Skip to content

ପ୍ରେରିତ 18

18
କରିନ୍ଥୀରେ ସୁସମାଚାର ପ୍ରଚାର
1ଏଉତ୍ତାରେ ପାଉଲ ଏଥେନ୍‌ସ ପରିତ୍ୟାଗ କରି କରିନ୍ଥକୁ ଗଲେ। 2ସେଠାରେ ଆକ୍ୱିଲା ନାମକଜଣେ ଯିହୁଦୀଙ୍କ ସଙ୍ଗେ ତାଙ୍କର ସାକ୍ଷାତ ହେଲା, ପନ୍ତସ୍ ତାହାଙ୍କର ଜନ୍ମସ୍ଥାନ, ସମ୍ରାଟ କ୍ଲଉଦିଅସ୍ ସବୁ ଯିହୁଦୀଙ୍କୁ ରୋମ ପରିତ୍ୟାଗ କରି ଚାଲିଯିବାକୁ ଆଦେଶ ଜାରି କରିଥିବାରୁ, ସେ ଆପଣା ସ୍ତ୍ରୀ ପ୍ରିସ୍କିଲାଙ୍କ ସହିତ ଇଟାଲିରୁ ଅଳ୍ପକାଳ ପୂର୍ବରୁ କରିନ୍ଥକୁ ଆସିଥିଲେ। ପାଉଲ ସେମାନଙ୍କ ସହିତ ଦେଖା କରିବାକୁଗଲେ, 3ସେମାନଙ୍କ ପରି ତାଙ୍କର ମଧ୍ୟ ତମ୍ବୁ-ନିର୍ମାଣ ବ୍ୟବସାୟ ଥିବାରୁ, ସେ ସେମାନଙ୍କ ସହିତ ରହି ଏକତ୍ର କାର୍ଯ୍ୟ କଲେ। 4ପ୍ରତି ଶାବତବାରରେ ସେ ଉପାସନାଗୃହରେ ଯୁକ୍ତି କରି, ଯିହୁଦୀ ଓ ଗ୍ରୀକ ମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
5ମାସିଦୋନିଆରୁ ଶୀଲା ଓ ତୀମଥି ଆସିବା ପରେ, ପାଉଲ କେବଳ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରି, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେବାକୁ ଲାଗିଲେ। 6କିନ୍ତୁ ଯିହୁଦୀମାନେ ଯେତେବେଳେ ପାଉଲଙ୍କର ବିରୋଧ କଲେ ଓ ତାଙ୍କୁ କଟୁ କଥା କହିଲେ, ସେ ଏହାର ପ୍ରତିବାଦରେ ନିଜ ଲୁଗା ଝାଡ଼ି ଦେଇ ସେମାନଙ୍କୁ କହିଲେ, “ତୁମମାନଙ୍କର ରକ୍ତ ତୁମ ନିଜ ମସ୍ତକ ଉପରେ ପଡ଼ୁ! ମୁଁ ଦାୟିତ୍ଵରୁ ମୁକ୍ତ। ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି।”
7ତତ୍ପରେ ପାଉଲ ଉପାସନାଗୃହରୁ ବାହାରିଗଲେ ଏବଂ ତୀତସ୍ ଯୁଷ୍ଟୁସ୍ ନାମକ ଜଣେ ଈଶ୍ୱରଭକ୍ତଙ୍କର ଗୃହକୁ ଗଲେ, ଏହାଙ୍କର ଗୃହ ଉପାସନାଗୃହର ପାର୍ଶ୍ୱରେ ଥିଲା। 8ଉପାସନାଗୃହର ଅଧ୍ୟକ୍ଷ, କ୍ରୀସ୍ପସ୍ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ; ପୁଣି, କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକେ ତାଙ୍କ କଥା ଶୁଣି ବିଶ୍ୱାସ କଲେ ଓ ଡୁବନ ନେଲେ।
