜାଣିବା ପାଇଁ ସେ ତାଙ୍କୁ କଷାଘାତ କରି ଜେରା କରିବାକୁ ଆଦେଶ ଦେଲେ। 25ସେମାନେ ତାଙ୍କୁ କଷାଘାତ କରିବା ପାଇଁ ବାନ୍ଧିଲା ବେଳକୁ, ସେଠାରେ ଠିଆ ହୋଇଥିବା ଶତସେନାପତିଙ୍କୁ ପାଉଲ କହିଲେ, “ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ଜଣେ ରୋମୀୟ ନାଗରିକକୁ କଷାଘାତ କରିବା ଆପଣମାନଙ୍କ ପକ୍ଷେ କଅଣ ଆଇନ୍ ସଙ୍ଗତ?”
26ଶତସେନାପତି ତାହା ଶୁଣି, ଚାଲିଗଲେ ଓ ସେନାଧ୍ୟକ୍ଷଙ୍କୁ ତାହା ଜଣାଇଲେ। ସେ କହିଲେ, “ଆପଣ କଣ କରିବାକୁ ଯାଉଛନ୍ତି? ଏହି ଲୋକ ଜଣେ ରୋମୀୟ ନାଗରିକ।”
27ସେନାଧ୍ୟକ୍ଷ ପାଉଲଙ୍କ ନିକଟକୁ ଯାଇ ପଚାରିଲେ, “ମୋତେ କୁହ ତ, ତୁମେ କଣ ଜଣେ ରୋମୀୟ ନାଗରିକ?”
ସେ ଉତ୍ତର କଲେ, “ହଁ।”
28ତତ୍ପରେ ସେନାଧ୍ୟକ୍ଷ କହିଲେ, “ଏହି ନାଗରିକତ୍ଵ ପାଇବା ପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡ଼ିଥିଲା।”
ପାଉଲ ଉତ୍ତର ଦେଲେ, “କିନ୍ତୁ ମୁଁ ଜନ୍ମରୁ ରୋମୀୟ ନାଗରିକ।”
29ଅତଏବ ଯେଉଁମାନେ ତାଙ୍କୁ ଜେରା କରିବାକୁ ଯାଉଥିଲେ ସେମାନେ ସଙ୍ଗେସଙ୍ଗେ ଚାଲିଗଲେ। ସେନାଧ୍ୟକ୍ଷ ଯେତେବେଳେ ବୁଝି ପାରିଲେ ଯେ ସେ ଜଣେ ରୋମୀୟ ନାଗରିକଙ୍କୁ ଅର୍ଥାତ୍ ପାଉଲଙ୍କୁ ଶିକୁଳିରେ ବାନ୍ଧିଥିଲେ, ସେତେବେଳେ ସେ ନିଜେ ଶଙ୍କିତ ହୋଇପଡ଼ିଲେ।
30ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରୁଛନ୍ତି ତାହା ସଠିକ ଜାଣିବା ପାଇଁ। ସେନାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କୁ ବନ୍ଧନମୁକ୍ତ କଲେ ଓ ପ୍ରଧାନ ଯାଜକମାନଙ୍କୁ ଏବଂ ମହାସଭାର ସମସ୍ତଙ୍କୁ ସମବେତ ହେବାକୁ ଆଦେଶ ଦେଲେ। ତତ୍ପରେ ସେ ପାଉଲଙ୍କୁ ଆଣି ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।