ପ୍ରେରିତ 19
19
ଏଫିସସ୍ରେ ପାଉଲଙ୍କ ପ୍ରଚାର
1ଆପଲ୍ଲ କରିନ୍ଥୀରେ ଥିଲାବେଳେ, ପାଉଲ ଭିତର ଅଞ୍ଚଳ ବାଟେ ଯାତ୍ରା କରି ଏଫିସସ୍ରେ ପହଞ୍ଚିଲେ। ଓ ସେଠାରେ ସେ କେତେକ ଶିଷ୍ୟଙ୍କର ଦେଖା ପାଇଲେ 2ସେ ସେମାନଙ୍କୁ ପଚାରିଲେ, “ତୁମେମାନେ ଯେତେବେଳେ ବିଶ୍ୱାସ କଲ ସେତେବେଳେ ପବିତ୍ରଆତ୍ମଙ୍କୁ ପାଇଥିଲ କି?”
ସେମାନେ ଉତ୍ତର ଦେଲେ, “ନା, ପବିତ୍ରଆତ୍ମା ଅଛନ୍ତି ବୋଲି ଆମେ ଶୁଣି ମଧ୍ୟ ନାହୁଁ।”
3ତେଣୁ ପାଉଲ ପଚାରିଲେ, “ତା ହେଲେ ତୁମେମାନେ କି ଡୁବନ ଗ୍ରହଣ କରିଛ?”
ସେମାନେ ଉତ୍ତର ଦେଲେ, “ଯୋହନଙ୍କ ଡୁବନ।”
4ପାଉଲ କହିଲେ, “ଯୋହନଙ୍କ ଡୁବନ ଅନୁତାପ ସୂଚକ ଡୁବନ। ଯୋହନଙ୍କ ପରେ ଯେ ଆସିବେ, ତାହାଙ୍କଠାରେ, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ଯୋହନ ଲୋକମାନଙ୍କୁ କହୁଥିଲେ।” 5ତାହା ଶୁଣି, ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ଡୁବନ ନେଲେ। 6ପୁଣି ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ, ଏବଂ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଓ ଭବିଷ୍ୟଦ୍ବାଣୀ କରିବାକୁ ଲାଗିଲେ। 7ସେମାନେ ମୋଟରେ ପ୍ରାୟ ବାରଜଣ ଥିଲେ।
8ପାଉଲ ଉପାସନାଗୃହକୁ ଗଲେ ସେ ତିନିମାସ ପର୍ଯ୍ୟନ୍ତ, ସାହସ ସହକାରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଦୃଢ଼ତା ସହ ଯୁକ୍ତି କରି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 9କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଜିଦ୍ଖୋର ଥିଲେ; ଓ ବିଶ୍ୱାସ କଲେ ନାହିଁ ପୁଣି ପ୍ରକାଶ୍ୟରେ ସେହି ମାର୍ଗର ନିନ୍ଦା କଲେ। ତେଣୁ ପାଉଲ ସେମାନଙ୍କୁ ପରିତ୍ୟାଗ କଲେ ସେ ଶିଷ୍ୟମାନଙ୍କୁ ଅଲଗା ନେଇ ପ୍ରତିଦିନ ତିରାନ୍ନସ୍ ବିଦ୍ୟାଭବନରେ ଆଲୋଚନା କଲେ। 10ଏହିପରି ଦୁଇବର୍ଷ ପର୍ଯ୍ୟନ୍ତ ଚାଲିଲା, ଫଳରେ ଏସିଆ ପ୍ରଦେଶରେ ବାସ କରୁଥିବା ସବୁ ଯିହୁଦୀ ଓ ଗ୍ରୀକ ଲୋକ ପ୍ରଭୁଙ୍କର ବାକ୍ୟ ଶୁଣିଲେ।
