Skip to content

ପ୍ରେରିତ 20

20
ମାସିଦୋନିଆ ଓ ଗ୍ରୀସ୍ ର ଯାତ୍ରା
1ଗୋଳମାଳ ବନ୍ଦ ହେଲାପରେ, ପାଉଲ ଶିଷ୍ୟମାନଙ୍କୁ ଡକାଇଲେ, ଏବଂ ସେମାନଙ୍କୁ ଉତ୍ସାହ ପ୍ରଦାନ କଲାପରେ, ବିଦାୟ ସମ୍ଭାଷଣ ଜଣାଇ ମାସିଦୋନିଆ ଅଭିମୁଖେ ବାହାରିଲେ। 2ସେହି ଅଞ୍ଚଳ ମଧ୍ୟଦେଇ ଯାତ୍ରା କଲାବେଳେ, ପାଉଲ ଲୋକମାନଙ୍କୁ ଅନେକ ଉତ୍ସାହବାଣୀ ଦେଇ, ଶେଷରେ ଗ୍ରୀସ୍‌ରେ ପହଞ୍ଚିଲେ, 3ସେଠାରେ ସେ ତିନିମାସ ରହିଲେ। ସିରିଆକୁ ଜଳଯାତ୍ରାରେ ଯିବା ପାଇଁ ଉଦ୍ୟତ ହେଲା ବେଳକୁ ଯିହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ହେତୁ, ସେ ମାସିଦୋନିଆ ବାଟେ ଫେରିଯିବାକୁ ସ୍ଥିର କଲେ। 4ତାଙ୍କ ସଙ୍ଗରେ ବେରିଆନିବାସୀ ପିରସ୍‌ଙ୍କ ପୁତ୍ର ସୋପାତର୍, ଥେସଲନିକାରୁ ଆରିସ୍ତାର୍ଖସ୍ ଓ ସେକେଣ୍ଡସ୍, ଦର୍ବୀରୁ ଗାୟସ୍, ଏବଂ ତୀମଥି, ପୁଣି ଏସିଆ ପ୍ରଦେଶରୁ ତୁଖିକସ୍ ଓ ତ୍ରୋଫିମସ ଗଲେ। 5ଏହି ବ୍ୟକ୍ତିମାନେ ଆଗରୁ ଯାଇ ତ୍ରୋୟାସ୍‌ରେ ଆମ ପାଇଁ ଅପେକ୍ଷା କରୁଥିଲେ। 6କିନ୍ତୁ ଖମିରଶୂନ୍ୟରୋଟୀର ପର୍ବ ପରେ ଆମେ ଫିଲିପ୍‌ପୀରୁ ଜଳଯାତ୍ରା କରି, ପାଞ୍ଚ ଦିନ ପରେ ତ୍ରୋୟାସ୍‌ରେ ଅନ୍ୟମାନଙ୍କ ସହିତ ଯୋଗ ଦେଲୁ, ସେଠାରେ ଆମେ ସାତ ଦିନ ରହିଲୁ।
ଉପାସନା ସଭାରେ ନିଦ୍ରାଗତ ଇଉତିଖସ୍ ର ଜୀବନ ଫେରିଲା
7ସପ୍ତାହର ପ୍ରଥମ ଦିନରେ ଆମେ ରୋଟୀ ଭାଙ୍ଗିବାକୁ ଏକତ୍ରିତ ହେଲୁ। ପାଉଲ ପରବର୍ତ୍ତୀ ଦିନ, ସେଠାରୁ ପ୍ରସ୍ଥାନ କରିବାକୁ ସଂକଳ୍ପ କରିଥିବାରୁ, ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେବାକୁ ଲାଗିଲେ। 8ଆମେ ଯେଉଁ ଉପର କୋଠରିରେ ସମବେତ ହୋଇଥିଲୁ ସେଠାରେ ଅନେକ ପ୍ରଦୀପ ଥିଲା। 9ସେଠାରେ ଇଉତିଖସ୍ ନାମକଜଣେ ଯୁବକ ଝରକା ଉପରେ ବସିଥିଲା, ପାଉଲ ଦୀର୍ଘ ସମୟ ଧରି ଉପଦେଶ ଦେବାରୁ ସେ ଶୋଇ ପଡ଼ିଲା। ଓ କ୍ରମେ ଗଭୀର ନିଦ୍ରାଗତ ହୋଇ, ତୃତୀୟ ମହଲାରୁ ତଳେ ପଡ଼ିଗଲା ଏବଂ ତାକୁ ଉଠାଇଲା ବେଳକୁ ସେ ମୃତ ବୋଲି ଜଣାଗଲା। 