9ଏକଦା ରାତ୍ରିରେ ପ୍ରଭୁ ଦିବ୍ୟଦର୍ଶନ ଦ୍ଵାରା ପାଉଲଙ୍କୁ କହିଲେ: “ଭୟ କର ନାହିଁ; ନୀରବ ନ ରହି, କହିଯାଅ। 10କାରଣ ମୁଁ ତୁମ ସହିତ ଅଛି, ଓ କେହି ତୁମକୁ ଆକ୍ରମଣ କରି ତୁମର କ୍ଷତି କରିବ ନାହିଁ, ଯେହେତୁ ଏହି ନଗରରେ ମୋର ଅନେକ ଲୋକ ଅଛନ୍ତି।” 11ତେଣୁ ପାଉଲ ଦେଢ଼ବର୍ଷ କାଳ କରିନ୍ଥୀରେ ରହି, ସେମାନଙ୍କୁ ଈଶ୍ୱରଙ୍କର ବାକ୍ୟ ଶିକ୍ଷା ଦେଲେ।
12ଗାଲିଓ ଆଖାୟାର ରାଜ୍ୟପାଳ ଥିବା ସମୟରେ, କରିନ୍ଥୀର ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କ ବିରୁଦ୍ଧରେ ଉଠିଲେ ଏବଂ ତାଙ୍କୁ ବିଚାରାଳୟକୁ ନେଇଗଲେ। 13ସେମାନେ ଅଭିଯୋଗ କରି କହିଲେ, “ଏହି ଲୋକ, ବିଧିବ୍ୟବସ୍ଥାର ବିପରୀତ ପଦ୍ଧତିରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ମତାଉଛି।”
14ପାଉଲ କହିବାକୁ ଉଦ୍ୟତ ହେଲାବେଳେ, ଗାଲିଓ ଯିହୁଦୀମାନଙ୍କୁ କହିଲେ, “ତୁମେ ଯିହୁଦୀମାନେ ଯଦି କୌଣସି ଅପକର୍ମ ଓ ଗୁରୁତର ଅପରାଧ ବିଷୟରେ ଅଭିଯୋଗ କରିଥାଆନ୍ତ, ତେବେ ତୁମମାନଙ୍କ କଥା ଶୁଣିବା ମୋ ପକ୍ଷେ ଯୁକ୍ତିସଙ୍ଗତ ହୋଇଥାଆନ୍ତା। 15ମାତ୍ର ଏହା କେତେକ ବାକ୍ୟ, ନାମ ଓ ତୁମ ନିଜର ବିଧିବ୍ୟବସ୍ଥା ବିଷୟକ ପ୍ରଶ୍ନ ହୋଇଥିବାରୁ ତୁମେମାନେ ନିଜେ ଏହାର ସମାଧାନ କର। ମୁଁ ଏପ୍ରକାର ବିଷୟସବୁର ବିଚାରକ ହେବି ନାହିଁ।” 16ତେଣୁ ସେ ସେମାନଙ୍କୁ ବାହାର କରିଦେଲେ। 17ଏହାପରେ ସେମାନେ ସମସ୍ତେ ଉପାସନାଗୃହର ଅଧ୍ୟକ୍ଷ ସୋସ୍‌ତିନାଙ୍କୁ ଧରି ବିଚାରାଳୟ ସମ୍ମୁଖରେ ପ୍ରହାର କଲେ; କିନ୍ତୁ ଗାଲିଓ ସେଥିପ୍ରତି ଆଦୌ ଭ୍ରୂକ୍ଷେପ କଲେ ନାହିଁ।
ପାଉଲଙ୍କର ତୃତୀୟ ପ୍ରଚାର ଯାତ୍ରା
ପ୍ରିସ୍କିଲା, ଆକ୍ୱିଲା ଓ ଆପୋଲ୍ଲସ୍
18ପାଉଲ କରିନ୍ଥୀରେ କିଛିକାଳ ରହିବା ପରେ। ଭାଇମାନଙ୍କଠାରୁ ବିଦାୟନେଇ ଜାହାଜରେ ସିରିଆକୁ ଯାତ୍ରା କଲେ, ପ୍ରିସ୍କିଲା ଓ ଆକ୍ୱିଲା ତାଙ୍କ ସହିତ ଗଲେ। ସେ ଜଳଯାତ୍ରା କରିବା ପୂର୍ବରୁ, କେନ୍‌କ୍ରିୟାରେ ନିଜ ମସ୍ତକ କ୍ଷୌର କରାଇଲେ କାରଣ ସେ ଗୋଟିଏ ମାନତ କରିଥିଲେ। 19ସେମାନେ ଏଫିସସ୍‌ରେ ପହଞ୍ଚିଲେ, ସେଠାରେ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ଛାଡ଼ି ପାଉଲ ନିଜେ ଉପାସନାଗୃହକୁ ଗଲେ ଏବଂ ଯିହୁଦୀମାନଙ୍କ ସହିତ ଯୁକ୍ତି କଲେ। 