11ଈଶ୍ୱର ପାଉଲଙ୍କ ଦ୍ଵାରା ଅସାଧାରଣ ଶକ୍ତିଯୁକ୍ତ କାର୍ଯ୍ୟସବୁ ସାଧନ କଲେ, 12ଏପରିକି ତାଙ୍କ ଦେହଲଗା ରୁମାଲ ଓ ଗାମୁଛା ରୋଗୀମାନଙ୍କ ନିକଟକୁ ନିଆଗଲେ ସେମାନଙ୍କର ରୋଗ ସୁସ୍ଥ ହେଉଥିଲା, ଓ ଭୂତାତ୍ମାଗୁଡ଼ାକ ସେମାନଙ୍କୁ ଛାଡ଼ି ଚାଲି ଯାଉଥିଲେ।
13ବୁଲି ବୁଲି ଭୂତ ଛଡ଼ାଡଥିବା କେତେକ ଯିହୁଦୀ ଲୋକ ଭୂତଗ୍ରସ୍ତ ଲୋକଙ୍କ ଉପରେ ଯୀଶୁଙ୍କ ନାମ ଉଚ୍ଚାରଣ କରି କହିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ, ମୁଁ ଆଦେଶ ଦେଉଛି ବାହାରି ଆ।” 14ସ୍କୀଭା ନାମକଜଣେ ଯିହୁଦୀୟ ପ୍ରଧାନ ଯାଜକଙ୍କର, ସାତ ପୁତ୍ର, ଏହିପରି କରୁଥିଲେ। 15ଭୂତାତ୍ମା ସେମାନଙ୍କୁ ଉତ୍ତର ଦେଲା, “ଯୀଶୁଙ୍କୁ ମୁଁ ଜାଣେ, ପାଉଲଙ୍କ ବିଷୟରେ ମୁଁ ଜାଣେ, କିନ୍ତୁ ତୁମେ ସବୁ କିଏ?” 16ତା ପରେ ଭୂତ ଲାଗିଥିବା ଲୋକଟା ସେମାନଙ୍କ ଉପରେ ଡେଇଁପଡ଼ି ସେମାନଙ୍କୁ ବଶୀଭୂତ କରି ପକାଇଲା ସେ ସେମାନଙ୍କୁ ଏପରି ମାଡ଼ ମାରିଲା ଯେ ସେମାନେ ଉଲଙ୍ଗ ଓ ରକ୍ତାକ୍ତ ଅବସ୍ଥାରେ ସେହି ଘରୁ ବାହାରି ପଳାଇଗଲେ।
17ଏଫିସସ୍ରେ ବାସ କରୁଥିବା ଯିହୁଦୀ ଓ ଗ୍ରୀକ ଲୋକମାନେ ଯେତେବେଳେ ଏ କଥା ଶୁଣିଲେ, ସେମାନେ ଆତଙ୍କିତ ହେଲେ, ଏବଂ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେଲା। 18ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ନିଜ ନିଜର ଦୁଷ୍କର୍ମ ପ୍ରକାଶ୍ୟରେ ସ୍ୱୀକାର କଲେ। 19ଗୁଣିବିଦ୍ୟା କରୁଥିବା ଅନେକେ ନିଜର ପୋଥି ଆଦି ଏକାଠି ଆଣି ସର୍ବସାଧାରଣରେ ପୋଡ଼ି ଦେଲେ। ସେମାନେ ପୋଥିଗୁଡ଼ିକର ମୂଲ୍ୟ ହିସାବ କରିବାରୁ, ମୋଟ ମୂଲ୍ୟ ପଚାଶ ହଜାର ରୂପା ମୁଦ୍ରା ହେଲା। 20ଏହିରୂପେ ପ୍ରଭୁଙ୍କର ବାକ୍ୟ ଚାରିଆଡ଼େ ପ୍ରସାର ଲାଭ କଲା ଓ ଶକ୍ତିରେ ବୃଦ୍ଧି ପାଇଲା।
21ଏହିସମସ୍ତ ଘଟିବା ପରେ, ପାଉଲ ମାସିଦୋନିଆ ଓ ଆଖାୟା ବାଟେ, ଯିରୂଶାଲମକୁ ଯିବା ପାଇଁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ, ମୁଁ ରୋମକୁ ମଧ୍ୟ ଯିବି।” 22ସେ ତାଙ୍କର ଦୁଇଜଣ ସାହାଯ୍ୟକାରୀ, ତୀମଥି ଓ ଏରାଷ୍ଟସ୍ ଙ୍କୁ ମାସିଦୋନିଆକୁ ପଠାଇଦେଲେ, ଓ ନିଜେ ଆଉ କିଛିକାଳ ଏସିଆ ପ୍ରଦେଶରେ ରହିଲେ।