10ପାଉଲ ତଳକୁ ଓହ୍ଲାଇଗଲେ, ଓ ଯୁବକ ଉପରେ ପଡ଼ି ତାକୁ କୁଣ୍ଢାଇ ଧରି, କହିଲେ, “ତୁମେମାନେ ଭୀତତ୍ରସ୍ତ ହୁଅ ନାହିଁ, ସେ ବଞ୍ଚିଛି!” 11ତା ପରେ ସେ ଉପର ମହଲାକୁ ଫେରିଗଲେ ଏବଂ ରୋଟୀ ଭାଙ୍ଗି ଭୋଜନ କଲେ। ସେ ରାତି ପାହିବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି, ପ୍ରସ୍ଥାନ କଲେ। 12ଲୋକେ ସେହି ଯୁବକକୁ ଜୀବିତ ଅବସ୍ଥାରେ ଘରକୁ ନେଇଗଲେ ଓ ବିଶେଷ ଆଶ୍ୱସ୍ତ ହେଲେ।
ଏଫିସୀୟ ମଣ୍ଡଳୀ-ମୁଖ୍ୟମାନଙ୍କୁ ପାଉଲଙ୍କ ବିଦାୟକାଳୀନ ଉପଦେଶ
13ଆମେ ଆଗରୁ ଜାହାଜରେ ଚଢ଼ି ଆସସ୍‌କୁ ଯାତ୍ରା କଲୁ, ସେଠାରୁ ଆମେ ପାଉଲଙ୍କୁ ଜାହାଜରେ ଉଠାଇ ନେବାର ଥିଲା। ସେ ପଦଯାତ୍ରା କରୁଥିବାରୁ ଏହିପ୍ରକାର ବନ୍ଦୋବସ୍ତ କରିଥିଲେ। 14ଆସସ୍‌ରେ ସେ ଆମକୁ ଭେଟିଲେ, ଓ ଆମେ ତାଙ୍କୁ ଜାହାଜରେ ଉଠାଇ ନେଇ ମିତିଲିନୀକୁ ଗଲୁ। 15ତା ପରଦିନ ଆମେ ଜାହାଜରେ ଯାତ୍ରା କରି ଖିଅସ୍ ନିକଟରେ ପହଞ୍ଚିଲୁ। ପରବର୍ତ୍ତୀ ଦିନ ଆମେ ସାମୋସ୍‌କୁ ଚାଲିଗଲୁ, ପୁଣି ଦିନକ ପରେ ମିଲିତସ୍‌ରେ ପହଞ୍ଚିଲୁ। 16ଏସିଆ ପ୍ରଦେଶରେ ସମୟ କ୍ଷେପଣ ନ କରି, ଏଫିସସ୍ ପାର ହୋଇ ଚାଲିଯିବାକୁ ପାଉଲ ମନସ୍ଥ କରିଥିଲେ, କାରଣ ସମ୍ଭବ ହେଲେ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବାକୁ ପାଉଲ ବ୍ୟଗ୍ର ହେଉଥିଲେ।
17ମିଲିତସ୍‌ରୁ, ପାଉଲ ଏଫିସସ୍‌କୁ ଲୋକ ପଠାଇ ମଣ୍ଡଳୀମୁଖ୍ୟମାନଙ୍କୁ ଡକାଇଲେ। 18ସେମାନେ ପହଞ୍ଚିଲା ପରେ, ସେ ସେମାନଙ୍କୁ କହିଲେ: “ମୁଁ ଏସିଆ ପ୍ରଦେଶରେ ପଦାର୍ପଣ କରିବାର ପ୍ରଥମ ଦିନରୁ ସାରା ସମୟ ତୁମମାନଙ୍କ ସଙ୍ଗେ କି ପ୍ରକାର ଜୀବନଯାପନ କରିଛି, ତାହା ତୁମେମାନେ ଜାଣ। 19ଯଦିବା ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ଯୋଗୁଁ ମୁଁ ଘୋର ପରୀକ୍ଷାର ସମ୍ମୁଖୀନ ହେଲି ତଥାପି ଅତିଶୟ ନମ୍ରତା ସହ ଓ ଅଶ୍ରୁପାତପୂର୍ବକ ମୁଁ ପ୍ରଭୁଙ୍କର ସେବା କରିଛି। 