20ସେମାନେ ତାଙ୍କୁ ଆଉ କିଛିକାଳ ସେମାନଙ୍କ ସହିତ ରହିବାକୁ କହିଲେ ମଧ୍ୟ ସେ ରାଜି ହେଲେ ନାହିଁ। 21କିନ୍ତୁ ସେ ଯିବା ସମୟରେ, ପ୍ରତିଶ୍ରୁତି ଦେଇ କହିଲେ, “ଈଶ୍ୱରଙ୍କ ଇଚ୍ଛା ଥିଲେ ମୁଁ ପୁଣି ଥରେ ଆସିବି।” ଏହାପରେ ସେ ଏଫିସସ୍‌ରୁ ଜଳଯାତ୍ରା କଲେ। 22କାଇସରିଆରେ ପହଞ୍ଚି ସେ ଯାଇ ମଣ୍ଡଳୀକୁ ଅଭିବାଦନ ଜଣାଇଲେ, ତା ପରେ ଆଣ୍ଟିୟୋଖକୁ ଚାଲିଗଲେ।
23ଆଣ୍ଟିୟୋଖରେ କିଛି ସମୟ ଅତିବାହିତ କଲାପରେ, ପାଉଲ ସେଠାରୁ ଯାତ୍ରା କରି ସମଗ୍ର ଗାଲାତୀଆ ଓ ଫ୍ରିଜିଆ ଅଞ୍ଚଳର ବିଭିନ୍ନ ସ୍ଥାନ ଭ୍ରମଣ କରି, ସବୁ ଶିଷ୍ୟଙ୍କୁ ମନୋବଳ ପ୍ରଦାନ କଲେ।
24ଇତିମଧ୍ୟରେ ଆପଲ୍ଲ ନାମକଜଣେ ଯିହୁଦୀ, ଏଫିସସ୍‌ରେ ପହଞ୍ଚିଲେ, ଏହାଙ୍କର ଜନ୍ମସ୍ଥାନ ଆଲେକ୍ ଜାଣ୍ଡ୍ରିଆ ଥିଲା। ସେ ଜଣେ ସୁବକ୍ତା ଥିଲେ, ଏବଂ ଧର୍ମଶାସ୍ତ୍ରରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। 25ସେ ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷାପ୍ରାପ୍ତ ହୋଇଥିଲେ, ଏବଂ ମହା ଆଗ୍ରହରେ ପ୍ରଚାର କରୁଥିଲେ ପୁଣି ଯୀଶୁଙ୍କ ସମ୍ବନ୍ଧରେ ନିର୍ଭୁଲ ଭାବରେ ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ଡୁବନ ବିଷୟ ଜାଣିଥିଲେ। 26ସେ ଉପାସନାଗୃହରେ ନିର୍ଭୀକ ଭାବରେ କହିବାକୁ ଲାଗିଲେ। ପ୍ରିସ୍କିଲା ଓ ଆକ୍ୱିଲା ତାହା ଶୁଣି, ତାଙ୍କୁ ନିଜ ଘରକୁ ଡାକି ନେଲେ ଏବଂ ଈଶ୍ୱରଙ୍କ ମାର୍ଗ ସମ୍ବନ୍ଧରେ ଆହୁରି ଯଥାର୍ଥ ରୂପେ ବୁଝାଇଦେଲେ।
27ଆପୋଲ୍ଲସ୍ ଯେତେବେଳେ ଆଖାୟାକୁ ଯିବା ପାଇଁ ଇଚ୍ଛା କଲେ, ଭାଇମାନେ ତାଙ୍କୁ ଉତ୍ସାହ ପ୍ରଦାନ କଲେ ଏବଂ ତାଙ୍କୁ ସ୍ୱାଗତ କରିବାକୁ ସେଠାର ଶିଷ୍ୟମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି, ଅନୁଗ୍ରହ ଦ୍ଵାରା ବିଶ୍ୱାସ କରିଥିବା ଲୋକମାନଙ୍କୁ ବିଶେଷ ସାହାଯ୍ୟ କଲେ। 28କାରଣ ସେ ସର୍ବସାଧାରଣ ତର୍କ ସଭାରେ ଯିହୁଦୀମାନଙ୍କର ଯୁକ୍ତିକୁ ଦୃଢ଼ଭାବେ ଖଣ୍ଡନ କରି, ଯୀଶୁ ଯେ ଖ୍ରୀଷ୍ଟ ଏହା ଧର୍ମଶାସ୍ତ୍ରରୁ ପ୍ରମାଣ କରୁଥିଲେ।