ଏଫିସସ୍ରେ ମହା ଗଣ୍ଡଗୋଳ
23ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ସୃଷ୍ଟି ହେଲା। 24ଦୀମିତ୍ରିୟସ୍ ନାମକଜଣେ ରୌପ୍ୟକାର, ଆର୍ତ୍ତେମୀସ୍ର ରୂପା ମନ୍ଦିର ତିଆରି କରୁଥିଲା, ଓ ତାହାର କାରିଗରମାନେ ଏହା ଦ୍ଵାରା ଖୁବ୍ ଲାଭବାନ ହେଉଥିଲେ। 25ସେ ସେମାନଙ୍କୁ, ଏବଂ ସେହିପ୍ରକାର ବ୍ୟବସାୟ କରୁଥିବା କାରିଗରମାନଙ୍କୁ ଏକତ୍ର ଡାକି କହିଲା: “ବନ୍ଧୁଗଣ, ତୁମେମାନେ ଜାଣ ଯେ, ଏହି ବ୍ୟବସାୟରୁ ଆମେ ବେଶ୍ ଭଲ ରୋଜଗାର କରୁଛୁ। 26ଆହୁରି ମଧ୍ୟ ତୁମେମାନେ ଦେଖୁଛ ଓ ଶୁଣୁଛ ଏହି ପାଉଲ କିପରି ଏଫିସସ୍ରେ ଏପରିକି ପ୍ରାୟ ସମଗ୍ର ଏସିଆ ପ୍ରଦେଶରେ ଅନେକ ଲୋକଙ୍କୁ ମଣାଇ ଭ୍ରାନ୍ତ ପଥରେ ନେଉଛି କାରଣ ସେ କହୁଛି ମଣିଷ ହାତଗଢ଼ା ଦେବତାମାନେ ଆଦୌ ଦେବତା ନୁହନ୍ତି। 27ଏଥିରେ ଯେ କେବଳ ଆମ ବ୍ୟବସାୟର ସୁନାମ କ୍ଷୁଣ୍ଣ ହେବାର ଆଶଙ୍କା ଅଛି ତା ନୁହେଁ, ମାତ୍ର ମହାଦେବୀ ଆର୍ତ୍ତେମୀସ୍ଙ୍କ ମନ୍ଦିରର ଯଶ ମଧ୍ୟ କ୍ଷୁଣ୍ଣ ହେବ; ପୁଣି ଯେଉଁ ଦେବୀ ସମଗ୍ର ଏସିଆ ପ୍ରଦେଶରେ, ତଥା ସାରା ଜଗତରେ ପୂଜିତ ହୁଅନ୍ତି, ସେ ନିଜେ ତାଙ୍କର ଐଶ୍ୱର୍ଯ୍ୟ ମଧ୍ୟ ହରାଇବେ।”
28ଏହା ଶୁଣିଲାକ୍ଷଣି ସେମାନେ କ୍ରୋଧାନ୍ଧ ହେଲେ, ଓ ଚିତ୍କାର କରି କହିବାକୁ ଲାଗିଲେ: “ଏଫିସୀୟମାନଙ୍କର ଆର୍ତ୍ତେମୀସ୍ ଦେବୀ ମହାନ୍ ଅଟେ।” 29ଅତିଶୀଘ୍ର ସାରା ନଗରରେ ଗଣ୍ଡଗୋଳ ଲାଗିଗଲା। ଲୋକେ ପାଉଲଙ୍କ ସହଯାତ୍ରୀ ମାସିଦୋନିଆର, ଗାୟସ୍ ଓ ଆରିସ୍ତାର୍ଖସ୍ଙ୍କୁ, ଧରି ନେଇ ରଙ୍ଗଭୂମି ଆଡ଼କୁ ଏକାଠି ଦୌଡ଼ିଲେ। 30ପାଉଲ ଜନତାର ସମ୍ମୁଖକୁ ଯିବା ପାଇଁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଛାଡ଼ିଲେ ନାହିଁ। 31ପ୍ରାଦେଶିକ କର୍ମଚାରୀମାନଙ୍କ ମଧ୍ୟରୁ କେତେକ, ଯେଉଁମାନେ ପାଉଲଙ୍କର ବନ୍ଧୁ ଥିଲେ, ସେମାନେ ସୁଦ୍ଧା ରଙ୍ଗଭୂମି ଭିତରକୁ ଯିବା ପାଇଁ ଦୁଃସାହସ ନ କରିବାକୁ ତାଙ୍କୁ ଅନୁରୋଧ କରି ଖବର ପଠାଇଲେ।