20ତୁମେମାନେ ଜାଣ ଯେ ଯାହା ତୁମମାନଙ୍କ ପାଇଁ ମଙ୍ଗଳଜନକ ଏପରି କୌଣସି ବିଷୟ ପ୍ରଚାର କରିବାକୁ ମୁଁ କୁଣ୍ଠାବୋଧ କରି ନାହିଁ କିନ୍ତୁ ପ୍ରକାଶ୍ୟରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି। 21ଉଭୟେ ଯିହୁଦୀ ଓ ଗ୍ରୀକ ମାନଙ୍କ ନିକଟରେ ମୁଁ ଘୋଷଣା କରି କହିଛି ଯେ ସେମାନେ ଅନୁତାପ କରି ଈଶ୍ୱରଙ୍କ ନିକଟକୁ ଆସିବା ଓ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ଉଚିତ।
22“ଏବେ, ମୁଁ ଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ, ଯିରୂଶାଲମକୁ ଯାଉଛି, ସେଠାରେ ମୋ ପ୍ରତି କଅଣ ଘଟିବ ମୁଁ ଜାଣେ ନାହିଁ। 23କେବଳ ଏତିକି ଜାଣେ ଯେ ମୁଁ କାରାବାସ ଓ ଦୁଃଖକଷ୍ଟର ସମ୍ମୁଖୀନ ହେବି ବୋଲି ପବିତ୍ରଆତ୍ମା ପ୍ରତି ନଗରରେ ମୋତେ ସତର୍କ କରାଉଛନ୍ତି। 24କିନ୍ତୁ, ମୁଁ ତ ମୋର ଜୀବନକୁ ମୂଲ୍ୟହୀନ ମଣୁଛି; କେବଳ ଏତିକି ଯେ ମୁଁ ଯେପରି ମୋର ନିରୂପିତ ପଥର ଶେଷ ଯାଏ ଦୌଡ଼ିପାରେ ଓ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ବିଷୟରେ ସାକ୍ଷ୍ୟ ଦେଇ ପ୍ରଭୁ ଯୀଶୁ ମୋତେ ଦେଇଥିବା ସେବାକାର୍ଯ୍ୟ ସମ୍ପୁର୍ଣ୍ଣ କରିପାରେ।
25“ଏବେ ମୁଁ ଜାଣୁଛି ଯେ ଯେଉଁମାନଙ୍କ ମଧ୍ୟରେ ମୁଁ ବୁଲି ବୁଲି ଈଶ୍ୱରଙ୍କ ରାଜ୍ୟ ସମ୍ଭନ୍ଧୀୟ ସୁସମାଚାର ଘୋଷଣା କଲି ଏପରି ତୁମ ସମସ୍ତଙ୍କ ମଧ୍ୟରୁ କେହି ହେଲେ ମୋତେ ଆଉ ଦେଖିବ ନାହିଁ। 26ସେଥିପାଇଁ, ମୁଁ ଆଜି ତୁମ୍ଭମାନଙ୍କୁ କହି ଦେଉଛି ଯେ ମୁଁ ସବୁ ଲୋକଙ୍କ ରକ୍ତର ଦାୟରୁ ମୁକ୍ତ। 27କାରଣ ଈଶ୍ୱରଙ୍କ ସମୁଦାୟ ସଂକଳ୍ପ ତୁମମାନଙ୍କ ନିକଟରେ ଘୋଷଣା କରିବାକୁ ମୁଁ କୁଣ୍ଠିତ ହୋଇନାହିଁ। 28ନିଜ ଉପରେ ଏବଂ ପବିତ୍ରଆତ୍ମା ଯେଉଁ ପଲର ତତ୍ତ୍ୱାବଧାରକ ରୂପେ ତୁମକୁ ନିଯୁକ୍ତ କରିଛନ୍ତି, ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖ। ଈଶ୍ୱରଙ୍କର ଯେଉଁ ମଣ୍ଡଳୀକୁ ସେ ନିଜ ରକ୍ତରେ କିଣିଅଛନ୍ତି ତାହାର ପାଳକ ହୁଅ। 29ମୁଁ ଜାଣେ ଯେ ମୋର ଯିବା ପରେ, ହିଂସ୍ର ହେଟାବାଘମାନେ ତୁମମାନଙ୍କ ମଧ୍ୟକୁ ଆସି ପଲକୁ ଆଦୌ ଦୟା ଦେଖାଇବେ ନାହିଁ। 30ଏପରିକି ତୁମମାନଙ୍କ ମଧ୍ୟରୁ ଲୋକେ ବାହାରି ନିଜର ଅନୁଗାମୀ କରିବାକୁ ଶିଷ୍ୟମାନଙ୍କୁ ଟାଣି ନେବା ପାଇଁ ସତ୍ୟର ଅପଳାପ କରିବେ। 31ଅତଏବ ସତର୍କ ଥାଅ! ମୁଁ ଯେ ତିନି ବର୍ଷ କାଳ ଦିବାରାତ୍ରି ଅଶ୍ରୁପାତ ସହ ତୁମ ପ୍ରତ୍ୟେକଙ୍କୁ ଚେତନା ଦେବାରୁ ଥକି ନାହିଁ ତାହା ସ୍ମରଣ କର।
32“ଏବେ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଛି, ଏହି ବାକ୍ୟ ତୁମ୍ଭମାନଙ୍କୁ ଗଠନ କରିବ ଓ ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଏକ ଉତ୍ତରାଧିକାର ଦେବ। 33ମୁଁ କାହାରି ରୂପା କି ସୁନା କି ବସ୍ତ୍ରାଦି ଲୋଭ କରି ନାହିଁ। 34ତୁମେମାନେ ନିଜେ ଜାଣ ଯେ ମୋର ଏହି ହାତ ଦୁଇଟି ମୋର ନିଜର ତଥା ମୋର ସଙ୍ଗୀମାନଙ୍କର ପ୍ରୟୋଜନୀୟ ବିଷୟ ଯୋଗାଇଅଛି। 35‘ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଆଶୀର୍ବାଦଜନକ।’ ” ଏହି ଯେଉଁ କଥା ସ୍ଵୟଂ ପ୍ରଭୁ ଯୀଶୁ କହିଥିଲେ, ତାହା ମୁଁ ମୋର ସବୁ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି ଯେ, ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆମର ସାହାଯ୍ୟ କରିବା ଉଚିତ।
36ଏହା କହିବା ପରେ, ସେ ଅନ୍ୟ ସମସ୍ତଙ୍କ ସହିତ ଜାନୁପାତି ପ୍ରାର୍ଥନା କଲେ। 37ସେମାନେ ସମସ୍ତେ କ୍ରନ୍ଦନ କରୁ କରୁ ତାଙ୍କୁ ଆଲିଙ୍ଗନ କରି ଚୁମ୍ୱନ ଦେଲେ। 38ସେମାନେ ଆଉ ତାଙ୍କ ମୁଖ କେବେ ଦେଖିବେ ନାହିଁ ବୋଲି ସେ ଯେଉଁ କଥା କହିଥିଲେ ସେଥିଯୋଗୁଁ ସେମାନେ ବିଶେଷ ଦୁଃଖିତ ହେଲେ। ତା ପରେ ସେମାନେ ତାଙ୍କ ସଙ୍ଗେ ଜାହାଜ ପର୍ଯ୍ୟନ୍ତ ଗଲେ।