32ସଭା ବିଶୃଙ୍ଖଳାରେ ପୂର୍ଣ୍ଣ ଥିଲା: କେହି କେହି ଗୋଟିଏ କଥା ଚିତ୍କାର କରୁଥିବା ବେଳେ, ଅନ୍ୟ କେହି କେହି ଆଉ ଗୋଟିଏ କଥା କହୁଥିଲେ। ଅଧିକାଂଶ ଲୋକ କାହିଁକି ସେଠାରେ ରୁଣ୍ଡ ହୋଇଛନ୍ତି ବୋଲି ଜାଣି ସୁଦ୍ଧା ନ ଥିଲେ। 33ଯିହୁଦୀମାନେ ଆଲେକ୍ଜାଣ୍ଡରଙ୍କୁ ଆଗକୁ ଠେଲି ନେଇଗଲେ, ଏବଂ ଲୋକଗହଳି ମଧ୍ୟରୁ କେହି କେହି ତାଙ୍କୁ ନିର୍ଦ୍ଦେଶ ଦେବାକୁ ଲାଗିଲେ। ସେ ଲୋକଙ୍କ ସମ୍ମୁଖରେ ପକ୍ଷସମର୍ଥନ କରି କିଛି କହିବା ଇଚ୍ଛାରେ ଲୋକଙ୍କୁ ନୀରବ ରହିବା ପାଇଁ ସଂକେତ ଦେଲେ। 34କିନ୍ତୁ ସେ ଜଣେ ଯିହୁଦୀ ବୋଲି ଜାଣିଲା ପରେ, ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ଏକ ସ୍ଵରରେ ଚିତ୍କାର କରିବାକୁ ଲାଗିଲେ: “ଏଫିସୀୟମାନଙ୍କର ଦେବୀ ଆର୍ତ୍ତେମୀସ୍ ମହାନ୍ ଅଟେ।”
35ନଗରପାଳ ଜନତାକୁ ଶାନ୍ତ କରାଇ କହିଲେ: “ହେ ଏଫିସସ୍ର ଲୋକବୃନ୍ଦ, ଏଫିସସ୍ ନଗର ଯେ ମହାଦେବୀ ଆର୍ତ୍ତେମୀସ୍ ମନ୍ଦିରର ଓ ଆକାଶରୁ ପତିତ ତାଙ୍କ ପ୍ରତିମାର ରକ୍ଷକ, ଏହା କଅଣ ସାରା ଜଗତ ଜାଣେ ନାହିଁ? 36ଏ କଥା କେହି ଅସ୍ୱୀକାର କରିପାରିବ ନାହିଁ। ସେଥିପାଇଁ, ଆପଣମାନେ ସମସ୍ତେ ଶାନ୍ତ ରହିବା ଓ ଅବିବେଚନା ପୂର୍ବକ କୌଣସି କାର୍ଯ୍ୟ ନ କରିବା ଉଚିତ୍। 37ଆପଣମାନେ ଏହି ଲୋକମାନଙ୍କୁ ଏଠାକୁ ଆଣିଛନ୍ତି, ଅଥଚ ଏମାନେ ମନ୍ଦିର ଲୁଟ କରିନାହାନ୍ତି କି ଆମ ଦେବୀଙ୍କର ନିନ୍ଦା କରିନାହାନ୍ତି। 38ଦୀମିତ୍ରିୟସ୍ ଓ ତାହାର ସହ-ଶିଳ୍ପିମାନଙ୍କର ଯଦି କାହାରି ବିରୁଦ୍ଧରେ କିଛି ଅଭିଯୋଗ ଥାଏ, ତେବେ ବିଚାରାଳୟଗୁଡ଼ିକ ଖୋଲା ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି। ସେମାନେ ଅଭିଯୋଗ ଆଗତ କରନ୍ତୁ। 39ଯଦି ଆଉ କିଛି ଉପସ୍ଥାପନ କରିବାକୁ ଚାହଁ, ତେବେ ତାହା ନ୍ୟାୟ ସଭାରେ ମୀମାଂସା କରାଯିବା ଉଚିତ। 40ଆଜି ଯାହାସବୁ ଘଟିଗଲା, ସେଥିପାଇଁ ଆମ ବିରୁଦ୍ଧରେ ଦଙ୍ଗା ସୃଷ୍ଟି କରିବା ଅଭିଯୋଗର ଆଶଙ୍କା ଅଛି। ତା ହେଲେ ଏହି ଗଣ୍ଡଗୋଳର ଯଥାର୍ଥ କାରଣ ନ ଥିବାରୁ, ଆମେ କୌଣସି କୈଫିୟତ୍ ଦେଇପାରିବୁ ନାହିଁ।” 41ଏହା କହିବା ପରେ, ସେ ସଭା ଭଙ୍ଗ କଲେ।
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.